କରୋନାରେ ପରିବା ବ୍ୟବସାୟୀଙ୍କ ମୃତ୍ୟୁ

ବାଲିଅନ୍ତା: ସ୍ଥାନୀୟ ପୂରଣ ପଧାନ ପଞ୍ଚାୟତ ଅଞ୍ଚଳରେ କରୋନାରେ ଆଜି ଜଣେ ପରିବା ବ୍ୟବସାୟୀଙ୍କର ମୃତ୍ୟୁ ହୋଇଯାଇଛି। ମୃତକ ହେଲେ ସ୍ଥାନୀୟ ବେହେରା ସାହିର ଧଡ଼ୁ ରାଉତ (୫୨)। ସେ ରାସ୍ତାକଡ଼ରେ ପରିବା ବିକି ପରିବାରର ଗୁଜୁରାଣ ମେଣ୍ଟାଉଥିଲେ। ଆଜି ସକାଳେ କୋଭିଡ୍‌ ହସ୍ପିଟାଲରେ ଚିକିତ୍ସାଧୀନ ଅବସ୍ଥାରେ ତାଙ୍କର ମୃତ୍ୟୁ ହୋଇଯାଇଥିଲା। ତାଙ୍କ ମୃତ୍ୟୁରେ ପୂରଣ ସରପଞ୍ଚ ଝିଲ୍ଲୀ ସ୍ବାଇଁ ଶୋକ ପ୍ରକାଶ କରିବା ସହ ଶୋକସନ୍ତପ୍ତ ପରିବାରକୁ ସମବେଦନା ଜଣାଇଛନ୍ତି। ଗତ ୧୭ ତାରିଖରେ ସ୍ବାସ୍ଥ୍ୟାବସ୍ଥା ଗୁରୁତର ହୋଇପଡ଼ିବାରୁ ପରିବାର ଲୋକ ତାଙ୍କୁ ଚିକିତ୍ସା ଲାଗି କୋଭିଡ୍‌ ହସ୍ପିଟାଲକୁ ନେଇଯାଇଥିଲେ। ଚିକିତ୍ସାରେ ଅବହେଳା ଯୋଗୁଁ ତାଙ୍କର ମୃତ୍ୟୁ ହୋଇଥିବା ପରିବାର ଲୋକ ଅଭିଯୋଗ କରିଛନ୍ତି।

ଅନ୍ୟପକ୍ଷରେ ସ୍ଥାନୀୟ ବାଲିଗୁଣ୍ଡି ଗ୍ରାମରେ ୧୩ ଜଣ, ସାହେବନଗର ଗ୍ରାମରେ ୪ ଜଣ ଏବଂ ଜଗନ୍ନାଥପୁର ଅଞ୍ଚଳରେ ଆଉ ୪ ଜଣ ପଜିଟିଭ୍‌ ଚିହ୍ନଟ ହୋଇଛନ୍ତି। ତେଣୁ ଭୁବନେଶ୍ବର ଉପ ଜିଲ୍ଲାପାଳ ଦେବବ୍ରତ ସାହୁଙ୍କ ନିର୍ଦ୍ଦେଶକ୍ରମେ ତହସିଲଦାର ସରୋଜ କୁମାର ପଣ୍ଡା ଉପରୋକ୍ତ ୩ଟିଯାକ ଗ୍ରାମକୁ କଣ୍ଟେନମେଣ୍ଟ ଜୋନ୍‌ ଘୋଷଣା କରିଛନ୍ତି।

ସମ୍ବନ୍ଧିତ ଖବର