ରାମନବମୀରେ ରାଜଧାନୀ ଉତ୍ସବମୁଖର : ଭଜିଲେ ରାମ ନାମ

ରାମ ମନ୍ଦିରରେ ଲକ୍ଷାଧିକ ଶ୍ରଦ୍ଧାଳୁଙ୍କ ସମାଗମ

ଭୁବନେଶ୍ୱର: ଖରା ତାତି ପ୍ରଚଣ୍ଡ ଥିଲା। ଝାଞ୍ଜି ପବନରେ ଦେହ ଅସ୍ତବ୍ୟସ୍ତ ହୋଇ ପଡ଼ୁଥିଲା। ତଥାପି ଭକ୍ତଙ୍କ ଲମ୍ବା ଧାଡ଼ି ଲାଗିଥିଲା ଶ୍ରୀୟା ଛକରୁ ରାମମନ୍ଦିର ଛକ ପର୍ଯ୍ୟନ୍ତ। ତୁଣ୍ଡରେ ଥିଲା ରାମ ନାମ। ମନରେ ଥିଲା ଭକ୍ତି ଭାବ। ରାମଚରିତ ମାନସର ନବାହ୍ନ ପାରାୟଣର ଗୁଞ୍ଜରିତ ପଂକ୍ତି ମନରେ ଭରି ଦେଉଥିଲା ପୁଲକ। ପବିତ୍ର ଶ୍ରୀରାମ ନବମୀରେ ମର୍ଯ୍ୟାଦା ପୁରୁଷୋତ୍ତମଙ୍କୁ ଥରେ ଆଖି ପୂରେଇ ଦେଖି ନେବାର ଅଭୀପ୍‌ସା ହଜାର ହଜାର ଭକ୍ତଙ୍କୁ ମନ୍ଦିର ଯାଏ ଟାଣି ଆଣିଥିଲା। କେବଳ ଏହି ଗୋଟିଏ ମନ୍ଦିର ନୁହେଁ, ରାମ ନବମୀରେ ଚଳଚଞ୍ଚଳ ହୋଇ ଉଠିଥିଲା ସହରର ଏକାଧିକ ମଠ ଓ ମନ୍ଦିର।

ୟୁନିଟ୍‌-୩ସ୍ଥିତ ରାମ ମନ୍ଦିରରେ ଆଜି ଲକ୍ଷାଧିକ ଶ୍ରଦ୍ଧାଳୁଙ୍କ ସମାଗମ ହୋଇଥିଲା। ନିର୍ଧାରିତ ନୀତିକାନ୍ତି ଅନୁଯାୟୀ ପ୍ରାତଃ ସାଢ଼େ ୫ଟାରେ ମଙ୍ଗଳ ଆଳତି ପରେ ଠାକୁରଙ୍କ ଦର୍ଶନର ସୁଯୋଗ ନେଇଥିଲେ ଶ୍ରଦ୍ଧାଳୁ। ସକାଳ ୭ଟାରେ ଶୃଙ୍ଗାର ଆରତି ହୋଇଥିଲା। ସକାଳ ପ୍ରାୟ ୯.୩୦ରୁ ରାମଚରିତ ମାନସ ନବାହ୍ନ ପାରାୟଣ କାର୍ଯ୍ୟକ୍ରମ ଆରମ୍ଭ ହୋଇଥିଲା। ମଧ୍ୟାହ୍ନ ୧୨ଟାରେ ଠାକୁରଙ୍କ ଜନ୍ମୋତ୍ସବ ଆରତି ତଥା ଅଭିଷେକ କରାଯାଇଥିଲା। ବେଳକୁ ବେଳ ତାତି ଅସହ୍ୟ ହୋଇପଡ଼ୁଥିଲେ ହେଁ ମନ୍ଦିର ସମ୍ମୁଖରେ ଧାଡ଼ିବାନ୍ଧି ରହିଥିଲେ ଶହ ଶହ ଶ୍ରଦ୍ଧାଳୁ। ପୁଣି ଅପରାହ୍ନ ସାଢ଼େ ୧ଟାରୁ ୪ଟା ପର୍ଯ୍ୟନ୍ତ ପହୁଡ଼ ପଡ଼ିବା ପରେ ଅପରାହ୍‌ଣ ୪ଟାରୁ ଆରମ୍ଭ ହୋଇଯାଇଥିଲା ଦ୍ୱିତୀୟ ପର୍ଯ୍ୟାୟ ଦର୍ଶନ। ସଂଜ ଯେତେ ପାଖଉଥିଲା ଭକ୍ତଙ୍କ ସଂଖ୍ୟା ସେତେ ବଢ଼ି ବଢ଼ି ଚାଲିଥିଲା। ସନ୍ଧ୍ୟା ୭ଟାରେ ଶୃଙ୍ଗାର ଆରତି କରାଯାଇଥିଲା। ରାତି ସାଢ଼େ ୧୦ଟା ପର୍ଯ୍ୟନ୍ତ ଦର୍ଶନ ପାଇଁ ଶ୍ରଦ୍ଧାଳୁଙ୍କ ସମାଗମ ହୋଇଥିଲା ବୋଲି ମନ୍ଦିର ପରିଚାଳନା କମିଟିର ପରିଚାଳକ ମହାବୀର ପ୍ରସାଦ ଶର୍ମା କହିଛନ୍ତି।

ଏତେ ସଂଖ୍ୟାରେ ଭକ୍ତଙ୍କ ଭିଡ଼ ଯୋଗୁଁ ସନ୍ଧ୍ୟାରେ ଟ୍ରାଫିକ୍‌ ଜାମ୍‌କୁ ଏଡ଼ାଇବାକୁ ପୁଲିସକୁ ନାକେଦମ୍‌ ହେବାକୁ ପଡ଼ିଥିଲା। ଭକ୍ତଙ୍କ ସମାଗମକୁ ନଜରରେ ରଖି ମନ୍ଦିର ନିକଟରେ କମିସନରେଟ୍‌ ପୁଲିସ୍‌ ପକ୍ଷରୁ ୨ ପ୍ଲାଟୁନ୍‌ ପୁଲିସ୍‌ ଫୋର୍ସ ମୁତୟନ କରାଯାଇଥିଲା। ଭକ୍ତଙ୍କ ସୁରକ୍ଷା ଦୃଷ୍ଟିରୁ ମନ୍ଦିର ପ୍ରାଙ୍ଗଣ ଭିତରେ ଓ ବାହାରେ ୧୬ଟି ସିସିଟିଭି କ୍ୟାମେରା ଖଞ୍ଜା ଯାଇଥିଲା। ଭକ୍ତଙ୍କ ପାଇଁ ଛପନ ଭୋଗର ସ୍ୱତନ୍ତ୍ର ଥାଳି ଭକ୍ତଙ୍କ ଭିଡ଼କୁ ନଜରରେ ରଖି ରାମ ମନ୍ଦିର ପରିଚାଳନା କମିଟି ପକ୍ଷରୁ ‘ଛପନ ଭୋଗର ସ୍ୱତନ୍ତ୍ର ଥାଳି’ର ଆୟୋଜନ କରାଯାଇଥିଲା। ଗତବର୍ଷ ଥାଳି ପିଛା ୫୦୦ ଟଙ୍କା ଥିବା ବେଳେ ଚଳିତ ବର୍ଷ ତାହା ବଢ଼ି ୯୦୦ ଟଙ୍କା ହୋଇଛି। ଏହି ଥାଳିରେ ବିଭିନ୍ନ ମିଠା ପିଠା ସହ ୫୬ ପ୍ରକାର ବ୍ୟଞ୍ଜନ ପରଷା ଯାଉଥିଲା। ଦାମ୍‌ ଆକାଶ ଛୁଆଁ ସତ୍ତ୍ୱେ ଏହାକୁ କିଣିବାକୁ ଭକ୍ତଙ୍କ ଭିଡ଼ ବେଶ୍‌ ଜମିଥିଲା। ଭକ୍ତମାନଙ୍କ ଉଦ୍ଦେଶ୍ୟରେ ବୁନ୍ଦି ମିଠେଇ ପ୍ରସାଦ ବଣ୍ଟନ କରାଯାଇଥିଲା।

ଫୁଲରେ ସୁସଜ୍ଜିତ ଇସ୍କନ ମନ୍ଦିର
ସହରର ସମସ୍ତ ମଠ ମନ୍ଦିରରୁ ରାମ ଧୁନ୍‌ ଗୁଞ୍ଜରିତ ହୋଇଥିଲା। ଶ୍ରୀରାମଙ୍କ ଆବାହନ ପାଇଁ ସିଆର୍‌ପି ଇସ୍କନ ମନ୍ଦିର ସମ୍ପୂର୍ଣ୍ଣ ଭାବେ ଫୁଲରେ ସଜେଇ ହୋଇଥିଲା। ସେଠାରେ ମଧ୍ୟାହ୍ନ ୧୨ଟାରେ ଜନ୍ମୋତ୍ସବ ଆରତି ତଥା ଅଭିଷେକ କରାଯାଇଥିଲା। ଏହାପରେ ଉପାସ କରିଥିବା ଶ୍ରଦ୍ଧାଳୁଙ୍କୁ ସ୍ୱତନ୍ତ୍ର ଭାବେ ଫଳ ଓ ସିଝା ପରିବା ତିଆରି ‘ଅନୁକଳ୍ପ ପ୍ରସାଦ’ ବଣ୍ଟନ କରାଯାଇଥିଲା ବୋଲି ମନ୍ଦିର ଅଧିକାରୀ ରାଧାକାନ୍ତ କହିଛନ୍ତି। ସଂଧ୍ୟାରେ ଭଜନ କୀର୍ତ୍ତନ ସହ ରାତି ସାଢ଼େ ୧୦ ଯାଏଁ ଠାକୁର ଦର୍ଶନ ପାଇଁ ଭିଡ଼ ଜମିଥିଲା। ସେହିପରି ସହରର ଅନ୍ୟ ସମସ୍ତ ମଠ ମନ୍ଦିର ବିଶେଷ କରି ୧ ନମ୍ବର ହାଟସ୍ଥିତ ଶ୍ରୀରାମ ମନ୍ଦିର, ୯ତାଲା ପଛ ପାର୍ଶ୍ୱରେ ଥିବା ଶ୍ରୀରାମ ମନ୍ଦିର, ଲକ୍ଷ୍ମୀସାଗର ବ୍ରିଟ୍‌ କଲୋନି ନିକଟସ୍ଥ ଶ୍ରୀରାମ ମନ୍ଦିର ସମେତ ବହୁ ମନ୍ଦିରରେ ପ୍ରଭୁଙ୍କ ଜନ୍ମୋତ୍ସବ ଉପଲକ୍ଷେ ସଂକୀର୍ତନ ଓ ରାମଚରିତ ମାନସ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା।

ସମ୍ବନ୍ଧିତ ଖବର