ଉତ୍କଳ ବିଶ୍ୱବିଦ୍ୟାଳୟରେ ସ୍ୱାଧୀନତା ଦିବସ
ଭୁବନେଶ୍ୱର: ଉତ୍କଳ ବିଶ୍ୱବିଦ୍ୟାଳୟ ପରିସରରେ ୭୨ତମ ସ୍ୱାଧୀନତା ଦିବସ ପାଳିତ ହୋଇଯାଇଛି। କୁଳପତି ପ୍ରଫେସର ସୌମେନ୍ଦ୍ର ମୋହନ ପଟ୍ଟନାୟକ ଏଠାରେ ଜାତୀୟ ପତାକା ଉତ୍ତୋଳନ କରିଥିଲେ। ଅନ୍ୟମାନଙ୍କ ମଧ୍ୟରେ ପିଜି କାଉନ୍ସିଲ୍ ଅଧ୍ୟକ୍ଷ ପ୍ରଫେସର ବ୍ରହ୍ମାନନ୍ଦ ଶତପଥୀ, କୁଳସଚିବ ଦୟାନିଧି ନାୟକ, ବିଧାୟକ ପ୍ରିୟଦର୍ଶୀ ମିଶ୍ର, ବିଧାୟକ ଆକାଶ ଦାସ ନାୟକ, ପୂର୍ବତନ ପ୍ରଶାସକ ଅରବିନ୍ଦ ବେହେରା ପ୍ରମୁଖ ଉପସ୍ଥିତ ଥିଲେ। ଏହି ଅବସରରେ ବିଶ୍ୱବିିଦ୍ୟାଳୟ କ୍ୟାମ୍ପସରେ ଚାରା ରୋପଣ ଓ ସାଂସ୍କୃତିକ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା।
ୟୁନିଟ୍-୮ ଡିଏଭି
ୟୁନିଟ୍-୮ ଡିଏଭି ସ୍କୁଲ ପରିସରରେ ବିଶିଷ୍ଟ ସ୍ୱାଧୀନତା ସଂଗ୍ରାମୀ ରାମହରି ଗୋସ୍ୱାମୀ ମୁଖ୍ୟଅତିଥି ରୂପେ ଭାବେ ଯୋଗଦେଇ ଜାତୀୟ ପତାକା ଉତ୍ତୋଳନ କରିଥିଲେ। ଶ୍ରୀ ଗୋସ୍ୱାମୀ ତାଙ୍କ ବକ୍ତବ୍ୟରେ ଇଂରେଜ ସରକାରଙ୍କ ଦ୍ୱାରା କାରାବରଣ ସମୟର ସ୍ମୃତିଚାରଣ କରିଥିଲେ।
ନାଲ୍କୋ
ନାଲ୍କୋ ପକ୍ଷରୁ ସ୍ୱାଧୀନତା ଦିବସ ପାଳିତ ହୋଇଯାଇଛି। ସିଏମ୍ସି ତପନ କୁମାର ଚାନ୍ଦ ଏଠାରେ ପତାକା ଉତ୍ତୋଳନ କରିଥିଲେ। ଏହି ଅବସରରେ କଳିଙ୍ଗ କ୍ରିଏସନ୍ ଅନୁଷ୍ଠାନ ପକ୍ଷରୁ ପାଇକ ନୃତ୍ୟ ପରିବେଷିତ ହୋଇଥିଲା।
ପ୍ରଭୁଜୀ ଇଂରାଜୀ ମାଧ୍ୟମ ବିଦ୍ୟାଳୟ
ପ୍ରଭୁଜୀ ଇଂରାଜୀ ମାଧ୍ୟମ ବିଦ୍ୟାଳୟରେ ସିଆର୍ପିଏଫ୍ର ଆସିଷ୍ଟାଣ୍ଟ କମାଣ୍ଡର ଜଗନ୍ନାଥ ଜେନା ପତାକା ଉତ୍ତୋଳନ କରିଥିଲେ। ଏହି ଉତ୍ସବରେ ବିଦ୍ୟାଳୟର ପ୍ରତିଷ୍ଠାତା ଗୁରୁ ଶଙ୍କରାନନ୍ଦ ଗିରି ମହାରାଜ, ଅଧ୍ୟକ୍ଷ ଏନ୍ଏସ୍ ପ୍ରସାଦ, ଉପାଧ୍ୟକ୍ଷ କିଶୁଚାନ୍ଦ ପୃଷ୍ଟି ପ୍ରମୁଖ ଉପସ୍ଥିତ ଥିଲେ।
ତ୍ରିଶକ୍ତି ମହିଳା ପରିଷଦ
ବରମୁଣ୍ଡା ଗାଁ ତ୍ରିଶକ୍ତି ମହିଳା ପରିଷଦ କାର୍ଯ୍ୟାଳୟ ପରିସରରେ ୭୨ ତମ ସ୍ୱାଧୀନତା ଦିବସ ପାଳିତ ହୋଇଯାଇଛି। ସଭାନେତ୍ରୀ ସଂଯୁକ୍ତା ଭୁତିଆଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏହି କାର୍ଯ୍ୟକ୍ରମରେ ବିଶିଷ୍ଟ କଥାକାର ଗୌରହରି ଦାସ ମୁଖ୍ୟ ଅତିଥି ଭାବେ ଯୋଗ ଦେଇ ସ୍ୱାଧୀନତାର ମୂଲ୍ୟବୋଧ ଉପରେ ବକ୍ତବ୍ୟ ରଖିଥିଲେ। କାର୍ଯ୍ୟକ୍ରମକୁ ସମ୍ପାଦିକା ବନଜା ନାୟକ ଓ କୋଷାଧ୍ୟକ୍ଷା ଜ୍ୟୋତ୍ସ୍ନାରାଣୀ ସାହୁ ପରିଚାଳନା କରିଥିଲେ।
ୟୁନିଟ୍-୯ ସରକାରୀ ବାଳକ ଉଚ୍ଚବିଦ୍ୟାଳୟ
ୟୁନିଟ୍-୯ ସରକାରୀ ବାଳକ ଉଚ୍ଚବିଦ୍ୟାଳୟରେ ପ୍ରଧାନଶିକ୍ଷକ ପ୍ରଫୁଲ୍ଲ କୁମାର ସାହୁ ପତାକା ଉତ୍ତୋଳନ କରିଥିଲେ। ପୁରାତନ ଛାତ୍ର ସଂଘର ସଭାପତି ଅଶୋକ ବଳବନ୍ତରାୟ ପୌରୋହିତ୍ୟ କରିଥିଲେ।
ରେନ୍ବୋ ଇଣ୍ଟରନ୍ୟାସନାଲ୍ ସ୍କୁଲ
ନନ୍ଦନବିହାରସ୍ଥିତ ରେନ୍ବୋ ଇଣ୍ଟରନ୍ୟାସନାଲ ସ୍କୁଲ ପରିସରରେ ବିଦ୍ୟାଳୟର ସଭାପତି ଅରୁଣ କୁମାର ମହାରଣା ପତାକା ଉତ୍ତୋଳନ କରିଥିଲେ। ଅଧ୍ୟକ୍ଷା ରୀନା ପାଲ୍ ଓ ଶିକ୍ଷକ ମହମ୍ମଦ ଅକିଲାଙ୍କ ସମେତ ବିଦ୍ୟାଳୟର ଛାତ୍ରଛାତ୍ରୀମାନେ ଉପସ୍ଥିତ ଥିଲେ।
ସାଇ ଇଣ୍ଟରନ୍ୟାସନାଲ୍ ସ୍କୁଲ୍
ସାଇ ଇଣ୍ଟରନ୍ୟାସନାଲ୍ ସ୍କୁଲ୍ରେ ପ୍ରିନ୍ସପାଲ୍ ହରିଶ୍ ସନ୍ଦୁଜା ପତାକା ଉତ୍ତୋଳନ କରିଥିବା ବେଳେ ସାଇ ଇଣ୍ଟରନ୍ୟାସନାଲ୍ ରେସିଡେନ୍ସିଆଲ୍ ସ୍କୁଲର ହେଡମାଷ୍ଟର୍ ଅମିତାଭ୍ ଅଗ୍ନିହୋତ୍ରୀ ପତାକା ଉତ୍ତୋଳନ କରିଥିଲେ। ସାଇ ଇଣ୍ଟରନ୍ୟାସନାଲ୍ କଲେଜ ଅଫ୍ କମର୍ସରେ ଛାତ୍ରଛାତ୍ରୀ, ଅଧ୍ୟାପକ, ଅଧ୍ୟାପିକା ଓ କର୍ମଚାରୀଙ୍କ ଉପସ୍ଥିତିରେ ପତାକା ଉତ୍ତୋଳନ ହୋଇଥିଲା।
ପୂର୍ବତଟ ରେଳପଥ
ପୂର୍ବତଟ ରେଳପଥ ମୁଖ୍ୟାଳୟ ପକ୍ଷରୁ ମଞ୍ଚେଶ୍ୱର ରେଳବାଇ ଷ୍ଟାଡିୟମ ପରିସରରେ ସ୍ୱାଧୀନତା ଦିବସ ପାଳିତ ହୋଇଯାଇଛି। ରେଳପଥ ମହାପ୍ରବନ୍ଧକ ଉମେଶ ସିଂହ ଜାତୀୟ ପତାକା ଉତ୍ତୋଳନ କରିଥିବା ବେଳେ ରେଳପଥ ଅତିରିକ୍ତ ମହାପ୍ରବନ୍ଧକ ରାଜୀବ ଶର୍ମା, ପୂର୍ବତଟ ମହିଳା କଲ୍ୟାଣ ସଙ୍ଗଠନର ସଭାପତି ମଧୁଲିକା ସିଂହ, ଉପ ମହାପ୍ରବନ୍ଧକ ତତ୍ତ୍ୱଦର୍ଶୀ ସାହୁ ପ୍ରମୁଖ ଉପସ୍ଥିତ ଥିଲେ।
କିଟ୍ ଓ କିସ୍
‘କିଟ୍’ରେ କୁଳପତି ପ୍ରଫେସର ହୃଷିକେଶ ମହାନ୍ତି ଓ ‘କିସ୍’ରେ କିଟ୍ ଓ କିସ୍’ର ସଭାପତି ଶାଶ୍ୱତୀ ବଳ ଜାତୀୟ ପତାକା ଉତ୍ତୋଳନ କରିଥିଲେ। ଅନୁଷ୍ଠାନର ସଂପାଦକ ଆର୍ ଏନ୍ ଦାଶ, କିସ୍ କୁଳପତି ପ୍ରଫେସର ହରେକୃଷ୍ଣ ଶତପଥୀ, କିଟ୍ କୁଳସଚିବ ଡ. ସସ୍ମିତାରାଣୀ ସାମନ୍ତ, କିସ୍ କୁଳସଚିବ ଜୁଲିଅସ୍ ଲାକ୍ରା ଉପସ୍ଥିତ ଥିଲେ। କିଟ୍ ଇଣ୍ଟରନ୍ୟାସନାଲ୍ ସ୍କୁଲ ଓ କିମସ୍ ହସ୍ପିଟାଲ୍ରେ ମଧ୍ୟ ପତାକା ଉତ୍ତୋଳନ ହୋଇଥିଲା।
ମେଟ୍ରୋସିଟି ଆପାର୍ଟମେଣ୍ଟ
ମେଟ୍ରୋସିଟି ଆପାର୍ଟମେଣ୍ଟ ସୋସାଇଟିର ସଭାପତି ସୁଧିର କୁମାର ମିତ୍ର ପତାକା ଉତ୍ତୋଳନ କରିଥିଲେ। ସମ୍ପାଦକ ରାଜକିଶୋର ସାମନ୍ତରାୟ ଉପସ୍ଥିତ ଥିଲେ। ପୂର୍ବତନ ସମ୍ପାଦକ ବଟକୃଷ୍ଣ ସାହୁ ଧନ୍ୟବାଦ ଅର୍ପଣ କରିଥିଲେ।
ଶତାକ୍ଷୀ ମହିଳା ସଂଗଠନ
କଳିଙ୍ଗନଗର କେ-୪ ଶତାକ୍ଷୀ ମହିଳା ସଂଗଠନରେ ସଭାପତି ସବିତା ପୃଷ୍ଟି ପତାକା ଉତ୍ତୋଳନ କରିଥିଲେ। ଶୁକ୍ରବାର ସଂଗଠନ ପରିସରରେ ଭାରତ ରତ୍ନ ତଥା ପୂର୍ବତନ ପ୍ରଧାନମନ୍ତ୍ରୀ ଅଟଳ ବିହାରୀ ବାଜପେୟୀଙ୍କ ବିୟୋଗରେ ଶୋକସଭା କରାଯାଇଥିଲା।
ବିଏମ୍ସି ଓ ବିକାଶ
ବିଏମ୍ସି ଓ ‘ବିକାଶ’ ସଂସ୍ଥା ପକ୍ଷରୁ ଘାଟିକିଆ ଓ ବରମୁଣ୍ଡାସ୍ଥିତ ବାସହୀନ ସହରାଞ୍ଚଳ ଆଶ୍ରୟସ୍ଥଳୀରେ ସ୍ୱାଧୀନତା ଦିବସ ପାଳିତ ହୋଇଛି। ବିକାଶର ସମ୍ପାଦକ ବିବେକ କୁମାର ମିଶ୍ର, କର୍ପୋରେଟର୍ ଦିଲ୍ଲୀପ ମାଝୀ ଉପସ୍ଥିତ ରହି ପତାକା ଉତ୍ତୋଳନ କରିଥିଲେ। ଆଶ୍ରୟସ୍ଥଳୀର ପରିଚାଳକ ସୁଶାନ୍ତ କୁମାର ବେହେରା, ବିଜୟ କୁମାର ବେହେରା, ତରୁଣ କୁମାର ସ୍ୱାଇଁ, ନିର୍ଭୟ ଦାସ, ଏସ୍ ଦାସ ପ୍ରମୁଖ ଉପସ୍ଥିତ ଥିଲେ।
ଡିଏଭି ଚନ୍ଦ୍ରଶେଖରପୁର
ଚନ୍ଦ୍ରଶେଖରପୁର ଡିଏଭି ପବ୍ଲିକ୍ ସ୍କୁଲ୍ ପରିସରରେ ଅନୁଷ୍ଠାନର ଅଧ୍ୟକ୍ଷ କେସି ଶତପଥୀ ଜାତୀୟ ପତାକା ଉତ୍ତୋଳନ କରିଥିଲେ। ଏହି ଅବସରରେ ସ୍କୁଲ୍ର ଶିକ୍ଷକ, ଶିକ୍ଷୟିତ୍ରୀ, ଛାତ୍ରଛାତ୍ରୀ ଉପସ୍ଥିତ ରହିଥିଲେ।
ନୀଳାଦ୍ରିବିହାର ସରସ୍ୱତୀ ବିଦ୍ୟା ମନ୍ଦିର
ସ୍କୁଲ ପ୍ରଧାନଶିକ୍ଷକ କେଦାର ସେଠୀଙ୍କ ଅଧ୍ୟକ୍ଷତାରେ ଆୟୋଜିତ କାର୍ଯ୍ୟକ୍ରମରେ ବିଶିଷ୍ଟ ବ୍ୟକ୍ତିମାନେ ଯୋଗଦେଇ ସ୍ୱାଧୀନତା ସଂଗ୍ରାମୀଙ୍କ କଠୋର ପରିଶ୍ରମ ଓ ଦେଶପ୍ରେମ ବିଷୟରେ କହିଥିଲେ। ଅନୁଷ୍ଠାନର ଗରୁଜୀ ଓ ଗୁରୁମା’ମାନେ ଛାତ୍ରଛାତ୍ରୀଙ୍କୁ ଦେଶପ୍ରେମୀଙ୍କ ପୋଷାକ ପିନ୍ଧାଇ ଦେଶଭକ୍ତଙ୍କ କଥାକୁ ସ୍ମରଣ କରାଇଥିଲେ।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2018/08/m15-3.jpg)