ସମାଜର ସ୍ୱର ହେଉ ଗଣମାଧ୍ୟମ: ମାର୍କ ଆଲେନ୍‌

ଉତ୍କଳ ବିଶ୍ୱବିଦ୍ୟାଳୟର ପ୍ଲାଟିନମ୍‌ ଜୁବିଲି ବକ୍ତତାମାଳା

ଭୁବନେଶ୍ୱର : ରାଜନୀତି, ଅର୍ଥନୀତି ଓ ସାମ୍ପ୍ରତିକ ପରିସ୍ଥିତିକୁ ସୁଧାରିବାରେ ଗଣମାଧ୍ୟମ ମୁଖ୍ୟ ଭୂମିକା ନିର୍ବାହ କରିଥାଏ। ପ୍ରତ୍ୟେକ ମୁହୂର୍ତ୍ତରେ ଏହା ସମାଜକୁ ପ୍ରଭାବିତ କରିଥାଏ। ଅଧିକାଂଶ ସମୟରେ ଖବର ସଂସଦରେ ହଇଚଇ କରୁଥିବା ଦେଖାଯାଏ। ବାସ୍ତବରେ ଯାହାଙ୍କ ପାଇଁ ଖବର ପ୍ରସ୍ତୁତ ହୁଏ, ସେମାନଙ୍କ କାମରେ ଲାଗେନାହିଁ। ଏଣୁ ଗଣମାଧ୍ୟମ ସମାଜର ସ୍ୱର ହେଉ ବୋଲି କହିଛନ୍ତି ଆମେରିକା ମିଆମି ବିଶ୍ୱବିଦ୍ୟାଳୟର ପ୍ରଫେସର୍‌ ମାର୍କ ଆଲେନ୍‌ ପିଟରସନ୍‌। ଉତ୍କଳ ବିଶ୍ୱବିଦ୍ୟାଳୟର ପ୍ଲାଟିନମ୍‌ ଜୁବିଲି ପାଳନ ଅବସରରେ ଅନୁଷ୍ଠିତ ବକ୍ତତାମାଳା କାର୍ଯ୍ୟକ୍ରମର ଉଦ୍‌ଘାଟନୀ ବକ୍ତତା ଦେବା ଅବସରରେ ସେ ଏହା କହିଛନ୍ତି।

ଜଣେ ରାଜନୈତିକ ସାମ୍ବାଦିକ ଭାବେ ପରିଚିତ ମାର୍କେ ଆଲେନ୍‌ ପିଟରସନ ଏବେ ମିଆମି ବିଶ୍ୱବିଦ୍ୟାଳୟରେ ଆନ୍ଥ୍ରୋପୋଲୋଜି ଓ ଗ୍ଲୋବାଲ ଇଣ୍ଟରକଲଚରାଲ ଷ୍ଟଡିଜ୍‌ ବିଭାଗରେ ପ୍ରଫେସର ରହିଛନ୍ତି। ଜଗତୀକରଣ, ଗଣମାଧ୍ୟମ ଓ ସଂସ୍କୃତି ଉପରେ ଗବେଷଣା କରିବା ସହ ସେ ଅନେକ ପୁସ୍ତକ ମଧ୍ୟ ଲେଖିଛନ୍ତି। ଆଜି ପିଜି କାଉନସିଲ ହଲରେ ଅନୁଷ୍ଠିତ ‘ଦାୟିତ୍ୱବୋଧରୁ ସଶକ୍ତୀକରଣ: ପରିବର୍ତ୍ତନଶୀଳ ଭାରତୀୟ ରାଜନୀତି ଓ ଗଣମାଧ୍ୟମ ସଂସ୍କୃତି’ ଶୀର୍ଷକ ବକ୍ତତାମାଳାକୁ ଉଦ୍‌ଘାଟନ କରିବା ଅବସରରେ ଶ୍ରୀ ଆଲେନ୍‌ ଗଣମାଧ୍ୟମ ରାଜନେତାଙ୍କୁ ମତଦାତାଙ୍କ ସହ ଯୋଡ଼ୁଥିବା ବେଳେ ସମ୍ବାଦ ଓ ରାଜନୀତିକ କ୍ଷମତା ସମ୍ବନ୍ଧରେ ବିଚାରବୋଧ ଓ ସକ୍ରିୟ ନାଗରିକତ୍ୱ ଗଢ଼ିବାରେ କିଭଳି ଗଣମାଧ୍ୟମ ସହାୟକ ହେଉଛି ତାହା କହିଥିଲେ। ଭାରତୀୟ ଉଦାରୀକରଣ ଆର୍ଥନୀତିକ ବ୍ୟବସ୍ଥାରେ କିଭଳି ବାରମ୍ବାର ପରିବର୍ତ୍ତନ ଘଟୁଛି ଏବଂ ସେଥିରେ ଗଣମାଧ୍ୟମ କିଭଳି ଭୂମିକା ରହିଛି ତାହା ମଧ୍ୟ ସେ ବର୍ଣ୍ଣନା କରିଥିଲେ।

ଉଦ୍‌ଘାଟନୀ ବକ୍ତତା ପରେ ପ୍ରଶ୍ନୋତ୍ତର କାର୍ଯ୍ୟକ୍ରମରେ ଛାତ୍ରଛାତ୍ରୀମାନେ ଗଣମାଧ୍ୟମକୁ ନେଇ ସେମାନଙ୍କ ମନରେ ଥିବା ବିଭିନ୍ନ ପ୍ରଶ୍ନ ପଚାରିଥିଲେ। ଗଣମାଧ୍ୟମ ଶକ୍ତିଶାଳୀ ହୋଇଥିବାରୁ ବିଭିନ୍ନ ସମୟରେ କ୍ଷମତାର ଅପବ୍ୟବହାର କରି ଉତ୍ତେଜନା ସୃଷ୍ଟି କରିବା ଭଳି ଖବର ପରିବେଷଣ କରୁଛି। ସାମାଜିକ ଦାୟିତ୍ୱବୋଧ ମଧ୍ୟ ରହୁ ନାହିଁ ବୋଲି ଛାତ୍ରଛାତ୍ରୀମାନେ ଅଭିଯୋଗ କରିଥିଲେ। କୁଳପତି ସୌମେନ୍ଦ୍ର ମୋହନ ପଟ୍ଟନାୟକ ଏହି କାର୍ଯ୍ୟକ୍ରମରେ ଉଦ୍‌ଘାଟନୀ ଅଭିଭାଷଣ ରଖିଥିବା ବେଳେ ପ୍ରଫେସର କେ.କେ. ବାସା ଧନ୍ୟବାଦ ଅର୍ପଣ କରିବା ସହ ସାମ୍ପ୍ରତିକ ଗଣମାଧ୍ୟମର ଭୂମିକାକୁ ନେଇ କେତକ ନିର୍ଦ୍ଦିଷ୍ଟ ଗଣମାଧ୍ୟମ ପ୍ରତି ତାଙ୍କ ମନରେ ଥିବା କ୍ଷୋଭ ପ୍ରକାଶ କରିଥିଲେ।

ସମ୍ବନ୍ଧିତ ଖବର