ଆରମ୍ଭରୁ ଅଚଳ : ଖତ ଖାଉଛି ବ୍ୟାଟେରି ଚାଳିତ ଗାଡ଼ି

ପୁରୁଣା ଭୁବନେଶ୍ୱର : ଆରମ୍ଭରୁ ଅଚଳ ହୋଇପଡ଼ିଛି ବ୍ୟାଟେରି ଚାଳିତ ଗାଡ଼ିରେ ଏକାମ୍ର କ୍ଷେତ୍ର ଭ୍ରମଣ ଯୋଜନା। କୋଟି କୋଟି ଟଙ୍କା ବ୍ୟୟରେ କିଣା ଯାଇଥିବା ଏହି ଗାଡ଼ି ସବୁ ଏବେ ଖତ ଖାଉଛି। ଫଳରେ ଯେଉଁ ଉଦ୍ଦେଶ୍ୟ ନେଇ ଏହି ଗାଡ଼ି ସବୁ କିଣା ଯାଇଥିଲା ତାହା ଲକ୍ଷ୍ୟଠାରୁ ଦୂରରେ ରହିଛି।

ଏକାମ୍ର କ୍ଷେତ୍ରର ସୌନ୍ଦର୍ଯ୍ୟ ବୃଦ୍ଧି ସହ ଅଧିକ ପର୍ଯ୍ୟଟକଙ୍କୁ ଆକର୍ଷିତ କରିବା ପାଇଁ ଆରମ୍ଭ ହୋଇଥିଲା ବ୍ୟାଟେରି ଚାଳିତ ଗାଡ଼ି ‌ସେବା। ଶ୍ରୀଲିଙ୍ଗରାଜଙ୍କ ମନ୍ଦିର ଦର୍ଶନ ପାଇଁ ଆସୁଥିବା ପର୍ଯ୍ୟଟକଙ୍କ ଯାତାୟାତ ଲାଗି ପର୍ଯ୍ୟଟନ ବିଭାଗ ପକ୍ଷରୁ ୮ଟି ବ୍ୟାଟେରି ଚାଳିତ ଗାଡ଼ି ଯୋଗାଇ ଦିଆଯାଇଥିଲା। ପ୍ରଦୂଷଣ ମୁକ୍ତ ଭ୍ରମଣ ସହ ବୃଦ୍ଧବୃଦ୍ଧାଙ୍କୁ ବିଭିନ୍ନ ମନ୍ଦିର ଓ ଐତିହ୍ୟସ୍ଥଳ ବୁଲିବା ପାଇଁ ଏହି ଗାଡ଼ି ଯୋଗାଇ ଦିଆଯାଇଥିଲା। ପର୍ଯ୍ୟଟକଙ୍କୁ ମହାପ୍ରଭୁ ଶ୍ରୀଲିଙ୍ଗରାଜ ମନ୍ଦିର ସମେତ ଏହାର ଆଖପାଖରେ ଥିବା ୧୬ଟି ପୁରାତନ ମନ୍ଦିର ବୁଲା ଯାଇଥାନ୍ତା। ପର୍ଯ୍ୟଟକମାନେ ମେଘେଶ୍ବର, ବ୍ରହ୍ମେଶ୍ବର, ଭାସ୍କରେଶ୍ବର, ମୁକ୍ତେଶ୍ବର, ପର୍ଶୁରାମେଶ୍ବର, କେଦାରଗୌରୀ, ରାମେଶ୍ବର, ଅନନ୍ତ ବାସୁଦେବ ମନ୍ଦିର, ଗୋସାଗରେଶ୍ବର, ଭୀମେଶ୍ବର, ଜମ୍ବେଶ୍ବର, ସୂକ୍ଷ୍ମେଶ୍ବର, କପିଳେଶ୍ବର, ଐଶାନେଶ୍ବର, ବାରୁଣେଶ୍ବର, କାଳିକାଦେବୀ ମନ୍ଦିର ବୁଲିଥାନ୍ତେ। ଶ୍ରୀଲିଙ୍ଗରାଜଙ୍କ ୧୨ମାସରେ ୧୪ ଯାତ୍ରା ଓ ୯ଟି ଉପଯାତ୍ରା ସହ ଜଡ଼ିତ ମନ୍ଦିରଗୁଡ଼ିକୁ ପର୍ଯ୍ୟଟକ ବ୍ୟାଟେରି ଚାଳିତ ଗାଡ଼ିରେ ଭ୍ରମଣ କରିବାର ସୁଯୋଗ ପାଇଥାନ୍ତେ। ତେବେ ଏହି ଗାଡ଼ିଗୁଡ଼ିକ କାମରେ ନଲାଗି ଏବେ ଖତ ଖାଉଛି। ୧୨ ସିଟ୍ ବିଶିଷ୍ଟ ଏହି ଗାଡ଼ି ପର୍ଯ୍ୟଟକଙ୍କୁ ଲିଙ୍ଗରାଜ ନ୍ୟୁମାର୍କେଟରୁ ମନ୍ଦିର ପର୍ଯ୍ୟନ୍ତ ନେବା ଆଣିବା କରିବା ସହ ଅନ୍ୟ ଐତିହ୍ୟସ୍ଥଳ ଭ୍ରମଣରେ ଏହା ସହାୟକ ହୋଇଥାନ୍ତା। ଗତ ଜାନୁଆରି ୨୮ତାରିଖରେ ପ୍ରଥମ ପର୍ଯ୍ୟାୟରେ ଓଡ଼ିଶା ପର୍ଯ୍ୟଟନ ଉନ୍ନୟନ ନିଗମ (ଓଟିଡିସି) ୩୦ ଲକ୍ଷ ୪୮ହଜାର ଟଙ୍କା ବ୍ୟୟ କରି ଶ୍ରୀଲିଙ୍ଗରାଜ ମନ୍ଦିର ପ୍ରଶାସନକୁ ୨ଟି ବ୍ୟାଟେରି ଚାଳିତ ଗାଡ଼ି ଯୋଗାଇ ଦେଇଥିଲା। ଉକ୍ତ ଗାଡ଼ି ଦୁଇଟିର ପରିଚାଳନା ଦାୟିତ୍ବ ମନ୍ଦିର ପ୍ରଶାସନକୁ ଦିଆଯାଇଥିଲା। ‌ତେବେ ମନ୍ଦିର କାର୍ଯ୍ୟାଳୟ ପଛ ପାଖରେ ଥିବା ଗାଡ଼ି ଦୁଇଟିର ବ୍ୟାଟେରି ନଷ୍ଟ ହେବାକୁ ବସିଥିବା ବେଳେ ଓଟିଡିସି କାର୍ଯ୍ୟାଳୟ ପରିସରରେ ଥିବା ୬ଟି ଗାଡ଼ି ଖତ ଖାଇବାକୁ ବସିଲାଣି। ଗାଡ଼ିଗୁଡ଼ିକର ସିଟ୍‌ ନଷ୍ଟ ହୋଇଯାଇଛି। ଗାଡ଼ି ଯୋଗାଇଥିବା ଚେନ୍ନାଇର ଏକ ସଂସ୍ଥା ମଙ୍ଗଳବାର ଆସି ସ୍ଥିତି ଅନୁଧ୍ୟାନ କରିଛି।

ମୁଖ୍ୟମନ୍ତ୍ରୀଙ୍କ ଦ୍ବାରା ଉଦ୍‌ଘାଟିତ ଯାତ୍ରୀ ନିବାସ କାର୍ଯ୍ୟକ୍ଷମ ହୋଇନଥିବା ବେଳେ ବ୍ୟାଟେରିଚାଳିତ ଗାଡ଼ି ଚାଲିଲା ନାହିଁ। କିଛି ସେବାୟତ ନିଜ ନାମ ଗୋପନ ରଖି କହିଛନ୍ତି ଗାଡ଼ି ଉଦ୍‌ଘାଟନ ହୋଇନଥିବାରୁ ଏହା କାର୍ଯ୍ୟକ୍ଷମ ହୋଇପାରି ନାହିଁ। ଏନେଇ ଓଟିଡିସି ଜେନେରାଲ ମ୍ୟାନେଜର ସନତ କୁମାର ମହାନ୍ତିଙ୍କୁ ଯୋଗାଯୋଗ କରାଯାଇଥିଲେ ମଧ୍ୟ ସମ୍ଭବ ହୋଇପାରିନଥିଲା। ଏଗୁଡ଼ିକ ଶୀଘ୍ର କାର୍ଯ୍ୟକ୍ଷମ କରିବାକୁ ସାଧାରଣରେ ଦାବି ହେଉଛି।

ସୂଚନା ଥାଉକି, ସ୍ମାର୍ଟସିଟି ମିସନ୍‌ ସହ ବିଏମ୍‌ସି, ବିଡିଏ ଓ ପର୍ଯ୍ୟଟନ ବିଭାଗର ମିଳିତ ସହଯୋଗରେ ଏକାମ୍ର କ୍ଷେତ୍ରକୁ ଐତିହ୍ୟ ଜିଲ୍ଲା ଭାବେ ଘୋଷଣା କରାଯାଇ ଅନେକ ବିକାଶ କରାଯାଇଥିଲା। ଏହି ବିକାଶମୂଳକ କାର୍ଯ୍ୟ ମଧ୍ୟରେ ଏହି ବ୍ୟାଟେରି ଗାଡ଼ି ଚାଲିବା ଅନ୍ୟ ଏକ ଯୋଜନା ଥିଲା। ତେବେ ପରିଚାଳନାଗତ ତ୍ରୁଟି ଓ ସରକାରୀ ଉଦାସୀନତାରୁ ଏହି ଯୋଜନାର ସୁଫଳ ମିଳି ପାରିଲା ନାହିଁ ବୋଲି ସାଧାରଣରେ ଅଭିଯୋଗ ହେଉଛି।

ସମ୍ବନ୍ଧିତ ଖବର