ଉତ୍କଳ ବିଶ୍ବବିଦ୍ୟାଳୟର ୫୦ତମ ସମାବର୍ତ୍ତନ ଉତ୍ସବ : କରୋନା କଟକଣା ପ୍ରହସନ

ମାନିଲେନି ସାମାଜିକ ଦୂରତା, ପିନ୍ଧିଲେନି ମାସ୍କ
ନେଗେଟିଭ୍‌ ରିପୋର୍ଟ ନ ଥାଇ ବି ପଶିଲେ
ଗଣମାଧ୍ୟମକୁ ଛାଡ଼ିଲେନି, ପୁରାତନ ଛାତ୍ର ବସିଲେ
ପ୍ରବେଶକୁ ନେଇ କ୍ୟାମ୍ପସରେ ଉତ୍ତେଜନା

ଭୁବନେଶ୍ବର : ଉତ୍କଳ ବିଶ୍ବବିଦ୍ୟାଳୟ ସମାବର୍ତ୍ତନ ଉତ୍ସବରେ କୋଭିଡ୍‌ କଟକଣା କଡ଼ାକଡ଼ି ହୋଇଥିବା ନେଇ କର୍ତୃପକ୍ଷ କହି ବୁଲୁଥିଲେ ମଧ୍ୟ ପ୍ରବେଶ ପଥଠାରୁ ମଞ୍ଚ ପର୍ଯ୍ୟନ୍ତ ସବୁଠି ‌ଏହାର ଖୋଲାଖୋଲି ଉଲ୍ଲଂଘନ ହୋଇଥିବା ଦେଖିବାକୁ ମିଳିଥିଲା।

ପ୍ରଥମତଃ ଉତ୍ସବରେ ୨୦୦ଜଣ ସାମିଲ ଲାଗି ବିଏମ୍‌ସି ପକ୍ଷରୁ କୁହାଯାଇଥିଲେ ମଧ୍ୟ ତା’ଠାରୁ ବହୁତ ଅଧିକ ଉପସ୍ଥିତ ଥିଲେ। ଉତ୍ସବସ୍ଥଳରେ ବସିବା ଲାଗି କରୋନା ନେଗେଟିଭ୍‌ ରିପୋର୍ଟ ବାଧ୍ୟତାମୂଳକ ହୋଇଥିଲେ ମଧ୍ୟ କେତେଜଣ ଛାତ୍ରଛାତ୍ରୀ ଓ ପୁରାତନ ଛାତ୍ରଙ୍କ ପାଖରେ କୋଭିଡ୍‌ ପରୀକ୍ଷା ରିପୋର୍ଟ ହିଁ ନ ଥିଲା। ବିନା ରିପୋର୍ଟରେ ସେମାନେ ଜୋରଜବରଦସ୍ତ ପ୍ରେକ୍ଷାଳୟ ଭିତରକୁ ପ୍ରବେଶ କରି ବସିଥିଲେ। ଆଉ କେତେକ ଛାତ୍ରଙ୍କ ନିକଟରେ ନିମନ୍ତ୍ରଣପତ୍ର ସହ କରୋନା ନେଗେଟିଭ୍‌ ରିପୋର୍ଟ ଥିଲେ ମଧ୍ୟ ଭିତରକୁ ଛଡ଼ାଯାଇ ନଥିଲା। ଏହାକୁ ନେଇ ପ୍ରେକ୍ଷାଳୟ ପ୍ରବେଶପଥରେ ଉତ୍ତେଜନା ପ୍ରକାଶ ପାଇଥିଲା। ପ୍ରବେଶରେ ପାତରଅନ୍ତର କରାଯାଉଥିବା ନେଇ ସେମାନେ ହୋହାଲ୍ଲା କରିଥିଲେ। ଏହାକୁ ନେଇ ଅସମ୍ଭାଳ ପରିସ୍ଥିତି ସୃଷ୍ଟି ହୋଇଥିଲା। ଶେଷରେ ବିଶ୍ବବିଦ୍ୟାଳୟ କର୍ତ୍ତୃପକ୍ଷ ବାଧ୍ୟ ହୋଇ ସେମାନଙ୍କୁ ଭିତରକୁ ପ୍ରବେଶ ଲାଗି ଅନୁମତି ଦେଇଥିଲେ।

ଅନ୍ୟପକ୍ଷରେ ସମ୍ପୂର୍ଣ୍ଣ କରୋନା କଟକଣା ମଧ୍ୟରେ ଉତ୍ସବ ହେଉଥିବା ନେଇ ବିଶ୍ବବିଦ୍ୟାଳୟ କର୍ତ୍ତୃପକ୍ଷ ଡେଙ୍ଗୁରା ପିଟୁଥିବା ବେଳେ ପ୍ରେକ୍ଷାଳୟରେ ଆଦୌ ସାମାଜିକ ଦୂରତା କିମ୍ବା ମାସ୍କ ପରିଧାନ ବାଧ୍ୟତାମୂଳକ ନ ଥିଲା। ଡିଗ୍ରି ଗହଣ କରିବା ସମୟରେ ମଞ୍ଚ ତଳେ ଫଟୋ ଉଠାଇବା ସମୟରେ ଯେଉଁଭଳି ଭିଡ଼ ହୋଇଥିଲା, ତାକୁ ଦେଖି ମନେ ହେଉଥିଲା ‌ସତେଯେମିତି କରୋନା ବୋଲି କିଛି ନାହିଁ। ଧକ୍କା ମରାମରି ହୋଇ ସମସ୍ତେ ‌ଫଟୋ ଉଠାଇଥିଲେ। ଅନେକଙ୍କ ମୁହଁରେ ମାସ୍କ ଥିଲେ ମଧ୍ୟ ତାହାକୁ ଠିକ୍‌ ଭାବେ ପିନ୍ଧି ନ ଥିଲେ। ପ୍ରେକ୍ଷାଳୟରେ ବସିଥିବା ବ୍ୟକ୍ତିମାନଙ୍କ ମଧ୍ୟରୁ କାହାର ପାଟିରେ ତ ଆଉ କାହାର ଥୋଡ଼ିରେ ମାସ୍କ ଲାଗିଥିଲା।

ଗୁରୁତ୍ବପୂର୍ଣ୍ଣ ବିଷୟ ହେଉଛି ଯେ ଏତେ ବଡ଼ ଉତ୍ସବ ହେଉଥିଲେ ମଧ୍ୟ ଗଣମାଧ୍ୟମକୁ ସମ୍ପୂର୍ଣ୍ଣ ଭାବେ ଦୂରେଇ ରଖାଯାଇଥିଲା। କରୋନା ଆଳରେ ବିଶ୍ବବିଦ୍ୟାଳୟ କର୍ତ୍ତୃପକ୍ଷ ନିଜର ଦୋଷ ଦୁର୍ବଳତାକୁ ଲୁଚାଇବାକୁ ପ୍ରୟାସ କରିଥିଲେ। ପ୍ରେକ୍ଷାଳୟ ଭିତରେ ଯେଉଁ ସବୁ ଅବ୍ୟବସ୍ଥା ହେଉଛି ତାହା ଯେପରି ଲୋକଲୋଚନକୁ ନ ଆସେ, ସେଥିପାଇଁ ବୈଦ୍ୟୁତିକ ଓ ଛାପା ଗଣମାଧ୍ୟମ ପ୍ରତିନିଧିଙ୍କୁ ଭିତରକୁ ଛଡ଼ାଯାଇ ନ ଥିଲା। ଠିକ୍‌ ସମୟରେ କୁଳପତି କିମ୍ବା କୁଳସଚିବ କେହି ଧରାଛୁଆଁ ଦେଇନଥିଲେ। ପ୍ରବେଶ ପାଇଁ ଅନୁମତି ନଥିବାରୁ ପ୍ରେକ୍ଷାଳୟଠାରୁ କିଛି ଦୂରରେ ଗଣମାଧ୍ୟମ ପ୍ରତିନିଧିମାନେ ଖରାରେ ବସିଥିଲେ। ଉତ୍ସବରେ ଯୋଗ ଦେବାକୁ ଆସିଥିବା ଅବସରପ୍ରାପ୍ତ ପ୍ରଫେସର୍‌, କର୍ମଚାରୀଙ୍କୁ ବି ନାକେଦମ୍‌ ହେବାକୁ ପଡ଼ିଥିଲା।

କଳାପତାକା ଦେଖାଇବାକୁ ଉଦ୍ୟମ କରି ୪ ଗିରଫ
ଉତ୍କଳ ବିଶ୍ୱବିଦ୍ୟାଳୟ ସମାବର୍ତ୍ତନ ଉତ୍ସବରେ ଯୋଗଦେବାକୁ ଯିବା ସମୟରେ ଉପରାଷ୍ଟ୍ରପତି ଏମ୍‌ ଭେଙ୍କେୟା ନାଇଡୁଙ୍କୁ କଳାପତାକା ଦେଖାଇବାକୁ ଉଦ୍ୟମ ହୋଇଥିଲା। ‘ଆମ ଅଧିକାର’ ସଙ୍ଗଠନର କର୍ମକର୍ତ୍ତା ଆଚାର୍ଯ୍ୟବିହାର ଓ ସୂଚନା ଭବନ ନିକଟରେ କଳା ପତାକା ପ୍ରଦର୍ଶନ କରିବାକୁ ଉଦ୍ୟମ କରିଥିଲେ। ଖବର ପାଇ ପୁଲିସ ୪ ଜଣଙ୍କୁ ଗିରଫ କରି ନେଇଥିଲା। ଉପରାଷ୍ଟ୍ରପତି ଫେରିବା ପରେ ସେମାନଙ୍କୁ ଛାଡ଼ି ଦିଆଯାଇଛି। ବିଶ୍ବବିଦ୍ୟାଳୟ ପକ୍ଷରୁ ଦିଆଯାଉଥିବା ଡକ୍ଟରେଟ୍‌ ଡିଗ୍ରିକୁ ବିରୋଧ କରି ସେମାନେ ଏଭଳି କରିଥିବା ସଙ୍ଗଠନ ପକ୍ଷରୁ କୁହାଯାଉଛି।

ପୂର୍ବତନ ଛାତ୍ର ସଂସଦ ସଭାପତି ଗିରଫ
ଉପରାଷ୍ଟ୍ରପତିଙ୍କ ଗସ୍ତ ପୂର୍ବରୁ ବିଶ୍ବବିଦ୍ୟାଳୟର ପୂର୍ବତନ ଛାତ୍ର ସଂସଦ ସଭାପତି ମହେଶ ପ୍ରସାଦଙ୍କୁ ପୁଲିସ ଗିରଫ କରିନେଇଥିଲା। ଏହାର ପ୍ରତିବାଦରେ ତାଙ୍କ ସମର୍ଥକମାନେ ସହିଦନଗର ଥାନା ସମ୍ମୁଖରେ ଧାରଣାରେ ବସିଥିଲେ। ପୁଲିସ ସେମାନଙ୍କୁ ବୁଝାସୁଝା କରିବା ପରେ ସେମାନେ ଧାରଣାରୁ ଉଠିଥିଲେ। ସମର୍ଥକମାନେ ଫେରିବା ପରେ ପୁଲିସ ମହେଶଙ୍କୁ କୋର୍ଟଚାଲାଣ କରିଥିଲା। ଉପରାଷ୍ଟ୍ରପତିଙ୍କ ଗସ୍ତ ପୂର୍ବରୁ ପୁଲିସକୁ ଗାଳିଗୁଲଜ କରିବା ଅଭିଯୋଗରେ ତାଙ୍କୁ ଗିରଫ କରାଯାଇଥିବା ସୂଚନା ମିଳିଛି।

ସିଧା ପ୍ରସାରଣ ହେଲାନି; ଦେଖିପାରିଲେନି ଶିକ୍ଷକ ଓ କର୍ମଚାରୀ
ସମାବର୍ତ୍ତନ ଉତ୍ସବ ହେଉଥିବା ପ୍ରେକ୍ଷାଳୟକୁ ଛାତ୍ରଛାତ୍ରୀ, ସ୍ବେଚ୍ଛାସେବୀ, ଅଧ୍ୟାପକଙ୍କୁ ପ୍ରବେଶ ପାଇଁ ଅନୁମତି ନଥିଲା। କେବେଳ ଉପାଧି ପାଉଥିବା ବ୍ୟକ୍ତିବିଶେଷଙ୍କ ସହ ଏକାଡେମିକ୍‌ କାଉନସିଲ ଓ ସିନେଟ୍‌ ସଦସ୍ୟଙ୍କୁ ପ୍ରବେଶ ପାଇଁ ସୁଯୋଗ ଦିଆଯାଇଥିଲା। ଅନ୍ୟମାନଙ୍କ ପାଇଁ ବିଶ୍ବବିଦ୍ୟାଳୟ ପାଠାଗାରରେ ଉତ୍ସବର ସିଧା ପ୍ରସାରଣ ପାଇଁ ବ୍ୟବସ୍ଥା ହୋଇଥିଲା। ତେବେ କାର୍ଯ୍ୟକ୍ରମ ଆରମ୍ଭ ହେବା ପରେ ମଧ୍ୟ ସିଧା ପ୍ରସାରଣ ହୋଇପାରି ନଥିଲା। ଯାନ୍ତ୍ରିକ ତ୍ରୁଟି ଯୋଗୁଁ ଛାତ୍ରଛାତ୍ରୀ ଓ ଅଧ୍ୟାପକମାନେ ଉତ୍ସବ ଦେଖି ପାରି ନଥିଲେ। କାର୍ଯ୍ୟକ୍ରମ ଶେଷ ବେଳକୁ ସିଧା ପ୍ରସାରଣ ସ୍ବଭାବିକ ହୋଇଥିଲା।

ସମ୍ବନ୍ଧିତ ଖବର