ଦୋଷ କାଟୁଛି ବାସ୍ତୁ!

ଆପଣଙ୍କ ଘର ଉପରେ କାହାର ନଜର ଲାଗିଛିି କି? ଦାମ୍ପତ୍ୟ ଜୀବନକୁ ନେଇ ଚିନ୍ତାରେ ଅଛନ୍ତି କି? ତେବେ ବାସ୍ତୁ ଉପକରଣ ଆପଣଙ୍କୁ ଏଥିରୁ ମୁକ୍ତି ଦେବ। ଏକଥା ଆମେ ନୁହେଁ, ବରଂ କହୁଛନ୍ତି ଏହାକୁ ବ୍ୟବହାର କରୁଥିବା ଲୋକେ ଏବଂ ବିକୁଥିବା ବ୍ୟବସାୟୀମାନେ। ବୈଜ୍ଞାନିକ ଯୁଗରେ ବି ଏହି ବାସ୍ତୁଶାସ୍ତ୍ର ଉପରେ ଅନେକଙ୍କ ଅଖଣ୍ଡ ବିଶ୍ୱାସ । ଜୀବନରେ ସୁଖ, ଧନସମ୍ପତ୍ତି ଓ ସ୍ୱାସ୍ଥ୍ୟର ଉନ୍ନତି ପାଇଁ କେତେ କେତେ ଉପକରଣ ଏବେ ବଜାରରେ ମିଳୁଛି। ଗ୍ରହ ଦୋଷ ବା ବାସ୍ତୁ ଦୋଷକୁ କାଟିବା ପାଇଁ ହେଉ ବା ପ୍ରତିକାର ପାଇଁ ଏସବୁର ସାହାରା ନିଆଯାଉଛି। ଶିକ୍ଷିତମାନେ ବି ବାସ୍ତୁଯନ୍ତ୍ର, ଗଛ, ମାଛ, ପଥର ଆଦିକୁ ଘରେ ସାଇତିବାର ପରମ୍ପରାକୁ ଆପଣାଉଛନ୍ତି। ପୁଣି ଏଥିରୁ ଉପକୃତ ହୋଇଥିବା ବି ସ୍ୱୀକାର କରୁଛନ୍ତି। ରାଜଧାନୀରେ ଏଭଳି ପରମ୍ପରାକୁ ନେଇ ପ୍ରଗତି ସାହୁଙ୍କ ସ୍ୱତନ୍ତ୍ର ଉପସ୍ଥାପନା।

ଉତ୍ତମ ସ୍ୱାସ୍ଥ୍ୟ ପାଇଁ ଲକି ବାମ୍ବୁ ପ୍ଲାଣ୍ଟ୍‌ସ

ବାମ୍ବୁ ପ୍ଲାଣ୍ଟ୍‌ ସ୍ୱାସ୍ଥ୍ୟ ପାଇଁ ଲାଭଦାୟକ ହୋଇଥାଏ। ଧନ, ସମୃଦ୍ଧି, ସୌଭାଗ୍ୟ, ଶାନ୍ତି ଘରକୁ ଆଣିଥାଏ ବୋଲି ବାସ୍ତୁ ଶାସ୍ତ୍ରରେ ଉଲ୍ଲେଖ ଅଛି। ବାସ୍ତୁ ଶାସ୍ତ୍ର ଅନୁସାରେ ବାମ୍ବୁ ପ୍ଲାଣ୍ଟ୍‌କୁ ଗୁଡ୍‌ଲକ୍‌ କୁହାଯାଏ। ତେଣୁ ଏହା ଘରର ସୌଭାଗ୍ୟ ବୃଦ୍ଧି କରେ ବୋଲି କୁହନ୍ତି ବ୍ୟବସାୟୀ ୟୁନିଟ୍‌-୨ସ୍ଥିିତ ସୌମ୍ୟ ରଞ୍ଜନ ସୁନ୍ଦର। ପ୍ରଗତିର ପ୍ରତୀକ ବାମ୍ବୁ ପ୍ଲାଣ୍ଟ୍‌ ଯେତେ ବଢ଼େ ଘରର ସଦସ୍ୟଙ୍କ ସେତିକି ଉନ୍ନତି ବଢ଼ିବଢ଼ି ଚାଲେ। ଏହାର ଦର ୧୫୦ରୁ ୩୦୦ ଟଙ୍କା ରହିଛି। ରାଜମହଲ ଛକରେ ଥିବା ନିର୍ମଳ ଇନ୍‌ ହୋଟେଲର ମାଲିକ ଅବିନାଶ ସାହାଣୀଙ୍କ କହିବା ମୁତାବକ, ସେ ନିଜର ୩ଟି ହୋଟେଲ୍‌ରେ ଏଇ ଗଛ ରଖିଥିଲେ। ଗୋଟିଏ ଗଛ ମରିଯିବା ଦ୍ୱାରା ତାଙ୍କର ସେହି ହୋଟେଲ୍‌ର କ୍ଷତି ହେବାରେ ଲାଗିଲା। ସେଥିପାଇଁ ସେହି ଦିନରୁ ସେ ଏହାକୁ ବିଶ୍ୱାସ କରୁଥିବା କହିଛନ୍ତି।

ମନ୍ଦ ଉଦ୍ଦେଶ୍ୟ ଦୂର କରୁଛି ମାଛ

ବାସ୍ତୁଶାସ୍ତ୍ରରେ ପିତଳରେ ନିର୍ମିତ ସ୍ୱତନ୍ତ୍ର ଧରଣର ଆରୋନା ମାଛ ଓ କ୍ରାବ୍‌ ମାଛର ରହିଛି ସ୍ୱତନ୍ତ୍ର ଚାହିଦା। କ୍ୟାରିୟରରେ ଆଗକୁ ବଢ଼ିବା, ଧନ ବୃଦ୍ଧି , ସକାରାତ୍ମକ ଚିନ୍ତାଧାରା ପ୍ରଦାନ କରିବା ଏବଂ ମନ୍ଦ ଉଦ୍ଦେଶ୍ୟରୁ ଦୂରେଇ ରହିବାରେ ଏହା ସହାୟକ ହୋଇଥାଏ ବୋଲି ବିଶ୍ୱାସ ରହିଛି। ଏହାକୁ ଘରର ସାମ୍‌ନା କବାଟର ବାମ ପଟେ ରଖାଯିବା ନିୟମ ରହିଛି। ୫୦୦ରୁ ୧୦,୦୦୦ଟଙ୍କା ମଧ୍ୟରେ ଉପଲବ୍ଧ ଏହି ମାଛକୁ ବ୍ୟବହାର କରିବା ଫଳରେ ତାଙ୍କର ଧୀରେଧୀରେ ଉନ୍ନତି ହେଉଥିବା ନୟାପଲ୍ଲୀର ବାସିନ୍ଦା ଅନିତା ସାହୁ କହିଛନ୍ତି।

ସ୍ୱସ୍ତିକ ପିରାମିଡ଼ ରାମବାଣ ସଦୃଶ

ଘରର ପ୍ରବେଶ ଦ୍ୱାରରେ କିମ୍ବା ସାମ୍‌ନା କାନ୍ଥରେ ଝୁଲୁଥିବା ଇଭିଲ୍‌ ଆଇ ହ୍ୟାଙ୍ଗର୍‌ ସମୃଦ୍ଧିରେ ସହାୟକ ହେଉଥିବା ବେଳେ ସ୍ୱସ୍ତିକ ପିରାମିଡ଼ ରାମବାଣ ପରି କାମ ଦିଏ ବୋଲି କହିଛନ୍ତି ସହିଦଗରରେ ବାସ୍ତୁ ଉପକରଣର ବ୍ୟବସାୟ କରୁଥିବା ଜ୍ୟୋତିଷ ସନ୍ଦୀପ କୁମାର ମିଶ୍ର। ଘରର ମୁଖ୍ୟ ଦ୍ୱାରରେ ଦୋଷ ଥିଲେ ଏହାକୁ ବ୍ୟବହାର କରାଯାଏ। ଇଭିଲ୍‌ ଆଇ ହ୍ୟାଙ୍ଗର୍‌ର ଦର ୩୦୦ରୁ ୧୦୦୦ଟଙ୍କା ଥିବା ବେଳେ ସ୍ୱସ୍ତିକ ପିରାମିଡ଼ ୫୦୦ରୁ ୧୫୦୦ ଟଙ୍କା ମଧ୍ୟରେ ଉପଲବ୍ଧ।

ପରିବେଶ ଥଣ୍ଡା ପାଇଁ ଓ୍ଵଙ୍ଗ୍‌ ଚାଇମ୍‌

ଓ୍ଵଙ୍ଗ୍‌ ଚାଇମ୍‌ ଘରର ପଶ୍ଚିମ ଓ ଦକ୍ଷିଣରେ ରଖିବା ଦ୍ୱାରା ଉପକାର ମିଳୁଥିବା କହନ୍ତି ବାସ୍ତୁବିତ୍‌। ଏହା ଘର ପରିବେଶକୁ ଥଣ୍ଡା ରଖିବାରେ ସାହାଯ୍ୟ କରୁଥିବାବେଳେ ସକାରାତ୍ମକ ବାତାବରଣ ସୃଷ୍ଟି କରିଥାଏ। ତେବେ ଏଥିରୁ ଯେଉଁ ଧ୍ୱନି ବାହାରେ ତାହା ଦ୍ୱାରା ମନ ସ୍ୱଚ୍ଛ ହେବା ସହ ଭାଗ୍ୟ ଉଦୟରେ ସହାୟକ ହେଉଥିବା ବିଶ୍ୱାସ ରହିଛି।। ୨୦୦ରୁ ୫୦୦୦ଟଙ୍କା ଦରରେ ଉପଲବ୍ଧ ଏହି ଓ୍ଵଙ୍ଗ୍‌ ଚାଇମ୍‌କୁ ଅନେକ ନିଜ ଘରେ ସାଇତିଥିବା ଦେଖିବାକୁ ମିଳିଛି। ସେହିଭଳି ଧନ ଉପାର୍ଜନ ଓ ସମ୍ପର୍କ ମଜବୁତ ପାଇଁ କ୍ରିଷ୍ଟାଲ୍‌ ଶିବ ଲିଙ୍ଗକୁ କ୍ଷୀରରେ ସ୍ନାନ କରାଇ ଠାକୁର ଘରେ ଉତ୍ତର ପୂର୍ବରେ ରଖାଯାଏ ବୋଲି ବାସ୍ତୁବିଦ୍‌ ତଥା ଜ୍ୟୋତିଷ ବିଦ୍ୟୁତ କୁମାର ସାହୁ କହିଛନ୍ତି।

ସମ୍ବନ୍ଧିତ ଖବର