ରାଜ୍ୟକୁ ଟିକା ମିଳିଲେ ଭରଣା କରିବେ
କେନ୍ଦ୍ର ଉଧାର ଦେଲାନି, କମ୍ପାନି ଯୋଗାଇ ପାରିଲାନି
୪୫ବର୍ଷରୁ ଊର୍ଦ୍ଧ୍ବଙ୍କ ୩୫ହଜାର ଟିକା ନେବେ ଯୁବବର୍ଗ
ଭୁବନେଶ୍ବର : ରାଜଧାନୀରେ ଯୁବବର୍ଗଙ୍କୁ କୋଭାକ୍ସିନ୍ ଟିକା ମିଳୁନି। ଟିକା କମ୍ପାନି ଠିକ୍ ସମୟରେ ଟିକା ଯୋଗାଇ ପାରିଲାନି। କେନ୍ଦ୍ର ସରକାର ବି ତାଙ୍କ ଭାଗର ଟିକା ରାଜ୍ୟ ସରକାରଙ୍କୁ ଉଧାର ଦେଲେନି। ଟିକାକୁ ନେଇ ରାଜଧାନୀରେ ଯୁବବର୍ଗଙ୍କ ମଧ୍ୟରେ ଅସନ୍ତୋଷ ବଢ଼ୁଛି, ଏପଟେ ଦ୍ବିତୀୟ ଡୋଜ୍ ଟିକା ନେବାର ଅବଧି ସରିସରି ଆସୁଥିବାରୁ ବିଏମ୍ସି କେନ୍ଦ୍ର ସରକାରଙ୍କ ଟିକାକୁ ଲୁଚାଇକି ଯୁବବର୍ଗଙ୍କୁ ଦେବାକୁ ନିଷ୍ପତ୍ତି ନେଇଛି। ଆସନ୍ତା ଦୁଇ ତିନି ସପ୍ତାହରେ ରାଜ୍ୟ ସରକାରଙ୍କୁ ଅଧିକ ଟିକା ମିଳିବାକୁ ଥିବା ବେଳେ ତାହାକୁ କେନ୍ଦ୍ର ସରକାରଙ୍କ ଖାତାରେ ପକାଇ ଦିଆଯିବ। ଏହିଭଳି ଯୋଜନା ଦୁଇ ଦିନ ହେଲା ଚାଲିଥିବା ବେଳେ ଆଜି ଏହାକୁ ରୂପ ଦିଆଯାଇଛି। ଯେଉଁଥିପାଇଁ ବିଏମ୍ସି ପାଖରେ ଟିକା ନଥାଇ ବି ସୋମବାରଠାରୁ ଦ୍ବିତୀୟ ଡୋଜ୍ ଓ ପ୍ରଥମ ଡୋଜ୍ ଟିକାକରଣ ଆରମ୍ଭ ହେବାକୁ ଯାଉଛି।
ବିଏମ୍ସି ପାଖରେ ଏବେ ରାଜ୍ୟ ସରକାରଙ୍କର ମାତ୍ର ୨୦୮୦ଟି କୋଭାକ୍ସିନ୍ ଟିକା ଅଛି। ଯାହା ୧୮ରୁ ୪୪ବର୍ଷ ବୟସ୍କ ଲୋକଙ୍କୁ ପ୍ରଥମ ଓ ଦ୍ବିତୀୟ ଡୋଜ୍ ଭାବେ ଦିଆଯିବ। ବିଏମ୍ସି ପାଖରେ ମାତ୍ର ୨୦୮୦ଟି ଟିକା ଥିଲେ ହେଁ ସୋମବାର ୧୬ହଜାର ଯୁବବର୍ଗଙ୍କୁ ଦ୍ବିତୀୟ ଡୋଜ୍ ଏବଂ ୨୨୦୦ଜଣଙ୍କୁ ପ୍ରଥମ ଡୋଜ୍ ଦେବାକୁ ଯୋଜନା ହୋଇଛି। ମାତ୍ର ୨୦୮୦ ଡୋଜ୍ରେ କିପରି ୧୮,୨୦୦ ଜଣଙ୍କୁ ଟିକା ଦିଆଯିବ, ସେନେଇ ପ୍ରଶ୍ନ ଉଠିଛି। ପାଖରେ ଟିକା ନଥାଇ କିପରି ସ୍ଲଟ୍ ବୁକିଂ ରଖାଗଲା, କିପରି ଜୁନ୍ ୧୨ଯାଏଁ ଟିକା ଦେବାର ଯୋଜନା ହେଲା, ସେନେଇ ବିଏମ୍ସି କର୍ତ୍ତୃପକ୍ଷଙ୍କୁ ପ୍ରଶ୍ନ କଲେ ବି ଉତ୍ତର ମିଳୁନି।
/sambad/media/post_attachments/wp-content/uploads/2021/06/tika.jpg)
ଏପଟେ ସ୍ବାସ୍ଥ୍ୟ ବିଭାଗର ଜଣେ ବରିଷ୍ଠ ଅଧିକାରୀ କହିଛନ୍ତି ଯେ କୋଭାକ୍ସିନ୍ ଟିକା ନେବାର ୨୮ରୁ ୪୨ଦିନ ମଧ୍ୟରେ ଦ୍ବିତୀୟ ଡୋଜ୍ ନେବାକୁ ପଡ଼ିବ। ହେଲେ ଆମ ପାଖରେ ଆବଶ୍ୟକ ଟିକା ନାହିଁ। କେନ୍ଦ୍ର ସ୍ବାସ୍ଥ୍ୟ ମନ୍ତ୍ରାଳୟକୁ ଟିକା ଉଧାର ମଗାଯାଇଥିଲେ ହେଁ ସେନେଇ କିଛି ଉତ୍ତର ମିଳିଲାନି। ତେଣୁ ଆମେ ବାଧ୍ୟ ହୋଇ ବିଏମ୍ସି କର୍ତ୍ତୃପକ୍ଷଙ୍କୁ ୩୫ ହଜାର ଟିକା ଦେଇଛୁ। ଏହି ଟିକାକୁ ନେଇ ସେମାନେ ଯୋଜନା କରିବାକୁ କୁହାଯାଇଛି। ଶନିବାର ଟିକାକରଣ ପରେ ଆମ ପାଖରେ କେନ୍ଦ୍ର ସରକାରଙ୍କର ୪,୫୨,୮୪୦ ଡୋଜ୍ କୋଭାକ୍ସିନ୍ ଟିକା ଥିଲା। ରାଜ୍ୟ ସରକାରଙ୍କର ୨୦୮୦ ଡୋଜ୍ ଟିକା ଥିଲା। ରବିବାର ଟିକାକରଣ ହୋଇ ନଥିବା ବେଳେ କେନ୍ଦ୍ର ସରକାର ଦେଇଥିବା ଟିକାରୁ ୩୫ ହଜାର ଟିକା ବିଏମ୍ସିକୁ ଦିଆଯାଇଛି। ଏହାଦ୍ବାରା ବିଏମ୍ସି ପାଖରେ ୩୭,୦୮୦ଟିକା ମହଜୁଦ୍ ହୋଇଯାଇଛି। ସୋମବାର ୨୬ହଜାର ଟିକା ଆସିବାକୁ ଥିବା ବେଳେ ଏହାକୁ ମିଶାଇଲେ ତିନିରୁ ଚାରିଦିନ ଏବେ ଟିକାର ଅଭାବ ରହିବନି। ଏହାପରେ ୧୦ ତାରିଖରେ ପ୍ରାୟ ୩୫ ହଜାର ଡୋଜ୍ ଆସିବ। ତେଣୁ ଏବେ ଟିକା ଦିଆଗଲେ କିଛି ସମସ୍ୟା ହେବନି। ଟିକା ନିଅଣ୍ଟ ହେଲେ କେନ୍ଦ୍ର ସରକାରଙ୍କ କୋଟା ଟିକା ଆଣିକି ଦିଆଯିବ, ସମସ୍ତଙ୍କୁ ଧାର୍ଯ୍ୟ ସମୟରେ ଟିକା ଦିଆଯିବ ବୋଲି ସ୍ବାସ୍ଥ୍ୟ ବିଭାଗର ଜଣେ ବରିଷ୍ଠ ଅଧିକାରୀ କହିଛନ୍ତି।
ବିଏମ୍ସି କର୍ତ୍ତୃପକ୍ଷ କହିଛନ୍ତି ଯେ ଯିଏ ଯେଉଁ ଟିକା କେନ୍ଦ୍ରରେ ପ୍ରଥମ ଡୋଜ୍ ଟିକା ନେଇଥିଲେ, ସେମାନେ ସେହି କେନ୍ଦ୍ରରେ ଦ୍ବିତୀୟ ଡୋଜ୍ ଟିକା ନେବେ। କେବଳ ଯାତ୍ରୀ ନିବାସରେ ଟିକା ନେଇଥିବା ଲୋକ ବୁଦ୍ଧେଶ୍ବରୀ ଗୋଷ୍ଠୀ କେନ୍ଦ୍ରରେ ଏବଂ ଟେରାକୋଟା ଭବନରେ ଟିକା ନେଇଥିବା ଲୋକ ୟୁନିଟ-୧ ବାଳିକା ଉଚ୍ଚ ବିଦ୍ୟାଳୟରେ ଟିକା ନେବେ। ଏବେ ଦିନକୁ ପ୍ରାୟ ୧୬ ହଜାର ଲୋକଙ୍କୁ ଦ୍ବିତୀୟ ଡୋଜ୍ ଟିକା ଦେବାକୁ ଯୋଜନା ହୋଇଛି। ଦ୍ବିତୀୟ ଡୋଜ୍ ପାଇଁ କୌଣସି ପ୍ରକାରର ବୁକିଂ କରିବାକୁ ପଡ଼ିବନି। କେବଳ ପ୍ରଥମ ଡୋଜ୍ ନେବା ପରେ ମୋବାଇଲ୍କୁ ଆସିଥିବା ମେସେଜ୍ କିମ୍ବା ପ୍ରଥମ ଡୋଜ୍ ଟିକା ସାର୍ଟିଫିକେଟ୍ ଦେଖାଇକି ଟିକା ନେଇପାରିବେ। ଯେଉଁମାନେ ପ୍ରଥମ ଡୋଜ୍ ଟିକା ନେଇଛନ୍ତି, ସେମାନଙ୍କୁ ନିଶ୍ଚିତ ଦ୍ବିତୀୟ ଡୋଜ୍ ଟିକା ମିଳିବ। ଏବେ ୧୮ରୁ ୪୪ବର୍ଷ ଲୋକଙ୍କୁ ଦିନକୁ ୧୬୦୦୦ ଦ୍ବିତୀୟ ଡୋଜ୍ ଏବଂ ୨୨୦୦ ଲୋକଙ୍କୁ ପ୍ରଥମ ଡୋଜ୍ ଦିଆଯିବ। ୪୫ ବର୍ଷରୁ ଊର୍ଦ୍ଧ୍ବଙ୍କୁ ୩ହଜାର ଟିକା ଦିଆଯିବ।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2021/05/vaccine-covid-aaa.jpg)