ଭୁବନେଶ୍ବରରେ ପ୍ରଥମ ଡୋଜ୍‌ ଟାର୍ଗେଟ୍‌ ହାସଲ, ଜୁଲାଇ ୩୧ ସୁଦ୍ଧା ସରିବ ଟିକାକରଣ

ସମସ୍ତଙ୍କୁ ଦୁଇ ଡୋଜ୍‌ ଟିକାରେ ଭୁବନେଶ୍ବର ହେବ ପ୍ରଥମ ସହର

ସୋମବାରରୁ ବିନା ବୁକିଂରେ ଟିକା
୧୪.୮୩ଲକ୍ଷ ଟିକା ଦିଆଗଲାଣି
ଜୁଲାଇ ୧୫ ଥିଲା ଟାର୍ଗେଟ, ପହିଲାରୁ ଟାର୍ଗେଟ୍ ପୂରଣ

ଭୁବନେଶ୍ବର, (ବିଶ୍ବଜିତ ଦାଶ) : ଟିକାକରଣରେ ଭୁବନେଶ୍ବର ଦେଶର ବାକି ସହରଙ୍କୁ ମାତ୍‌ ଦେଇସାରିଲାଣି। ଟିକା ଦେବା ପାଇଁ ଦିନକୁ ୨୦୦ରୁ ଅଧିକ କେନ୍ଦ୍ରରେ ଟିକାକରଣ, ଦିନକୁ ୩୦ ହଜାର ଲୋକଙ୍କୁ ଟିକା, ଡ୍ରାଇଭ୍ ଇନ୍ ଟିକା, ବାସହରା, ଭିକାରୀ, ବସ୍ତିବାସିନ୍ଦାଙ୍କୁ ଟିକା ଭଳି ବହୁ ଅଭିନବ ପଦକ୍ଷେପ ନେଇ ଭୁବନେଶ୍ବର ଏବେ ଦେଶର ଚର୍ଚ୍ଚିତ ସହର ପାଲଟି ଯାଇଛି। ଏପରିକି ଅଧିକ ଜନସଂଖ୍ୟା ବିକଶିତ ସହରଙ୍କ ତୁଳନାରେ ହେଉ କି କମ୍‌ ଜନସଂଖ୍ୟା ବିଶିଷ୍ଟ ସହର; ସମସ୍ତଙ୍କଠାରୁ ଆଗରେ ରହିଛି ଭୁବନେଶ୍ବର। ଏଥିପାଇଁ ସମସ୍ତଙ୍କୁ ଟିକା ଦେବାରେ ଭୁବନେଶ୍ବର ଦେଶର ପ୍ରଥମ ସହର ହେବାକୁ ଯାଉଛି।

ରାଜ୍ୟ ସରକାର ଜୁଲାଇ ୧୫ସୁଦ୍ଧା ସମସ୍ତଙ୍କୁ ପ୍ରଥମ ଡୋଜ୍ ଟିକା ଦେବେ ବୋଲି ଘୋଷଣା କରିଥିଲେ। ଏହି ଟା‌ର୍ଗେଟ୍‌କୁ ହାସଲ କରିବା ପାଇଁ ବିଏମ୍‌ସି ଦୈନିକ ଟିକାକରଣ ୧୮ ହଜାରରୁ ୨୮ହଜାରକୁ ହଠାତ୍ ବୃଦ୍ଧି କରିଥିଲା। ଏହାପରେ ଦୈନିକ ୩୦ହଜାର ଲୋକଙ୍କୁ ଟିକା ଦେଇ ଜୁଲାଇ ପହିଲା ସୁଦ୍ଧା ପ୍ରଥମ ଡୋଜ୍ ଟିକା ଟା‌ର୍ଗେଟ୍ ହାସଲ କରିନେଇଛି।

ବିଏମ୍‌ସିର ସୂଚନା ଅନୁଯାୟୀ, ରାଜଧାନୀରେ ଏବେ ଜନସଂଖ୍ୟା ୧୦ ଲକ୍ଷ ୯୭ ହଜାର ଥିବା ବେଳେ ଏଥିରୁ ୯ଲକ୍ଷ ୭ ହଜାର ୧୯୪ ଜଣଙ୍କୁ ଟିକା ଦେବାକୁ ଯୋଜନା ହୋଇଥିଲା। କିନ୍ତୁ ଆଜି ସୁଦ୍ଧା ‌୯ଲକ୍ଷ ୬୭ହଜାର ୯୯ଜଣଙ୍କୁ ପ୍ରଥମ ଡୋଜ୍ ଟିକା ଦିଆସରିଲାଣି। ଏଥିରୁ ୫ଲକ୍ଷ ୧୫ହଜାର ୯୭୧ଜଣ ଦ୍ବିତୀୟ ଟିକା ନେଇ ସାରିଲେଣି। ବାକି ସମସ୍ତଙ୍କୁ ଖୁବ୍‌ ଶୀଘ୍ର ଟିକା ଦିଆଯିବ। ବର୍ତ୍ତମାନ ସୁଦ୍ଧା ୧୪ଲକ୍ଷ ୮୩ହଜାର ୭୦ ଡୋଜ୍ ଟିକା ଦିଆଯାଇଥିବା ବେଳେ ସରକାରୀ ବ୍ୟବସ୍ଥାରେ ୧୪ ଲକ୍ଷ ୫୭ ହଜାର ୮୦୦ ଜଣ ଟିକା ନେଇଛନ୍ତି। ଘରୋଇ ହସ୍ପିଟାଲରେ ୨୫,୨୭୦ଜଣ ଟିକା ନେଇଛନ୍ତି।

ବିଏମ୍‌ସି କମିସନର ସଞ୍ଜୟ ସିଂହ କହିଛନ୍ତି ଯେ ଆମେ ଯେତିକି ଟାର୍ଗେଟ୍ ରଖିଥିଲୁ, ତାହାକୁ ହାସଲ କରିଛୁ। ଯେଉଁମାନେ ସ୍ଲଟ୍‌ ବୁକିଂ କରି ଟିକା ନେଇଥିଲେ, ସେମାନଙ୍କୁ ଜୁଲାଇ ୩୧ ସୁଦ୍ଧା ଦ୍ବିତୀୟ ଡୋଜ୍‌ ଦିଆଯିବ। ଜୁଲାଇ ୩୧ ବେଳକୁ ରାଜଧାନୀରେ ସମସ୍ତେ ଟିକା ନେଇ ସାରିଥିବେ। ଏବେ ଆମେ ବୁକିଂ ବନ୍ଦ କରିଛୁ। ଯେଉଁମାନେ ଟିକା ନେଇ ନଥିବେ, ସେମାନେ ବିନା ବୁକିଂରେ ବିଭିନ୍ନ ଟିକାକରଣ କେନ୍ଦ୍ରକୁ ଯାଇ ଟିକା ନେଇପାରିବେ। ଏବେ କେବଳ ୱାକ୍‌-ଇନ୍ ଟିକା ଚାଲିବ। ଯିଏ ଆସିବେ, ତାଙ୍କୁ ଟିକା ଦିଆଯିବ। ‌ବିଭିନ୍ନ ସ୍ଥାନରେ ପ୍ରଚାର, ସଚେତନତା କାର୍ଯ୍ୟକ୍ରମ କରି ବାକି ରହିଯାଇଥିବା ଲୋକଙ୍କୁ ଟିକାକେନ୍ଦ୍ରକୁ ଆଣିବୁ। ଏହାସହ ଦ୍ବିତୀୟ ଡୋଜ୍ ଟିକାକରଣକୁ ଫୋକସ୍‌ କରିବୁ। ଏବେ ଯେଉଁମାନେ ଟିକା ନେବେ, ସେମାନଙ୍କୁ ବି ଠିକ୍ ସମୟରେ ଦ୍ବିତୀୟ ଡୋଜ୍‌ ଦେବୁ ଏବଂ ଯେଉଁମାନଙ୍କର ବାକି ଅଛି, ତାଙ୍କୁ ଟିକା ଦେବୁ।

ସମ୍ବନ୍ଧିତ ଖବର