ପୁଣି ଚର୍ଚ୍ଚାରେ ବାଣୀବିହାର, ଠିକା କାମ ନେଇ ବିବାଦ

ଦୁର୍ନୀତି ଅଭିଯୋଗ ଆଣିଲେ ଛାତ୍ର ନେତା, ଭିଜିଲାନ୍ସ ତଦନ୍ତ ଦାବିରେ କୁଳାଧିପତିଙ୍କୁ ଭେଟିଲେ

ଭୁବନେଶ୍ବର: ବିଭିନ୍ନ ସମୟରେ ଶିକ୍ଷାଦାନରେ ଅବ୍ୟବସ୍ଥା ନେଇ ଉତ୍କଳ ବିଶ୍ବବିଦ୍ୟାଳୟ ଚର୍ଚ୍ଚାରେ ରହିଛି। କିନ୍ତୁ ଏବେ ଏକ ଭିନ୍ନ କାରଣ ପାଇଁ ବିବାଦ ଘେରକୁ ଆସିଛି। କ୍ୟାମ୍ପସ୍‌ରେ ହେଉଥିବା ବିଭିନ୍ନ ନିର୍ମାଣ କାର୍ଯ୍ୟରେ ଦୁର୍ନୀତିର ଅଭିଯୋଗ ଆସିଛି। ଠିକା କାମରେ ବ୍ୟାପକ ଦୁର୍ନୀତି ହୋଇଛି ବୋଲି କିଛି ପୂର୍ବତନ ଛାତ୍ର ନେତା ଅଭିଯୋଗ ଆଣି କୁଳାଧିପତିଙ୍କ ନିକଟରେ ଫେରାଦ ହୋଇଛନ୍ତି। ଅପରପକ୍ଷରେ ନିଜକୁ ବିଶ୍ବବିଦ୍ୟାଳୟର ଛାତ୍ର କହି କିଛି ବ୍ୟକ୍ତି ଚାନ୍ଦା ମାଗୁଛନ୍ତି ବୋଲି ଠିକା ସଂସ୍ଥା ଅଭିଯୋଗ ଆଣିଛି। ଏହାକୁ ନେଇ କ୍ୟାମ୍ପସ୍‌ରେ ସରଗରମ ଚର୍ଚ୍ଚା ଚାଲିଛି। ବିଶ୍ବବିଦ୍ୟାଳୟର ପୂର୍ବତନ ଛାତ୍ର ସଂସଦ ସଭାପତି ମହେଶ ପ୍ରସାଦ ଆଜି କୁଳାଧିପତିଙ୍କୁ ଦେଇଥିବା ଏକ ସ୍ମାରକପତ୍ରରେ ଦର୍ଶାଇଛନ୍ତି ଯେ ଉତ୍କଳ ବିଶ୍ବବିଦ୍ୟାଳୟରେ ଚାଲିଥିବା ବିଭିନ୍ନ କାମରେ ଦୁର୍ନୀତି ହୋଇଛି। ନିର୍ମାଣ ହେଉଥିବା କୋଠାଗୁଡ଼ିକ ନିମ୍ନମାନର। କ୍ୟାମ୍ପସର ମଧ୍ୟ ଭାଗରେ ମାତ୍ର ୮ ମାସ ତଳେ ତିଆରି ହୋଇଥିବା ଗାନ୍ଧୀ ପାର୍କ ପ୍ରତିଷ୍ଠାରେ ସ୍ବଚ୍ଛତା ରଖାଯାଇ ନାହିଁ। ବ୍ୟାପକ ହରିଲୁଟ୍‌ ହେଉଛି। ଏଥି ସହ ବିଶ୍ବବିଦ୍ୟାଳୟ ପରିସରରେ ନିର୍ମାଣାଧୀନ ପ୍ରାୟ ଶହେ କୋଟି ଟଙ୍କା କାର୍ଯ୍ୟର ଉଚ୍ଚସ୍ତରୀୟ ତଦନ୍ତ କରିବାକୁ ସେ ଦାବି କରିଛନ୍ତି। ମହେଶଙ୍କ ସହ କ୍ୟାମ୍ପସର ୮ରୁ ୧୦ଜଣ ଛାତ୍ରନେତା ଆଜି ରାଜଭବନ ଯାଇ କୁଳାଧିପତିଙ୍କ ଉଦ୍ଦେଶ୍ୟରେ ଏହି ସ୍ମାରକପତ୍ର ପ୍ରଦାନ କରିଥିଲେ।

ସେମାନଙ୍କ ଅଭିଯୋଗ ଅନୁଯାୟୀ, ବିଶ୍ବବିଦ୍ୟାଳୟ କୁଳପତି ପ୍ରଫେସର୍‌ ସୌମେନ୍ଦ୍ର ମୋହନ ପଟ୍ଟନାୟକଙ୍କ ଯୋଗଦାନ ପରେ କ୍ୟାମ୍ପସରେ ଯେତିକି କାର୍ଯ୍ୟ ହେଉଛି, ତାହାକୁ ଜାତୀୟସ୍ତରୀୟ ଠିକା ସଂସ୍ଥା ଏନ୍‌ବିସିସିକୁ ପ୍ରଦାନ କରୁଛନ୍ତି। ଏହା ଏକ ନାମକରା ସଂସ୍ଥା ହୋଇଥିବାରୁ କାର୍ଯ୍ୟର ତଦାରଖ କେହି କରୁନାହାନ୍ତି। ୫ ମହଲା ରୁଷା ଭବନର କାମ ଠିକ୍ ଭାବେ ହେଉ ନାହିଁ। ଜାନୁଆରି ୨୬ରେ ୧୫ଲକ୍ଷରୁ ଅଧିକ ଟଙ୍କା ଖର୍ଚ୍ଚ କରାଯାଇ କ୍ୟାମ୍ପସର ପ୍ରବେଶ ପଥରେ ଜାତୀୟ ପତାକା ଲଗାଯାଇଥିଲା। ତେବେ ୩ମାସ ପରେ ଜାତୀୟ ପତାକା ଗାଏବ୍‌ ହୋଇଯାଇଛି। ଆଉ ଉଡ଼ୁ ନାହିଁ, କେବଳ ଖୁଣ୍ଟ ଛିଡ଼ା ହୋଇଛି। କୁଳପତି କ୍ୟାମ୍ପସ୍‌ରେ ରହୁଥିଲେ ମଧ୍ୟ ଏଥିପ୍ରତି ଧ୍ୟାନ ଦେଉନାହାନ୍ତି। ଯେଉଁଥିପାଇଁ ବିଶ୍ବବିଦ୍ୟାଳୟ ବଦନାମ ମୁଣ୍ଡାଉଛି। ଏବେ ଲକ୍‌ଡାଉନ୍‌ ଯୋଗୁଁ କ୍ୟାମ୍ପସ ବନ୍ଦ ରହିଥିବା ବେଳେ କିଛି ଛାତ୍ରନେତାଙ୍କୁ ଧରି ଠିକା ସଂସ୍ଥା ହଷ୍ଟେଲ ମରାମତି କାମ କରୁଛି। ବିଶ୍ବବିଦ୍ୟାଳୟ କର୍ତୃପକ୍ଷ କିମ୍ବା ଛାତ୍ରଛାତ୍ରୀ କେହି କାମର ଭଲମନ୍ଦ ଦେଖିବାକୁ ନାହାନ୍ତି। ୭ନମ୍ବର ହଷ୍ଟେଲ ନିକଟରେ ନିର୍ମାଣାଧୀନ ଏକ ବିଲଡିଂ କାର୍ଯ୍ୟରେ ବ୍ୟାପକ ଅନିୟମିତତା ହୋଇଛି। ରାସ୍ତା ନିର୍ମାଣ ବି ନିମ୍ନମାନର ହୋଇଥିବାରୁ ହଜାର ହଜାର ଛାତ୍ରଛାତ୍ରୀଙ୍କ ସୁରକ୍ଷା ନେଇ ପ୍ରଶ୍ନ ଉଠିଛି। ଏନେଇ ବୁଧବାର ଭିଜିଲାନ୍ସ, ଉଚ୍ଚଶିକ୍ଷା ମନ୍ତ୍ରୀ ଓ ସଚିବଙ୍କୁ ଦାବିପତ୍ର ପ୍ରଦାନ କରାଯିବ ବୋଲି ଛାତ୍ରନେତା କାମାକ୍ଷା ପ୍ରସାଦ, ଅସିତ୍‌ ଦାଶ, ଦେବେଶ ଦାଶ, ଅଚ୍ୟୁତ୍‌ ବେହେରା, ପୂର୍ଣ୍ଣ ସ୍ବାଇଁ ପ୍ରମୁଖ କହିଛନ୍ତି।

ଅନ୍ୟପକ୍ଷରେ ନିଜକୁ ବିଶ୍ବବିଦ୍ୟାଳୟ ଛାତ୍ର ବୋଲି କହି କେତେକ ବ୍ୟକ୍ତିବିଶେଷ ବାରମ୍ବାର ଚାନ୍ଦା ମାଗୁଥିବା‌ ଏକ ଠିକା ସଂସ୍ଥା ପକ୍ଷରୁ କୁଳସଚିବଙ୍କ ଦୃଷ୍ଟି ଆକର୍ଷଣ କରାଯାଇଛି। ସମ୍ପୃକ୍ତ ସଂସ୍ଥା ଦର୍ଶାଇଛି ଯେ ହ୍ୟୁମାନ ରିସର୍ଚ୍ଚ ଡେଭଲ୍‌ପମେଣ୍ଟ ସେଣ୍ଟର, ଏକାଡେମିକ ଷ୍ଟାଫ୍‌ କଲେଜ ଗେଷ୍ଟ ହାଉସ, ପାନୀୟ ଜଳ ସଂଯୋଗ କାର୍ଯ୍ୟ, ସାନିଟାରି ଇନ୍‌ଷ୍ଟାଲେସନ, ଡ୍ରେନେଜ୍‌ ଆଦି କାର୍ଯ୍ୟ କରାଯାଉଛି। ୨୦୧୯ ଅଗଷ୍ଟ ସୁଦ୍ଧା ପ୍ରାୟ ୬୦ ପ୍ରତିଶତ କାମ ଶେଷ ହୋଇଛି। ଏହାପରେ ଅର୍ଥ ମଞ୍ଜୁର ହୋଇ ନଥିବାରୁ ୨୦୧୯ ସେପ୍ଟେମ୍ବରରୁ କାମ ବନ୍ଦ ରହିଛି। ଏବେ ଏହି ବିଲଡିଂ ଆମ ଅଧୀନରେ ଥିବାରୁ ତାହାର ସୁରକ୍ଷା ଓ ବିଲଡିଂ ନିକଟରେ ଥିବା ସାମଗ୍ରୀଗୁଡ଼ିକର ସୁରକ୍ଷା ପାଇଁ ସୁରକ୍ଷା କର୍ମୀ ନିୟୋଜିତ ହୋଇଛନ୍ତି। ତେବେ କେତେଜଣ ବ୍ୟକ୍ତିବିଶେଷ ନିଜକୁ ଉତ୍କଳ ବିଶ୍ବବିଦ୍ୟାଳୟର ଛାତ୍ର ବୋଲି କହି ଏହି କାର୍ଯ୍ୟ ନିକଟକୁ ବାରମ୍ବାର ଆସି ଚାନ୍ଦା ମାଗୁଛନ୍ତି। ଚାନ୍ଦା ନ ଦେଲେ ବାଡ଼େଇବା, ହତ୍ୟା ପରି ଧମକ ଦେଉଥିବାରୁ ଆମ ସୁରକ୍ଷା କର୍ମୀମାନେ ନିଜକୁ ଅସୁରକ୍ଷିତ ମଣୁଛନ୍ତି। ତେଣୁ ସୁରକ୍ଷା ଯୋଗାଇ ଦେବାକୁ ଠିକା ସଂସ୍ଥା ପକ୍ଷରୁ କୁଳସଚିବଙ୍କୁ ଅନୁରୋଧ କରାଯାଇଛି। ଠିକା କାମକୁ ନେଇ ବିଶ୍ବବିଦ୍ୟାଳୟ କ୍ୟାମ୍ପସରେ ବଡ଼ଧରଣର ବିବାଦ ମୁଣ୍ଡ ଟେକିଥିବା ବେଳେ କୁଳପତି ପ୍ରଫେସର ପଟ୍ଟନାୟକ କିମ୍ବା କୁଳସଚିବ ହସ୍ତକ୍ଷେପ କରୁନାହାନ୍ତି। ଏମିତିକି କାମର ତଦାରଖ କରିବାକୁ ବି କେହି ନ ଥିବାରୁ ହରିଲୁଟ୍‌ ବଢ଼ୁଥିବା ଅଭିଯୋଗ ହୋଇଛି। ଏଭଳି ବିବାଦ ସମ୍ପର୍କରେ ଜାଣିବା ଲାଗି ଉତ୍କଳ ବିଶ୍ବବିଦ୍ୟାଳୟ କୁଳପତି ପ୍ରଫେସର୍‌ ପଟ୍ଟନାୟକ ଫୋନ୍‌ ନମ୍ବରରେ ଯୋଗାଯୋଗ କରାଯାଇଥିଲେ ମଧ୍ୟ କିଛି ଉତ୍ତର ଦେଇ ନ ଥି‌ଲେ। କୁଳସଚିବ ଦୟାନିଧି ନାୟକଙ୍କ ଫୋନ୍‌ ବନ୍ଦ ରହିଥିଲା।

ସମ୍ବନ୍ଧିତ ଖବର