ଭୁବନେଶ୍ବର: ଉତ୍କଳ ବିଶ୍ବବିଦ୍ୟାଳୟ ପ୍ଲାଟିନମ୍ ଜୁବୁଲି ଉତ୍ସବର ଚତୁର୍ଥ ଦିବସରେ ପରିଜା ପାଠାଗାରଠାରେ ଗବେଷଣାରତ ଛାତ୍ରଛାତ୍ରୀଙ୍କ ସମ୍ମିଳନୀ ଅନୁଷ୍ଠିତ ହୋଇଛି। ଆଞ୍ଚଳିକ ଗବେଷଣା ହବ୍ ପକ୍ଷରୁ ଆୟୋଜିତ ଏହି ସମ୍ମିଳନୀକୁ କୁଳପତି ପ୍ରଫେସର ସୌମେନ୍ଦ୍ରମୋହନ ପଟ୍ଟନାୟକ ଉଦ୍ଘାଟନ କରି କହିଲେ କେନ୍ଦ୍ର ସରକାରଙ୍କ ପକ୍ଷରୁ ଉତ୍କଳ ବିଶ୍ବବିଦ୍ୟାଳୟକୁ ଗବେଷଣା ହବ୍ ଭାବେ ଘୋଷଣା କରାଯାଇଛି। ରାଜ୍ୟର ଅଗ୍ରଣୀ ଶିକ୍ଷାନୁଷ୍ଠାନ ତଥା ଗବେଷଣା ଅନୁଷ୍ଠାନଗୁଡ଼ିକର ସହଭାଗିତାରେ ଗବେଷକ ସଂସ୍କୃତି ପ୍ରତିଷ୍ଠା କରିବା ପାଇଁ ଆମେ ସଂକଳ୍ପବଦ୍ଧ।
ସ୍ନାତକୋତ୍ତର ପରିଷଦର ଅଧ୍ୟକ୍ଷ ପ୍ରଫେସର ସବିତା ଆଚାର୍ଯ୍ୟ ଯୋଗଦେଇ ଏହି ସମ୍ମିଳନୀରେ ଭୌତିକ ବିଜ୍ଞାନ, ଜୀବ ବିଜ୍ଞାନ, ମ୍ୟାନେଜ୍ମେଣ୍ଟ, ସାମାଜିକ ବିଜ୍ଞାନ ଓ ସାହିତ୍ୟ କ୍ଷେତ୍ରରେ ଶ୍ରେଷ୍ଠ ଗବେଷଣାକୁ ପୁରସ୍କୃତ କରାଯିବ ବୋଲି ଘୋଷଣା କରିଥିଲେ। କୁଳସଚିବ ଦୟାନିଧି ନାୟକ ଏହି କାର୍ଯ୍ୟକ୍ରମକୁ ବିଶ୍ବବିଦ୍ୟାଳୟ ଭିତରେ ସୀମିତ ନ ରଖି ରାଜ୍ୟର ଅନ୍ୟ ଅନୁଷ୍ଠାନଗୁଡ଼ିକରେ ଆୟୋଜନ କରାଯିବ ବୋଲି ପ୍ରତିଶ୍ରୁତି ଦେଇଥିଲେ। ସମ୍ମିଳନୀରେ ବିଶ୍ବବିଦ୍ୟାଳୟର ବିଭିନ୍ନ ବିଭାଗ ସମେତ ଆଇଏମ୍ଏମ୍ଟି, ଆଇଏଲ୍ଏସ୍, ଆରପିଆରସି, ଆଇସିଏଆର ଭଳି ଗବେଷଣା ପ୍ରତିଷ୍ଠାନରୁ ଶହେ ଜଣ ଛାତ୍ରଛାତ୍ରୀ ଏହି ପ୍ରକଳ୍ପ ପ୍ରଦର୍ଶନୀରେ ଭାଗନେଇଛନ୍ତି ବୋଲି ଆଞ୍ଚଳିକ ଗବେଷଣା ହବ୍ର ଆବାହକ ପ୍ରଫେସର ଯଜ୍ଞେଶ୍ବର ଦଣ୍ଡପାଟ କହିଛନ୍ତି।
ମୋବାଇଲ୍ ଟଏଲେଟ୍ ଉଦ୍ଘାଟିତ
ପ୍ଲାଟିନମ୍ ଜୁବୁଲି ଉତ୍ସବ ପାଳନ ଅବସରରେ ଆଜି ଆଲୁମିନି ବ୍ୟାଚ୍-୧୯୯୨ ପକ୍ଷରୁ ବିଶ୍ବବିଦ୍ୟାଳୟ ପରିସରରେ ଏକ ମୋବାଇଲ୍ ଟଏଲେଟ୍ ଉଦ୍ଘାଟିତ ହୋଇଛି। ସନ୍ଧ୍ୟାରେ ଅନୁଷ୍ଠିତ ସ୍ବତନ୍ତ୍ର କାର୍ଯ୍ୟକ୍ରମରେ ବିଶ୍ବବିଦ୍ୟାଳୟ କୁଳପତି ପ୍ରଫେସର ସୌମେନ୍ଦ୍ରମୋହନ ପଟ୍ଟନାୟକ ଏହାକୁ ଉଦ୍ଘାଟନ କରିଛନ୍ତି। ବ୍ୟାଚ୍ର ସଦସ୍ୟମାନଙ୍କ ପକ୍ଷରୁ ଏହାକୁ ବିଶ୍ବବିଦ୍ୟାଳୟକୁ ଦାନ କରାଯାଇଛି। ଉଦ୍ଘାଟନୀ ଉତ୍ସବରେ ବ୍ୟାଚ୍ର ସଦସ୍ୟମାନେ ଉପସ୍ଥିତ ଥିଲେ।
ଛାତ୍ରଛାତ୍ରୀ ସଫା କଲେ ପଡ଼ିଆ
ଉତ୍କଳ ବିଶ୍ୱବିଦ୍ୟାଳୟର ଛାତ୍ରଛାତ୍ରୀ ଓ ଶିକ୍ଷକ ଶିକ୍ଷୟିତ୍ରୀ ନିଜ ନିଜ ବିଭାଗର ସାମାଜିକ ଦାୟିତ୍ୱବୋଧ ଅଧୀନରେ ବିଜୁ ପଟ୍ଟନାୟକ କ୍ରୀଡାଙ୍ଗନ ପରିସରରେ ଆଜି ସ୍ୱଚ୍ଛତା କାର୍ଯ୍ୟକ୍ରମ କରିଥିଲେ। ଗତ ୨୩ ତାରିଖଠାରୁ ବିଶ୍ୱବିଦ୍ୟାଳୟ ପ୍ଲାଟିନମ୍ ଜୁବୁଲି ହୋଇ ଆସୁଥିବାରୁ ଏଠାରେ ସଭା, ସାଂସ୍କୃତିକ କାର୍ଯ୍ୟକ୍ରମ, ଖାଦ୍ୟ ପରିବେଷଣ ହେଉଥିଲା। ଏଥିଯୋଗୁଁ ପଡ଼ିଆରେ ଅନେକ ପାଣି ବୋତଲ, ପ୍ଲାଷ୍ଟିକ ବର୍ଜ୍ୟବସ୍ତୁ ପଡ଼ିଥିଲା। ପିଏମ୍ଆଇଆର୍ ବିଭାଗର ସମସ୍ତ ସଦସ୍ୟ ଏହି କାର୍ଯ୍ୟକ୍ରମରେ ଯୋଗଦେଇ ବର୍ଜ୍ୟବସ୍ତୁ ସଫା କରିଥିଲେ।
ବିଭାଗର ପ୍ରଫେସର ସନ୍ତୋଷ ତ୍ରିପାଠୀଙ୍କ କହିବାନୁଯାୟୀ ବିଭାଗ ପକ୍ଷରୁ ଏଭଳି କାର୍ଯ୍ୟକ୍ରମ ୨୦୧୫ରୁ ଆରମ୍ଭ ହୋଇଛି। ଏହାମାଧ୍ୟମରେ ଛାତ୍ରଛାତ୍ରୀ କ୍ୟାମ୍ପସ ସଫେଇ, ପିକନିକ୍ ସ୍ଥଳ ସଫେଇ, ଅନାଥାଶ୍ରମକୁ ସହାୟତା ତଥା ବିପର୍ଯ୍ୟୟ ବେଳେ ରିଲିଫ ପ୍ରଦାନ ଆଦି କାର୍ଯ୍ୟକ୍ରମ ନିୟମିତ କରିଥାନ୍ତି। ସୁଦୃଢ ରାଷ୍ଟ୍ର ଗଠନ କରିବାରେ ଯୁବପିଢ଼ିଙ୍କର ଭୂମିକା ଅତ୍ୟନ୍ତ ଗୁରୁତ୍ବପୂର୍ଣ୍ଣ। ଏକ କର୍ତ୍ତବ୍ୟନିଷ୍ଠ ଓ ଦାୟିତ୍ୱବୋଧ ଯୁବପିଢ଼ିର ନିର୍ମାଣ ପାଇଁ ସୁସ୍ଥ, ସମୃଦ୍ଧିର ପରିବେଶ ନିହାତି ଜରୁରୀ। ଆଜିର ଏହି କାର୍ଯ୍ୟକ୍ରମ ଏଦିଗରେ ଏକ ଛୋଟ ପଦକ୍ଷେପ। ଏହା ନିଶ୍ଚିତ ଭାବେ ଯୁବପିଢ଼ିଙ୍କ ପାଇଁ ଏକ ପ୍ରେରଣାର ଉତ୍ସ ଭାବେ କାମ କରିବ ବୋଲି ଛାତ୍ରନେତା ପ୍ରତୀକ୍ ଓଁକାର ସାହାଣୀ କହିଛନ୍ତି।