ଭାଲେଣ୍ଟାଇନ୍‌ ସପ୍ତାହ: ଚକଲେଟ୍‌ରେ ଚିକ୍‌ଚିକ୍‌ କଲା ମନକଥା

ଖଣ୍ଡଗିରି: ଗୁରୁବାର ଥିଲା ପ୍ରେମ ସପ୍ତାହର ତୃତୀୟ ଦିନ। ଚ‌କଲେଟ୍‌ ଡେ’ ଭାବେ ପାଳିତ ହେଉଥିବା ଏହି ଦିବସ ଅବସରରେ ପ୍ରେମୀଯୁଗଳ ପରସ୍ପରକୁ ଉପହାର ଭାବେ ଚକଲେଟ୍‌ ଦେଇଛନ୍ତି। ଦାମୀ ଚକଲେଟ୍‌ ଦିଆନିଆରେ ଚିକ୍‌ଚିକ୍‌ କରିଛି ସେମାନଙ୍କ ମନର କଥା। ରଙ୍ଗିନ୍‌ ଓ ଅଧିକ ଉଜ୍ବଳ ହୋଇଉଠିଛି ନୂଆ ନୂଆ ଗଢ଼ାହୋଇଥିବା ପ୍ରେମର ମହଲ।

ପ୍ରେମ ସପ୍ତାହ ଆରମ୍ଭରୁ ଗୋଲାପ ଫୁଲ ମାଧ୍ୟମରେ ମନକଥା ଦିଆନିଆ ହେବା ପରେ ଗତକାଲି ଥିଲା ପ୍ରପୋଜ୍‌ ଡେ’। ରୋଜ୍‌ ଡେ’‌ରେ ମୂଳଦୁଆ ପଡ଼ିଥିବା ପ୍ରେମମହଲର ନିର୍ମାଣ କାମ ଆରମ୍ଭ ହୋଇଥିଲା ପ୍ରପୋଜ୍‌ ଡେ’ରୁ। ଆଜି ସେହି ସମ୍ପର୍କରେ ମଧୁରତା ଭରିଦେବା ପାଇଁ ପାଳିତ ହୋଇଛି ଚକଲେଟ୍‌ ଡେ’। ଗତ ଦୁଇ ଦିନ ହେଲା ପ୍ରାୟ ଗୋଟିଏ ସ୍ଥାନରେ ଏକାଠି ହେଉଥିବା ପ୍ରେମୀଯୁଗଳ ଆଜି ସେମାନଙ୍କ ମିଳନସ୍ଥଳ ବଦଳାଇଥିଲେ। ଯିଏ ଗତ ଦୁଇ ଦିନ ହେଲା ପାର୍କରେ ଏକାଠି ହୋଇଥିଲେ, ଆଜି ସେମାନେ ହୋଟେଲ କିମ୍ବା ରେସ୍ତୋରାଁରେ ବସି ଗପସପ କରିଥିଲେ। ବିପରୀତକ୍ରମେ ହୋଟେଲ ବା ରୋସ୍ତୋରାଁରେ ଗତ ଦୁଇ ଦିନ କାଟିଥିବା ପ୍ରେମୀଯୁଗଳ ଆଜି ପାର୍କ ବୁଲିଥିଲେ। ସେମାନଙ୍କ ହାତରେ ଥିଲା ଦାମୀ ଚକଲେଟ୍‌। କାହା ହାତରେ କାଡ୍‌ବେରି ଡେରି ମିଲ୍କ ସିଲ୍କ ‘ହାର୍ଟ ବ୍ଲସ୍‌’ ତ କାହା ହାତରେ ଥିଲା ଅମୁଲ‌୍‌ କମ୍ପାନି ଫ୍ରୁଟ୍‌ନଟ୍‌ ଭାଲେଣ୍ଟାଇନ୍‌ ଏଡିସନ୍‌। ତା’ ନାଁ ଥିଲା ଆଇ ଲଭ୍‌ ୟୁ ଚକଲେଟ୍‌। ସେହିଭଳି ଅନେକ ଆଜି ଫେରେରୋ ରୋଚେର୍‌ ବଞ୍ଚ୍‌ ଅଫ୍‌ ହାପିନେସ୍‌ ପ୍ୟାକେଟ୍‌ ଦିଆନିଆ ହୋଇଥିଲେ। କିଟ୍‌କାଟ୍‌ ମଧ୍ୟ ପଛରେ ପଡ଼ିନାହିଁ।

ତେବେ ଆଜି ଉଲ୍ଲେଖନୀୟ କଥା ଥିଲା ଯେ ଆଜି ସାଙ୍ଗସାଥୀମାନେ ମଧ୍ୟ ଚକଲେଟ୍‌ ଦିଆନିଆ ହୋଇଥିବା ଦେଖିବାକୁ ମିଳିଥିଲା। ଆଜି ଚକଲେଟ୍‌ ଦୋକାନୀମାନେ ଭଲ କାରବାର କରିଥିବା କହିଛନ୍ତି। କେକ୍ ଓ ଚକ୍‌ଲେଟ୍ ବ୍ୟବସାୟୀମାନଙ୍କ କହିବା କଥା ଚଳିତ ବର୍ଷ ପ୍ରେମ ସପ୍ତାହ ପାଇଁ ବିଭିନ୍ନ ନାମୀଦାମୀ ଚକଲେଟ୍‌ କମ୍ପାନି ସ୍ପେସାଲ୍‌ ଏଡିସନ୍‌ ବଜାରକୁ ଛାଡ଼ିଛନ୍ତି। ହାର୍ଟ ସମ୍ବଲ୍‌ ଥିବା ଚକଲେଟ୍‌ ବେଶି ବଜାରକୁ ଆସିଛି। ଭାଲେଣ୍ଟାଇନ୍‌ ସପ୍ତାହ ପରେ ବି ମାସ ତମାମ୍‌ ବିକ୍ରି ହେବ ବୋଲି ସେମାନେ କହିଛନ୍ତି। ପ୍ରେମୀଯୁଗଳଙ୍କ ପାଇଁ ବଜାରକୁ ଆସିଥିବା ଚକଲେଟ୍‌ ମୂଲ୍ୟ ୩୫୦ରୁ ୫୦୦ ଟଙ୍କା ପର୍ଯ୍ୟନ୍ତ ଅଛି ବୋଲି ବ୍ୟବସାୟୀମା‌ନେ ସୂଚନା ଦେଇଛନ୍ତି। ତେବେ ୨୦ ଟଙ୍କିଆ ଚକଲେଟ୍‌ ବେଶି ବିକ୍ରି ହୋଇଛି ବୋଲି ସେମାନେ କହିଛନ୍ତି।

ସମ୍ବନ୍ଧିତ ଖବର