ବାଣୀବିହାରରେ ଅଚଳାବସ୍ଥା, କିଏ ହେବ ପିଜି କାଉନସିଲ୍‌ ଅଧ୍ୟକ୍ଷ?

ଭୁବନେଶ୍ବର: କିଏ ହେବ ଉତ୍କଳ ବିଶ୍ବବିଦ୍ୟାଳୟର ପରବର୍ତୀ ପିଜି କାଉନସିଲ୍‌ ଅଧ୍ୟକ୍ଷ? ଏହି ପ୍ରମୁଖ ପଦବିରେ ଜଣେ ମହିଳା ପ୍ରଫେସର ବସିବେ କି? ଯଦି ସେମିତି ହୁଏ ତେ‌ବେ ମହିଳା ପ୍ରଫେସର ଜଣକ କିଏ? ପ୍ରଫେସର ସବିତା ଆଚାର୍ଯ୍ୟ ନା ପ୍ରଫେସର ଉପାଲି ଅପରାଜିତା। ନା ପ୍ରଫେସର ପୁଷ୍ପାଞ୍ଜଳି ଜେନା? ଏମାନଙ୍କ ମଧ୍ୟରୁ କିଏ ବିଶ୍ବବିଦ୍ୟାଳୟର ଗୁରୁତ୍ବପୂର୍ଣ୍ଣ ଦାୟିତ୍ବରେ ରହି‌ବେ ‌ନା ବିଭିନ୍ନ ସମୟରେ ଭାରପ୍ରାପ୍ତ ଦାୟିତ୍ବରେ ରହୁଥିବା ପ୍ରଫେସର ବସନ୍ତ ମଲ୍ଲିକ ପିଜି କାଉନସିଲ୍‌ ଅଧ୍ୟକ୍ଷ ହେବେ। ମଙ୍ଗଳବାର ବିଶ୍ବବିଦ୍ୟାଳୟ ପିଜି କାଉନ୍‌ସିଲ୍‌ ଅଧ୍ୟକ୍ଷ ପ୍ରଫେସର ବ୍ରହ୍ମାନନ୍ଦ ଶତପଥୀ ଅବସର ଗ୍ରହଣ କରୁଛନ୍ତି। ଏହା ପୂର୍ବରୁ ପିଜି କାଉନସିଲ୍‌ ଅଧ୍ୟକ୍ଷ ପଦକୁ ନେଇ ଆରମ୍ଭ ହୋଇଯାଇଛି ବିବାଦ। ବରିଷ୍ଠତା ଭିତ୍ତିରେ ଏହି ପଦବି ଲାଗି କିଏ ଯୋଗ୍ୟ, ତାହାକୁ ନେଇ ବିଶ୍ବବିଦ୍ୟାଳୟର ଦୁଇଜଣ ପ୍ରଫେସରଙ୍କ ମଧ୍ୟରେ ବିବାଦ ଆରମ୍ଭ ହୋଇଛି। ଚାକିରିରେ କିଏ ବରିଷ୍ଠ? କିଏ କନିଷ୍ଠ? ତାହାକୁ ନେଇ ଟଣାଓଟଣା ଚାଲିଛି। ଏପରିକି କଥା ଏବେ କାଠଗଡ଼ାରେ ପହଞ୍ଚିଲାଣି। ଜଣେ ମହିଳା ପ୍ରଫେସର ନିଜକୁ ବରିଷ୍ଠ ବୋଲି ଦାବି କରି ନ୍ୟାୟାଳୟର ଦ୍ବାରସ୍ଥ ହୋଇଥିବା ଜଣାପଡ଼ିଛି। ଦୌଡ଼ ଆଗରେ ଦୁଇଜଣ ମହିଳା ପ୍ରଫେସର ରହିଛନ୍ତି। ସେମାନେ ହେଲେ, ପ୍ରଫେସର ସବିତା ଆଚାର୍ଯ୍ୟ ଓ ପ୍ରଫେସର ଉପାଲି ଅପରାଜିତା। ତେବେ ପ୍ରଫେସର ଶତପଥୀଙ୍କ ଅନୁପସ୍ଥିତିରେ ଭାରପ୍ରାପ୍ତ ପିଜି କାଉନସିଲ୍‌ ଅଧ୍ୟକ୍ଷ ରହୁଥିବା ପ୍ରଫେସର ମଲ୍ଲିକ ବି ଦୌଡ଼ରେ ରହିଛନ୍ତି। ହଷ୍ଟେଲ ୱାଡେନ୍‌ ପ୍ରଫେସର ପୁଷ୍ପାଞ୍ଜଳି ଜେନା ମଧ୍ୟ ଏହି ଗୁରୁତ୍ବପୂର୍ଣ୍ଣ ପଦବି ପାଇଁ ଦାବିଦାର ରହିଛନ୍ତି। ଏହି ୪ଜଣ ପ୍ରଫେସରଙ୍କ ବ୍ୟତୀତ ଆଉ ଜଣେ ପ୍ରଫେସର ବି କୋର୍ଟଙ୍କ ଆଶ୍ରୟ ନେଇଛନ୍ତି। ଅଧ୍ୟାପକରୁ ପ୍ରଫେସର ହୋଇଥିବା ବ୍ୟକ୍ତିଙ୍କ ବଦଳରେ ପ୍ରଫେସର ଭାବେ ନିଯୁକ୍ତି ଭିତ୍ତିରେ ପିଜି କାଉନସିଲ୍‌ ଅଧ୍ୟକ୍ଷ ନିଯୁକ୍ତି କରିବାକୁ ଦାବି କରିଛନ୍ତି। ଏଭଳି ଘଡ଼ିସନ୍ଧି ମୂହୁର୍ତ୍ତରେ ଏବେ କୁଳପତି ପ୍ରଫେସର ସୌମେନ୍ଦ୍ର ମୋହନ ପଟ୍ଟନାୟକଙ୍କ ଉପରେ ସମସ୍ତଙ୍କ ନଜର ରହିଛି। କାହାକୁ ଏହି ପଦବିରେ ବସାଇବେ ତାହାକୁ ନେଇ କ୍ୟାମ୍ପସରେ ଚର୍ଚ୍ଚା ଚାଲିଛି। ସୂଚନାଯୋଗ୍ୟ ଯେ ପୂର୍ବରୁ ମଧ୍ୟ ଏହି ପଦବିକୁ ନେଇ ବାରମ୍ବାର ବିବାଦ ସୃଷ୍ଟି ହୋଇଥିଲା। ମାମଲା ଏକାଧିକ ଥର କା‌ଠଗଡ଼ାକୁ ଯାଇଛି। ଯେଉଁଥିପାଇଁ ୪ ବର୍ଷ ତଳେ କ୍ୟାମ୍ପସରେ ଅପ୍ରୀତିକର ପରିସ୍ଥିତି ଉପୁଜିଥିଲା। ବରିଷ୍ଠ ବୋଲି ଦାବି କରି ପ୍ରଫେସରମାନେ ବିବାଦରେ ରହିବାରୁ ପିଲାଙ୍କ ପାଠପଢ଼ା ବାଧାପ୍ରାପ୍ତ ହୋଇଥିଲା। ଏଥର ମଧ୍ୟ ସମାନ ପରିସ୍ଥିତି ଉପୁଜିବାର ଆଶଙ୍କା ଦେଖାଦେଇଛି।

ପିଜି ନାମଲେଖା ବିଳମ୍ବ
ବିଶ୍ବବିଦ୍ୟାଳୟ ପିଜି ପାଠ୍ୟକ୍ରମରେ ନାମଲେଖା ନେଇ ଏବେ ଆଶଙ୍କା ସୃଷ୍ଟି ହୋଇଛି। ଗତ ତିନି ବର୍ଷର ତଥ୍ୟକୁ ଦେଖିଲେ, ଏପ୍ରିଲ ଦ୍ବିତୀୟ ସପ୍ତାହରୁ ନାମଲେଖା ପ୍ରକ୍ରିୟା ଆରମ୍ଭ ହେଉଥିଲା। ଆବେଦନ ହେବା ସହ ମେ’ ମାସରେ ପ୍ରବେଶିକା ପରୀକ୍ଷା ଓ ଜୁନ୍‌ ମାସରେ ପାଠପଢ଼ା ଆରମ୍ଭ ‌ହେଉଥିଲା। ତେବେ ଏଥର ସବୁ ବିଳମ୍ବ ହୋଇଛି। ଏ ପର୍ଯ୍ୟନ୍ତ ନାମଲେଖା ଲାଗି ଆବେଦନ ପ୍ରକ୍ରିୟା ଆରମ୍ଭ ହୋଇପାରିନି। କେବେ ହେବ ସେନେଇ କାହା ପାଖରେ ବି ଉତ୍ତର ନାହିଁ। ବିଶେଷସୂତ୍ରରୁ ମିଳିଥିବା ସୂଚନା ଅନୁଯାୟୀ ପିଜି କାଉନସିଲ୍‌ ବୈଠକରେ ନାମଲେଖା ସମ୍ପର୍କିତ ନିଷ୍ପତ୍ତି ହୋଇସାରିଛି। ତେବେ କୁଳପତିଙ୍କ ନିକଟରେ ସବୁ କିଛି ଅଟକି ରହିଥିବାରୁ ବିଜ୍ଞପ୍ତି ପ୍ରକାଶ ପାଇପାରୁନି। ଗୋଟିଏ ପଟେ ପିଜି କାଉନସିଲ୍‌ ଅଧ୍ୟକ୍ଷଙ୍କ ଅବସର ଅନ୍ୟପଟରେ ନାମଲେଖା ବିଳମ୍ବ ହେବା ଯୋଗୁଁ ବିଶ୍ବବିଦ୍ୟାଳୟରେ ଏକପ୍ରକାର ଅଚଳାବସ୍ଥା ଲାଗି ରହିଛି।

ମିଳୁନି ସାର୍ଟିଫିକେଟ୍‌
ଛାତ୍ରଛାତ୍ରୀ ପିଜି ପରୀକ୍ଷା ଦେଇ ଉତ୍କଳ ବିଶ୍ବବିଦ୍ୟାଳୟରୁ କୃତକାର୍ଯ୍ୟ ହେଲେ। ‌ରାଜ୍ୟ ବାହାରେ ଚାକିରି ବି ପାଇଲେ। ଦୁଇ ବର୍ଷ ହେଲା ଚାକିରି କରିଥିଲେ ମଧ୍ୟ ସାର୍ଟିଫିକେଟ୍‌ ନେଇପାରୁନାହାନ୍ତି। ତେଣୁ ସେମାନଙ୍କୁ ଏବେ ଛଟେଇ କରିବାକୁ ଘରୋଇ କମ୍ପାନିମାନେ ନୋଟିସ୍‌ ଦେଲେଣି। ଏଭଳି ଅବ୍ୟବସ୍ଥା ମଧ୍ୟରେ ଚାଲିଛି ବାଣୀବିହାର। ଦୁଇରୁ ତିନି ବର୍ଷ ହେଲା ଏଠାରୁ ପିଜିରେ ଉତ୍ତୀର୍ଣ୍ଣ ହୋଇଥିବା ପରୀକ୍ଷାର୍ଥୀଙ୍କ ସାର୍ଟିଫିକେଟ୍‌ ମିଳୁନି। ଛାତ୍ରଛାତ୍ରୀଙ୍କ ଅଭିଭାବକମାନେ ବାରମ୍ବାର ବିଶ୍ବବିଦ୍ୟାଳୟକୁ ଦୌଡ଼ୁଥିଲେ ମଧ୍ୟ ଆଜି ଆସ, କାଲି ଆସ କହି ବିଭାଗୀୟ ଅଧୀକାରୀମାନେ ଫେରାଇ ଦେଉଛନ୍ତି। କେବେ ମିଳିବ କେହି ବି କହୁନାହାନ୍ତି। ପରୀକ୍ଷା ନିୟନ୍ତ୍ରକ ବି ହାତ ଟେକି ଦେଲେଣି। କର୍ମଚାରୀ ଅଭାବ ସାଙ୍ଗକୁ ଠିକ୍‌ ଅବ୍ୟବସ୍ଥା ପ୍ରମୁଖ ସମସ୍ୟା ଭାବେ ଉଭା ‌ହୋଇଛି। ଯେଉଁଥିପାଇଁ ରାଜ୍ୟ ବାହାରେ ଚାକିରି କରିଥିବା ହଜାର ହଜାର ପିଲାଙ୍କ ଭବିଷ୍ୟତ ଅନ୍ଧକାର ମଧ୍ୟକୁ ଠେଲି ହୋଇଯାଉଛି।

ସମ୍ବନ୍ଧିତ ଖବର