ଦିନକୁ ୨୦ହଜାର ଲୋକଙ୍କୁ ଟିକାକରଣ: ଜୁଲାଇ ୧୫ ସୁଦ୍ଧା ସମସ୍ତଙ୍କୁ ଟିକା, ରବିବାର ବ୍ୟତୀତ ସବୁ ଦିନ ଦିଆଯିବ

ବଢ଼ିବ ଡ୍ରାଇଭ୍ ଇନ୍ ଟିକା କେନ୍ଦ୍ର, ଅନ୍ୟାନ୍ୟ କେନ୍ଦ୍ର: କମିସନର

ଭୁବନେଶ୍ବର: ରାଜଧାନୀରେ ଜୁଲାଇ ୧୫ ସୁଦ୍ଧା ୧୮ରୁ ୪୪ବର୍ଷ ବୟସ୍କ ସମସ୍ତଙ୍କୁ ପ୍ରଥମ ପର୍ଯ୍ୟାୟ ଟିକା ଦିଆଯିବ। ୪୫ ବର୍ଷରୁ ଊର୍ଦ୍ଧ୍ବ ସମସ୍ତଙ୍କୁ ଦ୍ବିତୀୟ ଡୋଜ୍‌ ଟିକା ଦିଆଯିବ ବୋଲି ଆଜି ମୁଖ୍ୟମନ୍ତ୍ରୀ ଘୋଷଣା କରିଛନ୍ତି। ଏହାପରେ ବିଏମ୍‌ସି ପକ୍ଷରୁ ବିସ୍ତୃତ ଯୋଜନା ପ୍ରସ୍ତୁତ ହୋଇଛି। ଯେପରି ଜୁଲାଇ ୧୫ସୁଦ୍ଧା ସମସ୍ତେ ଟିକା ନେବେ, ସେହି ଟାର୍ଗେଟ୍ ନେଇ ବିଏମ୍‌ସି କାମ କରିବ। ସମସ୍ତଙ୍କୁ ଟିକା ଦେବା ପ୍ରମୁଖ ଲକ୍ଷ୍ୟ ହେଲେ ବି ଯାହାର ଦ୍ବିତୀୟ ଡୋଜ୍‌ ନେବାର ଅବଧି ଯେବେ ହେବ, ସେତେବେଳେ ତାଙ୍କୁ ଟିକା ଦିଆଯିବ। ଅର୍ଥାତ୍ ୨୮ରୁ ୪୨ଦିନ ମଧ୍ୟରେ ନିଶ୍ଚିତ ଦ୍ବିତୀୟ ଡୋଜ୍‌ ଟିକା ଦିଆଯିବ। ରାଜଧାନୀରେ ବର୍ତ୍ତମାନ ସୁଦ୍ଧା ସବୁଠୁ ଅଧିକ ଆକ୍ରାନ୍ତ ଚିହ୍ନଟ ହୋଇଥିବାରୁ ଏହାକୁ ନଜରରେ ରଖି ଯଥାସମ୍ଭବ ଅଧିକରୁ ଅଧିକ ଲୋକଙ୍କୁ ଟିକାକରଣ ‌କରାଯିବ ବୋଲି ବିଏମ୍‌ସି ପକ୍ଷରୁ ଯୋଜନା ହୋଇଛି।

ବିଏମ୍‌ସିର ଜଣେ ବରିଷ୍ଠ ଅଧିକାରୀଙ୍କ କହିବାନୁଯାୟୀ, କରୋନାର ତୃତୀୟ ଲହର ଆସିବ ବୋଲି ବିଶେଷଜ୍ଞମାନେ ପୂର୍ବାନୁମାନ କରୁଛନ୍ତି। ଏବେ ୧୮ବର୍ଷରୁ କମ୍‌ ପିଲାଙ୍କୁ ଟିକା ଦିଆଯାଇ ନଥିବାରୁ ଆଗାମୀ ଦିନରେ ସେମାନେ ଅଧିକ ପ୍ରଭାବିତ ହୋଇପାରନ୍ତି। ଦ୍ବିତୀୟ ଲହରିରେ ଯେପରି ଭୁବନେଶ୍ବର ଅଧିକ ପ୍ରଭାବିତ ହେଲା, ତୃତୀୟ ଲହରରେ ବି ଭୁବନେଶ୍ବର ଅଧିକ ପ୍ରଭାବିତ ହେବାର ଆଶଙ୍କା ଅଛି। କାରଣ ଏଠାରେ ଅନ୍ୟ ସହର ଅପେକ୍ଷା ଅଧିକ ପିଲା ଅଛନ୍ତି। ଏପରିକି ସବୁ ସ୍କୁଲ କଲେଜ ଏଠାରେ ଥିବାରୁ ବାହାର ଜିଲ୍ଲା ଓ ରାଜ୍ୟର ପିଲା ଏଠାରେ ରହୁଛନ୍ତି। ତେଣୁ ସେମାନଙ୍କର ଟିକାକରଣ ଯଦି ଆରମ୍ଭ ହୁଏ, ତେବେ ଯଥାସମ୍ଭବ କମ୍‌ ଦିନରେ ଅଧିକ ପିଲାଙ୍କୁ ଟିକା ଦେବୁ। ତାହା ପୂର୍ବରୁ ବାକି ଲୋକଙ୍କର ଟିକାକରଣ ଶେଷ କରିବାକୁ ଯୋଜନା କରିଛୁ। ଏଥିପାଇଁ ବିଏମ୍‌ସି କମିସନରଙ୍କ ନିର୍ଦ୍ଦେଶରେ ପୂରା ବ୍ଲୁ ପ୍ରିଣ୍ଟ ପ୍ରସ୍ତୁତ ହୋଇଛି।

ଆଜି ମୁଖ୍ୟମନ୍ତ୍ରୀ ଘୋଷଣା କରିବା ପରେ ରାଜଧାନୀରେ କିପରି ଟିକାକରଣ ହେବ, ସେନେଇ ବିଏମ୍‌ସି କମିସନର ସଞ୍ଜୟ ସିଂହଙ୍କୁ ପଚାରିବାରୁ ସେ କହିଛନ୍ତି ଯେ ମୁଖ୍ୟମନ୍ତ୍ରୀ ଘୋଷଣା ଆମ ପାଇଁ ଟାର୍ଗେଟ୍। ଆମେ ଜୁଲାଇ ୧୫ସୁଦ୍ଧା ସବୁ ଯୁବବର୍ଗଙ୍କୁ ପ୍ରଥମ ଡୋଜ୍‌ ଟିକା ଦେବୁ। ୫ଲକ୍ଷ ୧୭ହଜାର ଯୁବବର୍ଗଙ୍କୁ ଟିକାକରଣ ଲକ୍ଷ୍ୟ ରଖାଯାଇଛି। ଏହାବାଦ୍ ସ୍ବାସ୍ଥ୍ୟକର୍ମୀ, ଆଗଧାଡ଼ିର କର୍ମୀ ଏବଂ ୪୫ବର୍ଷରୁ ଊର୍ଦ୍ଧ୍ବ ସମସ୍ତଙ୍କୁ ପ୍ରଥମ ଡୋଜ୍‌ ଟିକାକରଣ ଶେଷ ହୋଇଥିବା ବେଳେ ଅଧିକାଂଶ ଲୋକ ଦ୍ବିତୀୟ ଡୋଜ୍‌ ଟିକା ନେଇ ସାରିଲେଣି। ତେଣୁ ସମସ୍ତଙ୍କୁ ଆବଶ୍ୟକ ଟିକା ଧାର୍ଯ୍ୟ ସମୟରେ ଦିଆଯିବ। ରାଜଧାନୀରେ ସମସ୍ତଙ୍କୁ ଟିକା ମିଳିବ।

ଶ୍ରୀ ସିଂହ କହିଛନ୍ତି ଯେ ଏବେ ରାଜଧାନୀରେ ଦିନକୁ ପ୍ରାୟ ୧୮ ହଜାର ଲୋକଙ୍କୁ ଟିକା ଦେଉଛୁ। ମୁଖ୍ୟମନ୍ତ୍ରୀଙ୍କ ଟାର୍ଗେଟ୍ ପରେ ଆମେ ଦିନକୁ ପ୍ରାୟ ୨୦ହଜାର ଲୋକଙ୍କୁ ଟିକା ‌ଦେବୁ। ଏଥିରେ ପ୍ରଥମ ଡୋଜ୍ ଓ ଦ୍ବିତୀୟ ଡୋଜ୍‌ ରହିବ। ଅଧିକ ଟିକା ଦାନ ପାଇଁ ଅଧିକ ଡ୍ରାଇଭ୍ ଇନ୍ ଟିକା କେନ୍ଦ୍ର ହେବ ଏବଂ ଅନ୍ୟାନ୍ୟ କେନ୍ଦ୍ର ବଢ଼ାଯିବ। ଡ୍ରାଇଭ୍ ଇନ୍‌ ଟିକାରେ ଏବେ ଯୁବବର୍ଗଙ୍କୁ ଫୋକସ୍ କରାଯିବ। ଯେତିକି ଟିକା ଅଛି, ତାହାକୁ ଯଥାସମ୍ଭବ ଶୀଘ୍ର ଅଧିକରୁ ଅଧିକ ଲୋକଙ୍କୁ ଦେବୁ। ବିଭିନ୍ନ ବ୍ୟବସାୟିକ ପ୍ରତିଷ୍ଠାନ ଏବଂ ସଂଘକୁ ଟିକା ନେବାକୁ ପ୍ରବର୍ତ୍ତାଇବୁ। ୪୫ ବର୍ଷରୁ ଊର୍ଦ୍ଧ୍ବ ବର୍ଗରେ ଯେପରି କେହି ବିନା ଟିକାକରଣରେ ରହିବେନି, ସେନେଇ ଆମେ ଅଭିଯାନ ଚଲାଇଛୁ। ଲୋକଙ୍କ ପାଖରେ ପହଞ୍ଚି ଟିକା ଦେବାଠାରୁ ଆରମ୍ଭ କରି ଲୋକଙ୍କୁ ଘରୁ ଆଣି ଟିକା ଦେବା ଭଳି ପଦକ୍ଷେପ ନିଆଯାଇଛି। ତେଣୁ ଜୁଲାଇ ୧୫ ସୁଦ୍ଧା ଆମେ ମୁଖ୍ୟମନ୍ତ୍ରୀ ଦେଇଥିବା ଟାର୍ଗେଟ୍ ହାସଲ କରିପାରିବୁ।

ସୂଚନାଯୋଗ୍ୟ ଯେ ବିଏମ୍‌ସି ପକ୍ଷରୁ ରାଜଧାନୀରେ ପ୍ରାୟ ୯ଲକ୍ଷ ୭ହଜାର ୧୯୪ଜଣଙ୍କୁ ୧୮ଲକ୍ଷ ୧୪ହଜାର ୩୮୮ ଡୋଜ୍ ଟିକା ଦେବାକୁ ଟାର୍ଗେଟ୍ ରଖାଯାଇଥିବା ବେଳେ ସୋମବାର ସୁଦ୍ଧା ୮ଲକ୍ଷ ୭୯ହଜାର ୫୮୨ ଡୋଜ୍‌ ଟିକା ଦିଆଯାଇଛି। ୫ଲକ୍ଷ ୯୪ହଜାର ୪୦୫ଜଣ ପ୍ରଥମ ଡୋଜ୍‌ ଟିକା ‌ନେଇସାରିଥିବା ବେଳେ ଏଥିରୁ ୨,୮୫,୧୭୭ଜଣ ଦ୍ବିତୀୟ ଡୋଜ୍‌ ଟିକା ନେଇଛନ୍ତି।

ଏଥିରୁ ୪୫ରୁ ଅଧିକ ବୟସ ଏବଂ ଅନ୍ୟାନ୍ୟ ବର୍ଗରେ ପ୍ରାୟ ୧ଲକ୍ଷ ୬୫ହଜାର ଲୋକ ଦ୍ବିତୀୟ ଡୋଜ୍‌ ଟିକା ନେବାକୁ ବାକି ଅଛନ୍ତି। ୧୮ରୁ ୪୪ବର୍ଷ ମଧ୍ୟରେ ପ୍ରାୟ ୧ଲକ୍ଷ ୯୦ହଜାର ଲୋକ ପ୍ରଥମ ଡୋଜ୍‌ ଟିକା ନେଇସାରିଲେଣି। ତେଣୁ ବାକି ୩ଲକ୍ଷ ୨୭ହଜାର ଲୋକଙ୍କୁ ପ୍ରଥମ ଡୋଜ୍‌ ଏବଂ ଏହି ୧ଲକ୍ଷ ୯୦ ହଜାରଙ୍କୁ ଦ୍ବିତୀୟ ଡୋଜ୍‌ ଦେବାକୁ ହେବ। ଅପରପକ୍ଷେ ସ୍ବାସ୍ଥ୍ୟକର୍ମୀ, ଆଗଧାଡ଼ିର କର୍ମୀ ବର୍ଗରେ ଟିକା ନେଉଥିବା ଲୋକଙ୍କ ସଂଖ୍ୟା ଟାର୍ଗେଟ୍‌ଠାରୁ ବହୁ ଅଧିକ ରହିଥିବାରୁ ୧୮ରୁ ୪୪ବର୍ଷ ପାଇଁ ଯେଉଁ ଟାର୍ଗେଟ୍‌ ରଖାଯାଇଛି, ତାହାଠାରୁ ଅଧିକ ଟିକା ଆଶାୟୀ ହେବେ ବୋଲି ଆକଳନ କରାଗଲାଣି।

 

ସମ୍ବନ୍ଧିତ ଖବର