ଷ୍ଟାର୍ଟଅପ୍ ଗଢ଼ିବାରେ ସାହାଯ୍ୟ କରିବ ଉତ୍କଳ ବିଶ୍ବବିଦ୍ୟାଳୟ

ଆଇଡିଆଥନ୍ ଏମ୍‌୨ଏମ୍‌ ୨୦୨୧ କାର୍ଯ୍ୟକ୍ରମ ଘୋଷଣା
ଅକ୍ଟୋବର ୨୦ ପର୍ଯ୍ୟନ୍ତ ପଞ୍ଜୀକରଣ, ୩୦ରେ ଫଳ
ମିଳିବ ନଗଦ ସହାୟତା, ଇନ୍‌କ୍ୟୁବେସନ ସୁବିଧା

ଭୁବନେଶ୍ବର : ଅଭିନବ ବ୍ୟବସାୟ ଚିନ୍ତାଧାରା ନେଇ ଆଗ୍ରହୀ ଉଦ୍ୟୋଗୀଙ୍କୁ ଉତ୍ସାହିତ କରିବା ଲାଗି ଉତ୍କଳ ବିଶ୍ୱବିଦ୍ୟାଳୟର ‘ସେଣ୍ଟର ଫର୍‌ ଇନୋଭେସନ୍ ଆଣ୍ଡ ଇନ୍‌କ୍ୟୁବେସନ’ (ସିଆଇଆଇ) ପକ୍ଷରୁ ଆଇଡିଆଥନ୍‌ ଏମ୍‌୨ଏମ୍‌-୨୦୨୧ ଆରମ୍ଭ ହୋଇଛି। ଏହା ମାଧ୍ୟମରେ ଚୟନ ହେବାକୁ ଥିବା ୩ଟି ସର୍ବୋତ୍ତମ ଚିନ୍ତାଧାରାକୁ ନଗଦ ପୁରସ୍କାର ସହ ଶ୍ରେଷ୍ଠ ୨୦ଟି ଚିନ୍ତାଧାରାକୁ ପ୍ରି-ଇନ୍‌କ୍ୟୁବେସନ ସୁବିଧା ଦିଆଯିବ। ପ୍ରି-ଇନ୍‌କ୍ୟୁବେସନ୍‌ ପରେ ୫ଟି ଚିନ୍ତାଧାରକୁ ନମୁନା ଅନୁଦାନ ପ୍ରଦାନ କରାଯିବ। ଆଇଡିଆଥନ୍ ଏମ୍‌୨ଏମ୍-୨୦୨୧ରେ ଯେଉଁ ଷ୍ଟାର୍ଟଅପ୍‌ ପ୍ରତିଷ୍ଠାତାମାନଙ୍କୁ ଚୟନ କରାଯିବ, ସେମାନଙ୍କୁ ଉପକ୍ରମ ଇନ୍‌କ୍ୟୁବେସନ୍‌ କାର୍ଯ୍ୟକ୍ରମରେ ମଧ୍ୟ ସାମିଲ କରାଯିବ। ଯାହା ଦ୍ବାରା ସେମାନେ ସମଭାବାପନ୍ନ ବ୍ୟକ୍ତିମାନଙ୍କ ସହ ମିଶି ନିଜର ଉଦ୍ୟୋଗୀ ଯାତ୍ରା ଆରମ୍ଭ କରିପାରିବେ।

ଇତିମଧ୍ୟରେ ଆଇଡିଆଥନ୍‌ ଏମ୍‌ଟୁଏମ୍‌-୨୦୨୧ ପାଇଁ ପଞ୍ଜୀକରଣ ଆରମ୍ଭ ହୋଇଛି। ଛାତ୍ରଛାତ୍ରୀ, ଉଦ୍ଭାବକ, ପ୍ରାରମ୍ଭିକ ପର୍ଯ୍ୟାୟ ଷ୍ଟାର୍ଟଅପ୍, ଅଧ୍ୟାପିକା, ଅନୁସନ୍ଧାନ ବିଦ୍ୱାନ, କୃଷି, ଖାଦ୍ୟ, ଶିକ୍ଷା, ସବୁଜ ପ୍ରଯୁକ୍ତିବିଦ୍ୟା, ଇକୋ-ଟୁରିଜିମ୍, ହର୍ବାଲ୍ କ୍ଷେତ୍ରର ଜଣେ କିମ୍ବା ଅତିବେଶିରେ ୪ଜଣ ବ୍ୟକ୍ତିଙ୍କୁ ନେଇ ଗଠିତ ଟିମ୍‌ ଏଥିରେ ସାମିଲ ହୋଇପାରିବେ। ନ୍ୟୁଟ୍ରାସ୍ୟୁଟିକାଲ୍, ସର୍କୁଲାର୍ ଇକୋନୋମି, ଅକ୍ଷୟ ଶକ୍ତି, ଗ୍ରାମୀଣ ପ୍ରଯୁକ୍ତିବିଦ୍ୟା, ଆଇଟି ଓ ଆଇସିଟି, ଫିନ୍‌ଟେକ୍, ସୁଲଭ ସ୍ୱାସ୍ଥ୍ୟସେବା, ଏଡୁଟେକ୍‌ ଆଦି କ୍ଷେତ୍ରରେ ସେମାନେ ଅଂଶଗ୍ରହଣ କରିପାରିବେ। ଅକ୍ଟୋବର ୨୦ ସୁଦ୍ଧା ଆଗ୍ରହୀ ନବଉଦ୍ୟୋମୀମାନେ ପଞ୍ଜୀକରଣ କରିପାରିବେ ଏବଂ ଅକ୍ଟୋବର ୩୦ରେ ଏହାର ଫଳ ଘୋଷଣା କରାଯିବ। ବିଶିଷ୍ଟ ଶିଳ୍ପପତି, ବିଶେଷଜ୍ଞ, ନିବେଶକ, ଏମ୍‌ଏସ୍‌ଏମ୍‌ଇ/ଡିଏସ୍‌ଟି/ଷ୍ଟାର୍ଟଅପ୍ ପରିଷଦ ସମେତ ସରକାରୀ ଫୋରମ୍‌ର ଅଧିକାରୀଙ୍କ ଦ୍ୱାରା ସବୁଠାରୁ ଅଭିନବ ଷ୍ଟାର୍ଟଅପ୍ ଚିନ୍ତାଧାରାକୁ ଚୟନ କରାଯିବ ବୋଲି ନିଷ୍ପତ୍ତି ନିଆଯାଇଛି।

ଉତ୍କଳ ବିଶ୍ୱବିଦ୍ୟାଳୟ କୁଳପତି ପ୍ରଫେସର ସବିତା ଆଚାର୍ଯ୍ୟ ଏହି କାର୍ଯ୍ୟକ୍ରମକୁ ପ୍ରଶଂସା କରି କହିଛନ୍ତି ଯେ ବିଶ୍ବବିଦ୍ୟାଳୟର ସିଆଇଆଇ ପକ୍ଷରୁ ଆଇଡିଆଥନ୍ ଏମ୍‌୨ଏମ୍ -୨୦୨୧ କାର୍ଯ୍ୟକ୍ରମ ଜରିଆରେ ଷ୍ଟାର୍ଟଅପ୍ ଇନ୍‌କ୍ୟୁବେସନ ‌କାର୍ଯ୍ୟକ୍ରମର ଶୁଭାରମ୍ଭ କରିଛି। କେବଳ ରାଜ୍ୟ ନୁହେଁ, ପୂର୍ବ ଭାରତ ଓ ଉତ୍ତର ପୂର୍ବାଞ୍ଚଳରେ ଆମ କେନ୍ଦ୍ରକୁ ଷ୍ଟାର୍ଟଅପ୍‌ କାର୍ଯ୍ୟକ୍ରମର ପ୍ରମୁଖ କେନ୍ଦ୍ରରେ ପରିଣତ କରିବା ଲାଗି ଆମେ ନିଷ୍ପତ୍ତି ନେଇଛୁ।

ସିଆଇଆଇ ସିଇଓ ମନୀଷା ଆଚାର୍ଯ୍ୟ କହିଛନ୍ତି ଯେ ଆଇଡିଆଥନ୍‌ ଏମ୍‌ଟୁଏମ୍‌ ୨୦୨୧ ମାଧ୍ୟମରେ ଆମେ ଅଭିନବ ବ୍ୟବସାୟ ଚିନ୍ତାଧାରା ଖୋଜୁଛୁ। ଏକ ଶକ୍ତିଶାଳୀ ବ୍ୟବସାୟ ମଡେଲ୍‌ ସୃଷ୍ଟି କରିବାଠାରୁ ଆରମ୍ଭ କରି ତାହାକୁ ନିବେଶକମାନଙ୍କ ସାମ୍ନାରେ ଉପସ୍ଥାପନ କରିବା ପର୍ଯ୍ୟନ୍ତ ଆମେ ସେମାନଙ୍କୁ ସାହାଯ୍ୟ କରିବୁ। ଏକ ଚିନ୍ତାଧାରାକୁ ତୃଣମୂଳସ୍ତରରୁ ବଜାର ରଣନୀତି ପର୍ଯ୍ୟନ୍ତ ନେବା କ୍ଷେତ୍ରରେ ବିଶ୍ବବିଦ୍ୟାଳୟର ଗବେଷଣା ଲ୍ୟାବ୍ ଓ ସିଆଇଆଇ ଗୁରୁତ୍ବପୂର୍ଣ୍ଣ ଭୂମିକା ନିର୍ବାହ କରିବେ ବୋଲି ସେ କହିଛନ୍ତି। ଏଗ୍ରି ବିଜନେସ୍‌ ମ୍ୟାନେଜ୍‌ମେଣ୍ଟ ମୁଖ୍ୟ ଦୀପକ ରାମ କହିଛନ୍ତି ଯେ ଉଦ୍ୟମିତାର ଶକ୍ତିକୁ ଜାଣିବା ଲାଗି ଏହି ଅଭିନବ ବ୍ୟବସ୍ଥାରେ ଛାତ୍ରଛାତ୍ରୀ ଓ ଉଦ୍ୟୋଗୀଙ୍କୁ ଯୋଡ଼ିବା ହେଉଛି ଏକ ସ୍ବାଗତଯୋଗ୍ୟ ପଦକ୍ଷେପ। ନୂଆପିଢ଼ିର ପ୍ରତିଷ୍ଠାତାଙ୍କ ମଧ୍ୟରେ ନବସୃଜନ ଓ ଉଦ୍ୟମିତାର ପ୍ରସାର କରିବା ଓ ତାହାକୁ ସମୃଦ୍ଧ କରିବା ଲକ୍ଷ୍ୟ ନେଇ ସିଆଇଆଇ ପକ୍ଷରୁ ଛଅ ମାସିଆ ଏକ ଉପକ୍ରମ ଇନ୍‌କ୍ୟୁବେସନ୍‌ କାର୍ଯ୍ୟକ୍ରମ ଆରମ୍ଭ କରାଯାଇଛି। ଏଥିରେ ଚିନ୍ତାଧାରା ସୃଷ୍ଟି କରିବା ଓ ତାହାକୁ ବଜାର ପର୍ଯ୍ୟନ୍ତ ପହଞ୍ଚାଇବା ଲାଗି ଏକ ସର୍ବନିମ୍ନ ଉତ୍ପାଦରେ ପରିଣତ କରିବା ଏବଂ ଶେଷରେ ଏକ ବ୍ୟବସାୟ ଉପଯୋଗୀ ମଡେଲ୍‌ରେ ପରିଣତ କରିବା ଲାଗି ଉଦ୍ୟୋଗୀମାନଙ୍କୁ ମଞ୍ଚ ପ୍ରଦାନ କରାଯିବ।

ସମ୍ବନ୍ଧିତ ଖବର