ଭୁବନେଶ୍ବର: ସଂସ୍କୃତ ସାଧାରଣ ଲୋକଙ୍କ ଭାଷା ହୋଇନଥିବାରୁ ଆମେ ଶହଶହ ବର୍ଷ ଧରି ଆମ ଭାରତୀୟ ମୂଲ୍ୟବାନ ଶାସ୍ତ୍ରଗୁଡ଼ିକର ପ୍ରକୃତ ତତ୍ତ୍ବଠାରୁ ଦୂରେଇ ଯାଇଛୁ। କାରଣ ପ୍ରାଚୀନ ଶାସ୍ତ୍ରଗୁଡ଼ିକ ସଂସ୍କୃତ ଭାଷାରେ ହିଁ ରଚିତ। ଯଦି ସଂସ୍କୃତ ଆଜି ସାଧାରଣ ଲୋକର ଭାଷା ହୋଇ ରହିଥା’ନ୍ତା, ଭାରତବର୍ଷ ସମ୍ମୁଖୀନ ହେଉଥିବା ଅନେକ ସମସ୍ୟା ହୁଏତ ନ ଥା’ନ୍ତା। ଅବା ସେସବୁ ସମାଧାନ ହୋଇଯାଇଥା’ନ୍ତା। ତେଣୁ ଯେଉଁମାନେ ଏଭଳି ସଂସ୍କୃତ ଭାଷାରେ ଲିଖିତ ପୁସ୍ତକ ସବୁକୁ ପୁଣି ଓଡ଼ିଆରେ ରଚନା କରି ସା‌ଧାରଣ ଲୋକଙ୍କ ପାଖରେ ପହଞ୍ଚାଉଛନ୍ତି, ସେମାନେ ଆମ ସମସ୍ତଙ୍କର ନମସ୍ୟ। ଆମେ ସେମାନଙ୍କ ପ୍ରତି କୃତଜ୍ଞତା ଜ୍ଞାପନ କରିବା ଉଚିତ। ଆଜି ‘ସମ୍ବାଦ’ ଭବନ ପରିସରରେ ସନ୍ନୋଦେବୀଙ୍କ ରଚିତ ପୁସ୍ତକ ‘ବେଦ ‌ସନ୍ଦେଶ’ ଉନ୍ମୋଚନ ଅବସରରେ ‘ସମ୍ବାଦ’ର ସମ୍ପାଦକ ସୌମ୍ୟରଂଜନ ପଟ୍ଟନାୟକ ଏଭଳି ମତପୋଷଣ କରିଛନ୍ତି।

Advertisment

କାର୍ଯ୍ୟକ୍ରମର ଅନ୍ୟତମ ଅତିଥି ପଣ୍ଡିତ ପ୍ରବୋଧ ମିଶ୍ର କହିଲେ ଯେ ସନ୍ନୋଦେବୀ ଦୀର୍ଘ ୬୦ ବର୍ଷ ଧରି ବେଦ ସହ ଜଡ଼ିତ ହୋଇରହିଛନ୍ତି। ନିଜ ଦୈନନ୍ଦିନ ଜୀବନରେ ବୈଦିକ ଶୃଙ୍ଖଳା ଅନୁସାରେ ପ୍ରାତଃସ୍ନାନ, ଭଜନ, ଯଜ୍ଞବିଧି ଆଦି ଅନେକ କାମ କରିଆସୁଛନ୍ତି। ବିଶିଷ୍ଟ କଥାକାର ଗୌରହରି ଦାସ କହିଲେ ଯେ ବେଦରେ ବହୁତ ଭଲ କଥା ଲେଖାଯାଇଛି। କିନ୍ତୁ ବେଦ ଏବଂ ଆଜିର ସାଧାରଣ ଜୀବନ ରେଳଧାରଣାର ଦୁଇ ସମାନ୍ତର ଧାରଣା ପରି ବହୁ ଦୂର ପର୍ଯ୍ୟନ୍ତ ଲମ୍ବିଛି। ଏବେ ବି ଆମ ସମାଜରେ ଅନ୍ଧବିଶ୍ବାସ ଓ କୁସଂସ୍କାର ଭରିରହିଛି। ଏହି ପରି‌ପ୍ରେକ୍ଷୀରେ ଏଭଳି ବହିର ପ୍ରକାଶନ, ଆଲୋଚନା ଓ ଚର୍ଚ୍ଚା ଲୋକମାନଙ୍କୁ ସଚେତନ କରିବ। ଅନ୍ୟତମ ଅତିଥି ତିରୁପତି ସଂସ୍କୃତ ବିଶ୍ବବିଦ୍ୟାଳୟର ପ୍ରାକ୍ତନ କୁଳପତି ହରେକୃଷ୍ଣ ଶତପଥୀ କହିଲେ ଯେ ନାରୀ ସଶକ୍ତୀକରଣର ଉଦାହରଣ ହେଉଛନ୍ତି ‌ସନ୍ନୋଦେବୀ। ବେଦକୁ ସାଧାରଣ ଲୋକଙ୍କ ପାଖରେ ପହଞ୍ଚାଇବା ପାଇଁ ତାଙ୍କ କାର୍ଯ୍ୟ ପ୍ରଶଂସନୀୟ। ‘ପୌରୁଷ’ର ସମ୍ପାଦକ ଅସିତ୍‌ ମହାନ୍ତି ବେଦରେ ନାରୀଙ୍କର ଭୂମିକାକୁ ନେଇ ସନ୍ନୋଦେବୀଙ୍କ ଲେଖା ଉପରେ ଆଲୋକପାତ କରିଥିଲେ। ଏହି ପୁସ୍ତକରେ ସ୍ଥାନିତ ବିଷୟବସ୍ତୁ ମଣିଷକୁ ଉତ୍ତମ ମାର୍ଗଦର୍ଶନ କରାଇବ ବୋଲି ସେ କହିଥିଲେ। ଲେଖିକା ସନ୍ନୋଦେବୀ ପୁସ୍ତକ ବିଷୟରେ ନିଜର ଲେଖକୀୟ ମତ ପ୍ରଦାନ କରିଥିଲେ। ଲେଖିକାଙ୍କ ସ୍ବାମୀ ବିଶିଷ୍ଟ ବେଦଜ୍ଞ ଇଂ ପ୍ରିୟବ୍ରତ ଦାସ ଉପସ୍ଥିତ ଥିଲେ।

‘ସମ୍ବାଦ ସାହିତ୍ୟଘର’ର ରାଜ୍ୟ ସଂଯୋଜିକା ଶୁଭଶ୍ରୀ ଲେଙ୍କା କହିଲେ ଯେ ବର୍ତ୍ତମାନ ଆଧୁନିକ ଜୀବନରେ ଜଣେ ମହିଳା ବେଦ ଉପରେ ଗଭୀର ଜ୍ଞାନ ରଖିବା ଜରୁରୀ। ନିଜ ଶ୍ବଶୁରଙ୍କଠାରୁ ବେଦ ଅଧ୍ୟୟନ ପାଇଁ ସନ୍ନୋଦେବୀଙ୍କୁ ପ୍ରେରଣା ମିଳିବା, ଏ ସମାଜରେ ନାରୀମାନଙ୍କ ପାଇଁ ଏକ ବଡ଼ ଉଦାହରଣ। କାର୍ଯ୍ୟକ୍ରମରେ ‘ସମ୍ବାଦ’ର ମୁଖ୍ୟ ବିତ୍ତୀୟ ଉପଦେଷ୍ଟା ପ୍ରହଲ୍ଲାଦ ଦାସ ସଭାପତିତ୍ବ କରିଥିବା ବେଳେ ‘ଆମ ଓଡ଼ିଶା’ ସମ୍ପାଦକ ସ୍ବରାଜ ମିଶ୍ର ଧନ୍ୟବାଦ ଦେଇଥିଲେ। ଅନ୍ୟମାନଙ୍କ ମଧ୍ୟରେ ଡାକ୍ତର ଗୋପାଳ ଚନ୍ଦ୍ର ଦାସ, ଲିତା ଦାସ, ସୁଧା ପଟ୍ଟନାୟକ, ସୁପ୍ରିୟା ରଥ ଓ କାନନବାଳା ମହାନ୍ତି ପ୍ରମୁଖ ଉପସ୍ଥିତ ଥିଲେ। କାର୍ଯ୍ୟକ୍ରମ ପ୍ରାରମ୍ଭରେ ଆର୍ଯ୍ୟସମାଜର ସଦସ୍ୟାମାନଙ୍କ ଦ୍ବାରା ବେଦ ପାଠ କରାଯାଇଥିବା ବେଳେ ଶେଷରେ ଶାନ୍ତି ପାଠ କରାଯାଇଥିଲା।