ବଦଳିବ ଉତ୍କଳର ପ୍ରବେଶ ପଥ, ଖର୍ଚ୍ଚ ହେବ ୫ କୋଟି, ୨୦୨୨ ସୁଦ୍ଧା ସରିବ

ଉତ୍କଳକୁ କେନ୍ଦ୍ରୀୟ ବିଶ୍ବବିଦ୍ୟାଳୟ ଟ୍ରେଣ୍ଡ୍‌, ଆସନ୍ତା ସପ୍ତାହରେ ବସିବ ଗୁରୁତ୍ବପୂର୍ଣ୍ଣ ବୈଠକ

ଭୁବନେଶ୍ବର: ଉତ୍କଳ ବିଶ୍ବବିଦ୍ୟାଳୟ ପ୍ରବେଶ ପଥ ପରିବର୍ତନ ହେବ। ବାଣୀବିହାର ଛକରେ ନୂଆ କରି ଏକ ପ୍ରବେଶ ପଥ ନିର୍ମାଣ ହେବ। ପ୍ରାୟ ୫ କୋଟି ଟଙ୍କା ବ୍ୟୟରେ ନିର୍ମାଣ ହେବାକୁ ଥିବା ଏହି ‌ପ୍ରବେଶ ପଥ କାର୍ଯ୍ୟ ୨୦୨୨ ସୁଦ୍ଧା ଶେଷ କରିବାକୁ ବିଶ୍ବବିଦ୍ୟାଳୟ କର୍ତୃପକ୍ଷ ନକ୍ସା ପ୍ରସ୍ତୁତ କରିଛନ୍ତି। ଏଥିସହ ବର୍ତମାନର ପ୍ରବେଶ ପଥକୁ ପ୍ରସ୍ଥାନ ପଥ ଭାବେ ବ୍ୟବହାର କରାଯିବ। ଫଳରେ କ୍ୟାମ୍ପସକୁ ପ୍ରବେଶ ଓ ପ୍ରସ୍ଥାନ ସମୟରେ ଛାତ୍ରଛାତ୍ରୀ, ଅଭିଭାବକ, ଶିକ୍ଷକ, କର୍ମଚାରୀ ଯେଉଁ ଅସୁବିଧାର ସମ୍ମୁଖୀନ ହେଉଥିଲେ ତାହା ଦୂର ହେବ ବୋଲି କର୍ତୃପକ୍ଷ ଆଶାବ୍ୟକ୍ତ କରିଛନ୍ତି।

ଅତ୍ୟାଧୁନିକ ଢାଞ୍ଚାରେ ନୂତନ ପ୍ରବେଶ ପଥ କରାଯିବ। ଏହି ନୂଆ ପ୍ରକଳ୍ପ ପାଇଁ ଖୁବ୍‌ଶୀଘ୍ର ଜବରଦଖଲକୁ ଉଚ୍ଛେଦ କରାଯିବ। ଜାତୀୟ ରାଜପଥ ପାର୍ଶ୍ବକୁ ଲାଗି ଏହି ପ୍ରବେଶ ପଥ ହେବାକୁ ଥିବାରୁ ଆସନ୍ତା ସପ୍ତାହରେ ବିଶ୍ବବିଦ୍ୟାଳୟ ପକ୍ଷରୁ ଏକ ସମୀକ୍ଷା ବୈଠକ ଡକାଯାଇଛି। ଯେଉଁଥିରେ ବିଶ୍ବବିଦ୍ୟାଳୟ କର୍ତ୍ତୃପକ୍ଷଙ୍କ ସମେତ କମିସନରେଟ୍‌ ପୁଲିସ, ଜାତୀୟ ରାଜପଥ କର୍ତ୍ତୃପକ୍ଷ, ଉଚ୍ଚଶିକ୍ଷା ବିଭାଗର ଅଧିକାରୀ ଓ ପୂର୍ତ୍ତ ବିଭାଗର ଅଧିକାରୀମାନେ ସାମିଲ ହେବେ। ବୈଠକରେ ପ୍ରବେଶ ପଥର ନିର୍ମାଣ ଶୈଳୀ ଉପରେ ବିସ୍ତୃତ ଆଲୋଚନା ହେବ। ପୁଲିସ ଗୃହ ନର୍ମାଣ ନିଗମ ଏହି ଫାଟକର ନିର୍ମାଣ କାର୍ଯ୍ୟ କରିବ। ରୂପରେଖ ପ୍ରସ୍ତୁତ ସରିବା‌ କ୍ଷଣି କାମ ଦିଆଯିବ ବୋଲି ଜଣାପଡ଼ିଛି।

ସୂଚନଯୋଗ୍ୟ ଯେ ବାଣୀବିହାର ଛକରେ ଓଭରବ୍ରିଜ୍‌ ନିର୍ମାଣ ପରେ ବିଶ୍ବବିଦ୍ୟାଳୟକୁ ଯିବା ପାଇଁ ଅସୁବିଧା ହେଉଛି। ଛାତ୍ରଛାତ୍ରୀଙ୍କୁ ରଙ୍ଗ୍‌ ରୁଟ୍‌ରେ ଯିବାକୁ ପଡ଼ୁଛି। ଯେଉଁଥିପାଇଁ ଅନେକ ସମୟରେ ଦୁର୍ଘଟଣା ମଧ୍ୟ ହେଉଛି। ଏମିତିକି କେତେଜଣ ଛାତ୍ରଛାତ୍ରୀ ଦୁର୍ଘଟଣାରେ ଗୁରୁତର ହେବା ନେଇ ମଧ୍ୟ ଦେଖିବାକୁ ମିଳିଛି। ସେହି ଦୃଷ୍ଟିରୁ ପ୍ରବେଶ ପଥ ପରିବର୍ତନ ଲାଗି ଛାତ୍ରଛାତ୍ରୀଙ୍କ ପକ୍ଷରୁ ବାରମ୍ବାର ଦାବି ହେଉଥିଲା। ତାହାକୁ ନଜରରେ ରଖି ବିଶ୍ବବିଦ୍ୟାଳୟ କର୍ତୃପକ୍ଷ ଏବେ ପ୍ରବେଶ ପଥ ପରିବର୍ତନ ଲାଗି ନକ୍ସା ପ୍ରସ୍ତୁତ କରିଛନ୍ତି।

ଉତ୍କଳକୁ କେନ୍ଦ୍ରୀୟ ବିଶ୍ବବିଦ୍ୟାଳୟ ଟ୍ରେଣ୍ଡ୍‌
ଉତ୍କଳ ବିଶ୍ବବିଦ୍ୟାଳୟର ପୁରାତନ ଛାତ୍ର ଧର୍ମେନ୍ଦ୍ର ପ୍ରଧାନ କେନ୍ଦ୍ର ଶିକ୍ଷାମନ୍ତ୍ରୀ ଭାବେ ଦାୟିତ୍ବ ଗ୍ରହଣ କରିବା ପରେ ଉତ୍କଳକୁ କେନ୍ଦ୍ରୀୟ ବିଶ୍ବବିଦ୍ୟାଳୟ ମାନ୍ୟତା ଦାବି ଜୋର୍‌ ଧରିଛି। ଉତ୍କଳ ଶିକ୍ଷକ ସଂଘ ଦାବି ପରେ ଏବେ ବର୍ତମାନ ଓ ପୁରାତନ ଛାତ୍ରଛାତ୍ରୀ ମଧ୍ୟ ସମାନ ଦାବି ଦୋହରାଇଛନ୍ତି। ସାମାଜିକ ଗଣମାଧ୍ୟମରେ ଏନେଇ ଏକ ଟ୍ରେଣ୍ଡ୍‌ ଆରମ୍ଭ ହୋଇଛି। ଛାତ୍ରଛାତ୍ରୀ ନିଜର ଫେସବୁକ୍‌ ଓ ଟୁଇଟର ଆକାଉଣ୍ଟର ପ୍ରୋଫାଇଲ ଫଟୋରେ ଉତ୍କଳ ବିଶ୍ବବିଦ୍ୟାଳୟକୁ କେନ୍ଦ୍ରୀୟ ମାନ୍ୟତା ଲେଖି ପୋଷ୍ଟ କରୁଛନ୍ତି। ଅଧିକରୁ ଅଧିକ ପିଲା ଯେପରି ଏହି ଅଭିଯାନରେ ଯୋଡ଼ି ହେବେ ସେନେଇ ସାମାଜିକ ଗଣମାଧ୍ୟମରେ ପ୍ରଚାର କରାଯାଉଛି। ଛାତ୍ରନେତା ମାନସ କୁମାର ସାହୁ, ଗୌତମ ବେହେରା, ସଞ୍ଜୟ ନାୟକ, ଅନୁପମ ଦାସ, ପାର୍ଥସାରଥୀ ସାମନ୍ତରାୟ ପ୍ରମୁଖ ଏହି ଅଭିଯାନରେ ଯୋଡ଼ି ହୋଇଛନ୍ତି।

ସମ୍ବନ୍ଧିତ ଖବର