ରାଜଧାନୀରେ ଟିକାକରଣ ନିୟମ ବଦଳିଲା: ଆଗ ଟେଷ୍ଟିଂ, ପରେ ଟିକା

ଏବେ ଟୋକନ୍ ନେଇ ଟିକା ନେଉଥିବା ଲୋକଙ୍କ ପାଇଁ ଲାଗୁ ହେବ

ଭୁବନେଶ୍ବର : ରାଜଧାନୀରେ କୋଭିଡ ଟିକା ଅଭିଯାନ ଜୋରଦାର୍ କରାଯାଇଥିବାବେଳେ ଆଜିଠାରୁ ଏଥିପାଇଁ ନୂଆ ନିୟମ ଲାଗୁ ହୋଇଛି। ମୋବାଇଲ୍‌ ଟିକାଦାନ କେନ୍ଦ୍ରରେ ଯେଉଁମାନେ ଟିକା ନେବେ ସେମାନଙ୍କର ଆଗ କୋଭିଡ ପରୀକ୍ଷା ହେବ, ରିପୋର୍ଟ ନେଗେଟିଭ୍ ଆସିଲେ ଟିକା ନେବାର ନିୟମ କରାଯାଇଛି। ପ୍ରଥମ ଦିନରେ ବିଭିନ୍ନ ଟିକାଦାନ କେନ୍ଦ୍ରରେ ପ୍ରାୟ ୨ହଜାର ଜଣଙ୍କର ଆଣ୍ଟିଜେନ୍ ଟେଷ୍ଟ ହୋଇଥିବାବେଳେ ୧୦ଜଣଙ୍କର ପଜିଟିଭ୍ ଆସିଥିବା ଜାଣିବାକୁ ମିଳିଛି। ଫଳରେ ସେମାନଙ୍କୁ ବାଦ୍‌ ଦେଇ ଅନ୍ୟମାନଙ୍କୁ ଟିକା ଦିଆଯାଇଛି।

ବିଏମ୍‌ସିର ଜଣେ ବରିଷ୍ଠ ଅଧିକାରୀ କହିଛନ୍ତି ଯେ ବିଏମ୍‌ସି ପକ୍ଷରୁ ପ୍ରତି ଜୋନ୍‌ରେ ବିଭିନ୍ନ କେନ୍ଦ୍ରରେ ବସ୍ତିବାସିନ୍ଦା ଓ ଅନ୍ୟ ଲୋକଙ୍କୁ ଟୋକନ୍ ମାଧ୍ୟମରେ ଟିକା ଦିଆଯାଉଛି। ଏବେ ରାଜଧାନୀରେ କରୋନା ଆକ୍ରାନ୍ତ ବଢ଼ୁଛି। ଏହା ଟିକାଦାନ କେନ୍ଦ୍ରରେ ଭିଡ଼ ଯୋଗୁଁ ବଢ଼ୁଛି ନା ପୂର୍ବରୁ ପଜିଟିଭ୍ ହୋଇ ଆସିଥିବା ଲୋକ ଟିକା ନେଉଛନ୍ତି ତାହା ଜାଣିବାକୁ ଆ‌ଜିଠାରୁ ସମସ୍ତ ମୋବାଇଲ୍‌ ଟିକାଦାନ କେନ୍ଦ୍ରରେ ଆଣ୍ଟିଜେନ୍ ଟେଷ୍ଟିଂ ଆରମ୍ଭ ହୋଇଛି। ଆଗାମୀ ଦିନରେ ଏହା ସବୁ କେନ୍ଦ୍ରରେ ଲାଗୁ ହେବ କି ନାହିଁ ତାହା ଉପରେ ଆଲୋଚନା ହେଉଛି। ଉକ୍ତ ଅଧିକାରୀ ଜଣଙ୍କ କହିଛନ୍ତି ଯେ, ଟିକାଦାନ କେନ୍ଦ୍ରରେ ଆଣ୍ଟିଜେନ୍ ଟେଷ୍ଟ କରିବା ଦ୍ବାରା ଟିକାକରଣ ସାମାନ୍ୟ ବିଳମ୍ବ ହେଉଛି। ଜଣେ ଟେଷ୍ଟ କଲେ ୫ମିନିଟରେ ରିପୋର୍ଟ ଆସିଯାଉଛି। ରିପୋର୍ଟ ନେଗେଟିଭ୍ ଆସିଲେ ଟିକା ନେଇପାରିବ। ଏହାଦ୍ବାରା ଅଧିକ ଲୋକଙ୍କର କୋଭିଡ ପରୀକ୍ଷା ହୋଇପାରିବ ଏବଂ ଅଧିକରୁ ଅଧିକ ଆକ୍ରାନ୍ତଙ୍କୁ ଚିହ୍ନଟ କରାଯାଇପାରିବ।

ସେହିପରି ଶନିବାର ଭୁବନେଶ୍ବରରେ ବିଭିନ୍ନ ସ୍ଥାନରେ ପ୍ରାୟ ୩୩୦୦ ଜଣଙ୍କର ଆଣ୍ଟିଜେନ୍ ଟେଷ୍ଟ ହୋଇଥିବାବେଳେ ୨୨ଜଣଙ୍କର ପଜିଟିଭ୍ ବାହାରିଛି। ଶନିବାର ଭିଏସ୍‌ଏସ୍‌ ନଗର କଲ୍ୟାଣ ମଣ୍ଡପ, ଲୟୋଲା ସ୍କୁଲ, ଚନ୍ଦ୍ରଶେଖରପୁର କଲ୍ୟାଣ ମଣ୍ଡପ, ୟୁନିଟ-୨ ବାଳିକା ଉଚ୍ଚ ବିଦ୍ୟାଳୟ, ବୁଦ୍ଧେଶ୍ବରୀ ଗୋଷ୍ଠୀ କେନ୍ଦ୍ର, ସହିଦନଗର କଲ୍ୟାଣ ମଣ୍ଡପ, ସାଁପୁର ଉଚ୍ଚବିଦ୍ୟାଳୟ, ଗୁପ୍ତେଶ୍ବର ଏନକ୍ଲେଭ୍, ରେଣ୍ଟାଲ କଲୋନି ଡେ’କେୟାର ସେଣ୍ଟର, ୟୁନିଟି-୮ ଗୋଷ୍ଠୀ କେନ୍ଦ୍ର, ନୂଆପଲ୍ଲୀ ଶ୍ରୀ କ୍ରିଷ୍ଣା କ୍ଲବରେ ଏହି ଟେଷ୍ଟିଂ ହୋଇଥିଲା।

ସମ୍ବନ୍ଧିତ ଖବର