ଭଗବାନପୁରକୁ ସ୍ଥାନାନ୍ତର ହେବ ପରିବା ଗୋଦାମ

ୟୁନିଟ-୧ ହାଟର ନବୀକରଣ ପାଇଁ ଡିଜାଇନ୍ ପ୍ରସ୍ତୁତ କରୁଛି ଆଇଏଲ୍‌ଆଣ୍ଡଏଫ୍‌ଏସ୍

ଭୁବନେଶ୍ବର : ୟୁନିଟ-୧ ହାଟରେ ପରିବା ଗୋଦାମ କରିଥିବା ୪୭ଜଣ ପରିବା ବ୍ୟବସାୟୀଙ୍କୁ ଖୁବ୍ ଶୀଘ୍ର ଭଗବାନପୁରକୁ ସ୍ଥାନାନ୍ତର କରାଯିବ। ଏଥିପାଇଁ ସାଧାରଣ ପ୍ରଶାସନ ବିଭାଗ ଭଗବାନପୁରରେ ବିଏମ୍‌ସିକୁ ୫ଏକର ଜମି ଯୋଗାଇ ଦେଇଥିବା ବେଳେ ବିଏମ୍‌ସି ଏଠାରେ ଅତ୍ୟାଧୁନିକ ପରିବା ଗୋଦାମ କରିବା ପାଇଁ ପ୍ରସ୍ତୁତି ଆରମ୍ଭ କରିଛି। ଏଥିପାଇଁ ଆଇଏଲ୍‌ଆଣ୍ଡ୍‌ଏଫ୍‌ଏସ୍‌ ସଂସ୍ଥାକୁ ଡିଜାଇନ୍ ପ୍ରସ୍ତୁତ କରିବାକୁ କୁହାଯାଇଛି।

ବିଏମ୍‌ସିର ମାର୍କେଟ୍ ଦାୟିତ୍ବରେ ଥିବା ଡେପୁଟି କମିସନର ଶ୍ରୀମନ୍ତ ମିଶ୍ର କହିଛନ୍ତି ଯେ ରାଜଧାନୀ ଭିତରକୁ ଭାରୀଯାନ ପ୍ରବେଶ ଉପରେ ନିଷେଧାଦେଶ ଜାରି ହୋଇଛି। ହେଲେ ୟୁନିଟ-୧ ହାଟରେ ପରିବା ଗୋଦାମ ରହିଥିବାରୁ ଦିନବେଳା ବହୁ ଟ୍ରକ୍ ଏଠାକୁ ଆସୁଛି। ତେଣୁ ଭଗବାନପୁରକୁ ପରିବା ଗୋଦାମ ସ୍ଥାନାନ୍ତର କରିବାକୁ ବହୁ ବର୍ଷ ପୂର୍ବରୁ ସ୍ଥିର ହୋଇଥିଲା। ଏଥିପାଇଁ ସାଧାରଣ ପ୍ରଶାସନ ବିଭାଗକୁ ୫ଏକର ଜମି ମଗା ଯାଇଥିଲା। ଏବେ ୫ ଏକର ଜାଗା ମିଳିଥିବାରୁ ଏବଂ ୟୁନିଟ-୧ ହାଟର ନବୀକରଣ ହେବାକୁ ଥିବାରୁ ଏହାକୁ ତୁରନ୍ତ କାର୍ଯ୍ୟକାରୀ କରିବାକୁ ନିଷ୍ପତ୍ତି ହୋଇଛି।

ଭଗବାନପୁରରେ ଯେଉଁଠି ପରିବା ଗୋଦାମ ହେବ, ସେଠାରେ ଆଉ ୪ ଏକର ଜମି ଅଛି। ସେଠାକୁ ଏବେ ପରିବା ‌ବ୍ୟବସାୟୀଙ୍କୁ ସ୍ଥାନାନ୍ତର କରାଯିବ। ସାଧାରଣ ପ୍ରଶାସନ ବିଭାଗ ଦେଇଥିବା ୫ ଏକର ଜମିରେ ଆଧୁନିକ ଢାଞ୍ଚାରେ ପରିବା ଗୋଦାମ ନିର୍ମାଣ ହେବା ପରେ ବ୍ୟବସାୟୀମାନଙ୍କୁ ସେଠାକୁ ସ୍ଥାନାନ୍ତର କରାଯିବ। ସେଠାରେ ପରିବା ଗୋଦାମ ଖୋ‌ଲିଲେ ମିନି ଟ୍ରକ୍, ଟାଟା ଏସି ମାଧ୍ୟମରେ ପରିବା ୟୁନିଟ-୧ ହାଟକୁ ଆସିବ। ସହର ଭିତରେ କୌଣସି ଗୋଦାମ କରିବାକୁ ଅନୁମତି ଦିଆଯିବନି ବୋଲି ନିଷ୍ପତ୍ତି ହୋଇଛି। ପରିବା ଗୋଦାମ କରିଥିବା ବ୍ୟବସାୟୀମାନେ ବି ସ୍ଥାନାନ୍ତର ନେଇ ରାଜି ଅଛନ୍ତି। ତେଣୁ ଆମେ ତୁରନ୍ତ ଏହି ପ୍ରକଳ୍ପକୁ କାର୍ଯ୍ୟକାରୀ କରିବୁ ବୋଲି ଶ୍ରୀ ମିଶ୍ର କହିଛନ୍ତି।

ସମ୍ବନ୍ଧିତ ଖବର