ଧାରଣାରେ ବାଣୀବିହାର ଛାତ୍ରୀନିବାସ ଛାତ୍ରୀ, ଆମେ ସୁରକ୍ଷିତ ନୋହୁଁ

ଭୁବନେଶ୍ବର: ହଷ୍ଟେଲ୍‌ରେ ଆମେ ସୁରକ୍ଷିତ ନାହୁଁ। କେତେବେଳେ ହଷ୍ଟେଲ୍‌ରେ ଚୋର ପଶୁଛନ୍ତି ତ କେତେବେଳେ ବାହାର ପିଲା କମେଣ୍ଟ ମାରୁଛନ୍ତି। ସେହିପରି ହଷ୍ଟେଲ୍‌ର ଖାଦ୍ୟ, ପାନୀୟ ଓ ପରିମଳ କଥା ନ କହିବା ଭଲ। ହଷ୍ଟେଲ୍‌ରେ ଯେଉଁ ଖାଦ୍ୟ ଦିଆଯାଉଛି ତାହା ଅତି ନିମ୍ନମାନର। ଆକ୍ବାଗାର୍ଡ ନଥିବାରୁ ପାଣି ପିଇବା ଯୋଗ୍ୟ ହେଉନି। ପରିମଳ ବ୍ୟବସ୍ଥା ସମ୍ପୂର୍ଣ୍ଣ ଭୁଶୁଡ଼ି ଗଲାଣି। ଆବର୍ଜନା ଜମା ହୋଇ ରହୁଥିବାରୁ ଅସ୍ବାସ୍ଥ୍ୟକର ପରିବେଶ ସୃଷ୍ଟି ହେଉଛି। ଏପରି ଅଭିଯୋଗ କରି ଆଜି ଉତ୍କଳ ବିଶ୍ବବିଦ୍ୟାଳୟ ୭ନମ୍ବର ଛାତ୍ରୀ ନିବାସର ଶତାଧିକ ଛାତ୍ରୀ ଧାରଣାରେ ବସିଥିଲେ। ସମସ୍ୟାକୁ ନେଇ ବାରମ୍ବାର ସୁପରିଟେଣ୍ଡେଣ୍ଟଙ୍କ ନିକଟରେ ଅଭିଯୋଗ କଲେ ମଧ୍ୟ କୌଣସି ପଦକ୍ଷେପ ନିଆଯାଉ ନାହିଁ ବୋଲି ସେମାନେ ଅଭିଯୋଗ କରିଥିଲେ। ବହୁ ସମୟ ଧରି ଧାରଣା ଦେବା ପରେ କୁଳପତି ସୌମେନ୍ଦ୍ର ମୋହନ ପଟ୍ଟନାୟକ ଛାତ୍ରୀମାନଙ୍କ ନିକଟକୁ ଆସି ସେମାନଙ୍କ ସମସ୍ୟା ବୁଝିଥିଲେ। ତେବେ ୧୫ ଦିନ ମଧ୍ୟରେ ସମସ୍ତ ସମସ୍ୟାର ‌ସମାଧାନ କରାଯିବ ବୋଲି କୁଳପତିଙ୍କ ପ୍ରତିଶ୍ରୁତି ପରେ ଛାତ୍ରୀମାନେ ଧାରଣାରୁ ଉଠିଥିଲେ।

ସମ୍ବନ୍ଧିତ ଖବର