ଏସିପି କାର୍ଯ୍ୟାଳୟ କୋଠାରେ ବାସ୍ତୁଦୋଷ! ଏକ ମହଲାରେ ଖର୍ଚ୍ଚ ୬୦ ଲକ୍ଷ, ପୁଣି ଚାଲିଛି ଭଙ୍ଗାଗଢ଼ା

ଭୁବନେଶ୍ୱର : ୬୦ ଲକ୍ଷ ଟଙ୍କା ବ୍ୟୟ କରାଯାଇ ନିର୍ମାଣ ହେଲା ଏସିପିଙ୍କ କାର୍ଯ୍ୟାଳୟ କୋଠା। ଗୋଟିଏ ମହଲା ବିଶିଷ୍ଟ ଏହି କୋଠାରେ ରହିଲା ମାତ୍ର ଦୁଇଟି ରୁମ୍‌ ଓ ସେଥିରେ ସଂଲଗ୍ନ ହୋଇରହିଲା ଦୁଇଟି ବାଥ୍‌ରୁମ୍‌। ପ୍ରାୟ ୭ ଶହ ବର୍ଗଫୁଟ୍‌ର କୋଠା। ମାତ୍ର ଏତିକି କାମ ପାଇଁ ଖର୍ଚ୍ଚ ହେଲା ୬୦ ଲକ୍ଷ ଟଙ୍କା। ତଥାପି ରହିଲା ବାସ୍ତୁଦୋଷ। ଏହି ଦୋଷ କାଟିବାକୁ ଏବେ ପୁଣି ଚାଲିଛି ଭଙ୍ଗାଗଢ଼ା। ପୁଣି ଖର୍ଚ୍ଚ ହେଉଛି ଟଙ୍କା। ସରକାରୀ ରାଜକୋଷରୁ କିଭଳି ଟଙ୍କା ପାଣି ଭଳି ଖର୍ଚ୍ଚ ହେଉଛି ଓ କାମରେ ଲାଗୁନି, ତାହା ଏହି କୋଠା ହିଁ ବୟାନ କରୁଛି। ଏହା ହେଉଛି ଭୁବନେଶ୍ବର କମିସନରେଟ୍‌ ପୁଲିସର ଜୋନ୍‌-୫ ଏସିପିଙ୍କ କାର୍ଯ୍ୟାଳୟର କଥା।

ସୂଚନାଯୋଗ୍ୟ, ଏହି କୋଠା ୫ ବର୍ଷ ତଳୁ ନିର୍ମାଣ ହେଲାଣି। ବାସ୍ତୁଦୋଷ ଅଛି ବୋଲି ଏଠାରେ କାର୍ଯ୍ୟାଳୟ ଚାଲିପାରିନାହିଁ। ଚାରି ଚାରି ଜଣ ଏସିପି ଆସି ଗଲେଣି। ଜଣେ ହେଲେ କେହି ଏଠାରେ ବସିଲେନାହିଁ। ବାସ୍ତୁ ଦୋଷ ଭୟରେ କେହି ସେହି ନୂଆ କୋଠାଘରକୁ ଗଲେନାହିଁ। ତେଣୁ ଏହା କେତେବେଳେ ଗୋଦାମ ଘର ତ କେବେବେଳେ ବାରାକ୍‌ ଭାବେ ବ୍ୟବହାର ହେଲା। ଏବେ ବାସ୍ତୁଦୋଷ କାଟିବା ପାଇଁ କାମ ଚାଲିଛି। ପଛ ପଟ ପାଚେରି ଭଙ୍ଗା ଯାଉଛି। ନୂଆ ମୁଖ୍ୟ ଦ୍ବାର ଖୋଲିବାକୁ ଯୋଜନା ହୋଇଛି। ଏହି କାମ ସରିଲେ ଯାଇ ଏସିପି ଏଠାରେ ବସିବେ ଓ କାର୍ଯ୍ୟାଳୟ ଚାଲିବ। ଆଜି ବିଜ୍ଞାନ ଯୁଗରେ ବାସ୍ତୁଦୋଷ ଭଳି ଅନ୍ଧବିଶ୍ବାସକୁ ପୁଲିସ ଯେତେବେଳେ ମାନୁଛି, ସାଧାରଣ ଲୋକଙ୍କ କଥା କ’ଣ କୁହାଯିବ ବୋଲି ଚର୍ଚ୍ଚା ହେଉଛି।

ପୁଲିସର ଅନ୍ଧବିଶ୍ବାସକୁ ନେଇ ଯେତିକି ଚର୍ଚ୍ଚା, ତା’ଠୁ ବଡ଼ ପ୍ରସଙ୍ଗ ହେଉଛି ଏଥିରେ ଖର୍ଚ୍ଚ ହୋଇଥିବା ୬୦ ଲକ୍ଷ ଟଙ୍କା। ଏକ ମହଲା ବିଶିଷ୍ଟ ଏହି କୋଠାରେ ମାତ୍ର ଦୁଇଟି ରୁମ୍‌ ରହିଛି। ଦୁଇଟି ବାଥ୍‌ରୁମ୍‌ ଆଟାଚ୍‌ ହୋଇ ରହିଛି। ମଝିରେ ରହିଛି ଗୋଟିଏ ହଲ୍‌। ୫ ବର୍ଷ ତଳେ ଓଡ଼ିଶା ଷ୍ଟେଟ୍‌ ପୁଲିସ ହାଉସିଂ ଆଣ୍ଡ୍‌ ୱେଲ୍‌ଫେୟାର କର୍ପୋରେସନ(ଓଏସ୍‌ପିଏଚ୍‌ଡବ୍ଲ୍ୟୁସି) ଏହି କୋଠା ନିର୍ମାଣ କରିଥିଲା। ୫ବର୍ଷ ତଳର ସିମଣ୍ଟେ, ରଡ୍‌, ଗୋଡି, ବାଲି ଆଦି କଞ୍ଚାମାଲ୍‌ ଓ ମଜୁରି ହିସାବ କଲେ, ଏତେ ଟଙ୍କା ଖର୍ଚ୍ଚ ହୋଇଥିବ ବୋଲି ମନେ ହେଉନାହିଁ। ତେଣୁ କିଭଳି ଏତେ ଟଙ୍କା ଖର୍ଚ୍ଚ ‌ହେଲା, ତାହା ଏବେ ପ୍ରଶ୍ନବାଚୀ ସୃଷ୍ଟି କରିଛି। ନିକଟରେ ଏହି ବିଭାଗର ଜଣେ ଅଧିକାରୀ ଭିଜିଲାନ୍‌ସ ଜାଲରେ ପଡ଼ିଛନ୍ତି। ତେଣୁ ଏହି କୋଠା ନିର୍ମାଣରୁ ବିପୁଳ ଅର୍ଥ ହଡ଼ପ ହୋଇଛି ବୋଲି ଆଲୋଚନା ହେଉଛି।

ସମ୍ବନ୍ଧିତ ଖବର