ରାଜଧାନୀବାସୀଙ୍କୁ ନିଶ୍ଚୟ ମିଳିବ ଦ୍ୱିତୀୟ ଡୋଜ୍, ଦ୍ରୁତ ଗତିରେ ଆଗେଇବ ସାବାଳକ ଟିକାକରଣ : ବିଏମସି କମିସନର

ରାଜ୍ୟରେ କୋଭିଡ୍ ଟିକା ନେଇ ସଙ୍କଟ ଦେଖାଦେଇଥିବାବେଳେ ଆଜି ଏହାକୁ ନେଇ ଏକ ବଡ ବୟାନ ରଖିଛନ୍ତି ବିଏମସି କମିସନର । ରାଜଧାନୀରେ ବାସକରୁଥିବା ସମସ୍ତ ୧୮ରୁ ୪୪ ବର୍ଷୀୟ ଲୋକଙ୍କୁ ଠିକ୍ ସମୟରେ ଟିକା ଯୋଗାଇ ଦିଆଯିବ ବୋଲି ସେ କହିଛନ୍ତି । ତା ସହ ଯେଉଁମାନେ ଦ୍ୱିତୀୟ ଡୋଜ ଅପେକ୍ଷାରେ ରହିଛନ୍ତି ସେମାନଙ୍କୁ ମଧ୍ୟ ସଠିକ୍ ସମୟରେ ଟିକା ଦିଆଯିବ ବୋଲି ପ୍ରେସମିଟରେ ସୂଚନା ଦେଇଛନ୍ତି ସଞ୍ଜୟ ସିଂ ।

ଅନ୍ୟପଟରେ ଟିକାକରଣକୁ ନେଇ ଲୋକମାନେ ଦ୍ୱନ୍ଦ୍ୱରେ ରୁହନ୍ତୁ ନାହିଁ । ପ୍ରଶାସନ ସେମାନଙ୍କୁ ସଠିକ୍ ସମୟରେ ଟିକା ଯୋଗାଇଦେବ ବୋଲି ସେ କହିଛନ୍ତି । ସେହିପରି ଖୁବଶୀଘ୍ର ଟିକା ପାଇଁ ନୂଆ ସ୍ଲଟ ଖୋଲାଯିବ । ଯେଉଁମାନେ ଆଦୌ ଟିକା ନେଇନାହାନ୍ତି ସେମାନେ ସ୍ଲଟ ବୁକ୍ କରି ଟିକା ନେଇପାରିବେ ।

ସେହିପରି ବିଦେଶ ଯିବାକୁ ଥିବା ଛାତ୍ରଛାତ୍ରୀମାନେ ମଧ୍ୟ ଟିକାକରଣରେ ସାମିଲ ହୋଇପାରିବେ । ଏଥିପାଇଁ ଆସନ୍ତାକାଲିଠୁ ବିଏମସି ପକ୍ଷରୁ ସ୍ୱତନ୍ତ୍ର ବ୍ୟବସ୍ଥା ଆପଣାଯାଇଛି । ୧୯୨୯ ଜରିଆରେ ଏଥିପାଇଁ ରେଜିଷ୍ଟ୍ରେସନ କରିବାକୁ ବିଏମସି କମିସନର ସୂଚନା ଦେଇଛନ୍ତି ।

ବିଏମସି କମିସନର କହିଛନ୍ତି, ରାଜଧାନୀରେ ଏବେ ସଂକ୍ରମଣ କମିବାରେ ଲାଗିଛି । ଦୈନିକ ସଂକ୍ରମଣ ଏବେ ଭୁବନେଶ୍ୱରରେ ତଳମୁହାଁ ଅଛି । ତେଣୁ ସମସ୍ତେ ସରକାରଙ୍କ ସଟଡାଉନ୍ ଏବଂ ଲକଡାଉନ୍ ନିୟମ ପାଳନ କରିବାକୁ ସେ ଅନୁରୋଧ କରିଛନ୍ତି । ତା ବାଦ୍ ଟିକାକରଣକୁ ନେଇ ମଧ୍ୟ ବିଏମସି କମିଶନର ସମସ୍ତଙ୍କୁ ଆଶ୍ୱସ୍ତ କରିଛନ୍ତି । ଭୁବନେଶ୍ୱରବାସୀଙ୍କୁ ସଠିକ୍ ସମୟରେ ଦ୍ୱିତୀୟ ଡୋଜ ଟିକା ଯୋଗାଇ ଦିଆଯିବ । ତା ସହ ନୂଆ ଲୋକମାନେ ମଧ୍ୟ ସ୍ଲଟ୍ ବୁକ୍ କରି ନିଜର ଟିକା ନେଇପାରିବେ ବୋଲି ସେ କହିଛନ୍ତି ।

ସମ୍ବନ୍ଧିତ ଖବର