ଭୁବନେଶ୍ବର : ଓଡ଼ିଆଙ୍କ ଦିଅଁ କାଳିଆ ସାଆନ୍ତ ଓ ଓଡ଼ିଆଙ୍କର ପ୍ରିୟ ହେଉଛି ‘ପଖାଳ’। ପଖାଳ ସହ କଂସା ଶବ୍ଦ ଆପେ ଆପେ ଯୋଡ଼ି ହୋଇଆସେ। ଯେମିତିକି ପଖାଳର ଆନନ୍ଦ କଂସା ବିନା ଅଧୁରା। ଯେତେବେଳେ ଷ୍ଟିଲ୍, ଚାଇନା, ଫାଇବର ବା କାଚ ବାସନ ନଥିଲା ଏହି କଂସାବେଲାରେ ହିଁ ଓଡ଼ିଆମାନେ ନିଜ ପାରମ୍ପରିକ ଖାଦ୍ୟ ଖାଉଥିଲେ। ଓଡ଼ିଶାର ବିଭିନ୍ନ ସ୍ଥାନରେ ଥିବା କଂସାଶାଳରେ ଭିନ୍ନ ଭିନ୍ନ ପ୍ରକାରର ଓ ଆକୃତିର କଂସା ବେଲା ପ୍ରସ୍ତୁତ ହେଉଥିଲା। କଂସା ବାସନରେ ଖାଇବା ଦ୍ବାରା ଏହାର ଔଷଧୀୟ ଗୁଣ ପଖାଳ ତୋରାଣି ସହ ମିଶି ଶରୀରକୁ ଯାଇଥାଏ। ତେବେ କଂସାର ଅନେକ ଔଷଧୀୟ ଗୁଣ ରହିଥିବାରୁ ଏବେ ପୁଣି କଂସା ବାସନ ପ୍ରତି ଆଗ୍ରହ ଓ ବ୍ୟବାହର ବଢ଼ିଛି। କଂସା ବାସନ କଥା ଉଠିଲେ ପଖାଳ କଂସା ସଂଗ୍ରାହକ ତଥା ଗବେଷକ ସୁଦର୍ଶନ ସାହୁଙ୍କ ନାମ ଆଗକୁ ଆସେ।
ଓଡ଼ିଶାର ପ୍ରାୟ ୬୨ଟି କଂସାଶାଳରୁ ଦୀର୍ଘ ୩୨ ବର୍ଷ ଧରି ୩୦ରୁ ଅଧିକ ପ୍ରକାରର କଂସାବେଲା ସଂଗ୍ରହ କରି ନିଜ ସଂଗ୍ରହାଳୟରେ ସ୍ଥାନ ଦେଇଛନ୍ତି ଶ୍ରୀ ସାହୁ। ଜାଗମରାସ୍ଥିତ ତାଙ୍କ ନିଜସ୍ବ ସଂଗ୍ରହାଳୟ ‘ଗୋପୀନାଥ ଐତିହ୍ୟ କଂସା ପିତ୍ତଳ ବସ୍ତୁ ତଥା ଅବହେଳିତ କଳାକୃତି ସଂଗ୍ରହାଳୟ’ରେ ରହିଛି ଦକ୍ଷିଣ, ପଶ୍ଚିମ, ଉପକୂଳ ଓଡ଼ିଶା ଓ ସଂମ୍ଭ୍ରାନ୍ତଶ୍ରେଣୀୟ କଂସାବେଲା। ଏହି ସଂଗ୍ରହାଳୟରେ ରହିଛି ପୋଚ ବେଲା, ଟଭା ଥାଳିଆ ବେଲା, ମାଣ ବେଲା, ମାଟିଆ କେଳା ବେଲା, ଓଉ ଖମା ବେଲା, ଦୁଦୁରାଫୁଲିଆ, ତୋରାଣି ବେଲା, ବଇଠି ବେଲା, ଲହରି ବେଲା, ରେକାବି ବେଲା, ରାମଶାଇ ବେଲା, ସହରୀବାବୁ ବେଲା, ଛାତି ଫୁଲାଣିଆ ବେଲା, ମଣ୍ଡା ବେଲା, ବାଶେଶରି ବେଲା, ଗୋଲ୍ ବେଲା, ଅଣ୍ଟାଭଙ୍ଗା ପଖାଳ କଂସା, କୁନ୍କୁରୀ ବେଲା, ବେଲପେଡ଼ି ବେଲା, ଫାଶ ବେଲା, ଲହରୀ ବେଲା, ରକମ, କୁଣ୍ଡି ଓ ଦୋହରୀ ବେଲା ଆଦି ଅନେକ ପ୍ରକାରର ବେଲା। ଖାଲି ବେଲା ନୁହେଁ, ପଖାଳ ସହ ବ୍ୟଞ୍ଜନ ଖାଇବା ପାଇଁ ବ୍ୟବହୃତ ହେଉଥିବା ବିଭିନ୍ନ ଆକୃତିର ଚଟକୀ ବି ସେ ସଂଗ୍ରହ କରି ରଖିଛନ୍ତି। ଏଥିସହ ଜୋଇଁ ଚର୍ଚ୍ଚା ପଖାଳ ଥାଳି ବି ତାଙ୍କ ସଂଗ୍ରହାଳୟରେ ସ୍ଥାନ ପାଇଛି।
ଦୁଦୁରାଫୁଲିଆ ବେଲା
ଦୁଦୁରା ଫୁଲ ଭଳି ଦେଖାଯାଉଥିବାରୁ ଏହାକୁ ଦକ୍ଷିଣ ଓଡ଼ିଶାରେ ଦୁଦୁରାଫୁଲିଆ ଓ ପଶ୍ଚିମ ଓଡ଼ିଶାରେ କୁଣ୍ଡ ବେଲା କୁହାଯାଏ। ଏଥିରେ ପରିବାରର ସମେସ୍ତ ଏକାଠି ମିଶି ପଖାଳ ଖାଉଥିଲେ। ଘରକୁ କୁଣିଆ ବା ବନ୍ଧୁବାନ୍ଧବ ଆସିଲେ, ସମସ୍ତେ ମିଶି ଗୋଟିଏ କଂସାରେ ଖାଇବାକୁ ଏହା କଂସା ବ୍ୟବହୃତ ହେଉଥିଲା। ଏଥିରେ ଏକା ସାଥେ ୪ରୁ ୬ ଲିଟର ତୋରାଣି ଓ ଭାତ ରହିପାରୁଥିଲା। କଂସାରୀ ଗ୍ରାମ ତରଭା, ବଇରସର ଓ ବୌଦ୍ଧ ଜିଲ୍ଲାର କିଛି ଅଞ୍ଚଳରେ ଏହା ବ୍ୟବହୃତ ହେଉଥିଲା।ଅଣ୍ଟାଭଙ୍ଗା ପଖାଳ କଂସା
ଏହି ବେଲାର ପେଟକୁ କଂସାଶାଳରେ ହାତୁଡ଼ିରେ ପିଟି ଚେପା କରି ଡମ୍ବରୁ ଭଳି ତିଆରି କରାଯାଏ। ଦକ୍ଷିଣ ଓଡ଼ିଶାର କୋରାପୁଟ ଅଞ୍ଚଳର ସଉରା ଓ ଲାଞ୍ଜିଆ ସଉରା ଜନଜାତିଙ୍କର ଏହା ହେଉଛି ପଖାଳ କଂସା। ରାୟଗଡ଼ା ଜିଲ୍ଲାର ଗୁଣୁପୁର ଓ ପଦ୍ମପୁରରେ ହିଟ୍, ବିଟ୍, ଏକ୍ସପାଣ୍ଡ୍ ଓ ସେପ୍ ପଦ୍ଧତିରେ ପ୍ରସ୍ତୁତ ‘ଅଣ୍ଟାଭଙ୍ଗା ପଖାଳ କଂସା’ ଏବେ ବି ଦକ୍ଷିଣ ଓଡ଼ିଶାରେ ବେଶି ବ୍ୟବହୃତ ହେଉଛି। ଏବେ ଏହା ଗୁଣୁପୁରରେ ୮/୧୦ଟି ଘରର ଶାଳରେ ତିଆରି ହେଉଛି। ଝିଅ ବାହାଘର ସଜରେ ଏହି ବେଲା ସାମିଲ ହୁଏ। ପୂର୍ବତନ ମୁଖ୍ୟମନ୍ତ୍ରୀ ଗିରିଧର ଗମାଙ୍ଗୋ ୧୯୬୦ ମସିହାରେ ଡିଙ୍ଗ୍ଡିଙ୍ଗ୍ ବାଦ୍ୟ ପାଇଁ ଏହି ବେଲା ବ୍ୟବହାର କରିବା ପରଠୁ ସେଠାରେ ବସବାସ କରୁଥିବା ଗମାଙ୍ଗୋ ବଂଶଜମାନେ ଏହାକୁ ବାଦ୍ୟବେଲା ଭାବେ ବ୍ୟବହାର କରୁଛନ୍ତି।ପୋଚ ବେଲା
ଏହା ଦେଖାବାକୁ ବ୍ରିଟିସ ଅମଳର ପୁଲିସଙ୍କ ଟୋପି ଭଳି। ଦକ୍ଷିଣ ଓଡ଼ିଶାରେ ପ୍ରତିଟି ଚାଷୀ ଘରର ଏହା ଥିଲା ପ୍ରଥମ ବାସନ। ୪ରୁ ୫ ସେର ଓଜନ ଏହି ବେଲାରେ ଚାଷୀମାନେ ପଖାଳ ଖାଇ ବିଲକୁ ଯାଉଥିଲେ। ଏହି ବେଲାରେ ଭାତକୁ ୨ ଦିନ ପୋଚ କରି ରଖାଯାଉଥିଲା। ଏହି ପୋଚକୁ ହଳୁଆ ଚାଷୀମାନେ ଖାଇ ବିଲକୁ ଯାଉଥିଲେ। ଏଥିପାଇଁ ଏହି ବେଲାର ନାମକରଣ ଏହିଭଳି ହୋଇଛି। ଏହି ପୋଚ ସେମାନଙ୍କ ଶରୀରକୁ ବଳ ଦେବା ସହ ହାଲୁକା ନିଶା ହୋଇଥିବାରୁ ଚାଷଜନିତ ପୀଡ଼ା ପ୍ରଶମିତ କରୁଥିଲା। ପ୍ରାୟ ୨୦୦ ବର୍ଷ ତଳର ଏହି ବେଲା ଅତ୍ୟନ୍ତ ଓଜନ କାରଣରୁ ଏବେ ପ୍ରାୟ ଲୁପ୍ତ ହେବାକୁ ବସିଲାଣି।ରେକାବି ବେଲା
ଦାନ ଦେବା ଅର୍ଥରେ ବ୍ୟବହୃତ ହୁଏ ଏହି ରେକାବି ବେଲା। ଏହାକୁ ଅଇଁଠା କରିବା ନିଷେଧ। କଂସାଶାଳରେ ଛୋଟ ହାତୁଡ଼ିରେ ଟିପ ଚିହ୍ନ ସଦୃଶ ପିଟିପିଟି ପ୍ରସ୍ତୁତ ହୁଏ ‘ରେକାବି ବେଲା’। ତେବେ ଏ ବେଲା ପଖାଳ ଖାଇବା ପାଇଁ ନିଷେଧ। ପୁରୋହିତ ତଥା ଅତିଥି/ ଆଗନ୍ତୁକଙ୍କୁ ଲିଆ, ଚାଉଳ, ମୁଗ, ବିରି, ପରିବା ଦାନ ଦେବାରେ ଏହା ବ୍ୟବହୃତ ହୁଏ। ରେକାବିରେ ଆଞ୍ଜୁଳି ସଦୃଶ ଚିହ୍ନ ଥିବାରୁ ଏଥିରେ ସଞ୍ଚା ଦେବା ଶୁଭ ବୋଲି ବିଚାର କରାଯାଏ ବୋଲି କହିଛନ୍ତି ସୁଦର୍ଶନ ସାହୁ।ରାମଶାଇ ବେଲା
ପଶ୍ଚିମ ଓଡ଼ିଶାରେ ଏହି ପ୍ରଚଳିତ ଥିଲା। ବିଶେଷ କରି ବରଗଡ଼ ଅଞ୍ଚଳବାସୀ ଏହି ପଖାଳ କଂସାକୁ ବିଲକୁ ନେଇ ଯାଉଥିଲେ। ଗୋଟିଏ ପିତ୍ତଳ କରାଟରେ ୪ଠି ପଖାଳ କଂସା ସହ ଉଲି ପିଆଜ, ଲୁଣ ଓ ଶାଗ ଆଦି ନେଇ ଘରର ମହିଳାମାନେ ବିଲକୁ ଯାଉଥିଲେ ଓ ଶଶୁର, ସ୍ବାମୀ ତଥା ଦିଅରଙ୍କୁ ଏଥିରେ ପଖାଳ ବାଢ଼ି ଦେଉଥିଲେ।ବାଲେଶରି ବେଲା
ଏହା ଏକ ସଉକିଆ ଓ ସମ୍ଭ୍ରାନ୍ତଶ୍ରେଣୀୟ ବେଲା। ଏହା ଦେଖିବାକୁ ମସୃଣ ଓ ସୁନ୍ଦର। ରାଜା ଘର, ଜମିଜାର ଓ ଗାଁର ସମ୍ଭ୍ରାନ୍ତଶ୍ରେଣୀୟ ଲୋକମାନେ ଏହାକୁ ଅଧିକ ବ୍ୟବାହର କରୁଥିଲେ। ଏହା ହାଲୁକା ହୋଇଥିବାରୁ ଏହାର ବ୍ୟବହାର ଏବେ ବି ରହିଛି। ଏହି ବେଲା ଉପକୂଳରେ ଅଧିକ ବ୍ୟବହୃତ ହେଉଥିଲା।ତୋରାଣି ବେଲା
ଏହି ବେଲା ଦେଖିବାକୁ ଅର୍ଦ୍ଧଚନ୍ଦ୍ରାକାର। ବିଶେଷ ଗାଢ଼ୁଆ ନୁହେଁ। ଏହା କେବଳ ତୋରାଣି ପିଇବା ପାଇଁ ବ୍ୟବହୃତ ହେଉଥିଲା। ଚଷା ପୁଅ ବିଲରୁ ଫେରି ଏହି ବେଲାରେ ବାସି ତୋରାଣି ପିଇ ନିଜକୁ ଶକ୍ତି ଯୋଗାଉଥିଲା।