ଦରମା କଟିଲା, ପରିବା ଦର ବଢ଼ିଗଲା : ସବୁ ୫୦ ପାର୍‌

ଭୁବନେଶ୍ବର : କରୋନା କଟକଣା ଆର୍ଥିକ ସ୍ଥିତିକୁ ଦୋହଲାଇ ଦେଇଛି। ଏଣେ ପରିବା ଦର ହୁ ହୁ ହୋଇ ବଢ଼ିଚାଲିଥିବାରୁ ଏହା ବୋଝ ଉପରେ ନଳିତା ବିଡ଼ା ସଦୃଶ ହୋଇଛି। ପରିବା ଦରରେ ହାତ ଦେଇ ହେଉନାହିଁ। ସବୁଜ ପରିବା ସବୁ ୫୦ ଟଙ୍କା ପାର୍‌। ଆମିଷ ଦର ଦେଖି ମନ ମରିଯାଉଥିବା ବ‌େଳେ ପରିବା ଦର ଶୁଣି କ’ଣ ଖାଇବେ ଲୋକେ ଚିନ୍ତାରେ ପଡ଼ିଲେଣି।

ବାଇଗଣ ଓ ପୋଟଳ କେଜି ୬୦ ଟପିଥିବା ବ‌େଳେ ବିନ୍‌ ୮୦ ଟଙ୍କା। କାଙ୍କଡ଼, ଗାଜର, ଟମାଟୋ ବି ୫୦ ଟପିଲାଣି। କେବଳ ଅମୃତଭଣ୍ଡା, କାକୁଡ଼ି ୩୦ ଟଙ୍କା ରହିଛି। ଖରାଦିନିଆ ଫସଲରେ ଉତ୍ପାଦନ କମ୍‌ ହେଉଥିବାରୁ ଉଚ୍ଚା ମୂଲ୍ୟରେ କିଣା ହେଉଛି। ତେଣୁ ବିକ୍ରି ବେଳେ ଉଚ୍ଚା ଦର ଦେବାକୁ ପଡ଼ୁଛି ବୋଲି ୪ ନମ୍ବର ମାର୍କେଟ୍‌ର ବ୍ୟବସାୟୀ ମଣ୍ଟୁ ପ୍ରଧାନ କହିଛନ୍ତି। ଚାଷୀମାନଙ୍କ କଥା ଉଦ୍ଧାର କରି ସେ କହିଛନ୍ତି, ବର୍ଷା ଦିନିଆ ଫସଲ ଆସିଲେ ଯାଇ ଦର କମିବ। ତେବେ ଏଥିପାଇଁ ସମୟ ଲାଗିବ। ତେଣୁ ଏବେ ୨ ମାସ ପର୍ଯ୍ୟନ୍ତ ଦର ଏମିତି କମ୍‌ ବେଶି ହେବ। ମାର୍କେଟ୍‌କୁ ପରିବା ନେବା ପାଇଁ ଆସିଥିବା ରମାକାନ୍ତ ‌ଗୋଚ୍ଛାୟତ କହିଛନ୍ତି, ଦରମା ଏବେ ୨୦ ପ୍ରତିଶତ କଟି ଆସୁଛି। ସେଥିରେ ପୁଣି ପରିବା ଯାହା କିଣିଲେ ୬୦ରୁ କମ୍‌ ନାହିଁ। ଆମିଷ ଦର ବି କମ୍‌ ନାହିଁ। ମାଛ ୨୦୦ ଓ ଚିକେନ୍‌ ୨୫୦ ଟଙ୍କା। ମଟନ କଥା ତ ନ ଭାବିବା ଭଲ। ପକେଟ ଖାଲି ହେଇ ଯାଉଛି ପଛେ, ୨୦୦ ଟଙ୍କାର ପରିବା କିଣିଲେ ବି ବ୍ୟାଗ ଅଧା ପୂରୁନି। ଏହା ମୁଣ୍ଡ ବ୍ୟଥା ବଢ଼ାଇ ଦେଇଛି। ଯଦି ଏମିତି ଦର ଲାଗି ରୁହେ ତେବେ ଚଳିବା ବହୁତ କଷ୍ଟ ହେବ। ଖାଲି ପରିବା କି ଆମିଷ ନୁହେଁ, କରୋନା କଟକଣା ଯୋଗୁଁ ଅଧିକାଂଶ ନିତ୍ୟ ବ୍ୟବହାର୍ଯ୍ୟର ଦର ମଧ୍ୟ ବୃଦ୍ଧି ପାଇଛି।

ସମ୍ବନ୍ଧିତ ଖବର