କାର୍ତ୍ତିକ ଆସିନି, ଏବେଠାରୁ ରାଜଧାନୀରେ ପନିପରିବା ଦର ଆକାଶଛୁଆଁ

ପିଆଜ ୫୦ ଟଙ୍କା ଥିବା ବେଳେ ରସୁଣ ୨୫୦ ଟଙ୍କା

ଭୁବନେଶ୍ବର: ଆଗକୁ ଆସୁଛି ହବିଷ ମାସ କାର୍ତ୍ତିକ। କିନ୍ତୁ ଏବେଠାରୁ ରାଜଧାନୀରେ ପନିପରିବା ଦର ଆକାଶଛୁଆଁ ହେଲାଣି। ଆଳୁ ସମେତ ସମସ୍ତ ପନିପରିବା ଦର ଏବେ ହୁ’ହୁ’ ହୋଇ ବଢ଼ି ଚାଲିଛି। ଅଧିକାଂଶ ପରିବା ଦର କିଲୋ ପିଛା‌ ୬୦ଟଙ୍କା ହୋଇଯାଇଥିବା ବେଳେ ବିନସ୍‌ କିଲୋ ପିଛା ମୂଲ୍ୟ କେତେକ ସ୍ଥାନରେ ଶହେ ଟପିଲାଣି।

ଆଶ୍ବସ୍ତିକର ବିଷୟ ହେଉଛି ଯେ କେତେକ ସ୍ଥାନରେ ପିଆଜ ଦର ୫ଟଙ୍କା ପର୍ଯ୍ୟନ୍ତ କମିଛି। ପାଞ୍ଚ ଦିନ ତଳେ ପିଆଜ ୫୫ ଛୁଇଁଥିଲା। କିନ୍ତୁ ଏବେ ବି କିଛି ଅସାଧୁ ବ୍ୟବସାୟୀ ଚଢ଼ା ଦର ନେଉଛନ୍ତି। ଆଉ କିଛି ବ୍ୟବସାୟୀ ପିଆଜ ଆକାର ଓ ପ୍ରକାର ଦେଖି କିଲୋ ପିଛା ଦରରେ ଗ୍ରାହକଙ୍କୁ ବିକ୍ରି କରୁଛନ୍ତି। ଅତ୍ୟାବଶ୍ୟକ ଖାଦ୍ୟ ସାମଗ୍ରୀ ଆଳୁ ଦରରେ ବି ବୃଦ୍ଧି ଘଟିଛି। ସହରର ବିଭିନ୍ନ ସ୍ଥାନରେ କିଲୋ ପିଛା ୧୬ଟଙ୍କାରେ ବିକ୍ରି କରାଯାଉଛି। କେତେକ ବ୍ୟବସାୟୀ ମଧ୍ୟ ୫ କିଲୋ ଆଳୁକୁ ୭୫ଟଙ୍କାରେ ବିକ୍ରି କରୁଛନ୍ତି। ଅର୍ଥାତ୍‌ କିଲୋ ପିଛା‌ ୧୫ ଟଙ୍କାରେ ଗ୍ରାହକଙ୍କୁ ଦେଉଛନ୍ତି।

ସବୁଠାରୁ ଚିନ୍ତାଜନକ ହୋଇଛି ପରିବା ଦର। ବିନସ୍‌ ଖୁଚୁରା ବଜାରରେ କିଲୋ ପିଛା ଶହେ ଉପରେ ବିକ୍ରି ହେଉଥିଲା ବେଳେ ପୋଟଳ, ବାଇଗଣ ଓ ଝୁଡ଼ଙ୍ଗ ମୂଲ୍ୟ କିଲୋ ୬୦ଟଙ୍କାରେ ପହଞ୍ଚିଛି। କାକୁଡ଼ି ଓ ଟମାଟୋ କିଲୋ ପିଛା ଦର ମଧ୍ୟ ୫୦ରେ ପହଞ୍ଚିଲାଣି। ସେହିପରି ବନ୍ଧା କୋବି, ଟମାଟୋ, ସଜନା ଛୁଇଁ, ଭେଣ୍ଡି, କାଙ୍କଡ଼ ଆଦିର ମୂଲ୍ୟ ଅହେତୁକ ଭାବେ ବୃଦ୍ଧି ପାଇଛି। କେତେକ ସ୍ଥାନରେ ଶାଗ ବିଡ଼ା ୧୦ଟଙ୍କାରେ ବି ବିକ୍ରି ହେଉଛି। କଖାରୁ କିଲୋ ୩୦ଟଙ୍କା। ଧନିଆ ପତ୍ର ୧୦୦ ଗ୍ରାମକୁ ୨୫ରୁ ୩୦ଟଙ୍କାରେ ବିକ୍ରି ହେଉଛି। ଅମୃତ ଭଣ୍ଡା କିଲୋ ଇତି ମଧ୍ୟରେ ୪୦ ଟଙ୍କାରେ ପହଞ୍ଚିଥିବା ବେଳେ ବନ୍ତଳ କଦଳୀ ଗୋଟା ୧୦ ଟଙ୍କା ରହିଛି। ପାଣି କଖାରୁ କିଲୋ ୮୦ ଟଙ୍କାରେ ବିକ୍ରି କରାଯାଉଛି। ବନ୍ଧା କୋବି କେଜି ୪୦ରୁ ୫୦ ଟଙ୍କାରେ ପହଞ୍ଚିଲାଣି।

ଆଉ ଏକ ଆଶ୍ଚର୍ଯ୍ୟକର ଘଟଣା ହେଉଛି ଯେ ସବୁବେଳେ ରସୁଣ ମୂଲ୍ୟଠାରୁ ଅଦାର ଦର ଅଧିକ ରହିଥାଏ। କିନ୍ତୁ କିଛି ଦିନ ହେଲା ଏଥିରେ ବ୍ୟତିକ୍ରମ ଦେଖାଦେଇଛି। ରସୁଣ କିଲୋ ୨୪୦ ଟଙ୍କା ଉପରେ ଥିବା ବେଳେ ଅଦା କିଲୋ ୧୬୦ରୁ ୧୮୦ ଟଙ୍କା ଭିତରେ ରହିଛି। ପନିପରିବା ଦରର ଏଭଳି ଅହେତୁକ ଦର ବୃଦ୍ଧିକୁ ନେଇ ଖାଉଟିଙ୍କ ମଧ୍ୟରେ ଅସନ୍ତୋଷ ପ୍ରକାଶ ପାଇଛି। ବ୍ୟବସାୟୀଙ୍କ କହିବାନୁଯାୟୀ ଉପକୂଳ ଓଡ଼ିଶାରେ ବର୍ଷା ଯୋଗୁଁ ପରିବା ଚାଷ ପ୍ରଭାବିତ ହୋଇଛି। ବାହାରୁ ଯେଉଁ ସବୁ ପରିବା ଆମଦାନି ହେଉଥିଲା ତାହା ମଧ୍ୟ ହ୍ରାସ ପାଇଛି। ତେଣୁ ପରିବା ଦର ବଢ଼ିଛି।

ସମ୍ବନ୍ଧିତ ଖବର