ଭୁବନେଶ୍ବର: ଧର୍ମ ମାସ କାର୍ତ୍ତିକ ଆରମ୍ଭ ହୋଇଛି। ମାସ ଆରମ୍ଭରୁ ସହରରେ ପରିବା ଦର ପ୍ରତିଦିନ ବଢ଼ି ବଢ଼ି ଚାଲିଛି। ଗୋଟିଏ ପଟେ ଆମିଷ ଘରେ ପଶୁ ନଥିବା ବେଳେ ସବୁଜ ପରିବା ଦର ବୃଦ୍ଧି ଖାଉଟିଙ୍କୁ କନ୍ଦାଉଛି। ପରିବା ଦର ବୃଦ୍ଧିର ପ୍ରଭାବ ସିଧାସଳଖ ଲୋକଙ୍କ ହାଣ୍ଡିଶାଳ ଉପରେ ପଡ଼ିଛି। ବିଶେଷ କରି ମଧ୍ୟବିତ୍ତ, ନିମ୍ନ ମଧ୍ୟବିତ୍ତ ଓ ଗରିବ ପରିବାର ଲୋକ ଦର ବୃଦ୍ଧି ଯୋଗୁ ହନ୍ତସନ୍ତ ହେଉଛନ୍ତି। ତେବେ ସବୁଠାରୁ ବଡ଼ କଥା ହେଲା, ଓଡ଼ିଶାରେ ଆଉ ସବୁଜ ପରିବା ପୂର୍ବଭଳି ଚାଷ ହେଉନାହିଁ। ଯେଉଁଥିପାଇଁ ଏବେ କଦଳୀ, କାଙ୍କଡ଼, ଝୁଡଙ୍ଗ ଭଳି କରିବା ପାଇଁ ମଧ୍ୟ ପଡ଼ୋଶୀ ରାଜ୍ୟ ଉପରେ ନିର୍ଭର କରିବାକୁ ପଡ଼ୁଛି। ଫଳରେ ସେଠାରେ ବର୍ଷା ହେଲେ ଓଡ଼ିଶା ଲୋକେ କାନ୍ଦୁଛନ୍ତି। ଦେଶୀ କଦଳୀ କହି ବିକ୍ରି ହେଉଥିବା କଦଳୀ ପଶ୍ଚିମବଙ୍ଗରୁ, ଦେଶୀ କାଙ୍କଡ଼ ଆନ୍ଧ୍ରପ୍ରଦେଶରୁ ଆସୁଛି। ତେଣୁ ସବୁ ପରିବାର ଦର ହୁ ହୁ ହେଇ ବଢୁଛି।
ଆଜି ଏକ ନମ୍ବର ହାଟରେ ଟମାଟୋ କିଲୋ ୪୦, ଭେଣ୍ଡି ୮୦, କଲରା ୪୦, ଆଳୁ ୨୫,ପିଆଜ ୨୫, ମାଟିଆଳୁ ୮୦, ଫୁଲକୋବି ୨ଟାକୁ ୮୦, ବନ୍ଧା କେଜି ପ୍ରତି ୪୦, ଅମୃତଭଣ୍ଡା କେଜି ପ୍ରତି ୧୫ରୁ ୨୫, କଦଳୀ ଗୋଟା ୧୦, ଦେଶୀ କାଙ୍କଡ଼ ୨୦୦, କାକୁଡ଼ି ୬୦, କଖାରୁ-୩୦, ଝୁଡ଼ଙ୍ଗ-୫୦, ବିନ୍ସ-୧୨୦, ବାଇଗଣ ୬୦, ସାରୁ ୪୦, ଜହ୍ନି-୮୦ , ମୂଳା ୪ଟାକୁ ୪୦, ପୋଟଳ୬୦ରୁ ୮୦ ରହିଛି। ସପ୍ତାହେ ଭିତରେ ସବୁ ପରିବା ପାଞ୍ଚରୁ ସାତ ଟଙ୍କା ଲେଖାଏଁ ବଢ଼ିଛି। ବ୍ୟବସାୟୀ ସନ୍ତୋଷ କୁମାର ସାହୁଙ୍କ କହିବା କଥା ଲଗାଣ ବର୍ଷା ଯୋଗୁ ଓଡ଼ିଶା ବିଶେଷ କରି ଉପକୂଳ ଓଡ଼ିଶାର ପରିବା ଚାଷ ପ୍ରଭାବିତ ହେଉଛଇ। ବାହାରୁ ପରିବା ଆସୁଥିବାରୁ ଦରଉଚ୍ଚା ରହୁଛି। ହରିକୃଷ୍ଣ ସାହୁଙ୍କ କହିବା କଥା, ସହରରେ ପରିବା ଆବଶ୍ୟକତା ଠାରୁ ମାଲ କମ ଆସୁଛି। ବାହାର ରାଜ୍ୟ ଉପରେ ନିର୍ଭର କରୁଥିବାରୁ ଲାଭ ମିଳୁନାହିଁ। ଅଧିକ ଟଙ୍କାରେ ପରିବା କିଣିବା ସହିତ ପରିବହନ ଖର୍ଚ୍ଚ ବାଧୁଛି।
ବଜାରକୁ ଆସୁନି ସ୍ଥାନୀୟ ପରିବା
କୋଲକାତା, ଆନ୍ଧ୍ରରୁ ଆସୁଛି କାଙ୍କଡ଼
ବେଙ୍ଗାଲୁରୁ, ନାସିକ, ରାଞ୍ଚିରୁ ଆସୁଛି ବିନ୍ସ
ଓଡ଼ିଆ ଖାଉଛନ୍ତି ବାହାର ରାଜ୍ୟ ପରିବା
ଏ ନେଇ ହୋଲସେଲ ପରିବା ସଂଘ ସଭାପତି କବିରାଜ ସ୍ୱାଇଁ କହିବା କଥା, ସମଗ୍ର ରାଜ୍ୟରେ ବର୍ଷା ହେଉଛି। ଜିନିଷ ନଷ୍ଟ ହେଉଛି। ବାହାର ରାଜ୍ୟରୁ ମଧ୍ୟ ଅଧିକ ପରିବା ଆସିପାରୁନାହିଁ। ଆମ ପାଖରେ ବେଙ୍ଗାଲୁରୁ ବିନ୍ସ ୮୦ ଟଙ୍କା, ନାସିକ ବିନ୍ସ ୬୫, ରାଞ୍ଚି ବିନ୍ସ କିଲୋପ୍ରତି ୬୦ ଟଙ୍କା ରହିଛି। କାଙ୍କଡ଼ କଲିକତାରୁ ଆସୁଛି। କଲିକତା କାଙ୍କଡ଼ ୪୦ ଟଙ୍କା ଓ ଦେଶୀ କାଙ୍କଡ଼ ଆନ୍ଧ୍ରପ୍ରଦେଶରୁ ଆସୁଛି। ଯାହାର ଦର ୮୦ ରହିଛି। ପରିବା ଦରରେ ଏଭଳି ଅହେତୁକ ମୂଲ୍ୟ ବୃଦ୍ଧି ସବୁବର୍ଗର ଲୋକଙ୍କ ପାଇଁ ଚିନ୍ତାର କାରଣ ହୋଇଛି। ଦରବୃଦ୍ଧିର ସୁଯୋଗ ନେଇ କିଛି ଲାଭଖୋର ବ୍ୟବସାୟୀ କୃତ୍ରିମ ଅଭାବ ସୃଷ୍ଟି କରି ମନଇଚ୍ଛା ଦର ହାଁଙ୍କୁଥିବା ସାଧାରଣରେ ଅଭିଯୋଗ ହୋଇଛି। ୧ ନମ୍ବର ହାଟରୁ ପରିବା ନେଇ ସ୍ଥାନୀୟ ଅଞ୍ଚଳରେ ଓ ଖୁଚୁରା ଦରରେ ବିକ୍ରି ହେଉଥିବା ପରିବା ଦର ଯଥେଷ୍ଟ ଉଚ୍ଚା ରହୁଛି। ବରମୁଣ୍ଡାରେ ରହୁଥିବା ଗୃହିଣୀ ପିଙ୍କି ପ୍ରଧାନଙ୍କ କହିବା କଥା କାର୍ତ୍ତିକ ପାଇଁ ଘରେ ଆମିଷ ପଶୁନି। ହାଟ, ବଜାରକୁ ଗଲେ ହଜାରେ ଟଙ୍କାରେ ବି ବ୍ୟାଗ ପୂରୁନି। ମାସେ ପୂର୍ବରୁ ୪୦୦ରୁ ୫୦୦ ଟଙ୍କାର ପରିବା ଆଣିଲେ ୫ ଜଣିଆ କୁଟୁମ୍ବ ୪ ଦିନ ଚଳିଯାଉଥିଲା। ମାତ୍ର ଏବେ ସପ୍ତାହକୁ ୧୨୦୦ ଟଙ୍କାର ପରିବା ଆଣିବାକୁ ପଡ଼ୁଛି। କାର୍ତ୍ତିକ ମାସ ଚାଲିଥିବା ବେଳେ ପ୍ରଶାସନ ଏଥିପ୍ରତି ଦୃଷ୍ଟି ଦେଇ ଯଥାଶୀଘ୍ର ଦରବୃଦ୍ଧି ନିୟନ୍ତ୍ରଣ ନିମନ୍ତେ ପଦକ୍ଷେପ ନେବା ସହ ଲାଭଖୋର ବ୍ୟବସାୟୀଙ୍କ ବିରୋଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ବିଭିନ୍ନ ଅଞ୍ଚଳବାସୀ ଦାବି କରିଛନ୍ତି।