ରାଜଧାନୀରେ ଭାଲେଣ୍ଟାଇନ୍‌ ଡେ’ : ପ୍ରେମ ହେଲା ଲୁଚାଛପାରେ

ପାର୍କ, ହୋଟେଲ, ରେସ୍ତୋରାଁ ଖାଁ ଖାଁ; ଭିଡ଼ ଜମିଲା ମନ୍ଦିରରେ

ଭୁବନେଶ୍ୱର : ପ୍ରେମୀଯୁଗଳଙ୍କ ସମ୍ଭାବ୍ୟ ବୁଲିବା ସ୍ଥାନରେ ପୁଲିସ୍‌ ପଇଁତରା ମାରୁଥିଲା। କିଛି ପାର୍କରେ ତାଲା ପଡ଼ିଗଲା। କିଛି ପାର୍କ ଖୋଲା ଥିଲେ ବି ଖାଁ ଖାଁ ଥିଲା। ସିନେମା ହଲ୍‌ରେ ଯଥାରୀତି ଭିଡ଼ ଥିଲା। ରେସ୍ତୋରାଁ, ହୋଟେଲ୍‌ ଖାଲି ଖାଲି ଲାଗୁଥିଲା। ପର୍ଯ୍ୟଟନସ୍ଥଳୀରେ ଭିଡ଼ ଥିଲେ ବି ପ୍ରେମର ବାସ୍ନା ବାରି ହେଉ ନ ଥିଲା। ଜାଗର ପାଇଁ ସବୁ ମନ୍ଦିରରେ ପ୍ରବଳ ଭିଡ଼ ଥିଲା। ସେହି ଭିଡ଼ ଭିତରେ ପ୍ରେମୀଯୁଗଳ ମନ୍ଦିରରେ ଜାଗର ଦୀପ ଜାଳିବା ସହ ପରସ୍ପର ସହ କିଛି ସମୟ କାଟିବାର ସୁଯୋଗ ନେଉଥିଲେ। ଆଜି ରାଜଧାନୀରେ ଏମିତି ଥିଲା ଭାଲେଣ୍ଟାଇନ୍‌ ଡେ’ର ଦୃଶ୍ୟ। ଆଠ ଦିନ ତଳେ ଗୋଲାପ ଦିଆନିଆରୁ ଆରମ୍ଭ ହୋଇଥିଲା ଭାଲେଣ୍ଟାଇନ୍‌ ସପ୍ତାହ। ଏହି ସପ୍ତାହର ପ୍ରତିଟି ଦିନକୁ ନିଜ ନିଜ ବାଟରେ ସେଲିବ୍ରେଟ୍‌ କରୁଥିଲେ ଯୁବପିଢ଼ି। କିନ୍ତୁ ସେହି ସାତ ଦିନକୁ ସେମାନେ ଯେମିତି ଉଦ୍ଦୀପନାର ସହ ପାଳନ କଲେ, ଆଜି ସେମିତି ଦେଖିବାକୁ ମିଳି ନ ଥିଲା।

କଳିଙ୍ଗ ସେନା ଭଳି ରାଜଧାନୀର କିଛି ସଂଗଠନ ଭାଲେଣ୍ଟାଇନ୍‌ ଡେ’କୁ ଖୋଲା ବିରୋଧ ପାଇଁ ପୂର୍ବରୁ ଘୋଷଣା କରିଥିଲେ। ସମ୍ଭବତଃ ଏହି କାରଣରୁ ରିସ୍କ ନେବାକୁ କେହି ପ୍ରସ୍ତୁତ ନ ଥିଲେ। ରାଜଧାନୀରେ ଅନେକ ଅତ୍ୟାଧୁନିକ ରେସ୍ତୋରାଁ, ପବ୍‌, ହୋଟେଲ୍‌ ଖୋଲିଥିଲେ ବି ଭାଲେଣ୍ଟାଇନ୍‌ ଡେ’ ପାଇଁ ସ୍ୱତନ୍ତ୍ର କାର୍ଯ୍ୟକ୍ରମ କେହି ଆୟୋଜନ କରି ନ ଥିଲେ। ଗଣ୍ଡଗୋଳ ଆଶଙ୍କାରେ କେହି ସାହସ ଜୁଟାଇ ପାରି ନ ଥିଲେ। ତେବେ କିଛି ରେସ୍ତୋରାଁରେ ଭାଲେଣ୍ଟାଇନ୍‌ ଡେ’ ପାଇଁ ସ୍ୱତନ୍ତ୍ର ମେନ୍ୟୁ ପ୍ରସ୍ତୁତ କରାଯିବା ସହ ରିହାତି ବି ଦିଆଯାଉଥିଲା। କିନ୍ତୁ ସେଠାରେ ଏତେଟା ଗହଳି ଦେଖିବାକୁ ମିଳି ନ ଥିଲା। ଆଜି ଜାଗରରେ ବହୁ ଯୁବକ, ଯୁବତୀ ଉପବାସ କରିଥିବାବେଳେ ଅଧିକାଂଶ ଆମିଷ ଭୋଜନରୁ ଦୂରେଇ ରହିବାକୁ ଚାହିଁଥିଲେ। ସେଥିପାଇଁ ଅଧିକାଂଶ ପ୍ରେମୀଯୁଗଳ ରେସ୍ତୋଁରା ମୁହାଁ ହୋଇ ନ ଥିଲେ।

ରାଜଧାନୀରେ ପ୍ରେମ ପାଇଁ ନିରାପଦ ସ୍ଥାନ କୁହାଯାଉଥିବା ପାର୍କଗୁଡ଼ିକ ଆଜି ପୂରା ଖାଁ ଖାଁ ଥିଲା। ଜୟଦେବ ବାଟିକାରେ ତ ପୂରା ତାଲା ପଡ଼ିଯାଇଥିଲା। କର୍ତ୍ତୃପକ୍ଷ ବାହାରେ ବନ୍ଦ ନୋଟିସ୍‌ ମାରି ଦେଇଥିଲେ। ଆଉ କିଛି ପାର୍କ ଖୋଲା ଥିଲେ ବି ଭୟରେ କେହି ଯାଇ ନ ଥିଲେ। କିନ୍ତୁ ସବୁ ପାର୍କ ସାମ୍ନାରେ ପୁଲିସ୍‌ କଡ଼ା ପ୍ରହରା ଦେଉଥିଲା।

କିନ୍ତୁ ସପ୍ତାହ ଯାକ ନିଜ ଭଲ ପାଇବାର ମଣିଷ ସହ କାଟିଥିବା ଯୁବପିଢ଼ି ବିରୋଧ ସତ୍ତ୍ୱେ ଆଜିର ଦିନଟିକୁ ସ୍ୱତନ୍ତ୍ର କରିବାକୁ ଯଥାସାଧ୍ୟ ଉଦ୍ୟମ କରିଥିଲେ। କିଛି ଯୋଡ଼ି ଲଙ୍ଗ୍‌ ଡ୍ରାଇଭ୍‌ରେ ଯାଇ ଭାଲେଣ୍ଟାଇନ୍‌ ଡେ’ ପାଳନ କରିଥିଲା ବେଳେ ଆଉ କିଛି ଲୁଚାଛପାରେ ନିଜ ମନର ମଣିଷ ସହ ସମୟ କାଟିଥିଲେ। ତେବେ ଆଜି ପ୍ରେମୀଯୁଗଳଙ୍କ ସର୍ବାଧିକ ଭିଡ଼ ଦେଖିବାକୁ ମିଳିଥିଲା ମନ୍ଦିରରେ। ସକାଳୁ ନିଜ ପ୍ରେମିକ/ପ୍ରେମିକାଙ୍କ ସହ ମନ୍ଦିର ଯାଇ ପୂଜାର୍ଚ୍ଚନା କରିଥିଲେ। ପୁଣି ସନ୍ଧ୍ୟାରୁ ମହାଦୀପ ଉଠିବା ପର୍ଯ୍ୟନ୍ତ ମନ୍ଦିରରେ ରହି ଦୀପ ଜାଳିଥିଲେ। ପରସ୍ପର ପରସ୍ପରର ମଙ୍ଗଳ ମନାସିଥିଲେ। ସନ୍ଧ୍ୟା ସମୟ ଆଉ କେଉଁଠି ନ ବିତାଇ ସୁରକ୍ଷିତ ଭାବେ ମନ୍ଦିରକୁ ବାଛି ନେଇ ପ୍ରେମର ଏହି ଗରୁତ୍ୱପୂର୍ଣ୍ଣ ଦିନଟିକୁ ଅଭୁଲା ଓ ସ୍ମରଣୀୟ କରିଥିଲେ।

ବିଭିନ୍ନ ପ୍ରତିକୂଳ ପରିସ୍ଥିତି ସତ୍ତ୍ୱେ ରାଜଧାନୀରେ ଗୋଲାପ ଫୁଲର ବିକ୍ରି ଆଜି ବେଶ୍‌ ଜମିଥିଲା। ଚଢ଼ା ଦରରେ ବି ଗୋଲାପ ବିକ୍ରି ହେଉଥିଲା। ପ୍ରେମର ପ୍ରତୀକ ଗୋଲାପକୁ ଉପହାର ଭାବେ ଦେବାକୁ ଯୁବପିଢ଼ି ଗୋଲାପ କିଣୁଥିବାର ଦେଖିବାକୁ ମିଳିଥିଲା। ଖୋଲାଖୋଲି ଭାଲେଣ୍ଟାଇନ ଡେ’ ପାଳନ ହୋଇ ପାରୁ ନ ଥିଲେ ବି ଲୁଚାଛପାରେ ଗୋଲାପଟିଏ ଦେବାକୁ କେହି ଭୁଲି ନ ଥିଲେ।

କଳିଙ୍ଗ ସେନାକୁ ଅଖିଳ ଭାରତ ଗଣତାନ୍ତ୍ରିକ ମହିଳା ସମିତିର ବିରୋଧ

ଭୁବନେଶ୍ୱର : ରାଜଧାନୀରେ ଭାଲେଣ୍ଟାଇନ୍‌ ଡେ’ ପାଳନକୁ ବିରୋଧ କରିବ ବୋଲି ଆଗତୁରା ଚେତାଇ ଦେଇଥିଲା କଳିଙ୍ଗ ସେନା। ସମଗ୍ର ଓଡ଼ିଶାରେ ଏପରି ବିଦେଶୀ ସଂସ୍କୃତିର ପାଳନ କରିବାକୁ ଦିଆଯିବ ନାହିଁ ଏବଂ ଆଜି ସେନା ପକ୍ଷରୁ ବିଭିନ୍ନ ପାର୍କରେ ଚଢ଼ଉ କରାଯିବ ବୋଲି ସୂଚନା ମଧ୍ୟ ଦିଆଯାଇଥିଲା। ତେବେ କଳିଙ୍ଗ ସେନାର ଏପରି ବିରୋଧକୁ ଦୃଢ଼ ବିରୋଧ କରିଥିଲା ଅଖିଳ ଭାରତ ଗଣତାନ୍ତ୍ରିକ ମହିଳା ସମିତି। ଆଜି ସମିତିର କର୍ମକର୍ତାମାନେ ହାତରେ ‘ମୋ ପସନ୍ଦ ମୋ ଅଧିକାର’ ଲେଖାଥିବା ପ୍ଲାକାର୍ଡ ଓ ପତାକା ଧରି ବିଭିନ୍ନ ମଲ୍‌ ଓ ପାର୍କ ସମ୍ମୁଖରେ ବିକ୍ଷୋଭ ପ୍ରଦର୍ଶନ କରିବା ଦେଖିବାକୁ ମିଳିଥିଲା।

କଳିଙ୍ଗ ସେନାର ୨୫ କର୍ମୀ ଆଗୁଆ ଗିରଫ

ଭୁବନେଶ୍ୱର : ଭାଲେଣ୍ଟାଇନ୍‌ ଦିବସ ପାଳନକୁ ବିରୋଧ କରାଯିବ ବୋଲି କଳିଙ୍ଗସେନା ପକ୍ଷରୁ ଚେତାବନୀ ଦିଆଯାଇଥିଲା। ଆଜି ସେନା ପକ୍ଷରୁ ଏ ନେଇ ପ୍ରସ୍ତୁତି ଚାଲିଥିବାବେଳେ ପୁଲିସ ସେମାନଙ୍କୁ ବରମୁଣ୍ଡାଠାରେ ଥିବା ସେନା କାର୍ଯ୍ୟାଳୟରୁ ଆଗୁଆ ଗିରଫ କରି ନେଇଥିଲା। ତେବେ ପୁଲିସର ଏଭଳି ଆଗୁଆ ଗିରଫଦାରୀକୁ ନିନ୍ଦା କରିଛି କଳିଙ୍ଗସେନା। ଭାଲେଣ୍ଟାଇନ୍‌ ଦିବସ ପାଳନକୁ ଶାନ୍ତିପୂର୍ଣ ଭାବେ ବିରୋଧ କରିବାକୁ ନିଷ୍ପତ୍ତି ହୋଇଥିଲାବେଳେ ପୁଲିସର ଏଭଳି ଗିରଫଦାରୀ ଅଗଣତାନ୍ତ୍ରିକ ବୋଲି କଳିଙ୍ଗସେନା ପକ୍ଷରୁ କୁହାଯାଇଛି।

ଅନ୍ୟପକ୍ଷରେ ଭାଲେଣ୍ଟାଇନ୍‌ ଦିବସ ପାଳନବେଳେ ଶାନ୍ତିଶୃଙ୍ଖଳା ବଜାୟ ରଖିବାକୁ ଆଜି କମିସନରେଟ ପୁଲିସ ପକ୍ଷରୁ କଡ଼ା ସୁରକ୍ଷା ବନ୍ଦୋବସ୍ତ କରାଯାଇଥିଲା। ପାଖାପାଖି ୪ ପ୍ଲାଟୁନ୍‌ ପୁଲିସ ଫୋର୍ସ ରାଜଧାନୀର ବିଭିନ୍ନ ପାର୍କ, ସିନେମା ହଲ୍‌, ସପିଂ ମଲ୍‌ ଆଦି ସ୍ଥାନରେ ମୁତୟନ ହୋଇଥିଲେ। ତେବେ ଆଜି କୌଣସି ସ୍ଥାନରେ ଅଘଟଣ ଘଟିନାହିଁ ବୋଲି ଡିସିପି ସତ୍ୟବ୍ରତ ଭୋଇ ସୂଚନା ଦେଇଛନ୍ତି।

ସମ୍ବନ୍ଧିତ ଖବର