ଫସିଗଲେ କୁଳପତି:ବାଣୀବିହାରରେ ଛାତ୍ର ପରିଷଦ ଗଠନ ନିଷ୍ପତ୍ତିକୁ ବିରୋଧ

ଭୁବନେଶ୍ୱର: କାମ ଦେଲାନି ବାଣୀବିହାର କୁଳପତି ପ୍ରଫେସର ସୌମେନ୍ଦ୍ର ମୋହନ ପଟ୍ଟନାୟକଙ୍କ ଗାନ୍ଧୀଗିରି। ଶାନ୍ତି ଫେରାଇ ଆଣିବା ପାଇଁଁ ୧୫ ଦିନ ତଳେ ୧୨ ଘଣ୍ଟିଆ ମୌନବ୍ରତ କରି ଚର୍ଚ୍ଚାକୁ ଆସିଥିବା ପ୍ରଫେସର ପଟ୍ଟନାୟକଙ୍କ ରାତିଅଧିଆ ନିଷ୍ପତ୍ତି ଏବେ ଅଡୁଆ ପରସ୍ଥିତି ସୃଷ୍ଟି କରିଛି। ଶାନ୍ତି ଫେରି ଆସୁଥିବାବେଳେ ଆଜି ପୁଣିଥରେ ଅଶାନ୍ତ ହୋଇଉଠିଛି କ୍ୟାମ୍ପସ। ଏକ ଛାତ୍ରଗୋଷ୍ଠୀ ସହ ଆଲୋଚନା କରି ଛାତ୍ର ପରିଷଦ ଗଠନ କରିବାକୁ ବିଶ୍ୱବିଦ୍ୟାଳୟ ପିଜି କାଉନସିଲ୍‌ ଅଧ୍ୟକ୍ଷ ପ୍ରଫେସର ବ୍ରହ୍ମାନନ୍ଦ ଶତପଥୀ ସମସ୍ତ ନିୟମିତ ବିଭାଗର ମୁଖ୍ୟଙ୍କୁ ଚିଠି ପଠାଇଥିବାରୁ ଅନ୍ୟ ଦୁଇ ଛାତ୍ର ସଙ୍ଗଠନ ଏବେ କର୍ତୃପକ୍ଷଙ୍କୁ ଘେରିଛନ୍ତି।

ଆଜି ସକାଳୁ ଏହି ଛାତ୍ରଗୋଷ୍ଠୀର ପିଲାମାନେ ପିଜି କାଉନସିଲ୍‌ ଅଧ୍ୟକ୍ଷଙ୍କୁ ଏନେଇ ପଚାରିବାରୁ ସେ କିଛି କହିପାରିବେନି, କୁଳପତିଙ୍କୁ ପଚାର ବୋଲି ସଫେଇ ଦେଇଥିଲେ। ଯେଉଁଥିପାଇଁ ପୂର୍ବାହ୍ନରୁ ହିଁ କୁଳପତିଙ୍କ କାର୍ଯ୍ୟାଳୟ ସମ୍ମୁଖରେ ଅପ୍ରୀତିକର ପରିସ୍ଥିତି ଉପୁଜିଥିଲା। ଦୁଇ ଛାତ୍ରଗୋଷ୍ଠୀର ଛାତ୍ର କୁଳପତିଙ୍କୁ ଜବାବ ମାଗିିଥିଲେ। କାର୍ଯ୍ୟାଳୟ ସମ୍ମୁଖରେ ହୋହଲ୍ଲା କରିଥିଲେ। ପରିସ୍ଥିତି ଅଣାୟତ୍ତ ହେବାରୁ ଛାତ୍ର ସଙ୍ଗଠନଗୁଡ଼ିକ ସହ କୁଳପତି ଘଣ୍ଟାଏ ଲେଖାଏଁ ଆଲୋଚନା କରିଥିଲେ। ତଥାପି କିଛି ବି ସୁଫଳ ମିଳି ନ ଥିଲା। ଅପରାହ୍ନରେ ପୁଣି ପରିସ୍ଥିତି ଉତ୍ତେଜନାପୂର୍ଣ୍ଣ ହୋଇଥିଲା। କୁଳପତିଙ୍କୁ ଘେରିଥିଲେ ୩ଟି ଯାକ ଛାତ୍ର ସଙ୍ଗଠନ।

ଏବିଭିପି, ଛାତ୍ର କଂଗ୍ରେସ ଏବଂ ଛାତ୍ର ବିଜେଡିର ସଭାପତି ପ୍ରାର୍ଥୀ କୁଳପତିଙ୍କ କାର୍ଯ୍ୟାଳୟରେ ଆଲୋଚନା କରିଥିଲେ। ଏହାପରେ ଏବିଭିପି ସଭାପତି ପ୍ରାର୍ଥୀ ରତନ ଦିଗଲ୍‌ କହିଥିଲେ ଯେ କୁଳପତି ଏବେ ବି ଦ୍ୱନ୍ଦ୍ୱରେ ଅଛନ୍ତି। କିଭଳି ଛାତ୍ର ପରିଷଦ ଗଠନ କରିବେ ଜାଣିପାରୁ ନାହାନ୍ତି। ଆସନ୍ତା ୨୬ ତାରିଖରେ ଅଧିକାରୀଙ୍କ ବୈଠକ ବସି ବ୍ଲୁ ପ୍ରିଣ୍ଟ ପ୍ରସ୍ତୁତ ହେବ ବୋଲି କହୁଛନ୍ତି। ଯଦି କୌଣସି ପ୍ରକାର ଅନ୍ୟାୟ ହୁଏ ତେବେ କୁଳପତିଙ୍କ ପରି ଆମେ ବି ଗାନ୍ଧୀଗିରି ଆପଣାଇବୁ। ଛାତ୍ର କଂଗ୍ରେସ ସଭାପତି ପ୍ରାର୍ଥୀ ସୌମ୍ୟରଞ୍ଜନ ଜେନା କହିଛନ୍ତି ଯେ ନିଷ୍ପତ୍ତି ନେଇ ଆମ ସହ କୌଣସି ଆଲୋଚନା କରାଯାଇ ନାହିଁ। ଛାତ୍ର ପ୍ରତିନିଧି କେମିତି ବଛାଯିବେ କୁଳପତି ସେନେଇ ସ୍ପଷ୍ଟ କରନ୍ତୁ। ତା’ ପରେ ପଦକ୍ଷେପ ନିଅନ୍ତୁ। ଗୋଟିଏ ଛାତ୍ରଗୋଷ୍ଠୀ ସହ ଆଲୋଚନା କରି ଏପାଖିଆ ନିଷ୍ପତ୍ତି ନିଅନ୍ତୁ ନାହିଁ। ଛାତ୍ର ବିଜେଡି ସଭାପତି ପ୍ରାର୍ଥୀ ସୌମ୍ୟରଞ୍ଜନ ମହାପାତ୍ର କହିଛନ୍ତି ଯେ, କୁଳପତିଙ୍କ ନିଷ୍ପତ୍ତିକୁ କେତେକ ଛାତ୍ରଗୋଷ୍ଠୀ ବିରୋଧ କରିଛନ୍ତି। ଏନେଇ ଆମେ କୁଳପତିଙ୍କ ସହ ଆଲୋଚନା କରିଛୁ। ୨୭ ତାରିଖ ସୁଦ୍ଧା ଛାତ୍ର ପ୍ରତିନିଧି ବଛା ହେବେ। ୨୬ ତାରିଖରେ ଶିକ୍ଷକ ପରିଷଦ ବୈଠକ ଡକାଯାଇଥିବା ନେଇ କୁଳପତି ସୂଚନା ଦେଇଥିବା ସେ କହିଛନ୍ତି।

କୁଳପତି ଭଣ୍ଡେଇ ଦେଲେ
ପୂର୍ବାହ୍ନରେ ଦୁଇଟି ଛାତ୍ରଗୋଷ୍ଠୀ କୁଳପତିଙ୍କ କାର୍ଯ୍ୟାଳୟ ସମ୍ମୁଖରେ ହୋହଲ୍ଲା କରୁଥିବା ବେଳେ ଛାତ୍ର ପରିଷଦ କିଭଳି ଗଠନ ହେବ ସେନେଇ ଗଣମାଧ୍ୟମ ପ୍ରତିନିଧିମାନେ କର୍ତୃପକ୍ଷଙ୍କ ମତାମତ ଜାଣିବାକୁ ଚାହିଁଥିଲେ। ପିଜି କାଉନସିଲ୍‌ ଅଧ୍ୟକ୍ଷ ପ୍ରଫେସର ବ୍ରହ୍ମାନନ୍ଦ ଶତପଥୀଙ୍କୁ ପଚାରିବାରୁ ସେ କିଛି କହିବାକୁ ମନା କରିଦେଇ କୁଳପତିଙ୍କୁ ପଚାର ବୋଲି କହିଥିଲେ। ଏହାପରେ କୁଳପତିଙ୍କୁ ଯୋଗାଯୋଗ କରିବାକୁ ଅପେକ୍ଷା କରିବାକୁ ସେ ଗଣମାଧ୍ୟମ ପ୍ରତିନିଧିଙ୍କୁ କହିଥିଲେ। ପୂର୍ବାହ୍ନରୁ ଅପରାହ୍ନ ୪ଟା ପର୍ଯ୍ୟନ୍ତ ସମସ୍ତେ କୁଳପତିଙ୍କୁ ଅପେକ୍ଷା କରିଥିବା ବେଳେ ସେ ପଛ ପାଖ ଦେଇ ପଳାଇ ଯାଇଥିଲେ। ଏନେଇ କୁଳପତି ଏବଂ ପିଜି କାଉନସିଲ୍‌ ଅଧ୍ୟକ୍ଷଙ୍କୁ ଯୋଗଯୋଗ କରାଯାଇଥିଲେ ମଧ୍ୟ କିଛି ଉତ୍ତର ମିଳିପାରି ନଥିଲା।

ହୀରକ ଜୟନ୍ତୀ ପାଇଁ ରାଜନୀତି!
ଚଳିତବର୍ଷ ଉତ୍କଳ ବିଶ୍ୱବିଦ୍ୟାଳୟର ହୀରକ ଜୟନ୍ତୀ ଉତ୍ସବ ପାଳିତ ହେବ। ଯେଉଁଥିପାଇଁ କ୍ୟାମ୍ପସରେ ଆରମ୍ଭ ହୋଇଛି ରାଜନୀତି। ଯେକୌଣସି ଭାବେ ଛାତ୍ର ପ୍ରତିନିଧି ବାଛିବା ଲାଗି କର୍ତୃପକ୍ଷ ଲାଗିପଡ଼ିଛନ୍ତି। ଘନ ଘନ ବୈଠକ ବି କରୁଛନ୍ତି। ଏଭଳି ସ୍ଥିତିରେ ଦୁଇ ଛାତ୍ର ଗୋଷ୍ଠୀ ମଧ୍ୟରେ ଛକାପଞ୍ଝା ଆରମ୍ଭ ହୋଇଛି। କେନ୍ଦ୍ର ଓ ରାଜ୍ୟ ନେତୃତ୍ୱଙ୍କୁ ହୀରକ ଜୟନ୍ତୀ ଉତ୍ସବକୁ ଅତିଥି କରିବା ଲାଗି ଦୁଇଟି ଯାକ ଛାତ୍ର ସଙ୍ଗଠନ ଲାଗି ପଡ଼ିଛନ୍ତି। ବିଶ୍ୱବିିଦ୍ୟାଳୟର କେତେଜଣ ଅଧିକାରୀ ମଧ୍ୟ ଏଥିରେ ସାମିଲ ହୋଇ ଫାଇଦା ନେବାକୁ ବସିଛନ୍ତି। ଯେଉଁଥିପାଇଁ ନିର୍ବାଚନ ବନ୍ଦ ହେବା ପରେ ବି ପୁଣିଥରେ ଛାତ୍ର ପରିଷଦ ଗଠନ କରିବାକୁ କର୍ତୃପକ୍ଷ ଲାଗିପଡ଼ିଛନ୍ତି।

କିଭଳି ଗଠନ ହେବ ଛାତ୍ର ପରିଷଦ?
ଛାତ୍ର ପରିଷଦର ରୂପରେଖ କିଭଳି ହେବ? କିଏ ପ୍ରମୁଖ ପଦରେ ରହିବେ? ବିଭାଗୀୟ ମୁଖ୍ୟମାନେ କିଭଳି ବାଛିବେ ବିଭାଗର ଛାତ୍ରନେତା? ପ୍ରଫେସରଙ୍କଠାରୁ ଆରମ୍ଭ କରି ଛାତ୍ରଛାତ୍ରୀ ଆଜି ଦିନତମାମ ଏଭଳି ପ୍ରଶ୍ନ ଉଠାଇଥିଲେ ମଧ୍ୟ କେହି ଉତ୍ତର ଦେଉନାହାନ୍ତି। ଯଦି ମେଧା ଅନୁଯାୟୀ ଚୟନ କରାଯାଏ ତେବେ ଗୋଟିଏ ବିଭାଗରେ ପ୍ରଥମ ଏବଂ ଦ୍ୱିତୀୟ ବର୍ଷର ପିଲାଙ୍କ ମଧ୍ୟରୁ କେମିତି ବଛାହେବେ ବୋଲି ଏବେ ପ୍ରଶ୍ନ ଉଠିଛି। ଦ୍ୱନ୍ଦ୍ୱ ଦୂର ଲାଗି ଆସନ୍ତା ୨୬ ତାରିଖରେ ଶିକ୍ଷକ ପରିଷଦ ବୈଠକ ବସିବ।

 

ସମ୍ବନ୍ଧିତ ଖବର