ଭୁବନେଶ୍ୱର: ଗଣକବି ବୈଷ୍ଣବ ପାଣି ଥିଲେ ସାଧାରଣ ଜନତାର ଆଘୋଷିତ ମୁଖପାତ୍ର। ସୁଆଙ୍ଗ ମାଧ୍ୟମରେ ସେ କେବଳ ବିଷୟବସ୍ତୁକୁ କଳାତ୍ମକ ରୂପ ଦେଉନଥିଲେ ବରଂ ସମାଜର ଅନେକ ସମସ୍ୟାକୁ ଗୀତାଭିନୟ ଛଳରେ ଉପସ୍ଥାପନା କରୁଥିଲେ। ସେ ଏକାଧାରରେ ଥିଲେ ଲେଖକ, ଅଭିନେତା, ନାଟ୍ୟ ତଥା ସଙ୍ଗୀତ ନିର୍ଦ୍ଦେଶକ। ଦାରିଦ୍ର୍ୟର ତାଡ଼ନାରେ ସେ କେବେ ନିଜ ଲକ୍ଷ୍ୟପଥରୁ ଓହରି ନଥିଲେ ବରଂ ଓଡ଼ିଆ ଭାଷା ସାହିତ୍ୟ ଓ କଳା ଜଗତକୁ ବହୁ ଭାବରେ ରୁଦ୍ଧିମନ୍ତ କରିଥିଲେ ବୋଲି ଆଜି କବିଙ୍କର ୬୭ତମ ଶ୍ରାଦ୍ଧ ଦିବସରେ ବକ୍ତାମାନେ ମତବ୍ୟକ୍ତ କରିଛନ୍ତି।

Advertisment

ବିଜେଡି ସାଂସ୍କୃତିକ ସମନ୍ୱୟ ସାମ୍ମୁଖ୍ୟ ତରଫରୁ ଉତ୍କଳ ସଙ୍ଗୀତ ମହାବିଦ୍ୟାଳୟର ସମ୍ମୁଖରେ ଅବସ୍ଥିତ ଗଣକବି ବୈଷ୍ଣବ ପାଣିଙ୍କ ପ୍ରତିମୂର୍ତ୍ତି ସ୍ଥଳରେ ପୁଷ୍ପମାଲ୍ୟ ଅର୍ପଣ ଓ ପ୍ରଦୀପ ପ୍ରଜ୍ଜ୍ୱଳନ କରାଯାଇଥିଲା। ଗାୟକ ଆହ୍ଲାଦ ସୁରେନ୍ଦ୍ର ନାଥ ଛୋଟରାୟ ଶ୍ଳୋକ ପାଠ କରିଥିବା ବେଳେ ଗଣକବିଙ୍କ ଉପରେ କବିତା ପାଠ କରିଥିଲେ କାମଦେବ ମହାପାତ୍ର। କାର୍ଯ୍ୟକ୍ରମରେ ଭଣ୍ଡାରିପୋଖରୀର ବିଧାୟକ ପ୍ରଫୁଲ୍ଲ ସାମଲ, ଓଡ଼ିଆ ଭାଷା ସାହିତ୍ୟ ଓ ସଂସ୍କୃତି ବିଭାଗର ନିର୍ଦ୍ଦେଶକ ଦିଲ୍ଲୀପ ରାଉତରାୟ, ଅନୁଶାସନ ସଚିବ ଲକ୍ଷ୍ମୀଧର ବେହେରା, ବିଜେଡି ସାଂସ୍କୃତିକ ସମନ୍ୱୟ ସାମ୍ମୁଖ୍ୟର ରାଜ୍ୟ ସଂଯୋଜକ ପ୍ରବୀର ମହାନ୍ତି, ମିହିର ରଂଜନ ପଟ୍ଟନାୟକ, ରୁଦ୍ର ନାରାୟଣ ସାମନ୍ତରାୟ, ଶିବ ମହାସୁଆର, ଗୁରୁଚରଣ ସାହୁ, ଜିତା ମହାନ୍ତି, ପ୍ରାଧ୍ୟାପକ ରମେଶ ଚନ୍ଦ୍ର ପାତାଳ ସିଂ ପ୍ରମୁଖ ଯୋଗଦାନ କରି ଶ୍ରଦ୍ଧା ସୁମନ ଅର୍ପଣ କରିଥିଲେ।