ପୁରୁଣା ଭୁବନେଶ୍ୱର: ଆସନ୍ତା ୧୪ତାରିଖ ଆଶ୍ୱିନ ଶୁକ୍ଳପକ୍ଷ ମୂଳାଷ୍ଟମୀ ତିଥିରୁ ଦୈବୀ ପାର୍ବଣର ପ୍ରଥମ ପର୍ବ ଷୋଡ଼ଶ ଉପଚାର ପୂଜା ଆରମ୍ଭ ହେବ। ୨୯ ତାରିଖ ପର୍ଯ୍ୟନ୍ତ ଏହି ପୂଜା ବିଧି ଅନୁଷ୍ଠିତ ହେବ। ଏକାମ୍ର କ୍ଷେତ୍ରସ୍ଥିତ ଅଷ୍ଟଚଣ୍ଡୀଙ୍କ ପୀଠ ସମେତ ବିଭିନ୍ନ ଦେବୀ ପୀଠରେ ଷୋଳ ପୂଜା ଆରମ୍ଭ ହେବ। ଏହି ଅବସରରେ ଭକ୍ତ ଓ ଶ୍ରଦ୍ଧାଳୁମାନେ ଅଷ୍ଟଚଣ୍ଡୀ, ମା’ ଗୌରୀ ଓ ଶ୍ରୀ ଲିଙ୍ଗରାଜ ମନ୍ଦିରରେ ପୂଜା ପାଉଥିବା ମା’ ଭୁବନେଶ୍ବରୀଙ୍କୁ ବିଭିନ୍ନ ବେଶ‌ରେ ଦର୍ଶନ କରିବାର ସୁଯୋଗ ପାଇବେ। 
Advertisment
ଏକାମ୍ର କ୍ଷେତ୍ରର ବିଭିନ୍ନ ସ୍ଥାନରେ ରହିଛି ଅଷ୍ଟଦେବୀଙ୍କ ମନ୍ଦିର ବା ପୀଠ। ମଠ କପାଳୀ ଠାକୁରାଣୀ, ମହନୀ ଠାକୁରାଣୀ, ଆଖଡ଼ାଚଣ୍ଡୀ ଠାକୁରାଣୀ, ରାମାୟଣୀ ଠାକୁରାଣୀ, କପାଳୀ ଠାକୁରାଣୀ, ଉତ୍ତରାୟଣୀ ଠାକୁରାଣୀ, ମା’ ଗୌରୀ ଠାକୁରାଣୀ, ଅମ୍ୱିକେ ଠାକୁରାଣୀ ଓ ଦ୍ୱାରବାସିନୀ ଠାକୁରାଣୀଙ୍କ ପୀଠରେ ଦଶହରା ପୂର୍ବରୁ ବିଧି ମୁତାବକ ଷୋଳ ପୂଜା ହୋଇଥାଏ। ସେହିଭଳି ଶ୍ରୀଲିଙ୍ଗରାଜ ମନ୍ଦିର ପରିସରରେ ଥିବା ମା’ ଭୁବନେଶ୍ୱରୀଙ୍କର ସ୍ୱତନ୍ତ୍ର ପାରମ୍ପରିକ ପୂଜା କରାଯାଇଥାଏ। ପୁରୀଗଜପତି ମହାରାଜଙ୍କ ରାଜଗୁରୁ ଆସି ମନ୍ଦିର ପୁରୋହିତଙ୍କ ପାଖରେ ସଙ୍କଳ୍ପ କରି ପୂଜା କରିବେ। ଷୋଳ ଦିନ ପର୍ଯ୍ୟନ୍ତ ରାଜଗୁରୁ ଏଠାରେ ରହି ପୂଜାର୍ଚ୍ଚନା କରିବେ ଏବଂ ମହାରାଜାଙ୍କ ମଙ୍ଗଳ କାମନା କରିବେ।
ଏହା ବ୍ୟତୀତ ଜଗନ୍ନାଥ ମଠ ରୋଡ୍‌ରେ ମା’ ଦକ୍ଷୀଣ ଚଣ୍ଡୀ, ସାମନ୍ତରାପୁରରେ ମା’ ଭୁବାସିନୀ, କେଦାରଗୌରୀ ଠାରେ ମା’ ଗୌରୀ, ବିନ୍ଦୁସାଗର କୂଳରେ ମା’ ଦ୍ୱାରବାସିନୀ, ବଡ଼ୁସାହିରେ ମା’ ମହନୀ ଦେବୀ, ତିନିମୁଣ୍ଡିଆ ଛକରେ ମା’ କପାଳୁଣୀ ଦେବୀ, ପୂଜାପଣ୍ଡା ନିଯୋଗ ନିକଟରେ ମା’ ରାମାୟଣୀ ଦେବୀ, ଶ୍ରୀକପିଳେଶ୍ୱର ମନ୍ଦିର ବେଢ଼ା ପରିସରରେ ମା’ ଦକ୍ଷିଣ କାଳୀଙ୍କ ନିକଟରେ ଷୋଡ଼ଷ ଉପଚାର ପୂଜା ହେବ। ମହନୀ ଠାକୁରାଣୀଙ୍କ ପୂଜକ ଗୋପୀନାଥ କର କୁହନ୍ତି ଯେ ଦେବୀଙ୍କ ସ୍ୱତନ୍ତ୍ର ଷୋଡ଼ଶ ଉପଚାର ପୂଜା ବହୁ ନୀତିନିୟମରେ କରାଯାଏ। କର୍ତ୍ତାଙ୍କୁ ବହୁ ନିଷ୍ଠାରେ ରହିବାକୁ ପଡ଼େ। ପୂଜାପଣ୍ଡା ନିଯୋଗ ମଣ୍ଟୁ ପୂଜାପଣ୍ଡା କୁହନ୍ତି ଯେ ଏକାମ୍ର କ୍ଷେତ୍ରରେ ଦେବୀମାନଙ୍କ ଏହି ଆରାଧନା ବହୁ କାଳରୁ ରହିଛି। ଦେବ ଦେବ ମହାଦେବ ଶ୍ରୀଲିଙ୍ଗରାଜଙ୍କ ମନ୍ଦିର ଚତୁର୍ପାର୍ଶ୍ବରେ ଥିବା ଅଷ୍ଟଚଣ୍ଡୀଙ୍କ ଷୋଳ ପୂଜାରେ ସ୍ୱତନ୍ତ୍ରତା ରହିଛି। ମା’ ଦକ୍ଷିଣଚଣ୍ଡୀଙ୍କ ମନ୍ଦିରରେ ପ୍ରତିଦିନ ମହା ଆଳତି ଓ ଧୂପ କରାଯିବ ବୋଲି ପୂଜକ ସରୋଜ ମହାପାତ୍ର କହିଛନ୍ତି।