‘ଫନି’ ପରେ ବାଣୀବିହାରର ବିକଳ ଚିତ୍ର: ଛାତ୍ରୀନିବାସ ପାଚେରି ମୁକୁଳା

ପହଞ୍ଚିନି ବିଜୁଳି, କଟାହେଲାନି ଗଛ, କ୍ୟାମ୍ପସ ଛାଡ଼ି ବରିଷ୍ଠ ଅଧିକାରୀ ଛୁ

ଭୁବନେଶ୍ବର: ବାତ୍ୟାକୁ ୧୦ ଦିନ ବିତିଲାଣି। ତଥାପି ସ୍ବାଭାବିକ ଅବସ୍ଥାକୁ ଫେରିପାରୁନି ରାଜ୍ୟ ଉଚ୍ଚଶିକ୍ଷାର ପ୍ରାଣକେନ୍ଦ୍ର ବାଣୀବିହାର। ଆଜି ପର୍ଯ୍ୟନ୍ତ କ୍ୟାମ୍ପସର ରାସ୍ତାଘାଟ ସଫା ହୋଇନି। ବିଦ୍ୟୁତ୍‌ ଖୁଣ୍ଟି ବି ଉଠିନି। ଛାତ୍ରୀନିବାସ ମୁକୁଳା ପଡ଼ିଛି। ଗଛ କଟାଯାଉନି କି ପାଚେରି ମରାମତି ହେଉନି। ଏଭଳି ଦୃଶ୍ୟ ବାଣୀବିହାରର ବିକଳ ଚିତ୍ରକୁ ପଦାରେ ପକାଇଛି। ସାରା ଭୁବନେଶ୍ବରକୁ ବିଦ୍ୟୁତ୍‌ ସଂଯୋଗ ହୋଇସାରିଲାଣି। ବିଦ୍ୟୁତ୍‌ ଖୁଣ୍ଟ ମରାମତି ସହ ଲୋକଙ୍କ ଘରେ ଲାଇଟ୍‌ ପହଞ୍ଚିଲାଣି। କିନ୍ତୁ ବାଣୀବିହାର କ୍ୟାମ୍ପସରେ ବିଜୁଳି ପହଞ୍ଚି ପାରିନି। ହଜାର ହଜାର ଛାତ୍ରଛାତ୍ରୀ ରହୁଥିବା ଛାତ୍ରନିବାସ ଓ ଛାତ୍ରୀନିବାସ ସ୍ଥିତିରେ ସୁଧାର ଆସୁନି। ହଷ୍ଟେଲ ଛୁଟି ହୋଇଥିବାରୁ ଅନେକ ଛାତ୍ରଛାତ୍ରୀ ଘରକୁ ପଳାଇ ଯାଇଛନ୍ତି। ଆଉ ଯେଉଁମାନେ ରହିଛନ୍ତି, ସେମାନେ ଏବେ ଗରମରେ ଆଉଟୁପାଉଟୁ ହେଉଛନ୍ତି। କେବେ ସ୍ଥିତି ସୁଧୁରିବ, ସେନେଇ କର୍ତୃପକ୍ଷ କୌଣସି ସ୍ପଷ୍ଟ ସୂଚନା ଦେଉନାହାନ୍ତି। ତେବେ ଛାତ୍ରଛାତ୍ରୀଙ୍କ ସମେତ ପ୍ରଫେସରଙ୍କ ଚାପ ଯୋଗୁଁ ୧୩ ତାରିଖରେ ଖୋଲିବାକୁ ଥିବା ଉତ୍କଳ ବିଶ୍ବବିଦ୍ୟାଳୟ ଏବେ ୨୦ ତାରିଖ ପର୍ଯ୍ୟନ୍ତ ବୃଦ୍ଧି ପାଇଛି।

ସବୁଠାରୁ ଆଶ୍ଚର୍ଯ୍ୟର କଥା ହେଉଛି ଯେ କ୍ୟାମ୍ପସରେ ବିଜୁଳି ସଂଯୋଗ ଦାବିରେ ଧାରଣାରେ ବସିଥିବା ପ୍ରଫେସର୍‌ ସନ୍ତୋଷ ତ୍ରିପାଠୀଙ୍କୁ ଇତି ମଧ୍ୟରେ ସିଡିସି ନିର୍ଦେଶକ ପଦରୁ ହଟାଇ ଦିଆଯାଇଛି। ତାଙ୍କ ସ୍ଥାନରେ ପିଜି କାଉନସିଲ୍‌ ଅଧ୍ୟକ୍ଷ ପ୍ରଫେସର ସବିତା ଆଚାର୍ଯ୍ୟଙ୍କୁ ଭାରାପ୍ରାପ୍ତ ଦାୟିତ୍ବ ଦିଆଯାଇଛି। କ୍ୟାମ୍ପସରେ ରହୁଥିବା ଛାତ୍ରଛାତ୍ରୀ ଓ ପ୍ରଫେସରଙ୍କ ପାଇଁ ବିଜୁଳି ସଂଯୋଗ କରିବା ଦାବିରେ ଧାରଣା ଦେଇଥିବା ବେଳେ କାହିଁକି କାର୍ଯ୍ୟାନୁଷ୍ଠାନ ନିଆଗଲା ତାହାକୁ ନେଇ କ୍ୟାମ୍ପସରେ ଜୋରଦାର ଚର୍ଚ୍ଚା ଚାଲିଛି। ତେବେ ଏନେଇ କେହି ବି ବରିଷ୍ଠ ଅଧିକାରୀ ମୁହଁ ଖୋଲୁନାହାନ୍ତି। ବାତ୍ୟା ପ୍ରଭାବିତ ଅଞ୍ଚଳରେ ସରକାରୀ କାର୍ଯ୍ୟାଳୟ ଖୋଲା ରଖିବାକୁ ଶୁକ୍ରବାର ରାଜ୍ୟ ସରକାର ନିର୍ଦେଶ ଦେଇଥିଲେ। ‌କିନ୍ତୁ ବାଣୀବିହାରରେ ଏହାର ବିଚିତ୍ର ଘଟଣା ଦେଖିବାକୁ ମିଳିଛି। ଦୁଇ ଜଣ ବରିଷ୍ଠ ଅଧିକାରୀଙ୍କୁ ଆଜି କ୍ୟାମ୍ପସ ଭିତରେ ଦେଖିବାକୁ ମିଳି ନଥିଲା। ଜଣେ ଦିଲ୍ଲୀ ପଳାଇଥିବା ବେଳେ ଆଉ ଜଣେ କ୍ୟାମ୍ପସକୁ ଆସି ନଥିବା କର୍ମଚାରୀମାନେ କହିଛନ୍ତି। ଅପରାହ୍‌ଣରେ ଛାତ୍ର ଉନ୍ନୟନ ଅଧିକାରୀ ଚକ୍କର କାଟୁଥିବା ଦେଖିବାକୁ ମିଳିଥିଲା। ବାଣୀବିହାର କ୍ୟାମ୍ପସରେ ଅସାମାଜିକଙ୍କ ଆଡ଼ା ଜମୁଛି। ଅଣଛାତ୍ର କ୍ୟାମ୍ପସରେ ରହୁଛନ୍ତି। ତଥାପି ବାତ୍ୟାରେ ଭାଙ୍ଗିଯାଇଥିବା ଛାତ୍ରୀନିବାସ ପାଚେରି ମରାମତି ହୋଇଛି। ଏକ ନମ୍ବର ଛାତ୍ରୀନିବାସ ପାଚେରି ଏକାଧିକ ସ୍ଥାନରେ ଭାଙ୍ଗି ପଡ଼ିଛି। ଅନ୍ୟ ହଷ୍ଟେଲଗୁଡ଼ିକରେ ବି ସମାନ ଅବସ୍ଥା। ଏଥିପ୍ରତି କାହାର ବି ଧ୍ୟାନ ନାହିଁ। ପିଜି କାଉନସିଲ୍‌ ଅଧ୍ୟକ୍ଷ କିମ୍ବା କୁଳସଚିବ କେହି ବି ଗୁରୁତ୍ବ ଦେଉନାହାନ୍ତି। କେବଳ ମୁଖ୍ୟ ଫାଟକ ନିକଟରେ ଜଣେ ସୁରକ୍ଷା କର୍ମୀ ବସିଥିବା ଆଜି ଦେଖିବାକୁ ମିଳିଥିଲା। ଏପରିକି ୩ରୁ ୭ ନମ୍ବର ଛାତ୍ରୀନିବାସରୁ ହସ୍ପିଟାଲ ଦେଇ ପଦାକୁ ଆସିବା ଲାଗି ଥିବା ରାସ୍ତାରେ ବିଦ୍ୟୁତ୍‌ ‌ଖୁଣ୍ଟ ପଡ଼ିରହିଛି। ତାହାକୁ ହଟାଯାଉନି କି ବିଦ୍ୟୁ୍ତ୍‌ ସଂଯୋଗ ହୋଇପାରୁନି। ଅବଶ୍ୟ ଗତକାଲି ରାତିରେ କେତେଜଣ କର୍ମଚାରୀଙ୍କ ଘରକୁ ବିଦ୍ୟୁତ୍‌ ସଂଯୋଗ ହୋଇଛି।

ସମ୍ବନ୍ଧିତ ଖବର