ବାଣୀବିହାର ଆରଓବି ନିର୍ମାଣ ନେଇ ଅନିଶ୍ଚିତତା : ବାଲିକୁଦା ଓଭରବ୍ରିଜ୍‌ ଓ ଚନ୍ଦକା ପୋଲ ବାଧକ

ଖଣ୍ଡଗିରି ଯାତ୍ରା ବେଳେ ନୟାନ୍ତ ହୋଇଥିଲା ପୁଲିସ

ଭୁବ‌ନେଶ୍ୱର : ବାରଙ୍ଗରୁ ଖୋର୍ଦ୍ଧା ପର୍ଯ୍ୟନ୍ତ ବିଛା ଯାଉଥିବା ତୃତୀୟ ରେଳଧାରଣା ପାଇଁ ବାଣୀବିହାର ରେଲୱେ ଓଭରବ୍ରିଜ୍ (ଆରଓବି) ପ୍ରଶସ୍ତୀକରଣ କାର୍ଯ୍ୟକୁ ନେଇ ଅନିଶ୍ଚିତତା ଦେଖାଦେଇଛି। ଖୋର୍ଦ୍ଧାପଟୁ ଆସୁଥିବା ସମସ୍ତ ଭାରିଯାନ ପିତାପଲ୍ଲୀ ଠାରୁ ଚନ୍ଦକା, ମେଣ୍ଢାଶାଳ, ବାରଙ୍ଗ ଦେଇ ବାଲିକୁଦା ଛକରେ ୧୬ ନମ୍ବର ଜାତୀୟ ରାଜପଥକୁ ଉଠିବା ପାଇଁ ଯେଉଁ ଯୋଜନା ହୋଇଛି ସେଥିରେ ଅନେକ ସମସ୍ୟା‌ ଦେଖାଦେଇଛି। ଏହି ରାସ୍ତାକୁ ଯାଞ୍ଚ କଲାବେଳେ ଅଭାବନୀୟ ପରିସ୍ଥିତି ସାମ୍ନାକୁ ଆସିଛି। ଚନ୍ଦକାରେ ଗୋଟିଏ ଛୋଟ ପୋଲ ରହିଛି ଯେଉଁଥିରେ ଭାରୀଯାନ ଲଗାତାର ଚାଲିବା ବିପଜ୍ଜନକ ହେବ। ସେହିଭଳି ବାଲିକୁଦାରେ ଓଭରବ୍ରିଜ୍‌ ନଥିବାରୁ ଘୋର ଟ୍ରାଫିକ୍‌ ସମସ୍ୟା ସୃଷ୍ଟି ହେବ। ପୂର୍ବରୁ ଖଣ୍ଡଗିରି ଯାତ୍ରା ବେଳେ ଏଭଳି ଟ୍ରାଫିକ୍‌ ଗତିପଥ ବଦଳା ଯାଇଥିଲା। ହେଲେ ଏହି ରାସ୍ତା ଦେଇ ଯିବା ବେଳେ ଅନେକ ଗାଡ଼ି ଚାଳକ ଲୁଟେରାଙ୍କ ଶିକାର ହୋଇଥିଲେ। କେତେକ ଲହୁଲୁହାଣ ହୋଇଥିଲେ। ଯେଉଁଥିପାଇଁ ପୁଲିସ ମଧ୍ୟ ନୟାନ୍ତ ହୋଇଥିଲା। ଏବେ ଏକ ବର୍ଷ କାଳ ଏଭଳି ଗାଡ଼ି ଯିବା ଆସିବା କଲେ ପରିସ୍ଥିତି ଅଣାୟତ୍ତ ହେବ। ଏଣୁ ଏହି ଆରଓବି ପ୍ରଶସ୍ତୀକରଣକୁ ନେଇ ଅନିଶ୍ଚିତତା ଦେଖାଦେଇଛି।

ସେହିଭଳି ରସୁଲଗଡ଼ ଫ୍ଲାଏ ଓଭର ତଳ ରାସ୍ତା ଓ ମଞ୍ଚେଶ୍ବର ଶିଳ୍ପାଞ୍ଚଳକୁ ପ୍ରବେଶ ପଥ ଅବସ୍ଥା ମଧ୍ୟ ସାଂଘାତିକ ରହିଛି। ମଞ୍ଚେଶ୍ବର ଶିଳ୍ପାଞ୍ଚଳ ଦେଇ ଗାଡ଼ିଗୁଡ଼ିକ ଏହି ଛକରେ ବାହାରି କଟକ ଆଡ଼େ ବୁଲିବା ବେଳେ ଏଠାରେ ସାଂଘାତିକ ପରିସ୍ଥିତି ସୃଷ୍ଟି ହେବା ଆଶଙ୍କା କରାଯାଉଛି। ମରାମତି ଅଭାବରୁ ଏହି ରାସ୍ତା ଖାଲ ହେବା ସହ ଭିଏସଏସ୍‌ ନଗର ଆରଓବି ଉପରେ ଆଲୋକୀକରଣ ହୋଇନାହିଁ। ଏଥିପାଇଁ ୨୦୧୬ ମସିହାରୁ ବ୍ୟୟ ଅଟକଳ ସହ ଟେଣ୍ଡର ପର୍ଯ୍ୟନ୍ତ କଥା ଯାଇଥିଲେ ମଧ୍ୟ ରାଜନୈତିକ ବିବାଦ ନେଇ କାମ ହୋଇ ପାରିନାହିଁ। ଏଣୁ ହାଲୁକାଯାନ ସବୁ ଏହି ପୋଲ ଦେଇ ଯିବା ବେଳେ ଅନ୍ଧାର ଯୋଗୁଁ ଦୁର୍ଘଟଣା ଘଟିବା ନେଇ ଆଶଙ୍କା ପ୍ରକାଶ ପାଇଛି। ଅନ୍ଧାର ଯୋଗୁଁ ଦୁର୍ଘଟଣା ଘଟିବା ସହ ବାଇକ୍‌ ଚାଳକ ପୋଲ ଉପରୁ ଗଳିପଡ଼ି ମୃତ୍ୟୁବରଣ କରିବା ନଜିର ରହିଛି। ଏଣୁ ଏହି ସବୁ ସମସ୍ୟା ସମାଧାନ ନ କରି ଆରଓବି ନିର୍ମାଣ ଅସମ୍ଭବ ବୋଲି କୁହାଯାଉଛି।

ସୂଚନାଯୋଗ୍ୟ, ବାଣୀବିହାର ଆରଓବିର ଓସାର ଏବେ ୧୮ ମିଟର ରହିଛି। ଏହାକୁ ୪୬ ମିଟର କରାଯିବ। ଏହା ଉପରେ ଏକ ପାନୀୟ ଜଳ ପାଇପ୍‌ ଲାଇନ୍‌ ଯାଇଛି। ତାହାକୁ ମଧ୍ୟ ଏହି ପୋଲ ଅନୁସାରେ ଲମ୍ବା କରାଯିବ। ଉଭୟ କାମ ପାଇଁ ୩୦ କୋଟି ଟଙ୍କା ଖର୍ଚ୍ଚ ହେବ। ୨୦୧୦ ମସିହାରେ ଏହି ଯୋଜନା ହୋଇଥିଲେ ମଧ୍ୟ ବିବାଦ ଯୋଗୁଁ ହୋଇପାରୁନି। ପୂର୍ବରୁ ଏନ୍‌ଏଚ୍‌ଏଆଇ କରିବାକୁ ଥିବା ବେଳ‌େ ଏବେ ରେଳ ବିକାଶ ନିଗମ ଲିମିଟେଡ୍‌ କରିବାକୁ ଟେଣ୍ଡର କରି ସାରିଛି। ଟ୍ରାଫିକ୍‌ ଗତିପଥ ବଦଳାଇବାକୁ ସ୍ଥିର କରାଯିବା ପରେ ଏହି ରାସ୍ତା ମରାମତି କରିବାକୁ ପୁଲିସ କମିସନର ପୂର୍ତ୍ତ ବିଭାଗକୁ ଚିଠି ଲେଖିଥିଲେ। ଯାଞ୍ଚ ବେଳେ ଏଭଳି ସାଂଘାତିକ ସ୍ଥିତି ସାମ୍ନାକୁ ଆସିଛି।

ସମ୍ବନ୍ଧିତ ଖବର