ଖଣ୍ଡଗିରି: ଆସନ୍ତାକାଲି ଘାଟିକିଆ ମୌଜା ଅନ୍ତର୍ଗତ ଖଣ୍ଡଗିରିବାରିସ୍ଥିତ ଶ୍ରୀବୈକୁଣ୍ଠଧାମ ଆଶ୍ରମ ଭଙ୍ଗାଯିବା ନେଇ ବିଡିଏ ପକ୍ଷରୁ ଆଜି ଘୋଷଣା ହୋଇଥିବା ବେଳେ ଏଥିରେ ରୋକ୍ ଲଗାଇଛନ୍ତି ହାଇକୋର୍ଟ। ଡିସେମ୍ବର ୧୨ତାରିଖ ପର୍ଯ୍ୟନ୍ତ ଘାଟିକିଆ ମୌଜାର ଖାତା ନମ୍ବର-୨୩୩୩ର ପ୍ଲଟ୍ ନମ୍ବର-୧୨୧୫ ଉପରେ କୌଣସି କାର୍ଯ୍ୟାନୁଷ୍ଠାନ ନେବାକୁ ହାଇକୋର୍ଟ ମନା କରିଦେଇଛନ୍ତି। ଆବେଦନକାରୀଙ୍କ କହିବା ଅନୁଯାୟୀ, ଏହି ଜମି ବିବାଦର ସମାଧାନ ହୋଇସାରିଛି। ଏଠାରେ ଯୋଗ ପ୍ରଶିକ୍ଷଣ ଦିଆଯିବ। ଏହି ଜମିକୁ ଟ୍ରଷ୍ଟ ନାମରେ କରିବା ପାଇଁ ସ୍କୁଲ ଓ ଗଣଶିକ୍ଷା ବିଭାଗ ସୁପାରିସ କରିଛି। କିନ୍ତୁ ଏହାକୁ ଭୃକ୍ଷେପ ନକରି ପ୍ରଶାସନ ଉଚ୍ଛେଦ ପାଇଁ ଯୋଜନା କରିଛି।
ଆଜି ବିଡିଏ ପକ୍ଷରୁ ଆଶ୍ରମ ଉଚ୍ଛେଦ ନେଇ ମାଇକ୍ ଯୋଗେ ପ୍ରଚାର କରାଯାଇଥିଲା। ଆସନ୍ତାକାଲି ସକାଳ ୮ଟାରୁ ଆଶ୍ରମ ଭାଙ୍ଗିବା ପ୍ରକ୍ରିୟା ଆରମ୍ଭ ହେବ ଏବଂ ଭାଙ୍ଗିବା ପୂର୍ବରୁ ଆଶ୍ରମ ଭିତରୁ ସମସ୍ତ ସାମଗ୍ରୀକୁ ବାହାର କରିନେବାକୁ ସୂଚନା ଦିଆଯାଇଥିଲା। ଏବେ ହାଇକୋର୍ଟଙ୍କ ଆଦେଶ ଆସିବା ପରେ ପ୍ରଶାସନ ହରଡ଼ଘଣାରେ ପଡ଼ିଛି। ତେବେ ମାପଚୁପ କଲାବେଳେ ଆଶ୍ରମ ଖାତା ନମ୍ବର-୨୩୩୯, ପ୍ଲଟ୍ ନଂ-୯୦୩୭ ଓ ୯୦୩୮ରେ ଥିବା ଜଣାପଡ଼ିଥିଲା। କିନ୍ତୁ କୋର୍ଟ ଖାତା ନମ୍ବର-୨୩୩୩ର ପ୍ଲଟ୍ ନମ୍ବର-୧୨୧୫ ଉପରେ କୌଣସି କାର୍ଯ୍ୟାନୁଷ୍ଠାନ ନନେବାକୁ ଆଦେଶ ଦେଇଛନ୍ତି। ଖାତା ନମ୍ବର ଓ ପ୍ଲଟ୍ ନମ୍ବର ମେଳ ଖାଉନଥିବାରୁ ପ୍ରଶାସନ ଶାବିକ୍ ଓ ହାଲ୍ ନକ୍ସାକୁ ଆସନ୍ତାକାଲି ସକାଳେ ମେଳ କରାଇବ। କୋର୍ଟଙ୍କ ଆଦେଶପତ୍ରରେ ଥିବା ପ୍ଲଟ୍ ନମ୍ବର ଭିନ୍ନ ପ୍ଲଟ୍ରେ ଆଶ୍ରମ ଥିଲେ ଉଚ୍ଛେଦ କରାଯିବ। କୌଣସି ପ୍ରକାର ଅପ୍ରୀତିକର ପରିସ୍ଥିତିକୁ ଦୃଷ୍ଟିରେ ରଖି ଆଶ୍ରମ ଭିତରେ ଏକ ସେକ୍ସନ ପୁଲିସ ମୁତୟନ କରାଯାଇଥିବା ସୂଚନା ମିଳିଛି।
କେମିତି ଆରମ୍ଭ ହେଲା ଆଶ୍ରମ
ଖଣ୍ଡଗିରିବାରିସ୍ଥିତ ଜୟଦେବବାଟିକା ନିକଟରେ ପ୍ରତିଷ୍ଠା ହୋଇଥିବା ଏହି ଆଶ୍ରମ ପ୍ରାୟ ୧୦-୧୨ ବର୍ଷ ପୁରୁଣା। ସ୍ଥାନୀୟ ଲୋକଙ୍କ କହିବା ଅନୁଯାୟୀ, ୨୦୧୩ରେ ଏଠାରେ କେହି ରହୁନଥିଲେ। ନିଛାଟିଆ ସ୍ଥାନ ହୋଇଥିବାରୁ ଲୋକଙ୍କ ଚଳପ୍ରଚଳ ବି କମ୍ ରହୁଥିଲା। ତେବେ ୨୦୧୪ରେ ଆଶ୍ରମ ନିର୍ମାଣ ହେବା ପରେ ଏଠାରେ ଏକ ବସ୍ତି ଗଢ଼ି ଉଠିଥିଲା। ପୂର୍ବରୁ ଆଶ୍ରମକୁ ସେତେଟା ଲୋକ ଆସୁନଥିଲେ। ମାତ୍ର ୨୦୧୮ ମସିହାରୁ ଲୋକଙ୍କ ଯା’ଆସ ବଢ଼ିଲା। ସ୍ଥାନୀୟ ଲୋକଙ୍କୁ ଆଶ୍ରମ ଭିତରକୁ ପ୍ରବେଶ ନିଷେଧ ଥିବାରୁ ସେମାନେ ଏ ବାବଦରେ ମୁଣ୍ଡ ଖେଳାଉନଥିଲେ ବୋଲି କହିଛନ୍ତି। ତେବେ ୬ ମାସ ପର୍ଯ୍ୟନ୍ତ ସାତ୍ତ୍ବିକ ଆହାର ଗ୍ରହଣ କଲାପରେ ଯାଇ ଆଶ୍ରମ ଭିତରକୁ ପ୍ରବେଶ କରିବାକୁ ଅନୁମତି ମିଳୁଥିଲା ବୋଲି କିଛି ଲୋକ କହିଛନ୍ତି। ତେବେ ଗୋଟିଏ ଛୋଟିଆ କୋଠରିରୁ ଆଶ୍ରମ ବିସ୍ତାର ହୋଇ ଚାଲିଥିଲା।
ଆଶ୍ରମରେ କ’ଣ ଚାଲିଥିଲା
ଧର୍ମର ପ୍ରଚାର ପ୍ରସାର ନାଁରେ ଏଠାରେ ‘କଳ୍କୀ ବାବା’ ବିଳାସମୟ ଜୀବନ ବଞ୍ଚୁଥିବା ଅଭିଯୋଗ ହୋଇଥିଲା। ଧର୍ମକର୍ମ ନାଁରେ ଭକ୍ତମାନଙ୍କଠାରୁ ମୋଟା ଅଙ୍କର ଟଙ୍କା ଦାବି କରାଯାଉଥିଲା। ଆତ୍ମଘୋଷିତ କଳ୍କୀ ବାବା ଗୋଡ଼ର କାଣି ଆଙ୍ଗୁଠିରେ ଛୁଇଁଦେଲେ ସନ୍ତାନପ୍ରାପ୍ତି ହୁଏ ଏବଂ ବାବା ବହୁ ଜଟିଳ ରୋଗକୁ ସ୍ପର୍ଶ ଚିକିତ୍ସା ଯୋଗେ ଭଲ କରିପାରୁଥିବା ନେଇ ଗୁଜବ ଉଠିଥିଲା। ଏପରିକି ଆଶ୍ରମରେ ପଲଙ୍କ ସେବା ଚାଲିଥିବା ନେଇ ଅଭିଯୋଗ ଉଠିଥିଲା। ସେହିପରି ରାଜ୍ୟ ବାହାର ତଥା ବିଦେଶରେ ମଧ୍ୟ ବାବାଙ୍କର ବହୁ ଭକ୍ତ ରହିଥିବା ଜଣାପଡ଼ିଛି। ଆଶ୍ରମଠାରୁ ୩୦୦ ମିଟର ଦୂରରେ ଥିବା ଏକ କୋଠାରେ ବାହାରୁ ଆସୁଥିବା ଭକ୍ତଙ୍କ ପାଇଁ ରହଣି ବ୍ୟବସ୍ଥା କରାଯାଉଥିଲା ବୋଲି ଜଣାପଡ଼ିଛି। ଶ୍ରୀବୈକୁଣ୍ଠ ଆଶ୍ରମ ଭିତରେ ଟିଭି, ଫ୍ରିଜ୍, ଏସିଠାରୁ ଆରମ୍ଭ କରି କେଟିଏମ୍ ବାଇକ୍ ଆଦି ରହିଥିବା ଦେଖିବାକୁ ମିଳିଛି। ବାବା କେଟିଏମ୍ ଚଢ଼ି କଲେଜ ଯାଉଥିବା ମଧ୍ୟ ସ୍ଥାନୀୟ ଲୋକେ କହିଛନ୍ତି। ସେହିପରି ଏକ ୟୁଟ୍ୟୁବ୍ ଚ୍ୟାନେଲରେ ପଣ୍ଡିତ କାଶୀନାଥ ପ୍ରବଚନ ଦେଉଥିବା ଏବଂ ପ୍ରବଚନରେ ଅଂଶଗ୍ରହଣ କରିବା ପାଇଁ ଏକ ବାର୍କୋଡ୍କୁ ସ୍କାନ୍ କରି ଟଙ୍କା ପଇଠ କରିବାକୁ ଶ୍ରଦ୍ଧାଳୁଙ୍କୁ କୁହାଯାଉଥିବା ଜଣାପଡ଼ିଛି
ସୂଚନାଯୋଗ୍ୟ, ଶ୍ରୀବୈକୁଣ୍ଠଧାମ ଆଶ୍ରମରେ ଜଣେ ନାବାଳକଙ୍କୁ କଳ୍କୀ ଅବତାର ଭାବେ ପୂଜାର୍ଚ୍ଚନା କରିବା ତଥା ନାବାଳକଙ୍କ ପାଦତଳେ ଭାଗବତ ଓ ତୁଳସୀ ରଖାଯିବା ଫଟୋ ଭାଇରାଲ୍ ପରେ କିଛି ସାମଜିକ କର୍ମକର୍ତ୍ତା ଭରତପୁର ଥାନାରେ ଅଭିଯୋଗ କରିଥିଲେ। ଏହାପରେ ବିଭିନ୍ନ ମହିଳା ସଙ୍ଗଠନ ସହିତ ସ୍ଥାନୀୟ ଲୋକଙ୍କ ପକ୍ଷରୁ ଆଶ୍ରମର ଟ୍ରଷ୍ଟି ପାଣ୍ଡବ ପରିଡ଼ା ଓ କୁନିବାବାଙ୍କ ବାପା ପଣ୍ଡିତ କାଶୀନାଥ ମିଶ୍ରଙ୍କ ଗିରଫ ଦାବି ଜୋର୍ ଧରିଥିଲା। ପୂର୍ବରୁ କାଶୀନାଥ ପୁଅ ଭଗବାନ ନୁହେଁ ବୋଲି ଏକ ଭିଡିଓରେ ସ୍ପଷ୍ଟ କରିଥିଲେ ମଧ୍ୟ ବର୍ତ୍ତମାନ ଆଶ୍ରମ ଭିତରେ କୁନିବାବାଙ୍କୁ ପୂଜାର୍ଚ୍ଚନା କରାଯାଉଥିବାର ବହୁ ଭିଡିଓ ଭାଇରାଲ୍ ହେବାରେ ଲାଗିଛି। ବାବା ଯାଜପୁରରେ ଜନ୍ମଗ୍ରହଣ କରି ଖଣ୍ଡଗିରିରେ ଲୀଳା କରିବେ ବୋଲି ମାଳିକାରେ ଉଲ୍ଲେଖ ରହିଥିବା ନେଇ ପଣ୍ଡିତ କାଶୀନାଥ ଓ ଆଶ୍ରମର ଟ୍ରଷ୍ଟି ପାଣ୍ଡବ ପରିଡ଼ା କହୁଥିଲେ। ପଣ୍ଡିତ କାଶୀନାଥ ନିଜ ପୁଅକୁ ‘କଳ୍କୀ ବାବା’ କହି ବୁଲୁଥିଲେ। ସେହିପରି ବାବା ବାବା ବୋଲି ପାଣି ପିଉନଥିବା ପାଣ୍ଡବ ପରିଡ଼ା ଦୁଇଦିନ ଧରି ବାବାଙ୍କ ଗୁଣଗାନ କରିବା ପରେ କ୍ଷମା ପ୍ରାର୍ଥନା କରିଥିଲେ। ସେବେଠାରୁ ତାଙ୍କର ମଧ୍ୟ ଦେଖା ମିଳୁନାହିଁ।
ଆଜି କଳିଙ୍ଗବିହାର ଅଞ୍ଚଳର ରଞ୍ଜନ କୁମାର ମୁଦୁଲି ନାମକ ଜଣେ ବ୍ୟକ୍ତିଙ୍କୁ ହତ୍ୟା ଧମକ ଦିଆଯାଇଥିବା ନେଇ ତମାଣ୍ଡୋ ଥାନାରେ ଅଭିଯୋଗ ହୋଇଛି। ରଞ୍ଜନ ସମାଜିକ ଗଣମାଧ୍ୟମରେ ପଣ୍ଡିତ କାଶୀନାଥଙ୍କୁ ଗାଳିଗୁଲଜ କରିଥିବାରୁ ତାଙ୍କୁ କେହି ଦୁର୍ବୃତ୍ତ ଫୋନ୍ ଯୋଗେ ହତ୍ୟାଧମକ ଦେଇଥିଲା। ‘‘ବାବା ଓ କାଶୀନାଥଙ୍କ ବିରୋଧ କହୁଥିବାରୁ ତୋତେ ଆମେ ମାରିଦେବୁ’’ କେହି କହୁଥିବାର ଏକ ଅଡିଓ ଏବେ ଭାଇରାଲ୍ ହେଉଛି। ଏ ନେଇ ରଞ୍ଜନ ତମାଣ୍ଡୋ ଥାନାର ଦ୍ବାରସ୍ଥ ହୋଇଛନ୍ତି। ହତ୍ୟା ଧମକ ଦେଇଥିବା ଯୁବକ ଜଣକ ପ୍ରତିରକ୍ଷାବାହିନୀରେ ଥିବା ଅଭିଯୋଗରେ ଦର୍ଶାଯାଇଛି।