ଉତ୍ତର ଭୁବନେଶ୍ବର ନିର୍ବାଚନମଣ୍ଡଳୀ : କିଏ ହାତେଇବ ପାଞ୍ଚ ପଞ୍ଚାୟତ ଭୋଟ୍‌?

ଚନ୍ଦ୍ରଶେଖରପୁର (କେଶବ ପାଣି): ଭୋଟର୍‌ଙ୍କ ନିକଟରେ ପହଞ୍ଚିଲେଣି ପ୍ରାର୍ଥୀ। ଜମିଲାଣି ପଚାର। ସଭା, ଶୋଭାଯାତ୍ରା, ଶକ୍ତି ପ୍ରଦର୍ଶନ ମାଧ୍ୟମରେ ସରଗରମ ହୋଇଉଠିଛି ଉତ୍ତର ଭୁବନେଶ୍ବର ନି‌ର୍ବାଚନମଣ୍ଡଳୀ ରାଜନୀତି। ଭୋଟର୍‌ଙ୍କୁ ଆକୃଷ୍ଟ କରିବାକୁ ସବୁ ପ୍ରାର୍ଥୀ ଲାଗି ପଡ଼ିଛନ୍ତି। ଏହି ନିର୍ବାଚନମଣ୍ଡଳୀ ଅଧୀନରେ ଆସୁଥିବା ପାଞ୍ଚ ପଞ୍ଚାୟତବାସୀ କେଉଁ ଆଡ଼କୁ ଢଳିବେ? କାହାକୁ ଭୋଟ୍‌ ଦେବେ? ଗତ ଦୁଇଥର ପରି ଏଥର ଭୋଟରଙ୍କ ମୁଡ୍‌ ବିଜେଡି ସପକ୍ଷରେ ଯିବ ନା ବଦଳିବ, ତାହାକୁ ନେଇ କଳ୍ପନାଜଳ୍ପନା ଆରମ୍ଭ ହୋଇଛି। ବଡ଼ କଥା ହେଉଛି ଯେ ଏହି ପାଞ୍ଚ ପଞ୍ଚାୟତର ଭୋଟର୍‌ ଯେଉଁ ଆଡ଼କୁ ଢଳନ୍ତି, ସେହି ପ୍ରାର୍ଥୀ ବିଜୟ ଲାଭ କରିଥାନ୍ତି। ସେହି ଦୃଷ୍ଟିରୁ ଦେଖିଲେ ପାଞ୍ଚ ପଞ୍ଚାୟତ ଭୋଟ୍‌ କୁଆଡ଼େ ଯିବ, ତାହାକୁ ନେଇ ଏବେଠାରୁ ରାଜନୈତିକ ଦଳଗୁଡ଼ିକ ଅଙ୍କକଷା ଆରମ୍ଭ କରିଦେଲେଣି।

୨୦୧୪ ସାଧାରଣ ନିର୍ବାଚନରେ ଏହି ପାଞ୍ଚ ପଞ୍ଚାୟତରେ ଭୋଟରଙ୍କ ସଂଖ୍ୟା ୨୬ ହଜାର ରହିଥିଲା। ତେବେ ମତଦାନହାର ଯେତିକି ରହିଥିଲା‌ ସେଥିମଧ୍ୟରୁ ବିଜେଡି ସପକ୍ଷରେ ପ୍ରାୟ ୧୫ ହଜାର ଭୋଟ ପଡ଼ିଥିଲା। ବିଜେପି ପ୍ରାର୍ଥୀଙ୍କ ଝୁଲାରେ ୪ ହଜାର ଭୋଟ ପଡ଼ିଥିଲା। କଂଗ୍ରେସ ପ୍ରାର୍ଥୀ ବହୁତ କମ୍‌ ଭୋଟ ପାଇଥିଲେ। ଏଥର ଭୋଟରଙ୍କ ସଂଖ୍ୟା‌ ବଢ଼ିଛି। ୨୦୧୪ ତୁଳନାରେ ଆଉ ପ୍ରାୟ ୨୬୦୦ ନୂଆ ଭୋଟର ସାମିଲ ହୋଇଛନ୍ତି। ସବୁ ମିଶାଇଲେ ପ୍ରାୟ ୨୯ ହଜାର ଭୋଟର ଏଥର ନିର୍ବାଚନରେ ଅଂଶଗ୍ରହଣ କରିବେ। ସେମାନଙ୍କୁ ନିଜ ଆଡ଼କୁ ନେବା ପାଇଁ ସମସ୍ତ ପ୍ରାର୍ଥୀ ପ୍ରାଣମୂର୍ଚ୍ଛା ଉଦ୍ୟମ ଜାରି ରଖିଛନ୍ତି। ପ୍ରଚାର ଆରମ୍ଭରୁ ତିନି ପ୍ରମୁଖ ଦଳ ବିଜେଡି, କଂଗ୍ରେସ ଓ ବିଜେପି ପ୍ରାର୍ଥୀଙ୍କ ସହ ସ୍ବାଧୀନ ପ୍ରାର୍ଥୀମାନେ ଏଠାରୁ ହିଁ ଅଭିଯାନ ଆରମ୍ଭ କରିଥିଲେ।

ମିଳିଥିବା ତଥ୍ୟ ଅନୁଯାୟୀ, କଲ୍ୟାଣପୁର ପଞ୍ଚାୟତରେ ସର୍ବାଧିକ ୬,୭୦୦ ଭୋଟର ରହିଛନ୍ତି। ଦାଢ଼ା ପଞ୍ଚାୟତରେ ୫ ହଜାରରୁ ଅଧିକ ଭୋଟର ଥିବା ବେଳେ କଳାରାହାଙ୍ଗ ପଞ୍ଚାୟତରେ ପ୍ରାୟ ୫,୮୦୦, ବରିମୁଣ୍ଡ ପଞ୍ଚାୟତରେ ୪,୨୦୦ ଓ ରଘୁନାଥପୁର ପଞ୍ଚାୟତରେ ୪୯୦୦ ଭୋଟର ରହିଛନ୍ତି। ଗତ ୫ ବର୍ଷ ମଧ୍ୟରେ କଳାରାହାଙ୍ଗ ଓ ରଘୁନାଥପୁର ପଞ୍ଚାୟତରେ ଅନେକ ଆପାର୍ଟମେଣ୍ଟ ଗଢ଼ି ଉଠିବା, ନୂଆ ଅଞ୍ଚଳ ‌ଯୋଡ଼ି ହେବା, ସହରବାସୀଙ୍କ ସଂଖ୍ୟା ବୃଦ୍ଧି ଏଥର ନିର୍ବାଚନ ଉପରେ ପ୍ରଭାବ ପକାଇବ। ୨୦୦୯ ଓ ୨୦୧୪ ନିର୍ବାଚନକୁ ଦେଖିଲେ ଏହି ୫ଟି ପଞ୍ଚାୟତର ଭୋଟ୍‌ ହାର ଭଲ ରହିଥିଲା। ଗ୍ରାମାଞ୍ଚଳ ଭୋଟରମାନେ ଆଗ୍ରହ ପ୍ରକାଶ କରିଥିଲେ। ତେଣୁ ଏଥର ମତଦାନ ହାର ବଢ଼ିବାର ସମ୍ଭାବନା ସୃଷ୍ଟି ହୋଇଛି। ତେଣୁ ସବୁ ପ୍ରାର୍ଥୀ ଏହି ୫ ପଞ୍ଚାୟତରୁ ଭୋଟରଙ୍କୁ ଆକୃଷ୍ଟ କରିବାକୁ ଲାଗି ପଡ଼ିଛନ୍ତି।

ଗତ ଦୁଇଟି ନିର୍ବାଚନ‌ରେ ଏଠାକାର ଭୋଟର ବିଜେଡି ପ୍ରାର୍ଥୀଙ୍କୁ ସମର୍ଥନ ଦେବା ସହ ବିଜୟରେ ପ୍ରମୁଖ ଭୂମିକା ଗ୍ରହଣ କରିଥିଲେ। ତେଣୁ ଏଥର ଭୋଟରକୁ ନିଜ ଆଡ଼କୁ ଟାଣିବା ଲାଗି ବିଜେପି ଓ କଂଗ୍ରେସ ଦଳ କସରତ ଆରମ୍ଭ କରିଦେଇଛନ୍ତି। ବିଜେଡି ମଧ୍ୟ ନିଜ ଗଡ଼ ଏହି ପାଞ୍ଚ ପଞ୍ଚାୟତ ଭୋଟ ବଜାୟ ରଖିବାକୁ ସମସ୍ତ ପ୍ରୟାସ ଜାରି ରଖିଛି। ତେବେ ଭୋଟରଙ୍କ ମୁଡ୍‌ ଉପରେ ସବୁ କିଛି ନିର୍ଭର କରୁଛି।

ସେପଟେ ବିଜେପି ଭୋଟ ଏଥର ବିଭାଜିତ ହେବା ନେଇ ଆଶଙ୍କା ପ୍ରକାଶ ପାଇଛି। ବିଜେପି ଟିକେଟ୍‌ ହାତେଇବାରେ ବିଫଳ ହେବା ପରେ ଯୁଗାଂଶୁ ଶେଖର ପଣ୍ଡା ସ୍ବାଧୀନ ଭାବେ ମଇଦାନକୁ ଓହ୍ଲାଇଛନ୍ତି। ଗତଥର ବିଜେପି ପ୍ରାର୍ଥୀ ହୋଇଥିବା ଦିଲ୍ଲୀପ ମହାନ୍ତିଙ୍କୁ ବି ପ୍ରାର୍ଥୀ କରାଯାଇ ନାହିଁ। ତେଣୁ ତାଙ୍କ ସମର୍ଥକ କେଉଁ ଆଡ଼କୁ ଯିବେ, ତାହା ଉପରେ ସମସ୍ତଙ୍କ ନଜର। ଯୁଗାଂଶୁଙ୍କ ସଂଗଠନ ରହିଥିବାରୁ ସେ ଏହି ପଞ୍ଚଟି ପଞ୍ଚାୟତରୁ ଭୋଟ ହାତେଇବାର ସମ୍ଭାବନା ରହିଛି। ସେହିପରି କଂଗ୍ରେସ ଟିକେଟ୍‌ ପାଇବାରୁ ବଞ୍ଚିତ ହୋଇ ସ୍ବାଧୀନ ଭାବେ ଲଢ଼ୁଥିବା ରାଜକୁମାର ରାଉତ ରଘୁନାଥପୁର ପଞ୍ଚାୟତର ବାସିନ୍ଦା। ତେଣୁ ତାଙ୍କ ସପକ୍ଷରେ କିଛି ଭୋଟ ଯାଇପା‌ରେ ବୋଲି ଆକଳନ କରାଯାଉଛି।

ସମ୍ବନ୍ଧିତ ଖବର