ବାଣୀବିହାର ଅଣଛାତ୍ରମୁକ୍ତ କେବେ? ଶିକ୍ଷାବର୍ଷ ଆରମ୍ଭରୁ ଦବ୍‌ଦବା

ଗୋଟିଏ ହଷ୍ଟେଲ ଉପରେ ଚଢ଼ଉ କରି କର୍ତୃପକ୍ଷ ଚୁପ୍‌, ୪ ମାସ ହେଲା ୭ ନମ୍ବର ହଷ୍ଟେଲରେ ତାଲା

ଭୁବନେଶ୍ବର: ତିନି ମାସ ବିତିଲାଣି। ତଥାପି ଅଣଛାତ୍ର ମୁକ୍ତ ହୋଇପାରୁନି ବାଣୀବିହାର(ଉତ୍କଳ ବିଶ୍ବବିଦ୍ୟାଳୟ) କ୍ୟାମ୍ପସ। ଗୋଟିଏ ହଷ୍ଟେଲ ଉପରେ ଚଢ଼ଉ କରି ୬୦ ଅଣଛାତ୍ରଙ୍କୁ କାଢ଼ିବା ପରେ ଚୁପ୍‌ ବସିପଡ଼ିଲେ ବିଶ୍ବବିଦ୍ୟାଳୟ କର୍ତୃପକ୍ଷ। ଦ୍ବିତୀୟ ପର୍ଯ୍ୟାୟ ଚଢ଼ଉ ହେବ ହେବ ବୋଲି କହି ଇତି ମଧ୍ୟରେ ଜୁଲାଇ ମାସ ବିତିବାକୁ ବସିଲାଣି। ନୂଆ ପିଲାଙ୍କ ନାମଲେଖା ବି ଆରମ୍ଭ ହେଲାଣି। ତଥାପି ଅଣଛାତ୍ରଙ୍କୁ କାଢ଼ିବାକୁ ବିଶ୍ବବିଦ୍ୟାଳୟ କୁଳପତି, କୁଳସଚିବଙ୍କ ହାତ ପାଉନି। କାହା ଚାପରେ ସେମାନେ ଚୁପ୍‌ ବସିଛନ୍ତି, ତାହା ବି ଜଣାପଡ଼ୁଛି। ଗୋଟିଏ ପଟେ ଉଚ୍ଚଶିକ୍ଷା ମନ୍ତ୍ରୀ ଅରୁଣ ସାହୁ କ୍ୟାମ୍ପସ ଅଣଛାତ୍ରମୁକ୍ତ କରିବାକୁ ଆହ୍ବାନ ଦେଉଥିବା ବେଳେ ବାଣୀବିହାର କ୍ୟାମ୍ପସ ଅଣଛାତ୍ରମୟ ହୋଇପଡ଼ିଛି।

ଏବେ ନାମଲେଖା‌ ଋତୁ ଚାଲିଥିବାରୁ କ୍ୟାମ୍ପସ୍‌ରେ ଅଣଛାତ୍ରଙ୍କ ଆଡ୍ଡା ଜମୁଛି। କେତେକ ଛାତ୍ର ସଙ୍ଗଠନ କ୍ୟାମ୍ପସ୍‌‌ରେ ଷ୍ଟଲ୍‌ ଖୋଲି ନୂଆ କରି ନାମ ଲେଖାଉଥିବା ଛାତ୍ରଛାତ୍ରୀଙ୍କୁ ସହଯୋଗ କରୁଛନ୍ତି। ଏହା ଅବଶ୍ୟ ଏକ ଭଲ ପଦକ୍ଷେପ। ତେବେ ଖୋଲା ଯାଇଥିବା ଷ୍ଟଲଗୁଡ଼ିକରେ ଛାତ୍ରଛାତ୍ରୀଙ୍କ ଅପେକ୍ଷା ଅଧିକ ସଂଖ୍ୟାରେ ଅଣଛାତ୍ରଙ୍କୁ ଦେଖାବାକୁ ମିଳୁଛି। ଏପରିକି ମାର୍ଚ୍ଚ ୧୦ରେ ୭ନମ୍ବର ଛାତ୍ରାବାସ ଚଢ଼ଉ ସମୟରେ ଯେଉଁମାନଙ୍କୁ ତଡ଼ା ଯାଇଥିଲା, ସେମାନେ ଏବେ ପୁଣିଥରେ ଡେରା ପକାଇଲେଣି। ବିଭିନ୍ନ ହଷ୍ଟେଲରେ ରହୁଛନ୍ତି। ସକାଳୁ ସନ୍ଧ୍ୟା ପର୍ଯ୍ୟନ୍ତ କ୍ୟାମ୍ପସରେ ନିଜର ଦବ୍‌ଦବା ଜାହିର କରୁଛନ୍ତି। ଏପରିକି ଅଣଛାତ୍ରମାନେ କିଛି ଦିନ ତଳେ କ୍ୟାମ୍ପସ୍‌‌ରେ ଜଣେ ସୁରକ୍ଷା କର୍ମୀଙ୍କୁ ଆକ୍ରମଣ କରିଥିଲେ। କ୍ୟାମ୍ପସକୁ ନୂଆ କରି ଆସୁଥିବା ଛାତ୍ରୀଙ୍କୁ ଖରାପ ବ୍ୟବହାର କରୁଥିବା ବି ଅଭିଯୋଗ ହେଲାଣି। ଅନ୍ୟପକ୍ଷରେ ୪ମାସ ହେଲା ୭ନମ୍ବର ଛାତ୍ରାବାସରେ ତାଲା ପଡ଼ିଥିବାରୁ ତାହା ଭୂତକୋଠି ପାଲଟିଲାଣି। କେହି ରହୁନାହାନ୍ତି କି ହଷ୍ଟେଲ ସିଟ୍‌ କାହାକୁ ଆଲର୍ଟ ହେଉନି। ଏବେ ବି ଦୁଇଜଣ ସୁରକ୍ଷା କର୍ମୀ ଦିନରାତି ଡ୍ୟୁଟି କରୁଛନ୍ତି। ତେବେ ‌ବାକି ହଷ୍ଟେଲଗୁଡ଼ିକ ଅବସ୍ଥା ନ କହିବା ଭଲ। ଅଣଛାତ୍ରମାନେ ହଷ୍ଟେଲଗୁଡ଼ିକରେ ଆଡ୍ଡା ଜମାଇ ବସିଛନ୍ତି। ହଷ୍ଟେଲ ନମ୍ବର ୧, ୨, ୩ ଓ ୪ରେ ଏମାନଙ୍କ ପ୍ରାଦୁର୍ଭାବ ଜାରି ରହିଛି। ପ୍ରାୟ ୩୦ଟି ରୁମ୍‌ରେ ଛାତ୍ରଙ୍କ ସହ ଅଣଛାତ୍ରମାନେ ରହୁଥିବା ଜଣାପଡ଼ିଛି। ସେମାନଙ୍କୁ ହଟାଇବା ଦିଗରେ ବିଶ୍ବବିଦ୍ୟାଳୟ କର୍ତୃପକ୍ଷ ଏପର୍ଯ୍ୟନ୍ତ ଠୋସ୍‌ ପଦକ୍ଷେପ ନେଇନାହାନ୍ତି।

ବିଶ୍ବବିଦ୍ୟାଳୟ ଖୋଲିଥିଲେ ମଧ୍ୟ ଅଣଛାତ୍ରଙ୍କୁ ଚିହ୍ନଟ ପ୍ରକ୍ରିୟା ହୋଇପାରିନି। କେଉଁ ହଷ୍ଟେଲରେ କେଉଁମାନେ ରହିଛନ୍ତି? ସେମାନେ ଛାତ୍ର କି ଅଣଛାତ୍ର କିମ୍ବା ପୁରାତନ ଛାତ୍ର ତାହାକୁ ବି ଯାଞ୍ଚ କରିନାହାନ୍ତି। ଫଳରେ ପୂର୍ବସ୍ଥିତିର ପୁନରାବୃତ୍ତି ହେବାକୁ ଯାଉଛି। ବିଗତ ବର୍ଷଗୁଡ଼ିକରେ ବି ବାରମ୍ବାର ଚଢ଼ଉ ହେଉଥିଲା। ଅଣଛାତ୍ରମାନଙ୍କୁ କ୍ୟାମ୍ପସରୁ ତଡ଼ିବା ଲାଗି ନୋଟିସ୍‌ ଜାରି ହୋଇଥିଲା। ତଥାପି କିଛି ଫଳ ମିଳିଲାନି। ଏଥର ମଧ୍ୟ ସମାନ ପରିସ୍ଥିତି ଉପୁଜିଛି। ନୋଟିସ୍‌କୁ କେହି ଖାତିର୍‌ କରିନଥିଲେ ମଧ୍ୟ କୌଣସି କାର୍ଯ୍ୟାନୁଷ୍ଠାନ ନିଆଯାଇ ନାହିଁ। ଏବେ ନୂତନ ଶିକ୍ଷାବର୍ଷ ଆରମ୍ଭ ହୋଇଥିବାରୁ ହଷ୍ଟେଲ୍‌‌ରେ ରହିବାକୁ ଥିବା ଛାତ୍ରଛାତ୍ରୀଙ୍କୁ ପୁଣିଥରେ ଅସୁବିଧାର ସମ୍ମୁଖୀନ ହେବାକୁ ପଡ଼ିବ। ଅଣଛାତ୍ରମାନେ ଜୋରଜବରଦସ୍ତ ଛାତ୍ରଙ୍କ ଉପରେ ପତିଆରା ଜାହିର କରିବେ। ଏହାକୁ ନେଇ ନୂଆ କରି ନାମ ଲେଖାଉଥିବା ଛାତ୍ରଙ୍କ ମଧ୍ୟରେ ଆଶଙ୍କା ପ୍ରକାଶ ପାଇଲାଣି। ସେପଟେ ବାଣୀବିହାର କ୍ୟାମ୍ପସ୍‌ ଭିତରେ ଏବେ ଏକପ୍ରକାର ନିର୍ବାଚନୀ ଭ୍ରମ ସୃଷ୍ଟି ହେଲାଣି। ଛାତ୍ର ସଙ୍ଗଠନଗୁଡ଼ିକ ଏବେଠାରୁ କ୍ୟାମ୍ପସରେ ନିଜର ପତିଆରା ଜାହିର୍‌ କଲେଣି। ଯାହାକି ଆଗକୁ ଭୟଙ୍କର ପରିସ୍ଥିତି ଉପୁଜିବାର ଆଶଙ୍କା ସୃଷ୍ଟି କରିଛି। ଅଣଛାତ୍ରଙ୍କୁ ତଡ଼ିବା ସମ୍ପର୍କରେ ଜାଣିବା ଲାଗି କୁଳପତି ପ୍ରଫେସର ସୌମେନ୍ଦ୍ର ମୋହନ ପଟ୍ଟନାୟକଙ୍କୁ ଯୋଗ‌ାଯୋଗ କରାଯାଇଥିଲେ ମଧ୍ୟ ସେ ଉତ୍ତର ଦେଇ ନଥିଲେ।

ସମ୍ବନ୍ଧିତ ଖବର