ଭୁବନେଶ୍ବର: ଉତ୍କଳ ବିଶ୍ବବିଦ୍ୟାଳୟ ତଥା ବାଣୀବିହାର କ୍ୟାମ୍ପସ୍ ପରିସର ବସ୍ତିବାସିନ୍ଦାଙ୍କ ଡମ୍ପିଂୟାର୍ଡ ପାଲଟିଛି। ବିଶ୍ବବିଦ୍ୟାଳୟର ଦକ୍ଷିଣ ଓ ପଶ୍ଚିମ ପାର୍ଶ୍ବକୁ ଲାଗି ଗଢ଼ି ଉଠିଥିବା ବସ୍ତିରେ ଘର ସଂଖ୍ୟା ଦିନକୁ ଦିନ ବଢ଼ିବାରେ ଲାଗିଛି। ପରିଣାମ ସ୍ବରୂପ ଏବେ ବାଣୀବିହାର କ୍ୟାମ୍ପସ୍ ବସ୍ତିବାସିନ୍ଦାଙ୍କ ମିନି ଡମ୍ପିଂୟାର୍ଡରେ ପରିଣତ ହୋଇଛି।ସହରର ବିଭିନ୍ନ ସ୍ଥାନରେ ବସ୍ତିବାସିନ୍ଦା ମାଡ଼ି ବସିଥିବା ସରକାରୀ ଜମିରୁ ଜବରଦଖଲ ହଟାଯାଉଥିଲେ ମଧ୍ୟ ବାଣୀବିହାର କ୍ଷେତ୍ରରେ ବିଏମ୍ସି, ବିଡିଏ ସତେ ଯେପରି ଆଖି ବୁଜି ଦେଇଛନ୍ତି। ବିଶ୍ବବିଦ୍ୟାଳୟ କର୍ତ୍ତୃପକ୍ଷ ବାରମ୍ବାର ଚିଠି ଲେଖି ହତାଶ ହୋଇଗଲେଣି।
ଗୁରୁତ୍ବପୂର୍ଣ୍ଣ କଥା ହେଉଛି, ପଥରବନ୍ଧ ବସ୍ତି ପାର୍ଶ୍ବରେ ରହୁଥିବା ଲୋକେ ସେମାନଙ୍କ ଦୈନଦିନ ଆବର୍ଜନା କ୍ୟାମ୍ପସ୍ ଭିତରେ ପକାଉଛନ୍ତି। କ୍ୟାମ୍ପସ୍ ପରିସରର ଏକ ଓ ଦୁଇ ନମ୍ବର ଛାତ୍ରାବାସକୁ ଲାଗି କେତେକ ଘର ଗଢ଼ିଉଠିଥିବାରୁ ସେମାନଙ୍କ ଆବର୍ଜନା ମଧ୍ୟ କ୍ୟାମ୍ପସ୍ରେ ପଡ଼ୁଛି। ସ୍ଥାନେ ସ୍ଥାନେ ଅଳିଆ ପାହାଡ଼ ସୃଷ୍ଟି ହୋଇଛି। କ୍ୟାମ୍ପସ୍ର ଦକ୍ଷିଣ ପାର୍ଶ୍ବ ଅର୍ଥାତ ଲକ୍ଷ୍ମୀବିହାର ନିକଟ କଥା ନକହିବା ଭଲ। ଯିଏ ଯାହା ପାରିଲେ ଆଣି ପକାଇଛନ୍ତି।
ଦୁର୍ଗନ୍ଧରେ ରହିପାରୁ ନାହାନ୍ତି ପ୍ରଫେସର, କର୍ମଚାରୀ
ହାତ ଟେକିଦେଲେଣି ବିଶ୍ବବିଦ୍ୟାଳୟ କର୍ତ୍ତୃପକ୍ଷ
କ୍ୟାମ୍ପସ୍ର ପଶ୍ଚିମ ପାର୍ଶ୍ବ କଥା ତଦ୍ରୁପ। ଜାତୀୟ ରାଜପଥ-୧୬ଠାରୁ ଆରମ୍ଭ କରି ଅପୋଲୋ ହସ୍ପିଟାଲ ସମ୍ମୁଖ ପର୍ଯ୍ୟନ୍ତ ଲମ୍ବିଥିବା ଏହି ପାର୍ଶ୍ବ ପାଚେରିକୁ ଲାଗି ଗଢ଼ି ଉଠିଛି ବସ୍ତି। ପାଖାପାଖି ଏକ ହଜାର ପରିବାର ବସବାସ କରୁଛନ୍ତି। ଶତାଧିକ ଦୋକାନ ମଧ୍ୟ ଗଢ଼ି ଉଠିଛି। ବସ୍ତିବାସିନ୍ଦାଙ୍କ ଅଳିଆ ସଫେଇ ଗାଡ଼ି ନେଉଥିଲେ ମଧ୍ୟ ଆହୁରି ଅନେକ ଲୋକ କ୍ୟାମ୍ପସ୍ ଭିତରକୁ ଅଳିଆ ପକାଉଛନ୍ତି। ଉଚ୍ଚା ପାଚେରିରେ ତାର ଜାଲି ଦିଆଯିବା ସତ୍ତ୍ବେ ବସ୍ତିବାସିନ୍ଦା କ୍ୟାମ୍ପ୍ସ ଭିତରକୁ ପକାଉଥିବା ଅଳିଆ ସେଥିରେ ଲାଗୁଥିବା ଦେଖିବାକୁ ମିଳୁଛି। କ୍ୟାମ୍ପସ୍କୁ ଲାଗି ଉଠାଦୋକାନ କରିଥିବା ବ୍ୟବସାୟୀଙ୍କ ଆବର୍ଜନା ମଧ୍ୟ ତାହାରି ଭିତରେ ପଡ଼ୁଛି। ଦିନକୁ ଦିନ ଆବର୍ଜନା ସ୍ଥିତି ଅଣାୟତଃ ହେଉଥିବାରୁ କର୍ତ୍ତୃପକ୍ଷ ହାତ ଟେକିଦେଲେଣି। କ୍ୟାମ୍ପସ୍ ଭିତରେ ପଡ଼ି ରହିଥିବା ବସ୍ତିବାସିନ୍ଦାଙ୍କ ଆବର୍ଜନା ଉଠାଇବାକୁ ବିଶ୍ବବିଦ୍ୟାଳୟ କର୍ତ୍ତୃପକ୍ଷ ଉଦ୍ୟମ କରିଥିଲେ। ମାତ୍ର ଉକ୍ତ ସଂସ୍ଥା ଯେତିକି ଅର୍ଥ ମାଗିଥିଲା ତାହାକୁ ଶୁଣି କର୍ତ୍ତୃପକ୍ଷଙ୍କ ହୋସ୍ ଉଡ଼ି ଯାଇଥିଲା। ତେଣୁ ସଫେଇରୁ ଦୂରେଇ ରହିଥିବା ବିଶ୍ବବିଦ୍ୟାଳୟର ଜଣେ ବରିଷ୍ଠ ଅଧିକାରୀ ସୂଚନା ଦେଇଛନ୍ତି।