ଆସୁଛି ପ୍ରେମ ଋତୁ : ସ‌ଜେଇ ହେଲାଣି ଫୁଲ ବଜାର, ବେଙ୍ଗାଲୁରୁ ନାଲି ଗୋଲାପରେ ଆଖି

ଭୁବନେଶ୍ବର : ପାଖେଇ ଆସିଲାଣି ପ୍ରେମ ଋତୁ। ୭ରୁ ଆରମ୍ଭ ହେବାକୁ ଯାଉଛି ‘ପ୍ରେମ ସପ୍ତାହ’ (ଭାଲେନ୍‌ଣ୍ଟାଇନ୍‌ ୱିକ୍‌)। ଗୋଲାପ ଦିଆନିଆରୁ ପଡ଼ିବ ପ୍ରେମ ସପ୍ତାହର ମୂଳଦୁଆ। ଭାଲେନ୍‌ଣ୍ଟାଇନ୍‌ ଡେ’ରେ ପଡ଼ିବ ପ୍ରେମ ସପ୍ତାହର ଯବନିକା। ଏହି ସପ୍ତାହ ସାରା ବେଶ୍‌ ଜମିବ ଫୁଲ ଓ ଫୁଲଗୁଚ୍ଛ ଦିଆନିଆ। ତେଣୁ ରାଜଧାନୀରେ ସଜେଇ ହେଲାଣି ଫୁଲ ବଜାର। କରୋନା କଟକଣା ଓ ଡିସେମ୍ବର ୩୧ ତାରିଖ ରାତିର ନାଇଟ୍‌ କର୍ଫ୍ୟୁ ଯୋଗୁଁ ଚଳିତ ବର୍ଷ ନୂଆବର୍ଷରେ ଫୁଲ ବେପାର ଭଲ ଜମିନଥିଲା। ଏବେ ସେ କଟକଣା ନାହିଁ। ତେଣୁ ପ୍ରେମ ସପ୍ତାହକୁ ଭରସା କରିଛି ଫୁଲ ବଜାର।

ଆଉ ଗୋଟିଏ ଦିନ ପରେ ଆରମ୍ଭ ହେଇଯିବ ପ୍ରେମ ସପ୍ତାହ। ପ୍ରେମ ସପ୍ତାହ ଭିତରେ ରହିଛି ଗୋଲାପ ଦିବସ। ନାଲି ଗୋଲାପ ପ୍ରେମ ନିବେଦନ ପାଇଁ, ହଳଦିଆ ଗୋଲାପ ବନ୍ଧୁତ୍ବର ସେତୁ ବାନ୍ଧିବା ପାଇଁ ଓ ଧଳା ଗୋଲାପ ଝଗଡ଼ାରେ ପୂର୍ଣ୍ଣଚ୍ଛେଦ ପକାଇବା ପାଇଁ ବ୍ୟବହାର କରାଯିବ। ପ୍ରେମୀଯୁଗଳ ଗୋଲାପ ଦେଇ ପରସ୍ପରକୁ ଶୁଭେଚ୍ଛା ଜଣାଇବେ। ନାଲି, ହଳଦିଆ, ଗୋଲାପି, ଧଳା ଆଦି ଭଳିକି ଭଳି ଗୋଲାପର ପସରା ସହରର ଗଳିକନ୍ଦିରେ ଖୋଲିଯିବ। ବେପାରୀମାନେ ଆଗରୁ ବଇନା ଦେଇସାରିଛନ୍ତି। ପ୍ରତିବର୍ଷ ଭଳି ଚଳିତ ବର୍ଷ ମଧ୍ୟ ବେଙ୍ଗାଲୁରୁ ନାଲି ଗୋଲାପର ଚାହିଦା ଅଧିକ ଥିବା ଜଣାପଡ଼ିଛି। ବିଶେଷକରି ଗ୍ରାହକମାନେ ବେଙ୍ଗାଲୁରୁ ନାଲି ଗୋଲାପ ପାଇଁ ଆଗୁଆ ବରାଦ କରିସାରିଲେଣି।

ଓଡ଼ିଶାରେ ଗୋଲାପ ଚାଷ ପରିମାଣ କମ୍। ତେଣୁ ପ୍ରତିବର୍ଷ ଫୁଲ ବେପାରୀମାନେ କୋଲକାତା ଓ ବେଙ୍ଗାଲୁରୁରୁ ଗୋଲାପ ବାରାଦ କରନ୍ତି। ଏଥର ପ୍ରେମ ସପ୍ତାହରେ ଗୋଲାପ ଦାମ ଚଢ଼ା ରହିବ। ସେଦିନ ଗୋଟା ପିଛା ୨୫ ରୁ ୩୦ ଟଙ୍କା ଲେଖାଏ ଦରରେ ବିକ୍ରି ହେବ ବୋଲି ଫୁଲ ଦୋକାନୀମାନେ କହିଛନ୍ତି। ଦୈନିକ ୧୦୦ ବିଡ଼ା ଲେଖାଏ ଗୋଲାପ ଆଣୁଥିବା ବେଳେ ଗୋଲାପ ଦିବସ ପାଇଁ ୩୦୦ ବିଡ଼ା ଗୋଲାପ ଆଣିବାକୁ ବରାଦ ଦେଇଛନ୍ତି ବୋଲି ଜଣେ ବ୍ୟବସାୟୀ କହିଛନ୍ତି। ୧୦ଟି ଗୋଲାପକୁ ନେଇ ‌ଫୁଲତୋଡ଼ା କଲେ, ଦାମ୍‌ ୨୫୦ ଟଙ୍କା ହୋଇଥାଏ। ତେବେ ଫୁଲ ଓ ଫୁଲତୋଡ଼ାର ଡିଜାଇନ୍ ଦେଖି ତୋଡ଼ା ଗୋଟାକୁ ୨୩୦ ଟଙ୍କାରୁ ୧୦ ହଜାର ଟଙ୍କା ପର୍ଯ୍ୟନ୍ତ ପଡ଼ିବ ବୋଲି ବେପାରୀମାନେ କହିଛନ୍ତି।

ସିଆର୍‌ପି ଛକସ୍ଥିତ ଜାଗୁଳେଇ ପୁଷ୍ପାଳୟର ମାଲିକ ଯୋଗେନ୍ଦ୍ରଙ୍କ କହିବା କଥା ନୂଆବର୍ଷରେ ଭଲ ବେପାର ହେଲାନି। ସରକାରୀ କାର୍ଯ୍ୟାଳୟ ବନ୍ଦ ରହିବାରୁ ବେପାର ବିଲ୍‌କୁଲ ଜମି ନ ଥିଲା। ଏଥର ଭାଲେଣ୍ଟାଇନ୍‌ ସପ୍ତାହରେ ଭଲ ବେପାର ଦେବ ବୋଲି ଆଶା କରାଯାଉଛି। ସହିଦନଗର ଫ୍ରେଣ୍ଡ୍‌ ଆଣ୍ଡ୍‌ ପେଟାଲ୍‌ସର ସର କୁମାର କୁହନ୍ତି, ଫୁଲତୋଡ଼ା ତିଆରି ଆରମ୍ଭ ହୋଇଗଲାଣି। ତୋଡ଼ା ପିଛା ୩୦୦ ଟଙ୍କାରୁ ୧୦ ହଜାର ଯାଏ ଦାମ୍‌ ରହିଛି। ରେଳ ସଦନ ପାଖ କପିଳେଶ୍ବର ପୁଷ୍ପାଳୟର କପିଳେଶ୍ବରଙ୍କ ସୂଚନାନୁସାରେ ବେଙ୍ଗାଲୁରୁ ନାଲି ଗୋଲାପ ଉପରେ ବହୁତ ଲୋକଙ୍କ ଆଖି। ବହୁତ ବରାଦ ହୋଇଛି। ତେଣୁ ସେହି ଫୁଲ ଅଧିକ ଅଣାଯାଇଛି।

ସମ୍ବନ୍ଧିତ ଖବର