ବାଲିପାଟଣା: ମାସକ ତଳେ ଏଠାରୁ କଞ୍ଚା ପରିବା ବାହାରକୁ ରପ୍ତାନି ହେଉଥିଲା। ଚାଷୀମାନେ ନିଜ କିଆରୀରୁ କ୍ବିଣ୍ଟାଲ୍‌ କ୍ବିଣ୍ଟାଲ୍‌ ପରିବା ତୋଳି ରାଜଧାନୀ ସମେତ ଅନ୍ୟ ବଜାରକୁ ପଠାଉଥିଲେ। କିନ୍ତୁ ଆଜିର ଚିତ୍ର ଭିନ୍ନ। ‘ଯମୁନା ଉଜାଣି ବହୁଛି’ ନ୍ୟାୟରେ ଏବେ ଏଠାକୁ ବାହାରୁ ପରିବା ଆମଦାନି କରାଯାଉଛି। ଯେଉଁ ଚାଷୀ ବିକୁଥିଲା, ଆଜି ସେ କିଣିକି ଖାଉଛି। ଯେଉଁଠି ପୋକବିନ୍ଧା ବାଇଗଣକୁ ଗୋରୁଗାଈଙ୍କ ମୁହଁରେ ଫିଙ୍ଗି ଦିଆଯାଉଥିଲା, ଆଜି ସେଠାରେ ସେହି ବାଇଗଣର ବହୁ ଆଦର। କାର୍ତ୍ତିକ ମାସରେ ଏଭଳି ଚିତ୍ର ଦେଖିବାକୁ ମିଳିଛି ବାଲିପାଟଣା ଓ ବନମାଳୀପୁର ଅଞ୍ଚଳରେ। ଖରିଫ ଋତୁରେ କମ୍ ପରିବା ଚାଷ ହେଉଥିବାରୁ ଏବଂ ଅମଳ ସମୟ ସରିଆସିଥିବାରୁ ଏଭଳି ସ୍ଥିତି ଉପୁଜିଛି ବୋଲି ବ୍ୟବସାୟୀମାନେ କହିଛନ୍ତି।    

Advertisment

ଏବେ ବାଲିପାଟଣା ବଜାରରେ ଅଧିକାଂଶ ସବୁଜ ପରିବା ଦର ୮୦ ରୁ ୧୦୦ ଟଙ୍କା ମଧ୍ୟରେ ରହିଛି। ଏହି ଅଞ୍ଚଳର ବିଭିନ୍ନ ସାପ୍ତାହିକ ହାଟରେ ବାଇଗଣ କିଲୋ ୮୦ ଟଙ୍କା, କାଙ୍କଡ଼ ୧୬୦, ସଜନା ଛୁଇଁ ୧୬୦, ଝୁଡ଼ଙ୍ଗ ୮୦ , ପୋଟଳ ୮୦/୧୦୦ ,  ଜହ୍ନି ୮୦, ଭେଣ୍ଡି ୮୦, କାକୁଡି ୬୦, ଟମାଟ ୪୦, ବିନ୍‌ସ ୮୦, କଲରା ୮୦ ଟଙ୍କାରେ ବିକ୍ରି ହେଉଛି। ସାରୁ ଓ କଖାରୁ କିଲେ ୪୦ରୁ ୫୦ ଟଙ୍କା ଏବଂ କଞ୍ଚା ଲଙ୍କା କିଲେ ୨୦୦ ଟଙ୍କା। ଗ୍ରାହକଙ୍କ କହିବା କଥା ୫୦୦ ଟଙ୍କା ନହେଲେ ସାଧାରଣ ମାପର ବ୍ୟାଗ୍‌ଟିଏ ପୂରୁନି। ଭାଗ୍ୟକୁ ଆଳୁ, ପିଆଜ, ଅଦା ଓ ରସୁଣ ଦର କମ୍‌ ଅଛି ବୋଲି କଥା ଚଳିଯାଉଛି। ଗରିବ ଦିନ ମଜୁରିଆ ଶ୍ରେଣୀର ଲୋକେ ପରିବା ହାଟକୁ ଗଲେ, ସବୁଜ ପରିବାକୁ ଆଡ଼ ଆଖିରେ ଅନାଉନାହିଁ। ସୂଚନାଯୋଗ୍ୟ ଯେ ଏହି ବ୍ଲକ୍‌ରେ ଖରିଫ ଋତୁରେ ପ୍ରାୟ ୭୫୦ ହେକ୍ଟର ଓ ରବି ଋତୁରେ ପ୍ରାୟ ୨୦୦୦ ହେକ୍ଟର ଜମିରେ ପରିବା ଚାଷ ହୋଇଥାଏ। ବାଲିପାଟଣା ବ୍ଲକ୍‌ ଭାକରସାହି, ନରଣପୁର, ମାର୍ଥାପୁର, ପମ୍ପାଲୋ, ଗାରେଡ଼ିପାଞ୍ଚଣ, ଅଠାନ୍ତର, ମଝିହରା, ନରିଶୋ, ରାଜସ, ଆଳିସି, ଦେଉଳିଧରପୁର ଓ ମହୁଖଣ୍ଡା ଆଦି ଅଞ୍ଚଳରେ ବ୍ୟାପକ ପରିବା ଚାଷ ହୋଇଥାଏ।

ବର୍ଷା ଦିନେ ପରିବା ଚାଷୀ କ୍ବିଣ୍ଟାଲ୍‌ କ୍ବିଣ୍ଟାଲ୍‌ ପରିବା ତୋଳି ବେପାରୀକୁ ବିକୁଥିଲେ। ମହୁଖଣ୍ଡା ଗ୍ରାମର ଜଣାଶୁଣା ପରିବା ଚାଷୀ ରତିକାନ୍ତ ପ୍ରଧାନଙ୍କ କହିବା କଥା ସେ ୨୨ଗୁଣ୍ଠ ଜମିରେ ପୋଟଳ ଚାଷ କରିଛନ୍ତି। କିଛି ଦିନ ପୂର୍ବରୁ ସେ ସପ୍ତାହକୁ ପାଖାପାଖି ଦୁଇ କ୍ବିଣ୍ଟାଲ୍‌ ପୋଟଳ ବିକ୍ରି କରୁଥିଲେ ଏବଂ ଦର ଥିଲା କିଲୋ ପିଛା ୪୦ରୁ ୫୦ ଟଙ୍କା। ଏବେ ଫଳ ଫଳିବା କମିଯାଇଛି। ସପ୍ତାହକୁ ମାତ୍ର ୫୦ କେଜି ପୋଟଳ ତୋଳା ହେଉଛି। କିଲୋ ପ୍ରତି ୭୦ରୁ ୭୫ଟଙ୍କାରେ ପୋଟଳ ବିକା ହେଉଛି। ସେହିପରି ବାରିଲୋ ଗାଁର ଚାଷୀ ବିଜୟ ଜେନାଙ୍କ କହିବା କଥା ସେ ୫୦୦ ବାଇଗଣ ଚାରା ଲଗାଇଥିଲେ। ମାତ୍ର ଦୁଇଟି ସପ୍ତାହ ଭଲ ଅମଳ ହେଲା। ପରେ ପାଗଜନିତ ସମସ୍ୟାରୁ ଗଛରେ ପୋକ ଲାଗିଲା ଏବଂ ଅମଳ କମିଲା। ଅନ୍ୟ ଚାଷୀମାନଙ୍କ କହିବାନୁସାରେ ବର୍ଷା ଛାଡ଼ିଲାଣି। ଏହାପରେ ଚାଷୀମାନେ ପୁଣି ନୂଆ ଚାରା ଲଗାଇବେ। ଅମଳ ହେଉହେଉ ମାସକ ଉପରେ ଲାଗିବ।