ଭୁବନେଶ୍ବର: ଚାଲିଛି ପ୍ରେମ ସପ୍ତାହ। ଅଧା ଦିନ ବିତିଗଲାଣି। ଆଉ ଅଧା ବାକି ଅଛି। ଏହି ଦିନଗୁଡ଼ିକୁ ନିଜ ହୃଦୟ ଭିତରେ ସାଇତି ରଖିବା ପାଇଁ ଲାଗି ପଡ଼ିଛନ୍ତି ପ୍ରେମୀଯୁଗଳ। ରୋଜ୍ ଡେ’ଠାରୁ ଆରମ୍ଭ କରି ଟେଡି ଡେ’ ପର୍ଯ୍ୟନ୍ତ କୌଣସି ଗୋଟିଏ ବି ଦିନ ପାଳନ କରିବାକୁ ପଛାଉ ନାହାନ୍ତି ଏମାନେ। ବାଟ, ଘାଟ, ପାର୍କ, ମାର୍କେଟ, ଫିଲ୍ମ ହଲ୍ କିଛି ବି ମାନୁ ନାହାନ୍ତି। ଯେଉଁଠି ପାଇଲେ, ସେଇଠି ପ୍ରେମ କରି ଚାଲିଛନ୍ତି। ଲାଗୁଛି ସତେଯେମିତି ଭୁବନେଶ୍ବରରେ ପ୍ରେମଋତୁ ଆସିଛି, ଆଉ ସେଥିରେ ଭିଜି ଯାଇଛନ୍ତି ପ୍ରେମୀଯୁଗଳ। ବାପା, ମା’ ଓ ପରିବାର କାହାକୁ ବି ଖାତିର ନ କରି ଏମିତି ବିଚ୍ ବଜାରରେ ଖୁଲମ୍ଖୁଲା ପ୍ରେମ କରୁଥିବା ପ୍ରେମୀଯୁଗଳଙ୍କୁ ଆଜି ବେଜିତ୍ ହେବାକୁ ପଡ଼ିଛି। ତା’ପୁଣି ଆଉ କାହାଠାରୁ ନୁହେଁ; ଖୋଦ୍ ପ୍ରେମିକାର ମା’, ବାପାଙ୍କଠାରୁ। ଖାଲି ସେତିକି ନୁହେଁ, ପ୍ରେମୀଯୁଗଳ ବଜାରରେ ବେଜିତ୍ ହେବା ସହ ନିର୍ଧୂମ୍ ଛେଚା ଖାଇଛନ୍ତି।
ଘଟଣାଟି ଥିଲା ଏଭଳି; ଅପରାହ୍ଣ ପ୍ରାୟ ସାଢ଼େ ଗୋଟାଏ ହେବ। ୟୁନିଟ୍-୨ ମାର୍କେଟ୍ ଭିତରେ ଭିଡ଼ ନ ଥିଲା। ଗ୍ରାହକ ନ ଥିଲେ କି ବେପାର ହେଉ ନ ଥିଲା। କାଁ ଭାଁ ଜଣେ ଦୁଇ ଜଣ ଆସୁଥିଲେ ଓ ଯାଉଥିଲେ। ଆଉ ଏହାର ସୁଯୋଗ ନେଇ ପ୍ରେମୀଯୁଗଳ ମାର୍କେଟ୍ ପରିସରରେ ପହଞ୍ଚିଥିଲେ। ପ୍ରେମ ସପ୍ତାହର ଆଜିର ଦିନକୁ ପ୍ରେମୀଯୁଗଳ କେମିତି ବା ଛାଡ଼ିଥାନ୍ତେ। ଫେବ୍ରୁଆରି ୧୧ ତାରିଖ ‘ପ୍ରମିଜ୍ ଡେ’ ହୋଇଥିବା ଉଭୟ ପରସ୍ପରଙ୍କୁ ଗୋଲାପ ଦେଇଥିଲେ। ୟୁନିଟ୍-୨ ମାର୍କେଟରେ ଗହଳିଚହଳି ନ ଥିବାରୁ ବଜାରର ଠିକ୍ ମଝି ସ୍ଥାନରେ ପରସ୍ପରକୁ ଗୋଲାପ ଫୁଲ ଦେଇ ଜୀବନସାଥୀ ହେବାକୁ ପ୍ରତିଶ୍ରୁତି ଦେଇଥିଲେ। ଏହି ମୁହୂର୍ତ୍ତକୁ ଚିରସ୍ମରଣୀୟ କରିବା ପାଇଁ ମୋବାଇଲ୍ କ୍ୟାମେରାରେ ଟିକ୍ଟକ୍ ବି ଆରମ୍ଭ କରି ଦେଇଥିଲେ।
ସବୁ କିଛି ଠିକ୍ ଠାକ୍ ଚାଲିଥିଲା। ଲାଗୁଥିଲା ଯେମିତି ସିନେମା ସୁଟିଂ ଚାଲିଛି। ନିକଟରେ ଥିବା ବ୍ୟବସାୟୀମାନେ ବି ଏହି ଦୃଶ୍ୟକୁ ଦେଖୁଥିଲେ। ତେବେ କିଏ ଜାଣିଥିଲା ପ୍ରେମିକାର ବାପା, ମା’ ପ୍ରେମରେ ବାଧା ସୃଷ୍ଟି କରିବେ। ପ୍ରେମୀଯୁଗଳଙ୍କ ଟିକ୍ଟକ୍ ଭିଡିଓ ଚାଲିଥିବା ବେଳେ ସେହି ସ୍ଥାନରେ ଥିବା ଏକ ଦୋକାନରୁ ସାମଗ୍ରୀ କିଣିବା ପାଇଁ ପ୍ରେମିକାର ମା’, ବାପା ଆସିଥିଲେ। ହଠାତ୍ ମା’ଙ୍କ ଆଖି ଝିଅର ପ୍ରେମ ଉପରେ ପଡ଼ିଥିଲା। ଝିଅର ଏଭଳି କାର୍ଯ୍ୟ ଦେଖି ମା’ଙ୍କ ରାଗ କାହିଁରେ କ’ଣ। ଯିଏ ନ ଦେଖିଛି, ସେ ଜାଣିପାରିବନି। ମହିଳାଜଣକ ସିଧା ଝିଅଙ୍କ ଉପରେ ଝାମ୍ପ ମାରିଥିଲେ। କେହି କିଛି ବୁଝିବା ପୂର୍ବରୁ ଝିଅଙ୍କୁ ଚାପୁଡ଼ା ମରି ଚାଲିଥିଲେ। ପ୍ରେମିକ ବି ନିସ୍ତାର ପାଇ ନ ଥିଲେ। ଦୁଇ ତିନିଟା ତାଙ୍କ ଠି ବି ବାଜିଥିଲା।
ବିରୋଧ କରିବନି ବଜରଙ୍ଗ ଦଳ
ଏବର୍ଷ ଭାଲେଣ୍ଟାଇନ୍ ଡେ’କୁ ବିରୋଧ କରିବନି ବଜରଙ୍ଗ ଦଳ। ଗୋରକ୍ଷା ବଜରଙ୍ଗ ଦଳର ପ୍ରମୁଖ ଓଡିଶା ପ୍ରାନ୍ତ ଏବଂ କଟକ ଓ ଖୋର୍ଦ୍ଧା ଜିଲ୍ଲା ପ୍ରଭାରି ଦେବାଶିଷ ରାଉତ ଏକ ପ୍ରେସ୍ ବିଜ୍ଞପ୍ତିରେ କହିଛନ୍ତି ଯେ ବଜରଙ୍ଗ ଦଳର କେନ୍ଦ୍ରୀୟ ସୂଚନା ଅନୁଯାୟୀ ଭାଲେଣ୍ଟାଇନ୍ ଡେ ଆଧାରିତ ବଜରଙ୍ଗ ଦଳ ପକ୍ଷରୁ କୌଣସି ପ୍ରକାର କାର୍ଯ୍ୟକ୍ରମ କରାଯିବ ନାହିଁ। ଯଦି କୌଣସି ଅସାମାଜିକ ବ୍ୟକ୍ତି ବଜରଙ୍ଗ ଦଳ ନାମରେ କୌଣସି ପ୍ରକାର ବିରୋଧାତ୍ମକ କାର୍ଯ୍ୟ କରିବେ ତେବେ ସେମାନଙ୍କ ବିରୋଧରେ ଦୃଢ କାର୍ଯ୍ୟାନୁଷ୍ଠାନ ନିଆଯିବ।