ବାଣୀବିହାର ହଷ୍ଟେଲରେ ମିଳୁନି ପିଇବା ପାଣି, ରାତିରେ ଛାତ୍ରୀଙ୍କ ଧାରଣା

ପୁଲିସ, ୱା‌ର୍ଡେନ୍‌ଙ୍କ ବୁଝାସୁଝା ପରେ ବି ଓହରିଲେ ନାହିଁ
କୁଳପତିଙ୍କ ଆଶ୍ବାସନା ପରେ ଆନ୍ଦୋଳନ ପ୍ରତ୍ୟାହୃତ
ଛାତ୍ର ସଙ୍ଗଠନ ଯୋଗାଇଲେ ରନ୍ଧା ଖାଦ୍ୟ

ଭୁବନେଶ୍ବର : ଛାତ୍ର ଗଣ୍ଡଗୋଳ ବିବାଦରୁ ମୁକୁଳି ନ ଥିବା ଉତ୍କଳ ବିଶ୍ବବିଦ୍ୟାଳୟରେ ଏବେ ହଷ୍ଟେଲ ସମସ୍ୟା କର୍ତୃପକ୍ଷଙ୍କ ଚିନ୍ତା ବଢ଼ାଇଛି। ପିଇବା ପାଣି ନ ମିଳିବା, ହଷ୍ଟେଲରୁ ଚୋରି ବଢ଼ିବା ପରି ସମସ୍ୟାକୁ ନେଇ ୭ ନମ୍ବର ତଥା ଶୈଳବାଳା ଛାତ୍ରୀନିବାସର ଶତାଧିକ ଛାତ୍ରୀ ବୁଧବାର ରାତିରେ ରାସ୍ତାକୁ ଓହ୍ଲାଇଛନ୍ତି। ଜାତୀୟ ରାଜପଥ ପାର୍ଶ୍ବକୁ ଲାଗିଥିବା ବିଶ୍ବବିଦ୍ୟାଳୟ ମୁଖ୍ୟ ଫାଟକରେ ତାଲା ପକାଇବା ସହ ଧାରଣାରେ ବସି ରହିଥିଲେ। ରାତି ପ୍ରାୟ ସାଢ଼େ ୧୨ଟା ବେଳେ ଛାତ୍ରୀମାନେ କୁଳପତି ପ୍ରଫେସର ସବିତା ଆଚାର୍ଯ୍ୟଙ୍କୁ ତାଙ୍କ ବାସଭବନରେ ସାକ୍ଷାତ କରି ସମସ୍ୟା ସମ୍ପର୍କରେ ଜଣାଇଥିଲେ। ହଷ୍ଟେଲ ସମସ୍ୟାର ସମାଧାନ କରାଯିବା ନେଇ କୁଳପତି ଆଶ୍ବାସନା ଦେବା ପରେ ଛାତ୍ରୀମାନେ ଧାରଣାରୁ ଓହରିଥିବା ଜଣାପଡ଼ିଛି।

ଛାତ୍ରୀମାନେ ଅଭିଯୋଗ କରିଛନ୍ତି ଯେ ବହୁଦିନ ହେବ ଛାତ୍ରୀନିବାସରେ ପାଣି ସମସ୍ୟା ଲାଗିରହିଛି। ଆଗରୁ କେତେବେଳେ କେମିତି ପାଣି ଆସୁଥିଲା। ଏନେଇ କର୍ତୃପକ୍ଷଙ୍କୁ ଅବଗତ କରାଇଥିଲୁ। ମାତ୍ର ଗତ ୨୪ ଘଣ୍ଟା ହେଲା ସ୍ଥିତି ସମ୍ପୂର୍ଣ୍ଣ ବିଗିଡ଼ି ଯାଇଛି। ଗତକାଲିଠରୁ ପିଇବା ପାଣି ଆଦୌ ଆସୁ ନାହିଁ। ହଷ୍ଟେଲ ସୁପରିଣ୍ଟେଣ୍ଡେଣ୍ଟଙ୍କୁ ଏବିଷୟରେ ଜଣାଇଥିଲେ ମଧ୍ୟ କୌଣସି ସୁଫଳ ମିଳି ନ ଥିଲା। ଯେଉଁଥିପାଇଁ ସନ୍ଧ୍ୟାରେ ହଷ୍ଟେଲର ସମସ୍ତ ଛାତ୍ରୀ ହାତରେ ବାଲ୍‌ଟି ଧରି ରାସ୍ତାକୁ ଓହ୍ଲାଇଛୁ। ଯେପର୍ଯ୍ୟନ୍ତ ପିଇବା ପାଣି ସମସ୍ୟାର ସମାଧାନ ନ ହୋଇଛି ସେପର୍ଯ୍ୟନ୍ତ ଧାରଣାରୁ ହଟିବୁ ନାହିଁ ବୋଲି ସେମାନେ ରୋକଠୋକ୍‌ ଶୁଣାଇଛନ୍ତି। ଆହୁରି ଅଭିଯୋଗ ଆଣିଛନ୍ତି ଯେ ହଷ୍ଟେଲରୁ ବାରମ୍ବାର ଚୋରି ହେଉଛି। ଏହି ଛାତ୍ରୀନିବାସର ପାଚେରି ଛୋଟ ହୋଇଥିବାରୁ ସନ୍ଧ୍ୟା ହେଲେ ଚୋରମାନେ ପାଚେରି ଡେଇଁ କ୍ୟାମ୍ପସ ଭିତରକୁ ପ୍ରବେଶ କରୁଛନ୍ତି। ଗତ କିଛି ଦିନ ମଧ୍ୟରେ ଦୁଇ ଜଣ ଛାତ୍ରୀଙ୍କ ମୋବାଇଲ୍‌ ଓ କିଛି ଛାତ୍ରୀଙ୍କ ଡ୍ରେସ୍‌ ଚୋରି ହୋଇଛି। ସୁରକ୍ଷା କର୍ମୀ ରହିଥିଲେ ମଧ୍ୟ ସେମାନେ ଚୋରି ରୋକିବା‌ରେ ସଫଳ ହୋଇପାରୁ ନାହାନ୍ତି। ‌ତେଣୁ ତୁରନ୍ତ ପାଚେରି ଉଚ୍ଚତା ବଢ଼ାଯିବା ସହ ଛାତ୍ରୀଙ୍କ ସୁରକ୍ଷା ସୁନିଶ୍ଚିତ କରାଯିବା ଆବଶ୍ୟକ।

ଧାରଣା ସମ୍ପର୍କରେ ଖବର ପାଇ ସହିଦନଗର ଥାନା ପୁଲିସ ପହଞ୍ଚି ଆନ୍ଦୋଳନକାରୀଙ୍କୁ ବୁଝାସୁଝା କରିଥିଲା। ମାତ୍ର ତାହାର କୌଣସି ପ୍ରଭାବ ସେମାନଙ୍କ ଉପରେ ପଡ଼ି ନ ଥିଲା। କୁଳପତି ନିଜେ ଆସି ଆଲୋଚନା କରନ୍ତୁ ବୋଲି ସେମାନେ ଅଡ଼ି ବସିଥିଲେ। ପାଖାପାଖି ତିନି ଘଣ୍ଟା ଧରି ସେମାନେ ଧାରଣାରେ ବସିବା ପରେ ହଷ୍ଟେଲ ‌ୱାର୍ଡେନ୍‌ ପ୍ରଫେସର ଡି ହୋତା ସେଠାରେ ପହଞ୍ଚି ଆନ୍ଦୋଳନରୁ ଓହରି ଯିବାକୁ ଛାତ୍ରୀମାନଙ୍କୁ ଅନୁରୋଧ କରିଥିଲେ। ତା’ପରେ ବି ସେମାନେ ଜିଦ୍‌ରେ ଅଡ଼ି ରହିଥିଲେ। ବିଭିନ୍ନ ଛାତ୍ର ସଙ୍ଗଠନ ପକ୍ଷରୁ ଆନ୍ଦୋଳନରତ ଛାତ୍ରୀଙ୍କୁ ରନ୍ଧା ଖାଦ୍ୟ ଯୋଗାଇ ଦିଆଯାଇଥିଲା।

ସମ୍ବନ୍ଧିତ ଖବର