ବଦଳିଲା ଟ୍ରେଣ୍ଡ୍‌: ଅନ୍‌ଲାଇନ୍‌ରେ ଗୀତ ନୃତ୍ୟ ଓ ଅଭିନୟ ପ୍ରତିଯୋଗିତା

‌ଲୋଡ଼ା ନାହିଁ ଝିଲ୍‌ମିଲ୍ ରଙ୍ଗିନ୍ ଆଲୁଅର ମଞ୍ଚ

ଚନ୍ଦ୍ରଶେଖରପୁର: ମହାମାରୀ କରେନା ପାଇଁ ସାରା ଦେଶରେ ବିଭିନ୍ନ ପ୍ରକାର ଆନୁଷ୍ଠାନିକ କାର୍ଯ୍ୟକ୍ରମ ବନ୍ଦ ଥିବା ବେଳେ ଏବେ ଗୀତ ନୃତ୍ୟ ଓ ଅଭିନୟ ପ୍ରତିଯୋଗିତାକୁ ନେଇ ଆରମ୍ଭ ହେବାକୁ ଯାଉଛି ନୂଆ ଟ୍ରେଣ୍ଡ୍। ଯେଉଁଥିରେ ସାମିଲ ହୋଇଛନ୍ତି ଓଡ଼ିଶାର କିଛି ଇଭେଣ୍ଟ୍ ପରିଚାଳନା ସଂସ୍ଥା। ଏଥିପାଇଁ ଝିଲ୍‌ମିଲ୍ ରଙ୍ଗିନ୍ ଆଲୁଅର ମଞ୍ଚ କିମ୍ବା ଦର୍ଶକ ଗ୍ୟାଲେରିର ଆବଶ୍ୟକ ନାହିଁ। ଜଣେ ‌ପ୍ରତିଯୋଗୀ ଘରେ ନିଜର କଳା ପ୍ରଦର୍ଶନ କରି ମୋବାଇଲରେ ରେକର୍ଡ କରି ଏହି ପ୍ରତିଯୋଗିତାରେ ଭାଗ ନେଇପାରିବେ। ଏନେଇ ବର୍ତମାନ କିଛି କଳାତ୍ମକ ଅନୁଷ୍ଠାନ ନିଜ ଆଡ଼ୁ ପ୍ରୟାସ ଆରମ୍ଭ କରିସାରିଲେଣି। ଏହି ପ୍ରତିଯୋଗିତା ପାଇଁ ସାମାଜିକ ଗଣମାଧ୍ୟମ ପାଲଟିଛି ପ୍ଲାଟଫର୍ମ।

ରାଜଧାନୀର ବିଭିନ୍ନ ଆୟୋଜକ ସଂସ୍ଥା ମଧ୍ୟ ଏହି କାର୍ଯ୍ୟକ୍ରମକୁ ନେଇ ସୋସିଆଲ୍ କ୍ୟାମ୍ପେନିଂ ଆରମ୍ଭ କଲେଣି। କିଛି ପ୍ରତିଷ୍ଠିତ ଓଲିଉଡ କଳାକାର ମଧ୍ୟ ଏହି ପ୍ରତିଯୋଗିତାରେ ଭାଗ ନେବାପାଇଁ ପ୍ରତିଯୋଗୀମାନଙ୍କୁ ପ୍ରୋତ୍ସାହନ ଯୋଗାଉଛନ୍ତି। ଅଭିନେତ୍ରୀ ଦିବ୍ୟାଦିଶା ମହାନ୍ତି, ପ୍ରଯୋଜକ ରମେଶ ଚନ୍ଦ୍ର ବାରିକ, କୋରିଓଗ୍ରାଫର ବିଦ୍ୟାଧର, ମଧୁସ୍ମିତା ଓ ଆହୁରି ଅନେକ ଓଲିଉଡ କଳାକାର ଏମିତି ପ୍ରତିଯୋଗିତାରେ ବିଚାରକ ଭାବେ ନଜର ଆସୁଛନ୍ତି। ସ୍ବତନ୍ତ୍ର ଏକ ଟିମ୍ ଜରିଆରେ ଏହି କାର୍ଯ୍ୟକ୍ରମକୁ ଆୟୋଜନ କରାଯାଉଛି। ଜଣେ ପ୍ରତିଯୋଗୀ ଅନ୍‌ଲାଇନ୍‌ରେ ନିଜର ନାମ ପଞ୍ଜୀକରଣ କରିବା ପରେ ସେମାନଙ୍କୁ ଗୋଟିଏ କ୍ରମିକ ସଂଖ୍ୟା ଦିଆଯାଉଛି। ଯେଉଁ ସଂଖ୍ୟା ଅନୁଯାୟୀ ପ୍ରତିଯୋଗୀମାନେ ନିଜର ନୃତ୍ୟ, ଗୀତ କିମ୍ବା ଅଭିନୟର ଭିଡିଓକୁ ନିର୍ଦ୍ଦିଷ୍ଟ ଏକ ହ୍ବାଟସ୍ଆପ୍ ନମ୍ବର ମାଧ୍ୟମରେ ଆୟୋଜକ ସଂସ୍ଥାକୁ ପଠାଇପାରିବେ। ସେହି ଭିଡିଓକୁ ସଂସ୍ଥାର ବିଚାରକମଣ୍ଡଳୀ ଦେଖି କିଛି ପ୍ରତିଯୋଗୀଙ୍କ ନାମ ଘୋଷଣା କରିବେ। ପରେ ସେମାନଙ୍କୁ ନୂଆ ଗୀତ ଦିଆଯିବ। ସେହି ସଂଗୀତର ତାଳେ ଚାଳେ ପ୍ରତିଯୋଗୀ ନୃତ୍ୟ କରିବେ। ସେହିଭଳି ସଂଗୀତ ପ୍ରତିଯୋଗିତାରେ ପ୍ରତିଯୋଗୀ ଆୟୋଜକ ସଂସ୍ଥାର ଟ୍ରାକ୍‌ରେ ଗୀତ ଗାଇ ସଂସ୍ଥାକୁ ପଠାଇବା ପରେ ସେମାନଙ୍କୁ ଚୟନ କରାଯିବ। ସେମିତି ଅଭିନୟ ମଧ୍ୟ ଚୟନ ସଂସ୍ଥାର ଥିମ୍ ଉପରେ ଆଧାରିତ ହୋଉଛି। ଏନେଇ ନିର୍ଦ୍ଦିଷ୍ଟ ଆୟୋଜକ ସଂସ୍ଥାର ୱେବ୍‌ସାଇଟ୍‌ରେ ଚୟନ କରାଯାଇଥିବା ପ୍ରତିଯୋଗୀଙ୍କ ନାମ ଓ କ୍ରମିକ ସଂଖ୍ୟା ପ୍ରକାଶ ପାଇବ। ଶେଷର କ୍ବାଟର୍ ଫାଇଲାନ୍ ଓ ସେମି ଫାଇନାଲ୍ ଏବଂ ଫାଇନାଲ୍ ରାଉଣ୍ଡ କାର୍ଯ୍ୟକ୍ରମ ଅନ୍‌ଲାଇନ୍‌ରେ ଅନୁଷ୍ଠିତ ହେବ। ଅନ୍‌ଲାଇନ୍ ଭୋଟିଂ ମାଧ୍ୟମରେ ଚୂଡ଼ାନ୍ତ ନିଷ୍ପତ୍ତି ନିଆଯିବ। ଯେଉଁ ପ୍ରତିଯୋଗୀ ଏହି କାର୍ଯ୍ୟକ୍ରମରେ ସଫଳ ହେବେ, ସେମାନଙ୍କୁ ପୁରସ୍କାର ଅର୍ଥରାଶି ମଧ୍ୟ ଅନ୍‌ଲାଇନ୍‌ରେ ପ୍ରଦାନ କରାଯିବ। ଏପରି ଏକ ନିଆରା କାର୍ଯ୍ୟକ୍ରମରେ ଯୋଗ ଦେବାପାଇଁ ପ୍ରତିଯୋଗୀମାନଙ୍କ ମଧ୍ୟରେ ଉତ୍ସାହ ବଢ଼ିବାରେ ଲାଗିଛି। କରୋନା ଲକ୍‌ଡାଉନ୍ ସମୟରେ ପ୍ରତିଯୋଗୀ ନିଜ ଘରେ ରହି ଏପରି କାର୍ଯ୍ୟକ୍ରମରେ ଭାଗ ନେଇପାରିବେ।

ସମ୍ବନ୍ଧିତ ଖବର