ରାଜପଥରେ ଓଲଟିଲା ପରିବା ବୋଝେଇ ଟ୍ରକ୍‌‌‌, ବୋହିନେ‌ଲେ କାଙ୍କଡ଼, ପୋଟଳ

ଭୁବନେଶ୍ୱର : ଭୁବନେଶ୍ୱର-କଟକ ଜାତୀୟ ରାଜପଥର ପଳାସୁଣି ଛକ ନିକଟ‌ରେ ଆଜି ବଡ଼ି ଭୋର୍‌ରୁ ଏକ ପରିବା ବୋଝେଇ ଟ୍ରକ୍‌ (ଏପି ୩୭ ଟିଇ ୧୭୭୯) ଦୁର୍ଘଟଣାଗ୍ରସ୍ତ ହୋଇ ଓଲଟି ପଡ଼ିଥିଲା। ଫଳରେ ଟ୍ରକ୍‌‌ରେ ଭର୍ତ୍ତି ହୋଇଥିବା ବସ୍ତା ବସ୍ତା କାଙ୍କଡ଼, ପୋଟଳ ରାଜପଥ ଉପରେ ଢାଳି ହୋଇଯାଇଥିଲା। ଏହା ଦେଖି ସେତେବେଳେ ରାସ୍ତାରେ ଯାଉଥିବା ଲୋକ ପରିବାଗୁଡ଼ିକୁ ଗୋଟାଇ ନେଇ ଯାଇଥିଲେ। କାଙ୍କଡ଼, ପୋଟଳ ନେବା ପାଇଁ ଲୋକଙ୍କ ମଧ୍ୟରେ ଏକପ୍ରକାର ପ୍ରତିଯୋଗିତା ଆରମ୍ଭ ହୋଇଯାଇଥିଲା। ଏପରିକି ଚାରିଚକିଆ ଗାଡ଼ି‌ରେ ଯାଉଥିବା ସମ୍ଭ୍ରାନ୍ତ ଶ୍ରେଣୀର ଲୋକ ବି ଏହି ସୁଯୋଗ ହାତଛଡ଼ା କରିନଥିଲେ। ଯିଏ ଯେମିତି ପାରିଲେ, ବୋହି ନେଇଗଲେ। ଲୋକଙ୍କ ଭିଡ଼ ଯୋଗୁଁ ରାଜପଥ ଜାମ୍‌ ହୋଇଯିବାରୁ ମଞ୍ଚେଶ୍ବର ଥାନା ପୁଲିସ ଘଟଣାସ୍ଥଳରେ ପହଞ୍ଚି ପରିସ୍ଥିତି ନିୟନ୍ତ୍ରଣ କରିଥିଲା।

ପୁଲିସ୍‌ ସୂତ୍ରରୁ ମିଳିଥିବା ସୂଚନା ଅନୁଯାୟୀ, ପରିବା ବୋଝେଇ ଟ୍ରକ୍‌ଟି କୋଲକାତାରୁ ବ୍ରହ୍ମପୁର ଅଭିମୁଖେ ଯାଉଥି‌ଲା। ଆଜି ସକା‌ଳେ ଟ୍ରକ୍‌ଟି ପଳାସୁଣି ଛକ ପାର୍‌ ହେଉଥିବା ବେଳେ ରାସ୍ତା ଉପରେ ଦୁଇଟି ଷଣ୍ଢ ଲଢ଼େଇ କରି ସାମ୍ନାକୁ ଚାଲି ଆସିଥିଲେ। ଚାଳକ ହଠାତ୍‌ ବ୍ରେକ୍‌ କଷି ଦେବାରୁ ଟ୍ରକ୍‌ଟି ଭାରସାମ୍ୟ ହରାଇ ଓଲଟି ପଡ଼ିଥିଲା। ଫଳରେ ସେଥିରେ ଥିବା ପୋଟଳ, କାଙ୍କଡ଼ ସବୁ ରାସ୍ତା ଉପରେ ଜମା ହୋଇଯାଇଥିଲା। ତେବେ ଏହି ଦୁର୍ଘଟଣାରେ କେହି ମୃତାହତ ହୋଇ ନ ଥିଲେ।

ସମ୍ବନ୍ଧିତ ଖବର