ଉତ୍କଳ ବିଶ୍ବବିଦ୍ୟାଳୟ, କୁଳପତି ଦୌଡ଼ରେ ୧୪ ଅଣ-ଓଡ଼ିଆ ପ୍ରଫେସର୍‌

ଭୁବନେଶ୍ୱର: ଉତ୍କଳ ବିଶ୍ୱବିଦ୍ୟାଳୟ ସମେତ ଫକୀର ମୋହନ, ଉତ୍ତର ଓଡ଼ିଶା, ଗଙ୍ଗାଧର ମେହେର, ଖଲ୍ଲିକୋଟ ଓ ରମାଦେବୀ ମହିଳା ବିଶ୍ୱବିଦ୍ୟାଳୟ କୁଳପତି ନିଯୁକ୍ତି ପ୍ରକ୍ରିୟା ଜାରି ରହିଛି। ଆବେଦନ ପ୍ରକ୍ରିୟା ଶେଷ ହୋଇଥିଲେ ମଧ୍ୟ ଏପର୍ଯ୍ୟନ୍ତ ଚୟନ କମିଟି ବୈଠକ ଡକାଯାଇ ନାହିଁ କି ଆଶାୟୀ ପ୍ରଫେସରଙ୍କ ସାକ୍ଷାତକାର ହୋଇନି। କେବେ ହେବ ସେନେଇ ବି କେହି ମୁହଁ ଖୋଲୁ ନ ଥିବା ବେଳେ କୁଳପତି ଦୌଡ଼ରେ ରାଜ୍ୟ ବାହାରର ଅଣ-ଓଡ଼ିଆ ପ୍ରଫେସରଙ୍କୁ ନେଇ ଚର୍ଚ୍ଚା ଆରମ୍ଭ ହୋଇଛି। ରାଜ୍ୟର ପ୍ରମୁଖ ତଥା ଏକ ନମ୍ବର ସରକାରୀ ବିଶ୍ୱବିଦ୍ୟାଳୟ କୁହାଯାଉଥିବା ଉତ୍କଳର କୁଳପତି ହେବା ପାଇଁ ବହୁ ସଂଖ୍ୟକ ଅଣ-ଓଡ଼ିଆ ପ୍ରଫେସର ଇଚ୍ଛା ପ୍ରକଟ କରିଛନ୍ତି। କେବଳ ଉତ୍କଳ ନୁହେଁ, ରାଜ୍ୟର ଅନ୍ୟ ୫ଟି ବିଶ୍ୱବିଦ୍ୟାଳୟ କୁଳପତି ହେବା ପାଇଁ ବି ଅଣ-ଓଡ଼ିଆ ପ୍ରଫେସର ଦୌଡ଼ରେ ସାମିଲ ହୋଇଛନ୍ତି।

ଉଚ୍ଚଶିକ୍ଷା ବିଭାଗ ପକ୍ଷରୁ ମିଳିଥିବା ସୂଚନା ଅନୁଯାୟୀ ୬ଟି ଯାକ ବିଶ୍ବବିଦ୍ୟାଳୟ କୁଳପତି ଦୌଡ଼ରେ ଅଣ-ଓଡ଼ିଆ ପ୍ରଫେସର ରହିଛନ୍ତି। ଉତ୍କଳ ବିଶ୍ବବିଦ୍ୟାଳୟ ଲାଗି ସର୍ବାଧିକ ୧୪ ଜଣ ରହିଥିବା ବେଳେ ଖଲ୍ଲିକୋଟ ଓ ଫକୀରମୋହନ ଲାଗି ୧୨ ଜଣ ଲେଖାଏଁ, ଉତ୍ତର ଓଡ଼ିଶା ଓ ଗଙ୍ଗାଧର ମେହେର ବିଶ୍ବବିଦ୍ୟାଳୟ ପାଇଁ ୧୧ ଜଣ ଲେଖାଏଁ ଓ ରମାଦେବୀ ବିଶ୍ବବିଦ୍ୟାଳୟ ପାଇଁ ୭ ଜଣ ଅଣ-ଓଡ଼ିଆ ପ୍ରଫେସର ଆବେଦନ କରିଛନ୍ତି। ରାଜ୍ୟ ବାହାରେ ଥିବା ଓଡ଼ିଆ ପ୍ରଫେସର ବି କୁଳପତି ପଦ ଲାଗି ଆଶାୟୀ ଅଛନ୍ତି। ଉତ୍ତର ପୂର୍ବ ଭାରତର ୩ଟି ବିଶ୍ବବିଦ୍ୟାଳୟର ୩ ଜଣ ଓଡ଼ିଆ ପ୍ରଫେସର ୫ଟି ବିଶ୍ବବିଦ୍ୟାଳୟ ଲାଗି ଆବେଦନ କରିଛନ୍ତି। ଦିଲ୍ଲୀ ବିଶ୍ବବିଦ୍ୟାଳୟରୁ ୩ ଜଣ ପ୍ରଫେସର ୨ଟି ଲେଖାଏଁ, ଲକ୍ଷ୍ନୌ ବିଶ୍ବବିଦ୍ୟାଳୟରର ଜଣେ ପ୍ରଫେସର ୩ଟି ବିଶ୍ବବିଦ୍ୟାଳୟ, ବନାରସ ହିନ୍ଦୁ ବିଶ୍ବବିଦ୍ୟାଳୟରୁ ଜଣେ ଗୋଟିଏ ଓ ଆଉ ଜଣେ ୨ଟି, ଜାମିଆ ମିଲିଆ ବିଶ୍ବବିଦ୍ୟାଳୟର ଜଣେ ପ୍ରଫେସର ୫ଟି, ଅମରକଣ୍ଟକ କେନ୍ଦ୍ରୀୟ ବିଶ୍ବବିଦ୍ୟାଳୟର ଜଣେ ପ୍ରଫେସର ୪ଟି, ପଣ୍ଡିଚେରୀ ବିଶ୍ବବିଦ୍ୟାଳୟର ଜଣେ ପ୍ରଫେସର ୩ଟି, ଜଣେ ୨ଟି ଓ ଆଉ ଜଣେ ପ୍ରଫେସର ଗୋଟିଏ ବିଶ୍ବବିଦ୍ୟାଳୟ କୁଳପତି ହେବା ଲାଗି ଆଶାୟୀ ଅଛନ୍ତି।

ଯଦି ଦେଖାଯାଏ ଗତ ଦୁଇ ବର୍ଷ ହେଲା ରାଜ୍ୟ ବାହାରେ ରହୁଥିବା ଓଡ଼ିଆ ପ୍ରଫେସର ଉତ୍କଳ ବିଶ୍ଵବିଦ୍ୟାଳୟ କୁଳପତି ହୋଇଛନ୍ତି। ସେମାନଙ୍କ ସମୟରେ ବିଶ୍ୱବିଦ୍ୟାଳୟ କିଛିଟା ଉନ୍ନତି କରିଥିବା ବେଳେ ଅନେକ ସମୟରେ ବଦନାମ ମୁଣ୍ଡାଇଛି। ବିଶେଷକରି ଗତ ୩ ବର୍ଷ ମଧ୍ୟରେ କୋଟି କୋଟି ଟଙ୍କା ଖର୍ଚ୍ଚ କରାଯାଇ ଉତ୍କଳର ସୌନ୍ଦର୍ଯ୍ୟୀକରଣ କରାଯାଉଥିବା ବେଳେ ପାଠପଢ଼ା କ୍ଷେତ୍ରରେ ଉଲ୍ଲେଖନୀୟ ସଫଳତା ହାସଲ କରିପାରି ନାହିଁ। ଗବେଷଣା ଏକପ୍ରକାର ଚୂଲିକୁ ଗଲାଣି। ନାକ୍‌ ‘ଏ+’ ଗ୍ରେଡ ମାନ୍ୟତା ପାଇଥିବା ଏହି ଶିକ୍ଷାନୁଷ୍ଠାନ ଶ୍ରେଷ୍ଠ ଶହେ ଶିକ୍ଷାନୁଷ୍ଠାନ ମଧ୍ୟରେ ସ୍ଥାନ ପାଇଲା ନାହିଁ। ବରଂ ଶ୍ରେଷ୍ଠ ଶହେ ବିଶ୍ୱବିଦ୍ୟାଳୟ ମଧ୍ୟକୁ ଆସି ନିଜକୁ ନିଜେ ବାହା ବା ଜଣାଇଲେ। ଏବେକାର କୁଳପତି ପ୍ରଫେସର ସୌମେନ୍ଦ୍ର ମୋହନ ପଟ୍ଟନାୟକଙ୍କ କାର୍ଯ୍ୟକାଳ ଶେଷ ହୋଇଥିବାରୁ ପରବର୍ତ୍ତୀ କୁଳପତି ଚୟନ ଉପରେ ଏବେ ସମସ୍ତଙ୍କ ନଜର ରହିଛି। ବିଶ୍ୱବିଦ୍ୟାଳୟ କୁଳାଧିପତି ତଥା ରାଜ୍ୟପାଳ ପ୍ରଫେସର ଗଣେଶୀ ଲାଲ ଏଥର ରାଜ୍ୟ ବାହାରୁ କି ଭିତରୁ କୁଳପତି ଚୟନ କରୁଛନ୍ତି ତାହା ଦେଖିବାକୁ ବାକି ରହିଲା।

ସମ୍ବନ୍ଧିତ ଖବର