ଚଢ଼ା ଦରରେ ବିକ୍ରି ହେଲା ପରିବା, ଅସାଧୁ ବ୍ୟବସାୟୀଙ୍କୁ ଲଗାମ ଲଗାଇବାକୁ ଦାବି

ଭୁବନେଶ୍ବର: ବାତ୍ୟା ‘ଫନି’ ବେଗ ବଢ଼ାଇବା ଭଳି ବଜା‌ରରେ ପରିବା ଓ କିଛି ଅତ୍ୟାବଶ୍ୟକୀୟ ଗ୍ରୋସରିର ମୂଲ୍ୟ ବଢ଼ିଯାଇଥିଲା। କେଜିଏ-ଦୁଇକେଜି ଆଳୁ କିଣୁଥିବା ଲୋକେ ୫ କେଜି ଆଳୁ କିଣି ନେଉଥିଲେ। ବଜାରରୁ ଆଳୁ ଓ ପିଆଜ ଶୀଘ୍ର ସରି ଆସିବାରୁ ଶେଷ ଆଡ଼କୁ କିଛି ବ୍ୟବସାୟୀ ଏହାର ଫାଇଦା ନେଇ ଦର ବୃଦ୍ଧି କରିଦେଇଥିଲେ। ଆଳୁ ସାଧାରଣତଃ ୧୫ରେ ବିକ୍ରି ହେଉଥିବା ବେଳେ ଆଜି ୨୦ ଟଙ୍କାରେ ବିକ୍ରି ହେଉଥିଲା। ସେହିପରି ପିଆଜ ଦର ୨୨, ବାଇଗଣ, ପୋଟଳ ଓ ଭେଣ୍ଡିର ଦର ୩୦ରୁ ୪୦ ଟଙ୍କା ରହିଥିଲା। ଟମାଟୋର ମୂଲ୍ୟ କିନ୍ତୁ ୫୦ ଛୁଇଁଥିଲା। ରାତି ୯ଟା ପରେ ଦର ସାମାନ୍ୟ କମି ଆସୁଥିଲେ ହେଁ ଲୋକଙ୍କ ଭିଡ଼ ସହ ପରିବା ଦର ମଧ୍ୟ ବଢ଼ିଯାଇଥିଲା। କିଛି ଗ୍ରୋସରି ଦୋକାନରେ ଚୁଡ଼ା ଓ ଚିନି ପ୍ରାୟ ସରି ଆସିଥିଲା। ସେହିଭଳି ଭିଏସ୍ଏସ୍ ନଗର ଓ ଚନ୍ଦ୍ରଶେଖରପୁର ହାଟରେ ହଠାତ୍ ଆଳୁ ଦରବୃଦ୍ଧି ପାଇଥିବା ଦେଖାଯାଇଥିଲା। ଆଳୁ କିଲୋ ୨୫ରୁ ୩୦ ଟଙ୍କାରେ ବିକ୍ରି ହେଉଥିଲା। ଲୋକେ ଏନେଇ ଖାଉଟି ବିଭାଗରେ ଅଭିଯୋଗ କରିଥିବାକୁ ଡମଣା, ଗଡ଼େଶ୍ବର ଓ ଶିଖରଚଣ୍ଡୀ ହାଟରେ ଚଢ଼ଉ କରାଯାଇଥିଲା।

ଭୁବନେଶ୍ୱର: ବାତ୍ୟା ଆତଙ୍କରେ ସାଧାରଣ ଜନତା ଆତଙ୍କିତ ଥିବା ବେଳେ ବଜାରରୁ ଅତ୍ୟାବଶ୍ୟକ ସାମଗ୍ରୀ ଉଭାନ ହୋଇଯାଇଛି। ଅସାଧୁ ବ୍ୟବସାୟୀ ଏହି ସବୁ ଅତ୍ୟାବଶ୍ୟକ ସାମଗ୍ରୀ ଠୁଳ କରିବା ଦ୍ୱାରା ବଜାରରେ ଯେଉଁ ଅଳ୍ପ ଜିନିଷ ରହିଛି ତା’ର ଦର ଆକାଶ ଛୁଆଁ ହୋଇଛି। ଏଣୁ ଏମାନଙ୍କ ଉପରେ ତୁରନ୍ତ ଲଗାମ ଲଗାଇବାକୁ ଦାବି କରିଛି କଳିଙ୍ଗ ସେନା। ଯେଉଁମାନେ ମାନୁ ନାହାନ୍ତି ସେମାନଙ୍କୁ ଗିରଫ କରାଯାଉ। ଯଦି କାର୍ଯ୍ୟାନୁଷ୍ଠାନ ହେବ ନାହିଁ ତେବେ କଳିଙ୍ଗ ସୈନିକମାନେ ଅସାଧୁ ବ୍ୟବସାୟୀଙ୍କ ଦ୍ୱାରା ଠୁଳ ହୋଇଥିବା ଅତ୍ୟାବଶ୍ୟକ ସାମଗ୍ରୀ ଆଣି ବାତ୍ୟା କ୍ଷତିଗ୍ରସ୍ତଙ୍କୁ ବାଣ୍ଟିଦେବେ ବୋଲି ସାମ୍ବାଦିକ ଭବନରେ ଅନୁଷ୍ଠିତ ସାମ୍ବାଦିକ ସମ୍ମିଳନୀରେ କଳିଙ୍ଗ ସେନାର ସୁପ୍ରିମୋ ହେମନ୍ତ ରଥ ଘୋଷଣା କରିଛନ୍ତି। ଏଥି ସହିତ ପ୍ରଶାସନ ପକ୍ଷରୁ ବାତ୍ୟା ପ୍ରଭାବିତ ଜିଲ୍ଲାମାନଙ୍କରେ ସରକାରୀ କଣ୍ଟ୍ରୋଲ ଦୋକାନ ଏବଂ ଅନ୍ୟାନ୍ୟ ସରକାରୀ ଖାଉଟି ଦୋକାନରେ ପରିବାର ପିଛା ସୁଲଭ ଦରରେ ୫ କିଲୋ ଆଳୁ, ୨ କେଜି ଚୂଡ଼ା, ୧ କେଜି ଚିନି, ୫ କେଜି ଚାଉଳ, ୧ କେଜି ଡାଲି, ୧୦ଟି ମହମବତି ଯୋଗାଇ ଦେବାକୁ କଳିଙ୍ଗସେନା ପକ୍ଷରୁ ଦାବି କରାଯାଇଛି। ଏହା ସହ ରାଜ୍ୟ ସରକାର ପ୍ରତ୍ୟେକ ସରକାରୀ ଓ ଶସ୍ତାରେ ସରକାରୀ ଜମି ନେଇଥିବା ଘରୋଇ ଡାକ୍ତରଖାନାରେ ୨୪ ଘଣ୍ଟିଆ ଚିକିତ୍ସା ନିଃଶୁଳ୍କ ଯୋଗାଇ ଦେବା ଏବଂ ଯୁଦ୍ଧକାଳୀନ ଭିତ୍ତିରେ ଜବରଦଖଲ ଏବଂ ଅବରୋଧ ଡ୍ରେନ୍‌ଗୁଡ଼ିକ ସଫେଇ କରାଯିବାକୁ ମଧ୍ୟ ଦାବି ହୋଇଛି। ଦାବିଗୁଡ଼ିକ ପୂରଣ ନ ହେଲେ କଳିଙ୍ଗସେନା ପକ୍ଷରୁ ରାଜ୍ୟ ରିଲିଫ୍ କମିଶନଙ୍କ କାର୍ଯ୍ୟାଳୟକୁ ଘେରାଉ କରାଯିବ ବୋଲି ସେନାର ସାଧାରଣ ସଂପାଦକ ବିଜୟ ରାଜ, ଭୁବନେଶ୍ୱର ଲୋକସଭା ପ୍ରାର୍ଥୀ ଭକ୍ତ ଶେଖର ରାୟ, ଦୀପ୍ତିମୟୀ ମହାପାତ୍ର, ପ୍ରଦୀପ ସାହୁ, ପ୍ରେମାନନ୍ଦ ମହାପାତ୍ର, ଦୀପକ ସାହୁ, ବିଶ୍ୱଜିତ୍ ଗୋସ୍ୱାମୀ ପ୍ରମୁଖ ଚେତାବନୀ ଦେଇଛନ୍ତି।

ସମ୍ବନ୍ଧିତ ଖବର