ଭୁବନେଶ୍ୱର: ୭୫ ବର୍ଷରେ ଉତ୍କଳ ବିଶ୍ୱବିଦ୍ୟାଳୟ। ରାଜ୍ୟର ଏହି ପ୍ରାଚୀନ ତଥା ପୁରାତନ ବିଶ୍ୱବିଦ୍ୟାଳୟ ଚଳିତବର୍ଷ ପ୍ଲାଟିନମ୍ ଜୁବୁଲି ପାଳନ କରୁଛି। ଆସନ୍ତା ନଭେମ୍ବର ମାସରେ ବିଶ୍ୱବିଦ୍ୟାଳୟର ପ୍ରତିଷ୍ଠା ଦିବସ ଅନୁଷ୍ଠିତ ହେବାକୁ ଥିବା ବେଳେ ଏହା ପୂର୍ବରୁ ସମାବର୍ତନ ଉତ୍ସବ ପ୍ରକ୍ରିୟା ଆଜିଠାରୁ ଆରମ୍ଭ ହୋଇଛି। ପ୍ରଥମ ଦିନରେ ପ୍ଲାଟିନମ୍ ଜୁୁବୁଲି ଲୋଗୋ ଉନ୍ମୋଚନ ହେବା ସହ ପୁରାତନ ଓ ବର୍ତମାନ ଛାତ୍ରଛାତ୍ରୀଙ୍କଠାରୁ ମତାମତ ସଂଗ୍ରହ କରାଯାଇଛି। ହେଲେ ଉତ୍ସବର ସଫଳତା ନେଇ ଅର୍ଥ ଚିନ୍ତାର କାରଣ ସାଜିଛି। ପ୍ଲାଟିନମ୍ ଜୁବ୍ଲି ଉତ୍ସବରେ ପ୍ରାୟ ୫ କୋଟି ଟଙ୍କା ଖର୍ଚ୍ଚ ହେବ ବୋଲି ବିଶ୍ୱବିଦ୍ୟାଳୟ କର୍ତୃପକ୍ଷ ଆକଳନ କରିଛନ୍ତି। ଏତେ ଟଙ୍କା ବିଶ୍ୱବିିଦ୍ୟାଳୟ ନିକଟରେ ନାହିଁ। ଫଳରେ ଉତ୍ସବର ସଫଳତା ନେଇ ବିଶ୍ୱବିଦ୍ୟାଳୟ ବିତ୍ତ ନିୟନ୍ତ୍ରକ ବିଦ୍ୟାଧର ନାୟକ ଆଶଙ୍କା ପ୍ରକାଶ କରିଛନ୍ତି। ଆଜି ଅନୁଷ୍ଠିତ ପ୍ରସ୍ତୁତି ବୈଠକରେ ସେ କହିଛନ୍ତି ଯେ ଉତ୍ସବ ପାଇଁ ୭ ସୂତ୍ରୀ କାର୍ଯ୍ୟକ୍ରମ ପ୍ରସ୍ତୁତ କରାଯାଇଛି। ଏଥିପାଇଁ ୧୫ ଜଣ ପ୍ରଫେସର୍ଙ୍କୁ ନେଇ ବିଭିନ୍ନ କମିଟି ଗଠନ ହୋଇଛି। ଆସୋସିଏଟ୍ ପ୍ର୍ରଫେସରଙ୍କୁ ମଧ୍ୟ ବିଭିନ୍ନ ଦାୟିତ୍ୱ ଦିଆଯାଇଛି। ଖର୍ଚ ପାଇଁ ରାଜ୍ୟ ଓ କେନ୍ଦ୍ର ସରକାର, ୟୁଜିସି ସମେତ ବିଭିନ୍ନ କର୍ପୋରେସନ୍ଙ୍କ ସହଯୋଗ ଲୋଡ଼ାଯାଇଛି। ବିଭିନ୍ନ ସଂସ୍ଥାର ସିଏସ୍ଆର୍ ଫଣ୍ଡ୍ରୁ କିଭଳି ଅନୁଦାନ ଆସିପାରିବ ସେନେଇ ଆଲୋଚନା କରିବାକୁ ଏକ କମିଟି ଗଠିତ ହୋଇଛି। ନଭେମ୍ବର ୩ରୁ ୫ତାରିଖ ପର୍ଯ୍ୟନ୍ତ ସାହିତ୍ୟ ଉତ୍ସବ ଅନୁଷ୍ଠିତ ହେବ। ପ୍ରଫେସର ମନୋଜ ଦାସ ଏଥିରେ ଯୋଗଦେବା ପାଇଁ ସହମତି ପ୍ରକାଶ କରିିଛନ୍ତି। ଏଥିସହ ସ୍ମରଣିକା ପ୍ରକାଶ, କଫି ଟେବୁଲ୍ ପୁସ୍ତକ, ସାଂସ୍କୃତିକ ସନ୍ଧ୍ୟା, ମେମୋରିଆଲ୍ ଲେକଚର୍, କ୍ୟାଲେଣ୍ଡର/ଡାଏରି ପ୍ରକାଶ, ଆଲୁମିନି ମିଟ୍ ଆଦି କରିବାକୁ ଯୋଜନା ପ୍ରସ୍ତୁତ ହୋଇଥିବା ନେଇ ସେ ସୂଚନା ଦେଇଥିଲେ। ପ୍ରସ୍ତୁତି ବୈଠକରେ ପୂର୍ବତନ ଛାତ୍ରଛାତ୍ରୀ, ପ୍ରଫେସର, କର୍ମଚାରୀ ଉପସ୍ଥିତ ରହି ବିଭିନ୍ନ ପ୍ରସ୍ତାବ ଦେଇଥିଲେ। ବିଶ୍ୱବିଦ୍ୟାଳୟର ସୌନ୍ଦର୍ଯ୍ୟକରଣ, ୱେବ୍ସାଇଟ୍ ଅପଡେଟ୍, ପ୍ଲାଟିନମ୍ ଜୁବୁଲି ୱେବ୍ସାଇଟ୍, ମରାମତି କାର୍ଯ୍ୟକୁ ତ୍ୱରାନ୍ଵିତ, ଜାତୀୟ ଓ ଅନ୍ତର୍ଜାତୀୟସ୍ତରର ବ୍ୟକ୍ତିତ୍ୱଙ୍କୁ ନେଇ ଆଲୋଚନାଚକ୍ର ଓ କର୍ମଶାଳା, ଆଜି ପର୍ଯ୍ୟନ୍ତ ଇତିହାସକୁ ନେଇ କ୍ଷୁଦ୍ର୍ର ଫିଲ୍ମ ପ୍ରସ୍ତୁତ, ସ୍ମରଣିକା ପ୍ରକାଶ, ପ୍ରବନ୍ଧ, କବିତା ଓ ଗଳ୍ପ ପ୍ରତିଯୋଗିତା, ସୁରକ୍ଷା ବ୍ୟବସ୍ଥା ଉପରେ ପ୍ରସ୍ତାବ ଦିଆଯାଇଥିଲା। ଏହି ଅବସରରେ ପ୍ଲାଟିନମ୍ ଜୁବୁଲି ଲୋଗୋ ଓ ମୋବାଇଲ୍ ନମ୍ବର ୬୩୭୦୮୪୪୩୬୭ ଉନ୍ମୋଚିତ ହୋଇଥିଲା। କୁଳପତି ପ୍ରଫେସର ସୌମେନ୍ଦ୍ର ମୋହନ ପଟ୍ଟନାୟକଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏହି ବୈଠକରେ ପିଜି କାଉନ୍ସିଲ୍ ଅଧ୍ୟକ୍ଷ ବ୍ରହ୍ମାନନ୍ଦ ଶତପଥୀ, ସିଡିସି ନିର୍ଦେଶକ ସନ୍ତୋଷ ତ୍ରିପାଠୀ, କୁଳସଚିବ ଦୟାନିଧି ନାୟକ ଉପସ୍ଥିତ ଥିଲେ। ଛାତ୍ର ସଂସଦ ଉପଦେଷ୍ଟା ବସନ୍ତ କୁମାର ମଲ୍ଲିକ, ପୂର୍ବତନ ଛାତ୍ର ସଂସଦ ସଭାପତି ତଥା ବିଧାୟକ ଅରୁଣ କୁମାର ସାହୁ, ବିଧାୟକ ପ୍ରିୟଦର୍ଶୀ ମିଶ୍ର, ପୂର୍ବତନ ଛାତ୍ର ସଂସଦ ସଭାପତି ଚିନ୍ମୟ କୁମାର ସାହୁ, ପ୍ରକାଶ ତ୍ରିପାଠୀ, ତନ୍ମୟ ସ୍ୱାଇଁ, ମନୋଜ ବିଶ୍ୱାଳ ପ୍ରମୁଖ ଉପସ୍ଥିତ ରହି ବିଭିନ୍ନ ପ୍ରସ୍ତାବ ଦେଇଥିଲେ।
ପ୍ଲାଟିନମ୍ ଜୁବୁଲି ଲୋଗୋ ଉନ୍ମୋଚନ
ଉତ୍କଳ ବିଶ୍ୱବିଦ୍ୟାଳୟ @ ୭୫
/sambad/media/post_attachments/wp-content/uploads/2018/08/kesab-utkal-university.jpg)
Advertisment
Sambad is now on WhatsApp
Join and get latest news updates delivered to you via WhatsApp
/sambad/media/agency_attachments/2024-07-24t043029592z-sambad-original.webp)