କରୋନା କଟକଣା ନେଇ ବାଣୀବିହାର ଅଶାନ୍ତ : ବନ୍ଦ ହେବନି ହଷ୍ଟେଲ

ଛାତ୍ରଛାତ୍ରୀଙ୍କ ଆନ୍ଦୋଳନ ଆଗରେ ମୁଣ୍ଡ ନୁଆଁଇଲେ

ଜାତୀୟ ରାଜପଥ ଘଣ୍ଟାଏ ଜାମ୍‌
କୁଳପତିଙ୍କ କାର୍ଯ୍ୟାଳୟ ଗ୍ରିଲ୍‌ ତାଲା ଭାଙ୍ଗିଲେ
ଉଚ୍ଚଶିକ୍ଷା ମନ୍ତ୍ରୀଙ୍କ ହସ୍ତକ୍ଷେପ ପରେ ନିଷ୍ପତ୍ତି ବଦଳିଲା

ଭୁବନେଶ୍ବର : ନିଷ୍ପତ୍ତି ହେଲା ଭୁବନେଶ୍ବରରେ ହଷ୍ଟେଲ ବନ୍ଦ ହେବ। ଛାତ୍ରଛାତ୍ରୀ ଘରକୁ ପଳାଇବେ। ପରୀକ୍ଷା ନ ଥିଲେ କୌଣସି ବି ପିଲା ହଷ୍ଟେଲରେ ରହିବେ ନାହିଁ। ରାଜଧାନୀରେ କରୋନା ସଂକ୍ରମଣ ବଢ଼ୁଥିବାରୁ ବିଏମ୍‌ସି ଏଭଳି ନିର୍ଦେଶ ଦେଇଥିଲା। ତାହାକୁ ଆଧାର କରି ଗୁରୁବାର ଉତ୍କଳ ବିଶ୍ବବିଦ୍ୟାଳୟ କର୍ତୃପକ୍ଷ ହଷ୍ଟେଲ ବନ୍ଦ କରିବାକୁ ‌ନିଷ୍ପତ୍ତି ନେଇଥିଲେ। ପିଜି ୪ର୍ଥ ସେମିଷ୍ଟର୍‌ର ଅନ୍ତେବାସୀ ଏପ୍ରିଲ ୧୨ ଓ ପ୍ରଥମ ସେମିଷ୍ଟର୍‌ ଛାତ୍ରଛାତ୍ରୀ ୧୬ ସୁଦ୍ଧା ହଷ୍ଟେଲ ଖାଲି କରିବାକୁ କୁହାଯିବା ପରେ ଆଜି ଦିନତମାମ କ୍ୟାମ୍ପସରେ ଛାତ୍ର ଅଶାନ୍ତି ଲାଗି ରହିଥିଲା। ଛାତ୍ରଛାତ୍ରୀ କ୍ୟାମ୍ପସରେ ଭଙ୍ଗାରୁଜା କରିବା ସହ ବାଣୀବିହାର ଛକରେ ଜାତୀୟ ରାଜପଥ-୧୬କୁ ପ୍ରାୟ ଘଣ୍ଟାଏ କାଳ ଅବରୋଧ କରି ରଖିବାରୁ ଶତାଧିକ ଟ୍ରକ୍‌, ବସ୍‌, ଅଟୋ, କାର୍‌ ଅଟକି ରହିଥିଲା। ସହର ଭିତରେ ଟ୍ରାଫିକ୍‌ ସମସ୍ୟା ଉପୁଜିବା ସହ ଲୋକଙ୍କୁ ନାକେଦମ୍‌ ହେବାକୁ ପଡ଼ିଥିଲା। ତେବେ ଆନ୍ଦୋଳନ ବ୍ୟାପକ ହେବାରୁ ଶେଷ‌େର ନିଷ୍ପତ୍ତି ବଦଳାଇଛନ୍ତି କର୍ତ୍ତୃପକ୍ଷ। ଛାତ୍ରଛାତ୍ରୀଙ୍କ ଭବିଷ୍ୟତ ତଥା ପାଠପଢ଼ାକୁ ଦୃଷ୍ଟିରେ ରଖି ଏବେ ହଷ୍ଟେଲ ବନ୍ଦ ହେବ ନାହିଁ। ବରଂ କୋଭିଡ୍‌ ନିୟମ ପାଳନ କରି ଛାତ୍ରଛାତ୍ରୀ ହଷ୍ଟେଲରେ ରହିବେ। ଯଦି କୌଣସି ସ୍ଥାନରେ ନିୟମ ଉଲ୍ଲଂଘନ ହେଉଥିବା ନଜରକୁ ଆସେ ତେବେ କାର୍ଯ୍ୟାନୁଷ୍ଠାନ ନିଆଯିବ।

ଆନ୍ଦୋଳନରତ ଛାତ୍ରଛାତ୍ରୀ କୋଭିଡ୍‌ କଟକଣା ଯୋଗୁଁ ହଷ୍ଟେଲ ବନ୍ଦକୁ ବିରୋଧ କରି ଖୁବ୍ ବର୍ଷିଥିଲେ। ଯୁକ୍ତି କରିଥିଲେ; ପିପିଲି ଉପନିର୍ବାଚନରେ ହେଉଥିବା ପ୍ରଚାର, ସଭା, ସମାବେଶରେ ହଜାର ହଜାର ସଂଖ୍ୟାରେ ଲୋକ ଏକତ୍ର ହେଉଛନ୍ତି। ସଭା, ଶୋଭାଯାତ୍ରା ହେଉଛି। ଏଥିରେ ଭାଗ ନେଉଥିବା ଦଳୀୟ କର୍ମୀମାନେ ପ୍ରତିଦିନ ଭୁବନେଶ୍ବରରୁ ଯିବା ଆସିବା କରୁଛନ୍ତି। ସେଠି କୋଭିଡ୍‌ ନିୟମାବଳି ପାଳନ ହେଉନି। ରାଜ୍ୟ ସରକାର ସେଥିରେ କୌଣସି କଟକଣା ଲଗାଉ ନାହାନ୍ତି। ମଦ ଦୋକାନ ସମ୍ମୁଖରେ ପ୍ରବଳ ଭିଡ଼ ହେଉଥିଲେ ମଧ୍ୟ କରୋନା ବ୍ୟାପୁନି। ଖାଲି ଶିକ୍ଷାନୁଷ୍ଠାନ ହଷ୍ଟେଲ ଖୋଲା ରହିଲେ କ’ଣ କରୋନା ବ୍ୟାପିଯାଉଛି? ଛାତ୍ରଛାତ୍ରୀଙ୍କ ଭବିଷ୍ୟତକୁ ଦୃଷ୍ଟି ନ ଦେଇ ଯେଉଁ ନିଷ୍ପତ୍ତି ନିଆଯାଇଛି ତାହା ଠିକ୍‌ ନୁହେଁ।

ବିଶ୍ବବିଦ୍ୟାଳୟ କର୍ତୃପକ୍ଷଙ୍କ ନିଷ୍ପତ୍ତିକୁ ବିରୋଧ କରି ପୂର୍ବାହ୍ନରୁ ଶତାଧିକ ଛାତ୍ରଛାତ୍ରୀ ପ୍ରଥମେ କୁଳପତି ପ୍ରଫେସର ସବିତା ଆଚାର୍ଯ୍ୟଙ୍କୁ ଭେଟି ସମସ୍ୟା ସମ୍ପର୍କରେ ଜଣାଇବାକୁ ଯାଇଥିଲେ। ତେବେ କୁଳପତି ନିଜ କାର୍ଯ୍ୟାଳୟରେ ଉପସ୍ଥିତ ନ ଥିବାରୁ ଛାତ୍ରଛାତ୍ରୀ ଘୋର ଅସନ୍ତୋଷ ପ୍ରକାଶ କରିଥିଲେ। ଦିନ ଯେତିକି ଗଡ଼ିଥିଲା ଛାତ୍ରଛାତ୍ରୀଙ୍କ ସଂଖ୍ୟା ସେହି ଅନୁଯାୟୀ ବଢ଼ି ଚାଲିଥିଲା। ଛାତ୍ର ବିଜେଡି, ଏବିଭିପି, ଛାତ୍ର କଂଗ୍ରେସ ଆଦି ସଙ୍ଗଠନ ନିର୍ବିଶେଷରେ ସମସ୍ତ ଛାତ୍ରଛାତ୍ରୀ ଏକାଠି ହୋଇ ‘ଉତ୍କଳ ବିଶ୍ବବିଦ୍ୟାଳୟ ଛାତ୍ର ସଙ୍ଗଠନ’ ବ୍ୟାନରରେ ରାଜରାସ୍ତାକୁ ଓହ୍ଲାଇଥିଲେ। ପ୍ରଥମେ ମୁଖ୍ୟ ଫାଟକରେ ତାଲା ପକାଇଥିଲେ। ପ୍ରାୟ ୧୫ ମିନିଟ୍‌ ଧରି ଫାଟକ ସାମ୍ନାରେ ଆନ୍ଦୋଳନ କରିବା ପରେ ମଧ୍ୟ କେହି ନ ଶୁଣିବାରୁ ସେମାନେ ଫାଟକ ସମ୍ମୁଖରେ ଥିବା ରାଜରାସ୍ତାକୁ ଉପରକୁ ଚାଲି ଆସିଥିଲେ। ଆଉ ଗାଡ଼ି ମଟର ଅଟକାଇଥିଲେ। ସେମାନେ ରାସ୍ତା ଉପରେ ବସି ରହିବାରୁ ଗାଡ଼ି ଚଳାଚଳ ଏକପ୍ରକାର ଠପ୍‌ ହୋଇଯାଇଥିଲା।

ପ୍ରାୟ ଘଣ୍ଟାଏ କାଳ ଏମିତି ଚାଲିବା ପରେ ସହିଦନଗର ଥାନା ପୁଲିସ ଘଟଣାସ୍ଥଳରେ ପହଞ୍ଚି ଛାତ୍ରଛାତ୍ରୀଙ୍କୁ ବୁଝାସୁଝା କରିଥିଲା। ଛାତ୍ରଛାତ୍ରୀ ରାଜରାସ୍ତାରୁ ହଟି କ୍ୟାମ୍ପସ ସମ୍ମୁଖରେ ଧାରଣାରେ ବସିଥିଲେ। ଅନ୍ୟ ଗୋଟିଏ ଗୋଷ୍ଠୀ କୁଳପତିଙ୍କ କାର୍ଯ୍ୟାଳୟ ଭିତରକୁ ଧସେଇ ପଶିଥିଲେ। ଗୋଟିଏ ପରେ ଗୋଟିଏ ଏମିତି ୪ଟି ଗ୍ରିଲ୍‌ର ତାଲା ଭାଙ୍ଗି କାର୍ଯ୍ୟାଳୟ ଆଡ଼କୁ ଯାଇଥିଲେ। ତେବେ ପୂର୍ବାହ୍ନ ୧୧ଟା ୩୦ ପର୍ଯ୍ୟନ୍ତ କୁଳପତି ପ୍ରଫେସର ଆଚାର୍ଯ୍ୟ କାର୍ଯ୍ୟାଳୟକୁ ଆସି ନ ଥିବାରୁ ନିରାଶ ହୋଇ ଫେରିଥିଲେ। ଏହାପରେ ସେମାନେ ପୁରୁଣା ଏକାଡେମିକ୍‌ ବିଲ୍‌ଡିଂ ସମ୍ମୁଖରେ ଧାରଣାରେ ବସି ରହିଥିଲେ। ଅପରାହ୍ଣରେ ଛାତ୍ରଛାତ୍ରୀଙ୍କ ଦୁଇଟି ଗୋଷ୍ଠୀ ଅଲଗା ଅଲଗା ହୋଇ ଉଚ୍ଚଶିକ୍ଷା ମନ୍ତ୍ରୀ ଅରୁଣ କୁମାର ସାହୁ ଓ ବିଏମ୍‌ସି କମିସନର ପ୍ରେମଚନ୍ଦ୍ର ଚୌଧରୀଙ୍କୁ ଭେଟି ସମସ୍ୟା ସମ୍ପର୍କରେ ଅବଗତ କରାଇଥିଲେ। ଛାତ୍ରନେତା ମାନସ କୁମାର ସାହୁ, ଆଖିଲେଶ ଯାଦବ, ମହେଶ ପ୍ରସାଦ, ଭବରଞ୍ଜନ ବେହେରା, ରାଜେଶ ପରିଡ଼ା, ସ୍ବୟଂଜିତ ପଟ୍ଟନାୟକ, ଅରମାନ ଜେନା, ଅନନ୍ୟା ବେହେରା, ମନୀଷା ସାମଲ, ସତ୍ୟଭାମା ସାମଲ, ସ୍ୱାଗତିକ ଜେନା ପ୍ରମୁଖ ଆନ୍ଦୋଳନର ନେତୃତ୍ୱ ନେଇଥିଲେ।

ବିଏମ୍‌ସି ଡେପୁଟି କମିସନର ମଧ୍ୟ ଘଟଣାସ୍ଥଳରେ ପହଞ୍ଚି ଛାତ୍ରଛାତ୍ରୀଙ୍କୁ ବୁଝାଇବାବେଳେ ଛାତ୍ରଛାତ୍ରୀଙ୍କ ଏକ ପ୍ରତିନିଧିଦଳ ବିଏମ୍‌ସି କମିସନର ଶ୍ରୀ ଚୌଧରୀଙ୍କୁ ସାକ୍ଷାତ କରିଥିଲେ। ଏହି ଅବସରରେ କମିସନର ଛାତ୍ରଛାତ୍ରୀଙ୍କ ସମସ୍ୟା ସମ୍ପର୍କରେ ଶୁଣିବା ସହ ହଷ୍ଟେଲ ‌ଖୋଲିବାକୁ ଅନୁମତି ଦେଇଥିଲେ। ତେବେ କ୍ୟାମ୍ପସରେ ସାମାଜିକ ଦୂରତା ରକ୍ଷା, କୋଭିଡ୍‌ କଟକଣା ପାଳନ, ମାସ୍କ ପରିଧାନ, ସାନିଟାଇଜର ବ୍ୟବହାରକୁ ବାଧ୍ୟତାମୂଳକ କରିବାକୁ କହିଥିଲେ। ଯଦି କୌଣସି ପ୍ରକାର ଅବ୍ୟବସ୍ଥା କିମ୍ବା କୋଭିଡ୍‌ ନିୟମ ଉଲ୍ଲଂଘନ ନଜରକୁ ଆସେ ତେବେ କାର୍ଯ୍ୟାନୁଷ୍ଠାନ ନିଆଯିବ ବୋଲି କହିଥିଲେ।

ସେହିପରି ଉଚ୍ଚଶିକ୍ଷା ମନ୍ତ୍ରୀ ଅରୁଣ ସାହୁଙ୍କ କହିଥିଲେ ‌ଯେ ପାଠ୍ୟକ୍ରମ ଶେଷ କରିବା ଲାଗି ଛାତ୍ରଛାତ୍ରୀ ହଷ୍ଟେଲରେ ରହିବାର ଆବଶ୍ୟକତା ରହିଛି। ତେଣୁ ଏ ସମ୍ପର୍କରେ କୁଳପତିଙ୍କୁ ଅବଗତ କରାଯିବ। ବିଭାଗ ପକ୍ଷରୁ ନିଷ୍ପତ୍ତି ନିଆଯିବ ଯେ ହଷ୍ଟେଲ ଖୋଲା ରହିବ। କୋଭିଡ୍‌ ଗାଇଡ୍‌ଲାଇନ୍‌ କଡାକଡ଼ି ପାଳନ ହେଉ। ଏବେ ସେଭଳି ବଡ଼ ଧରଣର ସମସ୍ୟା ସୃଷ୍ଟି ହୋଇନାହିଁ। ଭବିଷ୍ୟତରେ ଯଦି ଅଭାବନୀୟ ପରିସ୍ଥିତି ସୃଷ୍ଟି ହେବ ‌ତାହାକୁ ଦେଖି ନିଷ୍ପତ୍ତି ନିଆଯିବ। ପିଲାମାନେ ପାଠପଢ଼ା ଜାରି ରଖନ୍ତୁ।

ତମ ରାଲି ରାଲି… ଆମ ରାଲି ପାଣିଆ ଡାଲି…!
ଆଜି ଆନ୍ଦୋଳନ ବେଳେ ଛାତ୍ରଛାତ୍ରୀମାନେ ‘ଶିକ୍ଷା ବଞ୍ଚିଲେ, ସମାଜ ବଞ୍ଚିବ’, ‘ବିଶ୍ବବିଦ୍ୟାଳୟକୁ ବନ୍ଦ କରି ଶିକ୍ଷାକୁ ପଙ୍ଗୁ କରିବା ବନ୍ଦ କର’, ‘ତମ ରାଲି ରାଲି, ଆମ ରାଲି ପାଣିଆ ଡାଲି’ ପରି ସ୍ଲୋଗାନ ଦେଇଥିଲେ। ଛାତ୍ରଛାତ୍ରୀଙ୍କ କହିବା କଥା ହେଲା ପିପିଲି ନିର୍ବାଚନୀ ପ୍ରଚାରରେ ସଭା, ଶୋଭାଯାତ୍ରା ତଥା ରାଲି ହେଉଛି। ହଜାର ହଜାର ଲୋକ ଏକାଠି ହେଉଛନ୍ତି। ସେତେବେଳେ କରୋନା ବ୍ୟାପୁନି। ହେଲେ ଶିକ୍ଷାନୁଷ୍ଠାନର ହଷ୍ଟେଲରୁ କରୋନା ବ୍ୟାପିଯାଉଛି? କ୍ୟାମ୍ପସରେ ରାଲି କଲା ବେଳକୁ କରୋନା ଏମିତି ମାଡ଼ି ଯାଉଛି?

ଆଧରୁ ବନ୍ଦ ହେଲା ପରୀକ୍ଷା
ଛାତ୍ରଛାତ୍ରୀଙ୍କ ଆନ୍ଦୋଳନ ଯୋଗୁଁ ଆଜି କ୍ୟାମ୍ପସରେ ଅପ୍ରୀତିକର ପରିସ୍ଥିତି ଉପୁଜିଥିଲା। ପ୍ରଥମ ବର୍ଷ ଛାତ୍ରଛାତ୍ରୀଙ୍କ ମିଡ୍‌-ସେମିଷ୍ଟର ପରୀକ୍ଷା ଚାଲୁଥିବା ବେଳେ ଆନ୍ଦୋଳନକାରୀମା‌ନେ ହ‌ଲ୍‌କୁ ପ୍ରବେଶ କରି ତାହାକୁ ବନ୍ଦ କରିଥିଲେ। ପରୀକ୍ଷା ନ ଦେବା ଲାଗି ପରୀକ୍ଷାର୍ଥୀଙ୍କୁ କହିଥିଲେ। ଫଳରେ ୩ରୁ ଅଧିକ ବିଭାଗର ପରୀକ୍ଷାକୁ ବାତିଲ କରିବାକୁ ପଡ଼ିଥିବା ବିଶ୍ବବିଦ୍ୟାଳୟ କର୍ତୃପକ୍ଷ ସୂଚନା ଦେଇଛନ୍ତି।

ତଡ଼ା ଖାଇବେ ଅଣଛାତ୍ର
ଉତ୍କଳ ବିଶ୍ବବିଦ୍ୟାଳୟ ଛାତ୍ର ଅଶାନ୍ତି ପରେ କର୍ତୃପକ୍ଷଙ୍କ ଚେତା‌ ପଶିଛି। କ୍ୟାମ୍ପସରୁ ଅଣଛାତ୍ରଙ୍କୁ ତଡ଼ିବା ଲାଗି ପୁଣିଥରେ ଯୋଜନା ପ୍ରସ୍ତୁତ କରାଯାଇଛି। ଆଜିର ଆନ୍ଦୋଳନ ପଛରେ ଅଣଛାତ୍ରଙ୍କ ହାତ ଥିବା ଜଣାପଡ଼ିବା ପରେ ଏଭଳି ନିଷ୍ପତ୍ତି ହୋଇଛି। କ୍ୟାମ୍ପସରେ ଥିବା ହଷ୍ଟେଲଗୁଡ଼ିକରେ ଚଢ଼ଉ କରାଯାଇ ଅଣଛାତ୍ରଙ୍କୁ ଚିହ୍ନଟ କରାଯିବ। ଏଥିପାଇଁ ଏକ କମିଟି ଗଠନ ହେବ। ଏଥିରେ ବିଶ୍ବବିଦ୍ୟାଳୟର ଅଧିକାରୀମାନେ ରହି‌େବ। ହଷ୍ଟେଲର କେଉଁ ରୁମ୍‌ରେ ଅଣଛାତ୍ର ରହୁଛନ୍ତି ପ୍ରଥମେ ତାହାକୁ ଚିହ୍ନଟ କରାଯିବ। ଏହାପରେ ସେମାନଙ୍କୁ ବାହାରି ଯିବାକୁ ପରାମର୍ଶ ଦିଆଯିବ। ଯଦି ନ ଯାଆନ୍ତି ତେବେ ପୁଲିସ ଲଗାଇ ବାହାର କରିବା ଦିଗରେ ପଦ‌କ୍ଷେପ ନିଆଯିବ।

ସମ୍ବନ୍ଧିତ ଖବର