ଟିକେଟ୍‌ ନ ପାଇ ଉଭାନ୍‌ ନେତା: ପ୍ରଚାର ମଇଦାନରୁ ଦୂରେଇ ରହିଛନ୍ତି ପ୍ରସନ୍ନ, ବିଜୟ, ମିହିର

ବାଇଁଆ, ରୁଦ୍ର, ଲିଟୁ ବି ନିରବ

ଭୁବନେଶ୍ବର: ଭୁବନେଶ୍ବରରେ ପ୍ରଚାର ମଇଦାନ ସରଗରମ। ଭୋଟରଙ୍କ ନିକଟତର ହେଉଛନ୍ତି ପ୍ରାର୍ଥୀ। ସଭା, ଶୋଭାଯାତ୍ରା, ରୋଡ୍‌ ସୋ’ ମାଧ୍ୟମରେ ଚାଲିଛି ଘମାଘୋଟ ଲଢ଼େଇ। ବିଜେଡି ଓ ବିଜେପି ପ୍ରାର୍ଥୀମାନେ ପ୍ରଚାରରେ ଜି ଜାନ୍‌ ଲଗାଇ ଦେଇଛନ୍ତି। କିଏ ପ୍ରତିଶ୍ରୁତିର ପାହାଡ଼ ଦେଉଛନ୍ତି ତ ଆଉ କିଏ ବିକାଶର ନାରା ଦେଇ ଭୋଟରଙ୍କ ନିକଟରେ ପହଞ୍ଚୁଛନ୍ତି। ତେବେ ପୁରୁଖା ଓ ଟିକେଟ୍‌ ଆଶାୟୀ ଥିବା ନେତାଙ୍କୁ ଏବେ ପ୍ରଚାର ମଇଦାନରେ ଦେଖାଯାଉ ନାହାନ୍ତି। ଟିକେଟ୍‌ ପାଇବାରୁ ନିରାଶ ହେବା ପରେ ୪ ଥରର ଭୁବନେଶ୍ବରର ସାଂସଦ ପ୍ରସନ୍ନ ପାଟ୍ଟଶାଣୀ ପ୍ରଚାର ମଇଦାନରୁ ଉଭାନ ହୋଇଯାଇଛନ୍ତି। ବିଜେଡିରେ ଅଛନ୍ତି। ହେଲେ ବିଜେଡି ପ୍ରାର୍ଥୀଙ୍କ ପାଇଁ ପ୍ରଚାରକୁ ଓହ୍ଲାଉ ନାହାନ୍ତି। କିମ୍ବା ନିଜ ଜ୍ବଇଁ ତଥା ଭୁବନେଶ୍ବର ଉତ୍ତର ବିଧାୟକ ପ୍ରାର୍ଥୀ ପ୍ରିୟଦର୍ଶୀ ମିଶ୍ରଙ୍କ ପାଇଁ ମଧ୍ୟ ପ୍ରଚାର କରୁ ନାହାନ୍ତି।

ଭୁବନେଶ୍ବର ମଧ୍ୟ ନିର୍ବାଚନମଣ୍ଡଳୀର ପୂର୍ବତନ ବିଧାୟକ ବିଜୟ ମହାନ୍ତିଙ୍କ ଅବସ୍ଥା ମଧ୍ୟ ସମାନ। ନିର୍ବାଚନ ପୂର୍ବରୁ ବିଜେଡି ଟିକେଟ୍‌ ବଣ୍ଟନ ବେଳେ ଶ୍ରୀ ମହାନ୍ତିଙ୍କୁ ଦେଖିବାକୁ ମିଳିଥିଲା। ନିଜେ ଟିକେଟ୍‌ ଲବିରେ ନ ଥିଲେ। ବରଂ ଭୁବନେଶ୍ବର ମଧ୍ୟ ନିର୍ବାଚନମଣ୍ତଳୀରେ ପ୍ରାର୍ଥୀ ପରିବର୍ତ୍ତନ ଗୋଷ୍ଠୀରେ ସେ ସାମିଲ ହୋଇ ଚର୍ଚ୍ଚାକୁ ଆସିଥିଲେ। ବିଭିନ୍ନ ବୈଠକରେ ସାମିଲ ହୋଇ ଦାବି ମଧ୍ୟ ଉଠାଉଥିଲେ। ତେବେ ଟିକେଟ୍‌ ବଣ୍ଟନ ‌ପରେ ତାଙ୍କୁ ଆଉ ଦେଖିବାକୁ ମିଳୁ ନାହିଁ। ୨୦୧୯ ସାଧାରଣ ନିର୍ବାଚନରେ ଟିକେଟ୍‌ ନ ମିଳିବାରୁ ବିଜୟ ଦୂରେଇ ରହିଥିଲେ। କାଁ ଭାଁ କାର୍ଯ୍ୟକ୍ରମରେ ସାମିଲ ହେଉଥିଲେ। ବସ୍ତି ଅଞ୍ଚଳରେ ଭଲ ପ୍ରଭାବ ରହିଥିବା ବିଜୟ ଏବେ ନିରବ।

ବିଏମ୍‌ସିର ପ୍ରଥମ ମେୟର ମିହିର କୁମାର ମହାନ୍ତିଙ୍କୁ ଏଥର ଟିକେଟ୍‌ ବଣ୍ଟନ ପୂର୍ବରୁ ଦେଖିବାକୁ ମିଳିଥିଲା। ବିଭିନ୍ନ ବୈଠକରେ ସାମିଲ ହେବା ସହ ଭୁବନେଶ୍ବର ଲୋକସଭା କ୍ଷେତ୍ରରୁ ବିଜେଡି ପ୍ରାର୍ଥୀ ହେବାକୁ ନବୀନ ନିବାସରେ ବାୟୋଡାଟା ଧରି ପହଞ୍ଚିଥିଲେ। ଟିକେଟ୍‌ ପାଇବାକୁ ଜୋରଦାର ପ୍ରୟାସ କରିଥିଲେ ମଧ୍ୟ ନିରାଶ ହୋଇଥିଲେ। ଏହାପରେ ତାଙ୍କୁ ମଧ୍ୟ ଆଉ ଦେଖିବାକୁ ମିଳୁ ନାହିଁ। ଭୁବନେଶ୍ବର ଲୋକସଭା କ୍ଷେତ୍ରର କୌଣସି ପ୍ରାର୍ଥୀଙ୍କ ପାଇଁ ପ୍ରଚାର ନ କରି ଚୁପ୍‌ ରହିଛନ୍ତି। ଏମାନଙ୍କ ବ୍ୟତୀତ ଭୁବନେଶ୍ବର ମଧ୍ୟ ନିର୍ବାଚନମଣ୍ଡଳୀରୁ ବିଜେଡି ପ୍ରାର୍ଥୀ ହେବାକୁ ଆଶାୟୀ ଥିବା ଅମରେଶ ଜେନା (ବାଇଁଆ) ଓ ରୁଦ୍ର ସାମନ୍ତରାୟ, ଏକାମ୍ର ଭୁବନେଶ୍ବର ପାଇଁ ଆଶାୟୀ ଥିବା ବିରଞ୍ଚି ନାରାୟଣ ମହାସୁପକାର (ଲିଟୁ)ଙ୍କୁ ମଧ୍ୟ ପ୍ରଚାର ମଇଦାନରେ ବିଜେଡି ପ୍ରାର୍ଥୀଙ୍କ ସହ ଦେଖିବାକୁ ମିଳୁ ନାହିଁ। ନିର୍ବାଚନ ପ୍ରକ୍ରିୟା ଆରମ୍ଭ ପୂର୍ବରୁ ଭୁବନେଶ୍ବର ଲୋକସଭା କ୍ଷେତ୍ର ପାଇଁ ସାଂସଦ ପ୍ରାର୍ଥୀ ଭାବେ ଚର୍ଚ୍ଚା ପରିସରକୁ ଆସିଥିବା ଶ୍ରୀମୟୀ ମିଶ୍ର ପ୍ରାର୍ଥୀ ଘୋଷଣା ପରେ ଆଉ ମଇଦାନକୁ ଫେରି ନାହାନ୍ତି।

କେବଳ ଯେ ବିଜେଡିରେ ନେତାମାନେ ଅଭିମାନରେ ଅଛନ୍ତି ତାହା ନୁହେଁ। ବିଜେପି ଟିକେଟ୍‌ ଆଶାୟୀ ନେତାମାନେ ମଧ୍ୟ ପ୍ରାର୍ଥୀଙ୍କ ପାଇଁ ପ୍ରଚାର ମଇଦାନକୁ ଓହ୍ଲାଉ ନାହାନ୍ତି। କେତେଜଣ ଇତିମଧ୍ୟରେ ଦଳ ପରିବର୍ତ୍ତନ କରି ସାରିଲେଣି। ଆଉ ଯେଉଁମାନେ ଦଳରେ ଅଛନ୍ତି ସେମାନେ ପ୍ରାର୍ଥୀଙ୍କ ପାଇଁ ପ୍ରଚାର କରୁନାହାନ୍ତି। ଏକାମ୍ରରେ ବିଜେପି ଟିକେଟ୍‌ ଆଶାୟୀ ଥିବା ଅମୀୟ ଜେନା ଦଳ ପରିବର୍ତ୍ତନ କରିସାରିଲେଣି। ଭୁବନେଶ୍ବର ଉତ୍ତରରେ ବିଜେପି ଟିକେଟ୍‌ ଆଶାୟୀ ଥିବା ଯୁଗାଂଶୁ ଶେଖର ପଣ୍ଡା ଇତିମଧ୍ୟରେ ଶଙ୍ଖ ଧରିସାରିଛନ୍ତି। ଭୁବନେଶ୍ବର ଉତ୍ତରରେ କଂଗ୍ରେସ ଟିକେଟ୍‌ ଆଶାୟୀ କୃଷ୍ଣଚନ୍ଦ୍ର ପତି ଦଳରେ ରହିଥିଲେ ମଧ୍ୟ ଦଳୀୟ ପ୍ରାର୍ଥୀଙ୍କ ପାଇଁ ପ୍ରଚାର କରୁନାହାନ୍ତି। ବରଂ କିଛି ଦିନ ହେଲା ନିଜ ସମର୍ଥକଙ୍କ ସହ ନିର୍ବାଚନମଣ୍ଡଳୀର ବିଭିନ୍ନ ଅଞ୍ଚଳ ବୁଲୁଛନ୍ତି। ସମର୍ଥକଙ୍କ ସହ ବୈଠକ କରୁଛନ୍ତି। କଂଗ୍ରେସ ପ୍ରାର୍ଥୀଙ୍କ ପାଇଁ ପଦୁଟିଏ କହୁ ନ ଥିବା ବେଳେ କାହା ପାଇଁ ସେ ବୁଲୁଥିବା ତାହାକୁ ନେଇ ଚର୍ଚ୍ଚା ଜୋର ଧରିଛି।

ସମ୍ବନ୍ଧିତ ଖବର