କାର୍ତିକରେ ପରିବା ବଜାରରେ ନିଆଁ

ହବିଷ ଡାଲମାକୁ ମାଡ଼, ଦେଶୀଆଳୁ ୧୦୦, ଟମାଟୋ ୬୦, ଓଉ ୧୫

ଭୁବନେଶ୍ୱର : କାର୍ତିକ ମାସ ଆରମ୍ଭରୁ ପରିବା ବଜାରରେ ଏମିତି ନିଅାଁ ଲାଗିଛି ଯେ ପରିବାରେ ହାତ ମାରିବାକୁ ଡର ମାଡ଼ୁଛି। ଅନ୍ୟବେଳେ ଯେଉଁ ପରିବା କିଲୋ ୩୦/୪୦ ଟଙ୍କାରେ ମିଳୁଥିଲା ସେସବୁ ଏବେ ୬୦ ଉପରେ।  ଏହା ହବିଷ ଡାଲମାକୁ ଦର ବୃଦ୍ଧି ମାଡ଼ ସଦୃଶ ହୋଇଛି। ଲୋକଙ୍କ ପକେଟ୍‌କୁ ବାଧୁଥିଲେ ମଧ୍ୟ ଲୋକ ହବିଷ ଡାଲମା ପାଇଁ ଆବାଶ୍ୟକ ଦେଶୀ ଆଳୁ, ଓଉ, ଟମାଟୋ, ସାରୁ ଆଦି କିଣିବାକୁ ବାଧ୍ୟ ହେଉଛନ୍ତି।

ହିନ୍ଦୁ ମାନଙ୍କ ପାଇଁ କାର୍ତିକ ମାସର ଏକ ବିଶେଷ ମହତ୍ତ୍ୱ ରହିଛି। ଏହି ମାସରେ ଅଧିକାଂଶ ଲୋକ ଆମିଷ ଖାଉ ନଥିବାରୁ ନିରାମିଷ ତରକାରି ପାଇଁ ପରିବା ଉପରେ ନିର୍ଭର କରିଥାନ୍ତି। ଆଉ ଏହି ସୁଯୋଗକୁ ବେପାରୀମାନେ ହାତ ଛଡ଼ା କରିବାକୁ ନାରାଜ। ପରିବା ପାଇଁ ଲୋକଙ୍କର ଏହି ମାସରେ ଅଧିକ ଚାହିଦା ଥିବାରୁ ବର୍ତମାନ ଅଧିକ ଦରରେ ପରିବା ବିକ୍ରି କରୁଛନ୍ତି। ପରିବାର ଅତ୍ୟଧିକ ଦର ବୃଦ୍ଧି ନେଇ ବେପାରୀମାନେ କହିଛନ୍ତି, ବର୍ତମାନ ଯେତିକିି ପରିବା ଆମଦାନି ହେଉଛି, ତାହାଠାରୁ ଗ୍ରାହକଙ୍କ ଚାହିଦା ଅଧିକ ରହିଛି। ଏଥି ସହିତ ଅନ୍ୟ ରାଜ୍ୟରେ ବର୍ଷା ହୋଇ ଟମାଟୋ ନଷ୍ଟ ହୋଇ ଯାଇଥିବାରୁ ଦର ବୃଦ୍ଧି କରିବାକୁ ଆମେ ବାଧ୍ୟ ହେଉଛି। ପୁଣି  ଜିଏସ୍‌ଟି ଲାଗୁ ପରେ ଗାଡ଼ି ଭଡ଼ା ସହ ଅନ୍ୟାନ୍ୟ ଆନୁସଙ୍ଗିକ ବ୍ୟବସ୍ଥାର ଦର ମଧ୍ୟ ବୃଦ୍ଧି ହୋଇଛି। ଏଣୁ କାର୍ତିକରେ ପରିବା ଦର ଅତ୍ୟଧିକ ବୃଦ୍ଧି କରିବାକୁ ଆମେ ବାଧ୍ୟ ହେଉଛି।

ରାଜଧାନୀର ଅନ୍ୟତମ ପ୍ରମୁଖ ୪ନଂ ପରିବା ମାର୍କେଟ୍‌ରେ ଦର ଆକାଶଛୁଅାଁ ହୋଇଛି।  ଟମାଟୋ କେଜି ପ୍ରତି ୬୦ ଟଙ୍କା, ବାଇଗଣ ୬୦ ଟଙ୍କା, ଅମୃତଭଣ୍ଡା କେଜି ୩୦ ଟଙ୍କା ରହିଛି। ୪ ନଂ ହାଟ ଅପେକ୍ଷା ୨ ନଂ ହାଟରେ ପରିବା ଟିକେ ଶସ୍ତା ଥିଲେ ବି, ଅନ୍ୟ ଦିନ ଅପେକ୍ଷା ଅଧିକ ରହିଛି। ବ୍ୟବସାୟୀ କୁଳମଣି ସାହୁ କହିଛନ୍ତି, ଗତ ସପ୍ତାହକ ତଳେ ବାଇଗଣ ୩୦, ପୋଟଳ ୨୦ ଓ କଖାରୁ ୧୦ ଟଙ୍କାରେ ବିକ୍ରି କରୁଥିଲି। କିନ୍ତୁ ବର୍ତମାନ ବାଇଗଣ , ପୋଟଳ କେଜି ପ୍ରତି ଦଶ ଟଙ୍କା ଅଧିକରେ ବ୍ରକି କରୁଥିବା ବେଳେ କଖାରୁ ୧୨ ଟଙ୍କାରେ ବିକ୍ରି ହେଉଛି।  ବିକ୍ରେତା ସିନ୍ଧୁଆ ସାହୁ କହିଛନ୍ତି, ଗତ ସପ୍ତାହରେ ସାରୁ ୨୦ ଟଙ୍କା, ଭେଣ୍ଡି ୩୦ ଟଙ୍କା, ବିନ୍‌ସ ୪୦ ଟଙ୍କାରେ ବିକ୍ରି କରୁଥିଲୁ। କିନ୍ତୁ ଏବେ ବିନ୍‌ସ ୬୦ ଟଙ୍କାରେ ବିକ୍ରି କରୁଥିବା ବେଳେ ସାରୁ ଓ ଭେଣ୍ଡି କେଜି ପ୍ରତି ଅଧିକ ୧୦ ଟଙ୍କା ଦରରେ ବିକ୍ରି କରୁଛି।

ଶଙ୍କର ସାହୁ କହିଛନ୍ତ, ସପ୍ତାହକ ତଳେ ଲାଉ ୧୫ ଟଙ୍କାରେ ବିକ୍ରି କରୁଥିବା ବେଳ ବର୍ତମାନ ଲୋକଙ୍କ ଚାହିଦା ଅଧିକ ଥିବାରୁ ୨୦ ଟଙ୍କାରେ ବିକ୍ରି କରୁଛି। ଓଉ ଗୋଟି ୧୦  ବିକ୍ରି ହେଉଥିବା ବେଳେ  ବର୍ତମାନ ୧୫ ଓ କଞ୍ଚା କଦଳୀ ଦୁଇଟାକୁ ଦଶ ଟଙ୍କା ଥିବା ବେଳେ ବର୍ତମାନ ଗୋଟି ୧୦ ଟଙ୍କାରେ ବିକ୍ରି ହେଉଛି। ପରିବା ଦର ବୃଦ୍ଧି ନେଇ ଗ୍ରାହକ ରାମଚନ୍ଦ୍ର ସାହୁ କହିଛନ୍ତି, ବେପାରୀମାନେ କାର୍ତିକ ମାସରେ ଏମିତି ବିଭିନ୍ନ ପ୍ରକାର ବାହାନା ଦେଖାଇ ପରିବା ଦର ବୃଦ୍ଧି କରନ୍ତି। କିନ୍ତୁ  ଆମମାନଙ୍କର ଆବଶ୍ୟକତା ଦୃଷ୍ଟିରୁ କେଜିଏ ଜାଗାରେ ପାଞ୍ଚଶହ ମଧ୍ୟ ଆମେ କିଣିବୁ। ରାଜଧାନୀର ଅନ୍ୟାନ୍ୟ ପ୍ରମୁଖ ପରିବା ମାର୍କେଟରେ ଦର ମଧ୍ୟ ଉଣା ଅଧିକେ ଏପରି ରହିଛି।  ପଞ୍ଚୁକକୁ ଅବସ୍ଥା ଅସମ୍ଭାଳ ହେବ ବୋଲି ଗ୍ରାହକ ଓ ଗୃହିଣୀଙ୍କ ମଧ୍ୟରେ ଚିନ୍ତା ପଶିଛି।

ସମ୍ବନ୍ଧିତ ଖବର