ଭ୍ୟାନିଟି ଝାମ୍ପିନେବା ଉଦ୍ୟମ ବିଫଳ, ବାଇକ୍‌ରୁ ପଡ଼ି ଦମ୍ପତି ଗୁରୁତର

ଖଣ୍ଡଗିରି : ମଙ୍ଗଳବାର ରାତି ପ୍ରାୟ ସାଢ଼େ ୧୦ଟା ବେଳେ ୧୬ ନମ୍ବର ଜାତୀୟ ରାଜପଥ ଯାଁଳା ଗୋହିରା ଛକରେ ଲୁଟେରାମାନଙ୍କ କବଳରୁ ଅଳ୍ପକେ ବର୍ତ୍ତି ଯାଇଛନ୍ତି ଏକ ଦମ୍ପତି। ଲୁଟେରାମାନେ ମହିଳାଙ୍କ ଭ୍ୟାନିଟି ବ୍ୟାଗ୍ ଝାମ୍ପିବାରେ ବିଫଳ ହୋଇଥିଲେ ବି ସ୍ବାମୀ-ସ୍ତ୍ରୀ ବାଇକ୍‌ରୁ ପଡ଼ି ଗୁରୁତର ଆହତ ହୋଇଛନ୍ତି। ସୂଚନାନୁସାରେ ଯାଁଳା ଗ୍ରାମର ଚିନ୍ମୟ ମହାପାତ୍ର ଓ ତାଙ୍କ ସ୍ତ୍ରୀ ରୋଜାଲିନ୍ ଗତ ରାତିରେ ଭୁବନେଶ୍ବରରୁ ଘରକୁ ଫେରୁଥିଲେ। ସେମାନେ ଗୋହିରା ଛକ ଅତିକ୍ରମ କରୁଥିବା ବେଳେ ପଛରୁ ଦ୍ରୁତ ଗତିରେ ଆସୁଥିବା ଏକ ବାଇକ୍ ସେମାନଙ୍କୁ ଅତିକ୍ରମ କଲା ଓ ହଠାତ୍‌ ଗତି କମ୍ କରି ଚିନ୍ମୟଙ୍କ ବାଇକ୍ ସହ ସମାନ୍ତର ଭାବେ ଗତି କଲା। ହଠାତ୍ ଉକ୍ତ ବାଇକ୍‌ରେ ପଛରେ ବସିଥିବା ଦୁର୍ବୃତ୍ତ ଜଣଙ୍କ ରୋଜାଲିନ୍‌ଙ୍କ ଭ୍ୟାନିଟି ବ୍ୟାଗ୍‌କୁ ଝାମ୍ପି ନେବାକୁ ଉଦ୍ୟମ କରିଥିଲା। କିନ୍ତୁ ସେତେବେଳକୁ ରୋଜାଲିନ୍ ଦୁର୍ବୃତ୍ତଦ୍ବୟଙ୍କର ହାବଭାବ ଜାଣି ସାରିଥିବାରୁ ଭ୍ୟାନିଟିକୁ ଜୋର୍ କରି ଜାବୁଡ଼ି ଧରିଥିଲେ। ଫଳରେ ଦୁର୍ବୃତ୍ତ ସିନା ଭ୍ୟାନିଟି ନେଇ ପାରିଲାନାହିଁ, ଚିନ୍ମୟ କିନ୍ତୁ ଭାରସାମ୍ୟ ହରାଇବାରୁ ସ୍ବାମୀ-ସ୍ତ୍ରୀ ବାଇକ୍ ସହ ରାଜପଥ ଉପରେ ପଡ଼ି ଯାଇଥିଲେ। ସେମାନଙ୍କ ମୁଣ୍ଡ, ହାତ ଓ ଗୋଡ଼‌ରେ ଆଘାତ ଲାଗିଥିଲା। ଏହା ଦେଖି ଦୁର୍ବୃତ୍ତଦ୍ବୟ ଘଟଣାସ୍ଥଳରୁ ଫେରାର୍ ହୋଇଯାଇଥିଲେ।

ସମ୍ବନ୍ଧିତ ଖବର