‘ସାମ୍ବାଦିକମାନେ ପରିଶ୍ରମୀ ଓ ସହନଶୀଳ ହୁଅନ୍ତୁ’

ଉତ୍କଳ ସାମ୍ବାଦିକ ସଂଘ ଓ ଭୁବନେଶ୍ୱର ମିଡିଆ ଫୋରମ୍‌ ପକ୍ଷରୁ ମିଡିଆ କନ୍‌କ୍ଲେଭ୍‌

ଭୁବନେଶ୍ୱର: ସାମ୍ବାଦିକତା ପାଇଁ ନିଷ୍ପତ୍ତି ନେଉଥିବା ବ୍ୟକ୍ତିମାନେ ମନେ ରଖିବା ଉଚିତ୍‌ ଯେ, ଏହି ବୃତ୍ତି ଅନ୍ୟ ବୃତ୍ତିଠାରୁ ଯଥେଷ୍ଟ ଭିନ୍ନ। ସେଥିପାଇଁ ବିଧାୟକ, ମନ୍ତ୍ରୀ, ଆଇଏସ୍‌ ଅଫିସର ଓ ବିଚାରପତିମାନଙ୍କ ସହ ନିଜକୁ ତୁଳନା କରିବା ଉଚିତ ନୁହେଁ। ଏହି ବୃତ୍ତି କଷ୍ଟସାଧ୍ୟ ହୋଇଥିବାରୁ ପରିଶ୍ରମୀ ଓ ସହନଶୀଳ ନ ହେଲେ ସଫଳତା ମିଳିପାରିବ ନାହିଁ ବୋଲି ‘ସମ୍ବାଦ’ର ସଂପାଦକ ତଥା ସାଂସଦ ସୌମ୍ୟରଞ୍ଜନ ପଟ୍ଟନାୟକ କହିିଛନ୍ତି। ଉତ୍କଳ ସାମ୍ବାଦିକ ସଂଘ ଓ ଭୁବନେଶ୍ୱର ମିଡିଆ ଫୋରମ୍‌ ପକ୍ଷରୁ ଆଜି ଉତ୍କଳ ସାମ୍ବାଦିକ ସଂଘରେ ଆୟୋଜିତ ଓଡ଼ିଶା ମିଡିଆ କନ୍‌କ୍ଲେଭ୍‌ରେ ମୁଖ୍ୟବକ୍ତା ଭାବେ ଯୋଗଦେଇ ଶ୍ରୀ ପଟ୍ଟନାୟକ କହିଲେ, ଭାଷା ବିନା ସାମ୍ବାଦିକତା ତିଷ୍ଠି ପାରିବ ନାହିଁ। ଓଡ଼ିଆ ଖବର କାଗଜ ଆଉ ୧୦ ବର୍ଷ ବଞ୍ଚି ଯାଆନ୍ତା, ଯଦି ତାହା ପଢ଼ିବାକୁ ଭଲ ଲାଗନ୍ତା। ଭାଷା ଭିତ୍ତିକ ଦକ୍ଷତା ବଢ଼ିବା ଦରକାର। ଯେତେ ଅଧିକ ଜାଣିବା, ସେତିକି ଅଧିକ ଜଣେଇ ପାରିବା। ଜାଣିବା ପାଇଁ ଲୋକଙ୍କ ଆଗ୍ରହ ଥିବା ପର୍ଯ୍ୟନ୍ତ ସମ୍ବାଦ ବଞ୍ଚି ରହିବ। ସେଥିପାଇଁ ସାମ୍ବାଦିକମାନେ ସାମାଜିକ ଅଙ୍ଗୀକାରବଦ୍ଧ ହେବା ଆବଶ୍ୟକ। କାର୍ଯ୍ୟକ୍ରମରେ ମୁଖ୍ୟଅତିଥି ଭାବେ ଅର୍ଥମନ୍ତ୍ରୀ ଶଶିଭୂଷଣ ବେହେରା ଯୋଗଦେଇ କହିଲେ, ସମାଜ ଗଠନରେ ସାମ୍ବାଦିକମାନଙ୍କ ଭୂମିକା ଗୁରୁତ୍ୱପୂର୍ଣ୍ଣ। ସମ୍ବାଦପତ୍ରକୁ ଗୌଣ କରି ଓଡ଼ିଶାର ଚିନ୍ତା ଅସମ୍ଭବ। ଆଜିର କାର୍ଯ୍ୟକ୍ରମରେ ମାନସୀରାଣୀ ସୁନ୍ଦରାୟ, ବିଭୁଦତ୍ତ ମହାପାତ୍ର, ପ୍ରମୋଦ ସାମଲ, ପ୍ରଭାକର ସାହୁ, ଦିଲ୍ଲୀପ କୁମାର ଛତ୍ରା, ଅଶୋକ ପଣ୍ଡା, ଚିନ୍ମୟ ପଣ୍ଡା, ସଚ୍ଚିଦାନନ୍ଦ ଭୋଇ, ପ୍ରଦ୍ୟୁମ୍ନ ମହାନ୍ତି, ପ୍ରଫୁଲ୍ଲ କୁମାର ମହାନ୍ତି, ଅମରେଶ ଦାସ, ସତ୍ୟବ୍ରତ ଲେଙ୍କା, ଜିତେନ୍ଦ୍ର ସାହୁ ଓ ଜିତେନ୍ଦ୍ର ମହାନ୍ତିଙ୍କ ସମେତ ଅନେକ ସଫଳ ବ୍ୟକ୍ତିବିଶେଷଙ୍କୁ ସମ୍ବର୍ଧିତ କରାଯାଇଥିଲା।

ଉତ୍କଳ ସାମ୍ବାଦିକ ସଂଘର ସଭାପତି ବିଭୂତି ଭୂଷଣ କରଙ୍କ ସଭାପତିତ୍ୱରେ ଆୟୋଜିତ ଏହି କାର୍ଯ୍ୟକ୍ରମରେ ଭୁବନେଶ୍ୱର ମିଡିଆ ଫୋରମ୍‌ର ସଭାପତି ପ୍ରଦୀପ ସାହୁ ବାର୍ଷିକ ବିବରଣୀ ପାଠ କରିଥିଲେ। ପପୁ ମହାନ୍ତି କାର୍ଯ୍ୟକ୍ରମ ସଂଯୋଜନା କରିଥିବା ବେଳେ ଶରତ କର ଧନ୍ୟବାଦ ଦେଇଥିଲେ। ଏହି ଅବସରରେ ଓଡ଼ିଶା ଓ ଓଡ଼ିଶା ବହାରେ ଥିବା ଅନେକ ପତ୍ର, ପତ୍ରିକାର ପ୍ରଦର୍ଶନୀ କରାଯାଇଥିଲା। ଜିତେନ୍ଦ୍ର ମହାନ୍ତିଙ୍କ ଦ୍ୱାରା ଏକ ଫଟୋ ପ୍ରଦର୍ଶନୀ କରାଯାଇଥିଲା। ଏହି ପ୍ରଦର୍ଶନୀ ଆସନ୍ତା ୧୧ ତାରିଖ ଯାଏଁ ଚାଲିବ।

ସମ୍ବନ୍ଧିତ ଖବର